କ୍ଷୁଦ୍ରଗଳ୍ପ - ସ୍ବର୍ଗତ ମହେଶ୍ଵର ସ୍ବାଇଁଙ୍କ ଚିଙ୍ଗୁଡ଼ି ଶୁଖୁଆ ଖିଆ - ସୁନୀଲ କୁମାର ବେହେରା

କ୍ଷୁଦ୍ରଗଳ୍ପ - ସ୍ବର୍ଗତ ମହେଶ୍ଵର ସ୍ବାଇଁଙ୍କ ଚିଙ୍ଗୁଡ଼ି ଶୁଖୁଆ ଖିଆ - ସୁନୀଲ କୁମାର ବେହେରା

ଅନେକ ଦିନ ତଳର ଘଟଣା। ପ୍ରାୟ ୧୮୦୦ ମସିହାର ସତ ଘଟଣାଟିଏ।ପାହାଡ ପାର୍ଶ୍ଵରେ ଏକ ଛୋଟିଆ ଗାଁଟିଏ। ନାଁ ତା'ର ଅହିଅରା ନୂଆଗାଁ। ସେହି ଗାଁରେ ବାସ କରୁଥିଲେ ସ୍ବର୍ଗତ ମହେଶ୍ଵର ସ୍ବାଇଁ ଏବଂ ପତ୍ନୀ ଶୋଭା ଦେଈ। ମହେଶ୍ଵର ବାବୁଙ୍କ ପାଠପଢ଼ା ଚାହାଳିରେ ହିଁ ସୀମିତ ଥିଲା। କିନ୍ତୁ କବିତା ତଥା ଗପ ଲେଖାରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ଦିନସାରା ବସି ତାଳପତ୍ରରେ ଲେଖନୀ ସାହାଯ୍ୟରେ କବିତା ଲେଖନ୍ତି। ସେ ସ୍ବଭାବରେ ଶାନ୍ତ ସରଳ ହୋଇଥିଲେ ମଧ୍ୟ ଟିକେ ମୋଟା ବୁଦ୍ଧିଆ ଥିଲେ। ସେଥିପାଇଁ ତାଙ୍କୁ ବେଳେବେଳେ ଅପଦସ୍ତ ହେବାକୁ ପଡୁଥିଲା। ଥରେ ସେ ନିକଟସ୍ଥ ବଜାରରୁ କିଛି ଲୁଣ କିଣି ନିଜ କାନ୍ଧରେ ପଡ଼ିଥିବା ଗାମୁଛାଟିର କାନିରେ ବାନ୍ଧି ନିଜ ଘରକୁ ଫେରୁଥିଲେ। ଫେରିବା ବାଟରେ ଏକ ଛୋଟିଆ ନ‌ଈଟିଏ ପଡ଼ିଲା। ବାସ୍ତବରେ ଜଣେ କବି ସଦାବେଳେ ଭାବମଗ୍ନ, ପ୍ରକୃତିପ୍ରେମୀ। ନ‌ଈ ଜଳର ସ୍ପର୍ଶରେ ରୂପସୀ ନ‌ଈର ଅନାବିଳ ଅବତାରଣା କରିବସିଥିଲେ ସେ ନିଜର ଭାବୁକ ମନରେ। ଇତିମଧ୍ୟରେ କାନିରେ ବନ୍ଧା ଯାଇଥିବା ଲୁଣତକ ଭିଜି ଯାଇଥିଲା ପାଣିରେ। କ'ଣ କରିବେ ଭାବି ଅକଲ ବଣା ହୋଇଯାଇଥିଲା ତାଙ୍କର । ସେଇ ସମୟରେ ଗାଁର କିଛି ମାଇପି  ନ‌ଈକୁ ନିତ୍ୟକର୍ମ ସାରିବାକୁ ଯାଇଥିବାବେଳେ ଇଙ୍ଗିତରେ ଜଣେ ଭାଉଜ ତାଙ୍କ ଭାବୁକ ଦିଅରକୁ ନ‌ଈର ପାଣି ଶୁଖାଇ ଲୁଣତକ ନେଇ ଆସିବାକୁ କହିଥିଲେ। ସେ ମଧ୍ୟ ତାଙ୍କ କଥାକୁ ସତ ମନେକରି ଭାବନା ରାଇଜରେ ମଗ୍ନହୋଇ ନ‌ଈର ପାଣିକୁ ବୁହାଇ ଚାଲିଥିଲେ।ଏଣେ ଘରକୁ ନ ଫେରିବାରୁ ପତ୍ନୀ ଖୋଜି ଖୋଜି ଘଡ଼ିଏ ରାତିକୁ ଶେଷରେ ପାଇଥିଲେ ତାଙ୍କୁ। ପତ୍ନୀ ବିରକ୍ତ ହୋଇ କହିଥିଲେ କି ମାହାଳିଆକୁ ବଡ଼ବଡ଼ିଆ କହିଛନ୍ତି କି କବିତୁଣ୍ଡ , ମେଣ୍ଢାମୁଣ୍ଡ। ପତ୍ନୀଙ୍କର ଏପରି ତାତ୍ସଲ୍ୟ ଓ ଗାଁ ଲୋକଙ୍କର ଇଙ୍ଗିତ ତାଙ୍କୁ ବ୍ୟଥିତ କରିଥିବାରୁ ସେ ମନେ ମନେ ଭାବି ନେଇଥିଲେ କି; ସେ ଏମିତି କିଛି କରିବେ ଯାହାକୁ ଦେଖି ଲୋକେ ତାଙ୍କୁ ଇଙ୍ଗିତ କରନ୍ତୁ ପଛକେ କିନ୍ତୁ ତାଙ୍କ କବିତ୍ୱରେ କଳଙ୍କ ନ ଲାଗୁ। 
                     

               କିଛିଦିନ ଗଲାପରେ ଜଣେ ମହିଳା ଚିଙ୍ଗୁଡ଼ି ଶୁଖୁଆ ବିକିବା ପାଇଁ ନ‌ଈ ଭିତରେ ପଶି ଆସୁଥିଲା। ଠିକ୍ ଏଇ ସମୟରେ ମହିଳାଟିର ଗୋଡ଼କୁ ଏକ ଧଣ୍ଡିଆ ସାପ କାମୁଡିବାରୁ ସେ ଜୋରରେ ଚିଲ୍ଲେଇ କ'ଣ କାମୁଡିଦେଲା ବୋଲି କହୁଥିଲା। ମହେଶ୍ଵର ବାବୁ ନ‌ଈ ପାଖରେ ଥିବାରୁ ହଠାତ୍ ଦୌଡ଼ି ଯାଇ ଘଟଣାଟି ବୁଝିଥିଲେ ଏବଂ ମନେମନେ ଭାବି ନେଲେ କି, ଏ ହେଉଛି ପ୍ରକୃତ ସମୟ ତାଙ୍କ କବିତ୍ବକୁ ଜାହିର କରିବା ପାଇଁ।ସେ ଜାଣିଥିଲେ କି ଧଣ୍ଡିଆ ସାପ କାମୁଡାରେ  ଲୋକ କେହି ମରନ୍ତି ନାହିଁ। ତେଣୁ ମହିଳାଟିକୁ ବାଁରେଇ କହିଥିଲେ ଆ ମୁଁ ଝଡାଫୁଙ୍କା କରି ବିଷହରଣ କରିଦେବି। ବିଷହରଣ ମନ୍ତ୍ର ପ୍ରକୃତରେ ତାଙ୍କୁ ଜଣା ନଥିଲା। ତେଣୁ ସେ ମିଛରେ କହୁଥିଲେ ----
            "ଧଣ୍ଡମୁଣ୍ଡେ ବିଷ ଯା
           ଚିଙ୍ଗୁଡ଼ି ମୁଠେ ଥୋଉଥା।"
ଏପରି ୨୧ ଥର କରିବାରୁ ଟୋକେଇରୁ ସବୁ ଚିଙ୍ଗୁଡ଼ି ମହେଶ୍ଵର ବାବୁଙ୍କର ହୋଇ ସାରିଥିଲା। ସମୟ ବହୁତ ହେବାରୁ ସେ ମହିଳାଟି ମଧ୍ୟ ଆରାମ ଲାଗିବାର ଭାବି ଖାଲି ଟୋକେଇଟିକୁ ଧରି ନିଜ ଗାଁକୁ ଫେରିଗଲା।  ଏ ସବୁ ଘଟଣା ପାଖ ଆମ୍ବ ଗଛ ଉପରେ ବସିଥିବା ତାଙ୍କ ସାଙ୍ଗ ତ୍ରିନାଥ ଦେଖି ଗାଁ ସାରା କହି ବୁଲିଥିଲା ପ୍ରକୃତରେ ମହେଶ୍ଵର ଜଣେ ମୋଟା ବୁଦ୍ଧିଆ ନୁହେଁ। ସେ ଜଣେ ଚାଲାକ୍ କବି ମଧ୍ୟ। ମହେଶ୍ଵର ବାବୁ ମହାଆନନ୍ଦରେ ପଖାଳ ସହ ଚିଙ୍ଗୁଡ଼ି ଶୁଖୁଆକୁ ଭାରି ସରାଗରେ ଖାଇ ଭାବୁଥିଲେ କି ସେ ମୋଟା ବୁଦ୍ଧିଆ ନୁହଁନ୍ତି ସେ ଜଣେ କବି ବୋଲି।।
  
ସୁନୀଲ କୁମାର ବେହେରା।(ଶିକ୍ଷକ)
ନୂଆଗାଁ,ଟାଙ୍ଗୀ,ଖୋର୍ଦ୍ଧା।
ମୋ-୮୦୧୮୯୯୭୬୯୬।

0 Comments