OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ପ୍ରବନ୍ଧ - ଘର ଭଙ୍ଗା - ସନ୍ତୋଷ କୁମାର ମହାନ୍ତି

ପ୍ରବନ୍ଧ - ଘର ଭଙ୍ଗା - ସନ୍ତୋଷ କୁମାର ମହାନ୍ତି

ସଂସାରରେ ସମସ୍ତେ ଖୁସି ଚାହାନ୍ତି | ମଣିଷ ସବୁବେଳେ କିପରି ଖୁସିରେ ରହିବ ସେଥିପାଇଁ ବାଟ ଖୋଜୁଥାଏ | ସିଏ ଯେତେ ସିଧା ରାସ୍ତାରେ ବାଟ ଚାଲିବାକୁ ଚାହିଁଲେ ବି ତାର ଚଲାପଥରେ ଅନେକ କଣ୍ଟା ବିଛେଇ ହେଇପଡ଼େ | ମଣିଷ ନିଜର ଭୁଲ ପାଇଁ ଦୁଃଖ ଭୋଗିଥାଏ ,ତାହା ସହିତ ଏ ସମାଜର କିଛି ଲୋକଙ୍କ ହୀନ କାମ ଓ କୁଟ ବୁଦ୍ଧି ପାଇଁ କଷ୍ଟ ପାଏ | ମଣିଷର ଅଜାଣତରେ କଣ ସବୁ ଘଟି ଯାଉଥାଏ ଆଉ କିଏ ନାଟ ସବୁ ଲଗାଉଥାଏ ତାହା ବୁଝିଲା ବେଳକୁ ଅନେକଙ୍କର କ୍ଷତି ହୋଇ ସାରିଥାଏ | ମଣିଷର ଚେହେରା ବଦଳିବା ଭଳି ତାର ଗୁଣ ,ଚାଲିଚଳନ,ଆଚାର ଓ ବିଚାର ବଦଳୁଥାଏ | ଦୁନିଆରେ ମଣିଷକୁ ବୁଝିବା ଏତେ ସହଜ ନୁହେ | ଉପରକୁ ସୁନ୍ଦର କଥା କହୁଥିବା ଓ ଭଲ ବ୍ୟବହାର ଦେଖାଉଥିବା ଲୋକଟି ଭିତରେ କଣ ସବୁ କରୁଛି ଓ କରିବ ତାହା ଜାଣିବା ଭାରି କାଠିକର ପାଠ | ଏହି ଜଗତରେ କିଛି ଲୋକ ଅଛନ୍ତି ସେମାନେ ଭାରି ଖେଳୁଆଡ଼ | ସବୁଥିରେ ଥାଆନ୍ତି ପୁଣି କୋଉଥିରେ ନ ଥାଆନ୍ତି | ନାଟ ଲଗେଇ ଦେଇ ବସିଯାନ୍ତି | ଠିକ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜିଲେ ଅତି ଚତୁରତାର ସହ ଖସିଯାଆନ୍ତି | ସେହି ଭଳି ଲୋକମାନଙ୍କୁ ଆମେ ଚାରିଆଡେ ଦେଖିବାକୁ ପାଇବା | ଏମାନଂକୁ ଗାଁ ,ସହର ,ଗଳିକନ୍ଦି,ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁଠି ଦେଖିବାକୁ ମିଳେ | ଆପଣ ସେମାନଙ୍କୁ ବିଭିନ୍ନ ସଭା ଯଥା -ପଲ୍ଲୀ ସଭା, ,ସାହିତ୍ୟ ସଭା ,ସାଙ୍ଗଠନିକ ସଭା ,ରାଜନୈତିକ ସମାବେଶ ଓ ବିଭିନ୍ନ ପ୍ରକାର ସାମାଜିକ ଓ ପାରିବାରିକ ଉତ୍ସବରେ ଦେଖିବାକୁ ପାଇଥିବେ |


ପଛରେ ରହି ନାନା ପ୍ରକାର ନାଟ ଲଗାଉଥିବା ଲୋକର କଥା ଓ କାମକୁ ବୁଝିବା ପାଇଁ ସେତିକି ବୁଦ୍ଧି ଦରକାର | ସେମାନେ କେତେବେଳେ କଣ ସବୁ କରିବେ ତାହା ଆକଳନ କରିବା ଏତେ ସହଜ ନୁହେ | ସେମାନଙ୍କ ପାଇଁ ଘର ଠାରୁ ନେଇ ବାହାର ପର୍ଯ୍ୟନ୍ତ ନାନା ପ୍ରକାର ଅଶାନ୍ତିର ବାତାବରଣ ତିଆରି ହେଉଥାଏ | ସେମାନଙ୍କ କୂଟନୀତି ଓ କୁଚକ୍ରୀ ବୁଦ୍ଧିରେ ଅନେକ ମଣିଷ ଅଠାକାଠିରେ ପଡି ଘାଣ୍ଟି ହେଉଥାନ୍ତି | କିନ୍ତୁ ସେମାନଙ୍କ କାରନାମାକୁ ଜାଣିବା ଏତେ ସହଜ ନୁହେ | ସେମାନେ ସବୁବେଳେ ପଛ ଧାଡିରେ ରହି ନିଆଁ ଲଗେଇ ଦେଇ ମଜା ଦେଖନ୍ତି | ପଛରେ ଥାଇ ନାଟ ଲଗାଉଥିବା ଲୋକଟି ଦୁର୍ବଳମନ ଲୋକମାନଙ୍କୁ ସାଥି କରିଥାଆନ୍ତି | ସେମାନଙ୍କୁ ହାତବାରିସୀ କରି ନାନା ପ୍ରକାର ଘଟଣା ଓ ଦୁର୍ଘଟଣା ସବୁ ସେମାନେ ସମାଜରେ ଭିଆଇ ଥାଆନ୍ତି | ଅମୃତ ଭାଣ୍ଡରେ ବିଷ ପକେଇବା ସେହି ଲୋକମାନଙ୍କ ଗୋଟେ ପ୍ରକୃତି | ସେମାନଙ୍କ ପାଇଁ ଗାଁ ,ସହର,ବିଭିନ୍ନ ଅନୁଷ୍ଠାନରେ ନାନା ପ୍ରକାର ବିଭ୍ରାଟ ଜାତ ହେଉଥାଏ | ଅନେକ ଲୋକ ସେଥିପାଇଁ ଦୁଃଖ ପାଆନ୍ତି | ଗୋଟେ ଶାନ୍ତିପୂର୍ଣ୍ଣ ବାତରବରଣ ଭିତରେ ଅଶାନ୍ତିର କାୟା ବିସ୍ତାର ହେଇ ଯାଏ | ଆଉ ପଛରେ ବସି ନାଟ ଲଗେଇଥିବା ଲୋକଟି ବସି ଆରାମରେ ଦାନ୍ତ ଚିପା ହସ ହସି ମଜା ଦେଖୁଥାଏ |

ଯୋଉ ଲୋକ ଆଗରେ ନ କହି ପଛରେ କହେ ଆଉ ସାମନାକୁ ଆସି ନିଜ ମତ ରଖିପାରେନା ସେ ଲୋକଟି କେବେବି ସାହସୀ ଲୋକ ନୁହେ ବୋଲି ବୁଝିବାକୁ ହେବ |ସେମାନଙ୍କୁ ଏହି ସମାଜର ଅନେକ ବ୍ୟବସ୍ଥା , ଅନୁଷ୍ଠାନର କାମ ,ଲୋକମାନଙ୍କ କଥା ଓ ସାମୁହିକ ଭାବରେ ନିଆଯାଇଥିବା ନିଷ୍ପତ୍ତି ଭାରି ଅଡୁଆ ଲାଗେ | ସେଥିପାଇଁ ସେମାନେ ସିଧା ସଳଖ ପରିସ୍ଥିତି ଓ ପରିବେଶକୁ ନ ସଜାଡି ଯୋଉ ବାଟର ଆଶ୍ରୟ ନିଅଂତି ତାହା ଦ୍ୱାରା ଏ ସମାଜରେ ଅନେକ କ୍ଷତି ସାଧନ ହୁଏ | ସମାଜର ବାତାବରଣ କଳୁଷିତ ହୁଏ | ଯୋଉଟା ସକରାତ୍ମକ ଭାବରେ ହେଇପାରନ୍ତା ସେଇଟା ସେହି ପଛ ଧାଡ଼ିଆ ଲୋକ ମାନେ ନ କରି ଏପରି ହୀନ ପନ୍ଥା ସବୁ ହାତକୁ ନିଅଂତି ଯାହା ଦ୍ୱାରା ଏ ସମାଜରେ ସେମାନେ ବିଷର ମଂଜି ବୁଣି ଚାଲନ୍ତି | ସେହି ଲୋକମାନଙ୍କୁ ଆମେ ଘର ଭଂଗା ବୋଲି କହିଥାଉ | ଜୀବନ କାଳ ଭିତରେ ସେହିଭଳି ଲୋକମାନେ ନିଜେ କରୁଥିବା କାମକୁ କେବେ ଭୁଲ ବୋଲି ବୁଝନ୍ତି ଓ ଭାବନ୍ତି ନାହିଁ | ସେମାନେ ନିଜର ସୁଧାର ଆଣି ପାରନ୍ତି ନାହିଁ କି ଏ ଦୁନିଆର ଭଲ ଚିନ୍ତା କରିପାଆନ୍ତି ନାହିଁ | ଘୁଷୁରୀ ପ୍ରକୃତି ମଲେ ତୁଟେ ଭଳି ସେହି ଭଳି ଲୋକମାନଙ୍କ ପ୍ରକୃତି ମଲା ପରେ ମାଟିରେ ମିଶେ | ପଛରେ ଥାଇ ଘରେ ଓ ବାହାରେ ନାଟ ଲଗାଉଥିବା ଲୋକଠାରୁ କିଛି ଲୋକ ହାତେ ମାପି ଚାଲୁଥାଆନ୍ତି | ଆଉ କିଛି ଲୋକ ସେମାନଙ୍କ କୁଟ ବୁଦ୍ଧିକୁ ନବୁଝି ସେମାନଙ୍କ ରାସ୍ତାରେ ଚାଲି ନାନା ଅସୁବିଧାର ଶୀକାର ହୁଅନ୍ତି | ସେମାନଙ୍କୁ ଜାଣିବା ବେଳକୁ ନେଡିଗୁଡ କହୁଣିକୁ ବୋହିଯାଇଥାଏ | ତେଣୁ ସେ ଭଳି ଲୋକମାନଙ୍କ ଠାରୁ ଯୋଉ ଲୋକ .ଘର ,ଅନୁଷ୍ଠାନ ଓ ଗାଁ ଦୂରେଇ ରହି ପାରିଲା ସେଠି ସବୁ କିଛି ସୁରୁଖୁରୁରେ ଚାଲେ | ଆଉ ସେମାନେ ଯୋଉଠି ରହିଲେ ସେଠି କେତେବେଳେ କି ପ୍ରକାର ଝଡ ବହିବ ତାହା ଆକଳନ କରିବା ଅସମ୍ଭବ ଅଟେ |



ଏ ଦୁନିଆର ବିଭିନ୍ନ ସ୍ଥାନରେ ରହି ଘର ଭଙ୍ଗା ଭୂମିକାରେ ନିଜର ଗୋଟି ଚଳାଉଥିବା ଲୋକକୁ ସଜାଡ଼ିବା ଏତେ ସହଜ ନୁହେଁ | ତେଣୁ ସେମାନଙ୍କ ଦୂରରୁ ଜୁହାର କରି ରହିବା ଓ ସେହି ଭଳି ଲୋକମାନଙ୍କ କଥା ଓ କାମକୁ ଅଧିକ ଗୁରୁତ୍ୱ ନ ଦେଲେ ସେମାନେ କିଛି ପରିମାଣରେ ବାଟକୁ ଆସିପାରିବେ | ଆଉ ଆମ ମାନଙ୍କ ଏ ସଂସାରରେ ବାଟ ଚାଲିବ ସହଜ ହେବ |

Writer's Details: ନବଜୀବନ ସମାଜ,
ସଫା, କଟକ-୭୫୪୦୨୨, ଦୂରଭାଷ-୯୭୭୭୭୬୬୩୪୬Content Category:
Submission Date: Jun 10, 2019

0 Comments