ବାମନଘାଟୀର ପର୍ବପର୍ବାଣୀ : ଏକ ଦୃଷ୍ଟିପାତ - କୌଶିକ କୁମାର ହୋତା

ବାମନଘାଟୀର ପର୍ବପର୍ବାଣୀ : ଏକ ଦୃଷ୍ଟିପାତ - କୌଶିକ କୁମାର ହୋତା

ମୋ ବାମନଘାଟୀ ଏକ ପୁଣ୍ୟଭୂମି l ଏହାର ଜଳ, ବାୟୁ, ପାହାଡ଼, ପର୍ବତ, ନଦୀ ସବୁ ପୁଣ୍ୟମୟ l ଏହାର ପ୍ରତିଟି ଧୂଳି କଣାରେ ଭରିରହିଛି ମହାନତା ଓ ପବିତ୍ରତା l ଏହାର ପ୍ରତିଟି ନାଗରିକ କର୍ମକ୍ଳାନ୍ତ ଜୀବନରେ ଆନନ୍ଦ ଉପଲବ୍ଧି ପାଇଁ ବାର ମାସରେ ତେର ପରବ କୁ ଆପଣାଇ ନେଇଛନ୍ତି l କର୍ମାସକ୍ତ ବାମନଘାଟୀ ବାସୀ ଏହାକୁ ପାଳନ କରି ପାଆନ୍ତି ଦିବ୍ୟ ଆନନ୍ଦ l ଜୀବନ ହୁଏ ସରସ, ସୁନ୍ଦର ଓ ମଧୁମୟ l ମୋ ବାମନଘାଟୀ ଅଞ୍ଚଳରେ ପାଳନ କରାଯାଉଥିବା ପର୍ବପର୍ବାଣୀ ଗୁଡ଼ିକରୁ ମକର ପର୍ବ ହେଉଛି ଅନ୍ୟତମ ଓ ଏହା ମୁଖ୍ୟ ପର୍ବ ଅଟେ l ଏ ସମ୍ପର୍କରେ କୁହାଯାଇଛି :-

"ବରଷକେ ଥରେ ଆସେ ମକର,
ସଭିଙ୍କୁ ବାଣ୍ଟଇ ଖୁସି ଖବର l
ମକର ମଣ୍ଡାରେ ମହକେ ଘର,
ଭରିଦିଏ ସତେ ହସ ଜୁଆର l
ନୂଆ ବସନ ଓ ଟୁସୁ ମେଳନ,
ମନହୁଏ ସଭିଙ୍କର ଉଚ୍ଛନ l
ଗାଆଁ କୁମାରୀଏ ଗାଆନ୍ତି ଗୀତ,
ମନର ମିଳନେ ବସନ୍ତି ମିତ l
ମକର ଚାଉଳ, ତିଳଉ ଚୁଡା,
ପିଲାଠାରୁ ବୁଢ଼ା ସଭିଙ୍କ ଲୋଡ଼ା l
ଧିଙ୍ଗୁଆନ ଦଳ ଘରକୁ ଘର,
ବୁଲି ବୁଲି ମାଗୁଥାନ୍ତି ମକର l
ସଂକୀର୍ତ୍ତନ ଦଳ ମନ୍ଦିରେ ଯାଇ,
ପୂଜନ୍ତି ସେଠାରେ ଜଗତ ସାଇଁ l
ଲୋକହିତ ପାଇଁ କରନ୍ତି ପୂଜା,
କରତାଳ ସଙ୍ଗେ ବଜାନ୍ତି ବାଜା l
ଘରେ ଘରେ ହୁଏ ଆରିସା ପିଠା,
ମନ ଲାଖିଯାଏ ଆହାକି ମିଠା l
ପରବ ବାସିରେ ସଭିଏଁ ଯାଇ,
ବନ୍ଧୁଭାବ ନେଇ ବାଣ୍ଟନ୍ତି ତହିଁ l
ସମସ୍ତେ ପାଳନ୍ତି ମକର ମେଳା,
ଆମ ପାଇଁ ଆଣେ ଖୁସିର ବେଳା l
ସବୁଦିନ ରହନ୍ତାକି ମକର,
ଘର ମୋ ହୁଅନ୍ତା ସରଗପୁର l"

ଏହି ପର୍ବରେ ଟୁସୁ ଦେବୀଙ୍କୁ ଅବିବାହିତା ବାଳିକା ମାନେ ପୂଜା କରନ୍ତି l ଏହା ସହିତ ଅନେକ ଲୋକକଥା, ଲୋକାଚାର, ଓ ବାମନଘାଟୀର ସଂସ୍କୃତି ଜଡିତ ହୋଇ ରହିଛି l ଏହା ଛଡା ବାମନଘାଟୀ ର ମୁଖ୍ୟ ପର୍ବ ଗୁଡିକ ହେଲା- ବାନ୍ଦନା ପରବ, କରମ ପୂଜା, ମନସା ପୂଜା, ଇନ୍ଦ ପରବ, ଅଖଇଁ ଯାତ୍ରା, ଅଘନ ସଂକ୍ରାନ୍ତି, ଚୈତ୍ର /ଉଡ଼ା ଯାତ୍ରା, ଗହ୍ମା ପୂର୍ଣ୍ଣିମା, ଚିତଉ ପରବ, ମଙ୍ଗଳା ଓଷା, ଜାନ୍ତାଳ ପୂଜା, ଗରାମ ପୂଜା, ଇତ୍ୟାଦି.. 

ବାନ୍ଦନା ପରବ :- ବାନ୍ଦନା ପରବ ସାଧାରଣତଃ ବାମନଘାଟୀ ର କୁର୍ମୀକ୍ଷତ୍ରୀୟ ମାନଙ୍କର ଏକ ପ୍ରଧାନ ପର୍ବ l ପଡିଆରେ ଅରୁଆ ଚାଉଳରେ କୋଠରୀ ସଜାଇ ସେଥିରେ ହଳଦୀଗୁଣ୍ଡର ମୁରୁଜ ପକାଇ ତା ଉପରେ ରଖାଯାଏ ସିନ୍ଦୁର ମଖା ଅଣ୍ଡାଟିଏ l ପୂଜା ଶେଷରେ ବଳି ଚଢ଼ାଯାଏ l ବଳି ମାଂସରେ ଚାଉଳ ପକାଇ ଦେହୁରୀ ପ୍ରସ୍ତୁତ କରନ୍ତି ଖେଚୁଡ଼ି l ଏହାର ଅନ୍ୟ ନାମ ଗୋଠ ପୂଜା l ଯାହାର ଗୋରୁ ଅଣ୍ଡାଟିକୁ ମାଡ଼ିଥାଏ ସେ ହୁଅନ୍ତି ଭାଗ୍ୟଶାଳୀ ଓ ତାଙ୍କୁ ଲୋକେ କାନ୍ଧେଇ କାନ୍ଧେଇ ଘରକୁ ନେଇଯାନ୍ତି l ସେ ଯାଇ ଘରେ ଗ୍ରାମବାସୀଙ୍କୁ ପିଠା ଓ ହାଣ୍ଡିଆ ଦେଇ ଆପ୍ୟାୟିତ କରନ୍ତି l

କରମ ପୂଜା :- ସେହିପରି ଉଷୁନା ଧାନ ଗଜା ହେଲେ କରମ ଦେବତା ପ୍ରସନ୍ନ ହୁଅନ୍ତି ବୋଲି ବାମନଘାଟୀ ଲୋକକଥାରେ ଶୁଣାଯାଏ l ସେହି ଭାଗ୍ୟବାନ ବ୍ୟକ୍ତି ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀରେ ଭଲ ଶସ୍ୟ ପାଇଁ କରମ ପୂଜା କରନ୍ତି l ଏଥିରେ କରମ ଗଛର ଡାଳକୁ ପୂଜା କରିବା ସଙ୍ଗେ ସଙ୍ଗେ କରମ ଗୀତ ଝିଅମାନେ ଗାଇଥାନ୍ତି l 

ମନସା ପୂଜା :- ମନସା ପୂଜା ହେଉଛି ମନସା ଦେବୀଙ୍କ ଆରାଧନା l ତନ୍ତ୍ର ମନ୍ତ୍ରରେ ବିଶ୍ୱାସ ରଖୁଥିବା ବାମନଘାଟୀ ବାସୀ ସର୍ପଦେବୀ ମନସାଙ୍କୁ ନାଗପଞ୍ଚମୀ ଓ ସାଧାରଣ ଲୋକେ ଗର୍ଭଣା ସଂକ୍ରାନ୍ତି ରେ ପୂଜା କରିଥାନ୍ତି l ଦେବୀଙ୍କ ପାଖରେ ହଂସ ଓ ଚେଙ୍ଗ ମାଛ ବଳି ପଡିଥାଏ l ଏ ପୂଜା କଲେ ସର୍ପ କିମ୍ବା ବିଷଧର ଜୀବଙ୍କ ପ୍ରଭାବ ପଡେନାହିଁ ବୋଲି ବାମନଘାଟୀ ଲୋକଙ୍କର ବିଶ୍ୱାସ l 

ଇନ୍ଦ ପରବ :- କରମ ପୂଜାର ଠିକ ପରଦିନ ଅର୍ଥାତ ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଇନ୍ଦ ପୂଜା ହୋଇଥାଏ l ଏଥିରେ ଇନ୍ଦ୍ର ଦେବତାଙ୍କୁ ଭଲ ବର୍ଷା ପାଇଁ ଓ ସୁନ୍ଦର ଫସଲ ପାଇଁ ଲୋକେ ଇନ୍ଦ ଛତା ପୋତି ପୂଜା କରନ୍ତି l ବାମନଘାଟୀ ର ବହଳଦା ଠାରେ ହେଉଥିବା ଏହି ଇନ୍ଦ ପୂଜାରେ ବହୁ ଭକ୍ତ ଯୋଗ ଦିଅନ୍ତି l 

ଅଖଇଁ ଯାତ୍ରା :- ଏହା ବାମନଘାଟୀ ଧର୍ମବିଶ୍ୱାସ ରେ ଏକ ମୁଖ୍ୟ ପର୍ବ l ଅକ୍ଷୟ ତୃତୀୟା ଦିନ ବାମନଘାଟୀ ର କୃଷକ ମାନେ ବିହନ ଅନୁକୂଳ କରିବା ସହିତ ଅକ୍ଷି ମୁଠି ବାହିଥାନ୍ତି l ଏହି ଦିନ ଶସ୍ଯ ଅନୁକୂଳ କଲେ ଭଲ ଫସଲ ହୁଏ ବୋଲି ବାମନଘାଟୀ କୃଷକଙ୍କ ର ବିଶ୍ୱାସ l 

ଅଘନ ସଂକ୍ରାନ୍ତି :- ଅଘନ ସଂକ୍ରାନ୍ତି ପୌଷ ସଂକ୍ରାନ୍ତି କୁ ବୁଝାଏ l ଏଥିରେ ବାମନଘାଟୀ ବାସୀ ଅଘିରା ଜାଳନ୍ତି l ଅଘିରା ଜାଳିବା ଦ୍ୱାରା ଅଗ୍ନି ଦେବତାଙ୍କୁ ପୂଜା କରାଯାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି l ଏଥିରେ ଅଗ୍ନି ଉତ୍ସବ ପରି ପ୍ରତ୍ୟେକଙ୍କ ଘରୁ ନଡାବିଡା ଆଣି ଦେହୁରୀ ପ୍ରଥମେ ଅଗ୍ନି ସଂଯୋଗ କରେ l 

ଚୈତ୍ର ସଂକ୍ରାନ୍ତି / ଉଡ଼ା ଯାତ୍ରା :- ଏହାର ବିଶେଷତ୍ୱ ହେଉଛି ଶିବଙ୍କ ଉପାସନା l ଏଥିରେ ଶୈବ ଭକ୍ତ ମାନେ ମନସ୍କାମନା ପୂରଣ ନିମନ୍ତେ ଉପାସନା କରନ୍ତି ଏବଂ ଉଡ଼ା ଯାତ୍ରା ରେ ଦେବତାଙ୍କ ପ୍ରତିନିଧି ରୂପେ ଉଡିଥାନ୍ତି l ପିଠି, ବାହୁ ଇତ୍ୟାଦିରେ ରଂଜଣୀ ଫୁଡେଇ ବେକରେ ଗୁଲାଚି (କେରାଟ )ଫୁଲର ମାଳ ପକାଇ ଶିବ ଭକ୍ତ ସାଜି ଉଡିଥାନ୍ତି l 
ରାଇରଙ୍ଗପୁର ଗଢ ର ଉଡ଼ା ଯାତ୍ରା ମୟୁରଭଞ୍ଜ ର ଏକ ପ୍ରସିଦ୍ଧ ପର୍ବ l

ଗହ୍ମା ପୂର୍ଣ୍ଣିମା :- ଯଦିଓ ଗହ୍ମା ହେଉଛି ବଳଭଦ୍ରଙ୍କ ଜନ୍ମଦିନ ତଥାପି ବାମନଘାଟୀ ବାସୀ ଏ ପୂଜାରେ ଗୋରୁ ଗାଈଙ୍କୁ ବନ୍ଦାଣ କରିଥାନ୍ତି l ସିଂଗରେ ତେଲ ଦେଇ ରାକ୍ଷୀ ବାନ୍ଧି ମୁଣ୍ଡରେ ସିନ୍ଦୁର ମଖେଇ ପୂଜା କରିଥାନ୍ତି l 

ଚିତଉ ପରବ :- ଚିତା ଲାଗି ଅମାବାସ୍ୟା ରେ ହିଁ ବାମନଘାଟୀ ବାସୀ ଚିତଉ ପର୍ବ ପାଳନ କରନ୍ତି l ଘରେ ଘରେ ଚିତଉ ପିଠା ହୁଏ l ଚିତଉ ପିଠାର ପ୍ରସ୍ତୁତି ପରେ ଏହାକୁ ନେଇ ମାଜଣା ରେ ଜଳଜୀବ ମାନଙ୍କୁ ଭୋଗ ଦିଆଯାଏ l ଉଦେଶ୍ୟ ହେଉଛି ଜଳରେ ଥିବା ଅନିଷ୍ଟକାରୀ ଜଳ ଜୀବ ଯେପରି କୌଣସି ଅନିଷ୍ଟ କରିବେ ନାହିଁ l 

ମଙ୍ଗଳା ଓଷା :- ଚୈତ୍ର ମାସର ମଙ୍ଗଳବାର ଗୁଡିକରେ ବାମନଘାଟୀ ଜନସାଧାରଣ ପରିବାରର ମଙ୍ଗଳ ଉଦେଶ୍ୟରେ ମଙ୍ଗଳା ମାଆଙ୍କୁ ପୂଜା କରନ୍ତି l ବିଶେଷ କରି ଶେଷ ମଙ୍ଗଳବାର ଦିନ ଘଟ ଆଣିବା, ଝାମ୍ପଣ ହେବା, ନୂଆ ଆମ୍ବ ଭୋଗ ଦେବା, କୁକୁଡ଼ା, ହଂସ ଇତ୍ୟାଦି ବଳି ପକାଇ ମାନସିକ ପୂରଣ କରନ୍ତି l

ଜାନ୍ତାଳ ପୂଜା:- ଜାନ୍ତାଳ ପୂଜା ହେଉଛି ବାମନଘାଟୀ ର ଗ୍ରାମୀଣ ପୂଜା l ଅଧିକାଂଶ ଗ୍ରାମରେ ଜାନ୍ତାଳ ପୂଜା କରାଯାଏ l ଏହା କୃଷି ସମ୍ପର୍କିତ ପୂଜା l ଏଥିରେ ଛେଳି, କୁକୁଡ଼ା ବଳି ଦିଆଯାଏ l ଜାମଦା ର କଇଁପୁର ଠାରେ ହେଉଥିବା ଜାନ୍ତାଳ ପୂଜାରେ ଦେହୁରୀ ଶ୍ରୀ ଶ୍ରୀ ନୃସିଂହ ଙ୍କୁ ପୂଜା କରନ୍ତି l ଏହା ପଖଣାପାଟ ପାହାଡ଼ ଉପରେ ଅନୁଷ୍ଠିତ ହୁଏ l

ଗରାମ ପୂଜା :- ଏହା ମଧ୍ୟ କୃଷି ସମ୍ପର୍କିତ ପୂଜା l ବାମନଘାଟୀର ପ୍ରତି ଗ୍ରାମରେ ଧାନ ବୁଣା ପରେ ପରେ ସୁବିଧା ଅନୁସାରେ ଗରାମ ପୂଜା କରନ୍ତି l ଏ ପୂଜା ନ ହେବା ପର୍ଯ୍ୟନ୍ତ ଚାଷ ଜମିରେ କୃଷି କର୍ମ ଆରମ୍ଭ ହୋଇପାରିବ ନାହିଁ l ଏଥି ପାଇଁ ଗ୍ରାମବାସୀ ଚାନ୍ଦା ଦେଇ ବୋଦା କିଣି ଗରାମ ଦେବୀଙ୍କ ନିକଟରେ ବଳି ଦେଇ ପୂଜା କରନ୍ତି ଓ ସେହି ମାଂସକୁ ଗ୍ରାମର ପୁରୁଷ ଲୋକେ ଖାଆନ୍ତି l

ଶେଷରେ ଏତିକି କୁହା ଯାଇପାରେ ଯେ ମୋ ବାମନଘାଟୀ ବାସୀ ସାଧାରଣତଃ ଆଧ୍ୟାତ୍ମିକବାଦୀ l ସେମାନଙ୍କର ଧର୍ମ ଧାରଣାରେ ଥିବା ସରଳ ଈଶ୍ୱର ବିଶ୍ୱାସ ସେମାନଙ୍କୁ ଅନ୍ୟ ଅଞ୍ଚଳର ଲୋକଙ୍କ ଠାରୁ ଭିନ୍ନ ରୂପେ ପରିଚୟ ଦେଇଥାଏ l ସେମାନଙ୍କର ଭକ୍ତି, ରୀତି, ନୀତି, ପ୍ରଥା, ପରମ୍ପରା ସେମାନଙ୍କର ସ୍ୱାତନ୍ତ୍ର କୁ ପ୍ରତିପାଦିତ କରିଥାଏ l


Writer's Details: କୌଶିକ କୁମାର ହୋତା
ନବମ ଶ୍ରେଣୀ, କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ l
Content Category:
Submission Date: Jun 19, 2019

0 Comments