ଶିଶୁଗଳ୍ପ - ତିନୋଟି ଅଳଙ୍କାର - କୌଶିକ କୁମାର ହୋତା

ଶିଶୁଗଳ୍ପ - ତିନୋଟି ଅଳଙ୍କାର - କୌଶିକ କୁମାର ହୋତା



ଆମରି ଭଳି ଛୋଟ ପିଲାଟିଏ l ନାଁ ତାର ଇଶ୍ୱର l ପାଠରେ ଯେମିତି, ଖେଳକୁଦ, ଗୁରୁଜନଙ୍କ ପ୍ରତି ଭକ୍ତି ଓ ସେବା ମନୋଭାବ, ଆଦିରେ ସେମିତି ତା ସମସରି କେହି ନଥିଲେ l ସଭିଙ୍କ ମୁହଁରେ ତାର ପ୍ରଶଂସା l ଘରେ ବାହାରେ ଓ ବିଦ୍ୟାଳୟରେ ସଭିଙ୍କର ସେ ଆଦରର ପାତ୍ର l ସାଙ୍ଗ ସାଥିମାନେ ତାକୁ ଦିନେ ନଦେଖିଲେ ଚାରିଆଡେ ଖୋଜା ପଡ଼ିଯାଏ l ଦିନକର ଘଟଣା l ଡ଼ିବିରି ଆଲୁଅ ଜାଳି ଇଶ୍ୱର ପାଠ ପଢିବାକୁ ବସିଛି l ପାଖରେ ବସିଛନ୍ତି ତାର ମାଆ l ମନଧ୍ୟାନ ଦେଇ ପାଠ ପଢି ସାରିଲା ପରେ ମାଆ ତାକୁ ବହିଟା ଯାକରୁ ଅନେକ ପ୍ରଶ୍ନ ପଚାରିଲେ l ଇଶ୍ୱର ସବୁ ଠିକ ଉତ୍ତର ମାଆକୁ ଦେଇଦେଲା l ମାଆ ତାକୁ କୋଳକୁ ଆଉଜାଇ ନେଇ ଚୁମାଟିଏ ଦେଇ କହିଲେ, ବାବୁରେ ତୁ ନିଶ୍ଚୟ ଦିନେ ଆମ୍ଭମାନଙ୍କର ନାଁ ରଖିବୁ l ପିଲାଟି ଆନନ୍ଦରେ ଅଧିର ହୋଇ ମାଆଙ୍କର ପାଦ ଛୁଇଁ ଶପଥ କରି କହିଲା, ମାଆ ମୁଁ କେବଳ ତୁମ ମାନଙ୍କର ନାଁ ରଖିବି ନାହିଁ l ତୁମେ କରିଥିବା ଅକ୍ଲାନ୍ତ ପରିଶ୍ରମକୁ ମଧ୍ୟ ମୁଁ କେବେ ଭୁଲି ପାରିବି ନାହିଁ l ମୁଁ ବଡ଼ ହେଲେ, ନିଶ୍ଚୟ ତୁମ ପାଇଁ ମୂଲ୍ୟବାନ ଅଳଙ୍କାର ଗଢ଼ାଇଦେବି l ମାଆ ଖୁସିରେ ଗଦ ଗଦ ହୋଇ କହିଲେ, ବାବୁରେ ମୁଁ ଅଳଙ୍କାର ପିନ୍ଧିଲେ ତୋତେ ଖୁବ ଭଲ ଲାଗିବ ନା? ତା ମନରେ ଯଦି ଏଇ କଥା ଚିନ୍ତା କରିଛୁ, ତାହାହେଲେ ମୋ ପାଇଁ ଅତି ବେଶିରେ ତିନୋଟି ଅଳଙ୍କାର ଗଢାଇଦେବୁ l ଶପଥ କରି କହ ସେଇ ତିନୋଟି ଅଳଙ୍କାର ଗଢାଇ ପାରିବୁତ? ପିଲାଟି ପାଦ ଛୁଇଁ ଶପଥ କରି କହିଲା, ମାଆ ଯେତେ ଅଭାବ ଅସୁବିଧା ହେଲେ ବି ମୁଁ ତୁମ ପାଇଁ ନିଶ୍ଚୟ ସେଇ ତିନୋଟି ଅଳଙ୍କାର ଗଢାଇଦେବି l

ଏବେ କୁହ ତୁମର କେଉଁ ତିନୋଟି ଅଳଙ୍କାର ଆବଶ୍ୟକ l ମାଆ କିଛି ସମୟ ନିରବ ରହିଗଲେ l ଆଖିରୁ ତାଙ୍କର ଧାର ଧାର ହୋଇ ଲୁହ ଗଡିଆସିଲା l କହିଲେ, ବାବୁରେ ତୁ ଜାଣୁ ଆମ ଗାଆଁରେ ବିଦ୍ୟାଳୟଟିଏ ନାହିଁ l କୁନି କୁନି ପିଲାମାନେ ଆଜି ମୂର୍ଖ ହୋଇ ଗାଆଁ ଦାଣ୍ଡରେ ବୁଲୁଛନ୍ତି l ତେଣୁ ତୁ ବଡ଼ ହେଲେ ଆମ ଗାଆଁରେ ବିଦ୍ୟାଳୟଟେ ଗଢିଦେବୁ l ସେଇଟି ହେବ ମୋର ପ୍ରଥମ ଅଳଙ୍କାର l ମୋର ଦ୍ୱିତୀୟ ଅଳଙ୍କାର କଥା ଶୁଣ l ଏ ଗାଆଁରେ ବହୁତ ବାପା ମାଆ ଛେଉଣ୍ଡ ପିଲା ଅଛନ୍ତି l ସେମାନେ ଅନାଥ ଭାବରେ ଏଣେ ତେଣେ ବୁଲି ଭିକ୍ଷାବୃତି କରି ଚଳୁଛନ୍ତି l ସେମାନଙ୍କ ପାଇଁ ମୁଁ ଅନାଥାଶ୍ରମଟେ ଚାହୁଁଛି l


ପିଲାଟି ଆଗ୍ରହର ସହିତ ପଚାରିଲା l ମାଆ ତୁମର ତୃତୀୟ ଅଳଙ୍କାରଟି ତ କହିଲ ନାହିଁ? ମାଆ ଆଖିରୁ ଲୁହ ଝରାଇ କହିଲେ, ତା ଗାଆଁ ଭାଇମାନେ ଚିକିତ୍ସା ଅଭାବରୁ ଅକାଳରେ ମରୁଛନ୍ତି l ସେମାନଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଏ ଗାଆଁରେ ଯଦି ମାଗଣା ଚିକିତ୍ସାଳୟଟେ ଗଢି ଦେଇ ପାରିବୁ ତାହାହେଲେ ସେଇଟା ହେବ ମୋର ତୃତୀୟ ମନଲାଖି ଅଳଙ୍କାର l ଇଶ୍ୱର ମାଆଙ୍କ ଆଖିରୁ ଲୁହ ପୋଛି ଦେଇ କହିଲା, ମାଆ ମୋ ଉପରେ ଭରସା ରଖ l ମୁଁ ବଡ଼ ହେଲେ ନିଶ୍ଚୟ ତୁମ ସ୍ୱପ୍ନକୁ ସାର୍ଥକ କରିବି l ସେହି ପିଲାଟି ଦିନେ ବଡ଼ ହେଲା l ଜଣେ ଜ୍ଞାନୀ, ଗୁଣୀ, ପଣ୍ଡିତ ରୂପେ ନିଜ ନାଁକୁ ସୁନା ଅକ୍ଷରରେ ଲେଖିଦେଇ ମାଆଙ୍କୁ ଦେଇଥିବା ପ୍ରତିଶୃତିକୁ ଅକ୍ଷରେ ଅକ୍ଷରେ ପାଳନ କଲା l ସିଏ ଆଉ କେହି ନୁହନ୍ତି, ସିଏ ହେଉଛନ୍ତି ପଣ୍ଡିତ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗର l ତାଙ୍କ ଭଳି ଜ୍ଞାନୀ ପଣ୍ଡିତଙ୍କୁ ପାଇ ମାଟିମାଆ ଭାରତ ଆଜି ଧନ୍ୟ ହୋଇଛି l


Writer's Details: କୌଶିକ କୁମାର ହୋତା, ନବମ ଶ୍ରେଣୀ,
କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ
Content Category:
Submission Date: May 02, 2019

0 Comments