ବେହାଲ୍ ସ୍ପନ୍ଦନ - ଶିବ ଚରଣ ମହାପାତ୍ର

ବେହାଲ୍ ସ୍ପନ୍ଦନ - ଶିବ ଚରଣ ମହାପାତ୍ର

ନୀଳ ଆକାଶର ପ୍ରଶସ୍ତ ବୁକୁର
(ତୁ)ସଫେଦ୍ ପୁନେଇଁ ଜହ୍ନ
କାହା ପିରତିରେ ଅମିଷା ରାତିରେ
ବେହାଲ୍ କଲୁ ସ୍ପନ୍ଦନ..

ଆଖିରେ ପିନ୍ଧେଇ ବିରହ ଗହଣା
ହେଲୁକିବା ବାଟବଣା
ହୃଦୟରେ ଉଣା ପିରତି ପାଉଣା
ନଥିଲାକି ତୋତେ ଜଣା..

ସାଉଣ୍ଟି ଧରିଲୁ ପ୍ରେମର କଣିକା
ସାମୁକା ଛାତିରୁ ମୁକ୍ତା
ବେଳାଭୂମି ବାଲି ଛଳନା ନିଶ୍ୱାଃସେ
ତୋଳୁଥିଲା ନୀରବତା..

ପିଲାଖେଳ ପରି ଭାଙ୍ଗିଲୁ ସମ୍ପର୍କ
ପ୍ରେମରେ ପକେଇ କଟି
ବେହାଲ୍ ସ୍ପନ୍ଦନ ଭିତରେ ଭିତରେ
ଚାଲିଯାଏ ବାଟ କାଟି..

ଫୁଲ ଦେଖି କହେ ଉପହାସେ ମୋତେ
କାହିଁ ତୋ ଅପସରୀ ନାରୀ
ଯେଉଁ ରୂପସୀର ଅଙ୍ଗରଙ୍ଗ ସଙ୍ଗେ
ନଥିଲେ କେହିଟି ସରି..

ସେବେଳେ ଆକାଶ ଛାତିର ସ୍ପନ୍ଦନ
ଉଲ୍କା ସାଜି ଗଳି ପଡେ
ପୃଥିବୀ ହୃଦୟ ତାଳୁରୁ ତଳିପା
ଦୁଇ ହାତେ ତାର ଫାଡେ..

ଥରୁଟିଏ ଆସି ଦେଖିଯା'ରେ ପ୍ରିୟା
ଯନ୍ତ୍ରଣା ଭିଜା ଏ ମନ
ଆଉଥରେ ପୁଣି ମଳୟ ପବନେ
ଝଙ୍କୃତ ହେଉ ସ୍ପନ୍ଦନ..

ଚକ୍ରଧରପୁର, କେନ୍ଦୁଝର

1 Comments

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।