ସ୍ଵର୍ଗାଦପି ଗରିୟସୀ - ସଂଯୁକ୍ତା ରାଉତ

ସ୍ଵର୍ଗାଦପି ଗରିୟସୀ - ସଂଯୁକ୍ତା ରାଉତ



ଶିଶୁ ଓଠ ଧାରେ ମଧୁର ମୂର୍ଚ୍ଛନା 
ଆଦ୍ୟ ମଧୁ ପରିଭାଷା
ସନ୍ତାନର ସିଏ ପ୍ରଥମ ଗୁରୁ ଯେ'
ବିପଦେ ଦେଖାଏ ଦିଶା ୲୲

ମାଆ ନାମ ଗୋଟି ମଧୁ ଠୁଁ ମଧୁର
କଥା ଯେ କୁହୁକ ବୋଳା
ତ୍ୟାଗର ମୂରତି ମମତାମୟୀ ସେ
ସେନେହେ ପଣତ ଭରା ୲୲

ନିଜ ରକ୍ତ ମାଂସ ଦେଇ ସେ ଗଢିଛି
ନଶ୍ଵର ଶରୀର ଏହି
ଦଶମାସ ସିଏ ଗରଭେ ଧରିଛି
କେତେ ଯେ ଯାତନା ସହି ୲୲

ତା' ବକ୍ଷୁ ଅମୃତ ଝରାଇଛି ପୁଣି
ପାଳିଛି ମମତା ଦେଇ
କେତେ ଉପବାସ ବ୍ରତ ସେ କରିଛି
ସନ୍ତାନ ମଙ୍ଗଳ ପାଇଁ ୲୲

କେତେ ଯେ ଅଝଟ ସହିଛି ଆମର
କେବେ ଥକି ଯାଇ ନାହିଁ
ନିଦ ନ ଆସିଲେ ଶୁଆଇ ଦେଇଛି
ନାନା ବାୟା ଗୀତ ଗାଇ ୲୲

ଆଖି ଦେଖି ସିଏ ସବୁ ବୁଝିପାରେ
ମନ ତଳ କଥା ଯେତେ
ଆମ ସୁଖ ଦୁଃଖ ମାଆଠୁଁ ଅଧିକ
କିଏ ସେ ବୁଝିଛି କେତେ ୲୲

ଦାଣ୍ଡରୁ ଆସିଲେ ଧୂଳି ଝାଡି ଦେଇ
ପଣତରେ ମୁହଁ ପୋଛେ
ଆଶ୍ଵାସନା ଭରା ତା' ପଣତ କାନି
ହୃଦୟେ ବାତ୍ସଲ୍ୟ ରଚେ ୲୲

ସଂକୀର୍ଣ୍ଣତାକୁ ସେ ମନରୁ ଲିଭାଏ
ନୂଆ ସଂଭାବନା ଭରେ
ମାଆର ପଣତ ଅଭୟ ଆଶ୍ରୟ
ଶୁଭାଶିଷ ସଦା ଢାଳେ ୲୲

ଯେତେ କଷ୍ଟ ଥାଉ କୋଳେ ତା' ଶୋଇଲେ
କ୍ଷଣକରେ ସବୁ ହଟେ
କଷଣ ଯାତନା ମନୁ ଦୂର ହୋଇ
ହସର ଲହରୀ ଛୁଟେ ୲୲

ତା' ସ୍ନେହ ମମତା ଅମୃତର ଧାରା
ଅବିରତ ଝରୁଥାଏ
ସନ୍ତାନର ମୁଖେ ଦେଖି ସ୍ମିତ ହାସ୍ୟ
ଅସୁମାରୀ ଶାନ୍ତି ପାଏ ୲୲

ହାତ ଧରି ସିଏ ଚାଲି ଶିଖେଇଛି
ହସ ବୁଣି ଓଠ ଧାରେ
ସବୁ ଲୁହ ପିଇ ବଞ୍ଚି ଶିଖେଇଛି
ସ୍ମିତ ମାଧୁରିମା ସୁରେ ୲୲

ପଡି ଛିଡା ହେବା ସାହସ ବାନ୍ଧିବା
ଏ ମନ୍ତ୍ର ମନେ ଭରିଛି
ଦୁଃଖ ଦୁର୍ଦ୍ଦିନରେ ଧୈର୍ଯ୍ୟ ଧରି ମନେ
ଜୀଇଁବା ଶିଖେଇ ଅଛି ୲୲

ଦୀପ ସମ ଜଳି ଆଲୋକ ଭରିଛି
ଏହି ଆମ ଜୀବନରେ
ସତ ଚେଷ୍ଟା ବଳେ ମାତୃ ଋଣ କିଏ
ଶୁଝି କି ପାରଇ ଭଲେ ୲୲

ପତିତପାବନୀ ପାତକ ନାଶିନୀ
ସନ୍ତାନର ସାହା ସିଏ
ପୃଥ୍ବୀ ଠାରୁ ବଡ ନଭ ଠୁଁ ବିଶାଳ
ସାଗରୁ ଗଭୀର ସିଏ ୲୲

ନିଜ ମହିମାରେ ଗରିୟସୀ ସଦା
କିଏ ହେବ ତାହା ତୁଲ
ନିଜ କର୍ମ ବଳେ ଚିର ବନ୍ଦନୀୟା
ମୂଲ୍ୟ ତା' ଅମୂଲ ମୂଲ ୲୲

Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: May 12, 2019

0 Comments