ଆସ ହେ ବରଷା ଆସ - ଶିବ ଚରଣ ମହାପାତ୍ର

ଆସ ହେ ବରଷା ଆସ - ଶିବ ଚରଣ ମହାପାତ୍ର

ଉତ୍ତପ୍ତ ହୋଇଲା ଧରିତ୍ରୀ ବଖରା
ଦିବାକର ତପ୍ତ ତାପେ
ଲଳିତ ପଲ୍ଲବୁଁ  ଲିଭିଲା ଲାବଣ୍ୟ 
କୁହ କେଉଁ ଅଭିଶାପେ..

ନିରସ ଶ୍ରୀ ଅଙ୍ଗେ ସ୍ୱେଦ ସ୍ନାନ ନେଲେ
ଜଗତ ମୋହନ ପତି
ବିରହ ଜ୍ୱଳନେ ରଜବତୀ ମାଟି
ଜ୍ୱୋତ୍ସା ରେ ପତାଏ ଛାତି..

ବିବିଧ ପ୍ରସୂନ ଦୃମ ବଲ୍ଲୀଗଣ
କୀଟ ପତଙ୍ଗାଦି ଜୀବ
ଶୁଷ୍କ ଓଠରେ ଜଳାଧାର ସର୍ବ
କାନ୍ଦେ ସରସୀ ରାଜୀବ..

ଘନ ଆସାର ବଉଦ ଚାଦରେ
ଢାଙ୍କିଦେ ଦିବା ସୁରୁଜ
ଘନ ଘନଶ୍ୟାମ ପ୍ରକୃତି ସୌନ୍ଦର୍ଯ୍ୟ
କୁହୁକେ ବୁଣୁ ମୁରୁଜ..

ମହକେ ମହକି ଉଠୁ ମହା ମହି
ଦୁର୍ବାଦଳ ଦଳ ତାର
ସ୍ଥାବର ଜଙ୍ଗମ ନବଦ୍ୱୀଜ କୀଟ
ଦୃତ ପ୍ରସାରୀ ଶରୀର..

ସରଣୀ ରାଜୀବ ଆତ୍ମା ବିରାଜିବ
ମଧୁଶାଳା ଭବଧାମ
କାନ୍ତ କାନନେ କାଦମ୍ବିନୀ ସ୍ପର୍ଶ 
ସୃଜିବ ସୁଷମା ପ୍ରେମ..

ପୁଲକିତ ଧରା ପ୍ରସ୍ଫୁଟିତ ହେବ
ମୁଦ୍ରିତ ପଲକ ମେଲି
ପୃଥ୍ବୀ ଉରସ ଅମିୟ ପରସ
ସିଞ୍ଚିବ ଯୌବନ ଖୋଲି..

ଦଗ୍ଧ ଶରୀର ପ୍ରଶମିତ ହୋଇ
ଉଛ୍ଛ୍ୱସିତ ଆଶା ବଲ୍ଲରୀ
ବର୍ଷା ବରଣେ ପ୍ରଣୟ ଆସିବ
ବାଲ୍ୟଚପଳତା ଧରି..

ଆସ ହେ ବାରିଦ ବାରିଧାରା ନେଇ
ରଖ ତୁମ ବଡପଣ
ଉଛୁର କରିଲେ ତୁମ୍ଭ ଆଗମନ
ଜଳାଇବ ଏ ତପନ..

ଚକ୍ରଧରପୁର, କେନ୍ଦୁଝର

0 Comments