ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

କ୍ଷୁଦ୍ରଗଳ୍ପ - ମାଆଙ୍କ ଠିକଣା - ହରିଶ୍ଚନ୍ଦ୍ର ହୋତା

କ୍ଷୁଦ୍ରଗଳ୍ପ - ମାଆଙ୍କ ଠିକଣା - ହରିଶ୍ଚନ୍ଦ୍ର ହୋତା

ମାନଗୋବିନ୍ଦପୁର ଗାଆଁରେ ସେଦିନ ଚହଳ ପଡିଗଲା ନାରାୟଣ ମାଷ୍ଟ୍ରେ ଚାଲିଗଲେ l କିଏ କହିଲା ଗାଆଁର ଦୀପଟିଏ ଲିଭିଗଲା, ଆଉ କିଏ କହିଲା ଗାଆଁଟା ମୁରବି ଶୂନ୍ୟ ହୋଇଗଲା l ଗାଆଁ ମଝିରେ ଯେଉଁଠି ମେଳଣ ମଣ୍ଡପ ଅଛି ସେଇଠି ଆଜି ରଥଯାତ୍ରା ଭଳି ଲୋକଙ୍କର ଭିଡ଼ l ତାଙ୍କ ଶବାଧାରକୁ ଘେରି ରହିଛନ୍ତି ତାଙ୍କର ଶହ ଶହ ପୁରାତନ ଛାତ୍ର l


ନାରାୟଣ ସାମନ୍ତରାୟ ଜଣେ ସଚ୍ଚା ମଣିଷ ଥିଲେ l ସ୍ତ୍ରୀ ବସୁମତୀ ବି କିଛି କମ ନୁହନ୍ତି l ଚାଲିଗଲା ଲୋକର ପେଟ କଥା ସେ କଳିପାରନ୍ତି l ରାଷ୍ଟ୍ରପତି ପୁରସ୍କାର ପାଇଥିବା ପ୍ରଧାନଶିକ୍ଷକ ନାରାୟଣ ମାଷ୍ଟ୍ରଙ୍କ ସ୍ତ୍ରୀ ସିଏ l ମନରେ ଗର୍ବ ନାହିଁ, ଅହଂକାର ନାହିଁ, ସାଧା ସିଧା ମଣିଷ l ଆଜି ସିଏ ନିଃସ୍ଵ ହୋଇଯାଇଛନ୍ତି l ତାଙ୍କ ଆଖିର ଲୁହ ଆଜି ଶୁଖିବାର ନାହିଁ l ସମସ୍ତେ ତାଙ୍କ ଦୁଃଖରେ ଆହା କରୁଥାନ୍ତି l ଖାଲି ପୁଅ ଦୁଇଟିଙ୍କୁ ଅପେକ୍ଷା l ବଡ଼ପୁଅ ଅରୁଣାଂଶୁ ମାଡ୍ରାସରେ l କେମିକାଲ ଇଞ୍ଜିନିଅର ରୂପେ ଉଚ୍ଚ ଦରମାରେ ପ୍ରଗତି ଇଣ୍ଟରନେସନାଲ କମ୍ପାନୀରେ କାର୍ଯ୍ୟରତ l ସାନପୁଅ ଶୁଭ୍ରାଂଶୁ କେନ୍ଦ୍ର ସଂଗୀତ ନାଟକ ଏକାଡେମୀର ଅଧ୍ୟକ୍ଷ l ଉଭୟ ଫ୍ଲାଇଟରେ ଆସୁଛନ୍ତି l ଠିକ ଏତିକି ବେଳକୁ ଦ୍ୱାର ସାମ୍ନାରେ କାରଟିଏ ଆସି ଲାଗିଲା l ଓହ୍ଲାଇ ପଡିଲେ ଅରୁଣାଂଶୁ ଓ ତାର ପରିବାର l ମାଆ ବସୁମତୀ ଦେବୀ ବଡ଼ପୁଅକୁ ଦେଖି କୋହ ସମ୍ଭାଳିପାରିଲେ ନାହିଁ l ପରେ-ପରେ ଶୁଭ୍ରାଂଶୁ ଆସି ପହଞ୍ଚିଲା l ରାତି ଅଧରେ ମଧୁବନ ଶ୍ମଶାନ ଘାଟରେ ସଂସ୍କାର କାର୍ଯ୍ୟ ସରିଲା l ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ l ଏ ଭିତରେ କେତେବେଳେ ଦଶ ଦିନ ପାରେଇଗଲାଣି ବସୁମତୀ ତାହା ଜାଣିପାରି ନାହାନ୍ତି l ଖିଆ ନାହିଁ ପିଆ ନାହିଁ l ନିର୍ବାକ ଭାବରେ ବସିଛନ୍ତି ସେ l


ଏକାଦଶାହ ଭୋଜି ସରିଲା ପରେ ବନ୍ଧୁବାନ୍ଧବ ସମସ୍ତେ ବସି ଆଲୋଚନା କରୁଥାନ୍ତି l ଏତିକି ବେଳକୁ ଗାଆଁର ଅପର୍ତ୍ତି ମଉସା ଆସି ପହଁଚିଲେ l ସମସ୍ତଙ୍କ କଥା ଭାଙ୍ଗି ସେ ଅରୁଣାଂଶୁକୁ ଚାହିଁ କହିଲେ -"ଏବେ ବୁଢ଼ୀ ମାଆଟା କଥା ତୁମେ ଥରେ ଭାବରେ ପିଲେ l ତୁମ ପାଇଁ ସେ କଣ ବା ନକରିଛନ୍ତି l ବାପା ଚାଲିଗଲା ପରେ ସିଏ ଆଜି ପୁରା ଭାଙ୍ଗିପଡିଛନ୍ତି l ତାଙ୍କୁ ତୁମେ ଦୁହେଁ ହିଁ ସାହା ଭରସା l ସାହି ପଡିଶା ଯେତେ ଥିଲେବି ସେମାନେ କଣ ତାଙ୍କର ଯତ୍ନ ନେଇ ପାରିବେ? ନା ସେ ତାଙ୍କୁ ନିଜର ମନ ଖୋଲା କଥା ଟିକିଏ କହିପାରିବେ l" ଏତିକି ବେଳକୁ ସମସ୍ତେ ଯାଇ ମାଆଙ୍କ ପାଖରେ ପହଞ୍ଚିଲେ l ଶୁଭ୍ରାଂଶୁ ମାଆର ଆଖି ଲୁହ ପୋଛିଦେଇ ପଛକଥାକୁ ଭୁଲିଯିବା ପାଇଁ କହିଲା l ଅରୁଣାଂଶୁ ଅପର୍ତ୍ତି ମଉସାଙ୍କୁ କହିଲା -"ମଉସା ମୁଁ କଣ କହୁଥିଲି କି, ମାଆ ଏ ପରିଣତ ବୟସରେ ଆମର ଏତେ ସବୁ ସମ୍ପତ୍ତି ବାଡ଼ିର କଣ ଯତ୍ନ ନେଇ ପାରିବ? ଅରବିନ୍ଦ ଲେନରେ ଥିବା କୋଠା, ଯେଉଁଠି ଶିଶୁ ବିଶେଷଜ୍ଞ ଡାକ୍ତର ଦେବାଶିଷ ମହାପାତ୍ର ରହୁଛନ୍ତି, ପୁଣି ମଧୁବନର କୋଠା ଯେଉଁଠି ରିଚାର୍ଡ ମିଶନ ଇଂଲିଶ ମିଡିୟମ ସ୍କୁଲ ହେଉଛି, ଆଉ ରାଧାମୋହନ ମଠ ପାଖରେ ଥିବା ମେଳଣ ପଡିଆ, ନରସିଂହପୁରର ଆମ୍ବତୋଟା, ଏଗୁଡିକ କଣ ସେ ଆଉ ବୁଝା ସୁଝା କରିପାରିବ? ମୁଁ ଭାବୁଛି ଏବେ ଏସବୁ ବିକିଦେଲେ ଚଳନ୍ତା l ମୁଁ ତ ମାଡ୍ରାସରେ ରହୁଛି ଆଉ ଶୁଭ୍ରାଂଶୁ ରହୁଛି ଦିଲ୍ଲୀରେ l ଏସବୁ ସମ୍ପତ୍ତି ବାଡ଼ି ଥାଇ ଲାଭ କଣ? ବରଂ ବିକ୍ରି କରିଦେଲେ ଭଲ ଦି ପଇସା ହୁଅନ୍ତା l" ଶୁଭ୍ରାଂଶୁ ବି ମଥା ହଲାଇ ସମ୍ମତି ଜଣାଇଲା l ଅପର୍ତ୍ତି ମଉସା କହିଲେ -"ଆଗେ ମାଆଙ୍କ କଥା ବିଚାର କର, ମାଆଙ୍କୁ ତୁମ ପାଖକୁ ନେଇଯାଅ l ସେ ପିଲାମାନଙ୍କ ପାଖରେ ରହିଲେ ହୁଏତ ସବୁ ଦୁଃଖ ଭୁଲିଯିବେ l" ଅରୁଣାଂଶୁ କହିଲା-"ସତ କହିଲ ଯେ ମଉସା, ମାଆଙ୍କୁ ମୋ ପାଖକୁ ନେବାରେ କିଛି ଅସୁବିଧା ନାହିଁ l ହେଲେ ତୁମେ ତ ଜାଣ ମୋ ସ୍ତ୍ରୀ ହେଉଛି ସହରୀ ଝିଅ l ଘର ଭିତରେ ଜୋତା ନମାଡିଲେ ଚାଲି ପାରେନାହିଁ l ଆଉ ତାର ଠାକୁର ବିଶ୍ୱାସ ବି ନାହିଁ l ମାଆ କଣ ସେଠି ବିନା ଠାକୁରରେ ଚଳି ପାରିବ? ହୁଏତ ଶୁଭ୍ରାଂଶୁ ପାଖରେ ସିଏ ଚାହିଁଲେ ରହି ଯାଇ ପାରନ୍ତା l" ପାଟିରୁ କଥା ଛଡାଇ ଶୁଭ୍ରାଂଶୁ କହିଲା -"ସତ କହିଲ ଯେ ଭାଇ, ହେଲେ ତୁମେତ ଜାଣ ତୁମ ସାନ ବୋହୂ ବିଦେଶିନୀ l ହିନ୍ଦୁ ଘରର ରୀତି ନୀତି ତାକୁ କଣ ମାଲୁମ ଅଛି l ଆଉ ସିଏ ଇଂଗ୍ରାଜୀ କୁହା ଝିଅ l ମାଆ କଣ ତାର ଭାଷା ବୁଝିପାରିବ? ବରଂ ମାଆକୁ କିଛି ଖର୍ଚ୍ଚ ଦେଲେ ସେ କେଉଁ ଜରାଶ୍ରମରେ ରହି ଯାଇ ପାରନ୍ତା l ଅବଶ୍ୟ ମଝିରେ -ମଝିରେ ଆମେ ଆସି ତାକୁ ଦେଖି ଯାଉଥାନ୍ତେ l" ଅରୁଣାଂଶୁ ବି ଶୁଭ୍ରାଂଶୁ କଥାରେ ମଥା ହଲାଇ ସମ୍ମତି ଜଣାଇଲା l ଚମକି ପଡିଲେ ଅପର୍ତ୍ତି ମଉସା l ଖୁବ ଜୋରରେ ସେ ଚିହିଁକି ଉଠିଲେ l କହିଲେ -"ତୁମେ କଣ କହୁଛରେ? ବିଚାରବନ୍ତ ନାରାୟଣ ମାଷ୍ଟ୍ରେଙ୍କ ପୁଅ ପରା ତୁମେ l ତମେ କଣ ଏଇ ବିଚାର କଲ l ବାଃ ବାଃ ରେ ତୁମ ପୁଅପଣିଆ l ଧିକକ ତୁମ ପଦ ପଦବୀକୁ ଆଉ ଧିକକ ତୁମ ପୁଅ ପଣିଆକୁ l ଆମ ଗାଆଁ ଦିନ ମଜୁରିଆ ଯୁଗିଆକୁ ଦେଖିବ ଯାଅ l ତା ସ୍ତ୍ରୀକୁ ଦେଖ, ତା ପୁଅ, ଝିଅକୁ ଦେଖି ଆସ l ବୁଢ଼ୀ ମାଆଟା ପାଇଁ ସେମାନେ କେମିତି ବ୍ୟସ୍ତ l ତା ଖାଇବା, ପିଇବା, ଦେହ ହାତ ଘଷାମଜା, ଔଷଧ ପତ୍ର, କେଉଁ ଥିରେ ସେ ଊଣା କରିନି l ତା ପରି ପୁଅ ଜନ୍ମ ଦେଇ ସିଏ ଧନ୍ୟ ହୋଇଯାଇଛିରେ l ତୁମ ବାବୁ ପଣିଆର ବିଚାର କଣ ଏଇଆ କିରେ l 

  
ଏତିକି ବେଳକୁ ଗାଆଁଟା ଯାକର ଲୋକ ସେଇଠି ଜମା ହୋଇଯାଇଥିଲେ l ସମସ୍ତେ ଟୁପୁର ଟାପର ହେଲେ l କହିଲେ -"ଯେଉଁ ନାରାୟଣ ମାଷ୍ଟ୍ରେ ନ୍ୟାୟବିଚାର ର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ l ତାଙ୍କ କୁଳ ରକ୍ଷା ନିମନ୍ତେ ଏ କୁଳାଙ୍ଗାର ଦୁଇଟା ଜନ୍ମ ହୋଇଛନ୍ତି ତାଙ୍କରି କୋଳରେ l କଣ ଅବା ସେ ରଖି ଯାଇନାହାନ୍ତି ତାଙ୍କ ପାଇଁ l ଦୁଇ ଦୁଇଟା କୋଠା, ଅମାପ ଧନ ସମ୍ପତ୍ତି, ଜମି ବାଡ଼ି, ଫଳ ବଗିଚା, କିଛି ବି ଅଭାବ ରଖିନାହାନ୍ତି ସେ l ଦୁଃଖୀ ରଙ୍କିଙ୍କର ଭଗବାନ ପାଲଟିଥିବା ନାରାୟଣ ମାଷ୍ଟ୍ରେ ଆଉ ବସୁମତୀ ଦେବୀ ପିଲାଙ୍କ ପାଇଁ କଣ ବା କରିନାହାନ୍ତି l ଆଜି ବୁଢ଼ୀ ମଣିଷଟା ପାଇଁ ପେଟକୁ ମୁଠିଏ ଦାନା ଓ ଦେହକୁ ଖଣ୍ଡିଏ କନା ବ୍ୟତୀତ ଆଉ ବା କଣ ତାଙ୍କର ଦରକାର l ଏମାନେ ମଣିଷ ନୁହନ୍ତି, ପଶୁ ଠାରୁ ବି ହୀନ l ସମୟ ଆସିଲେ ସବୁ ବୁଝିପାରିବେ l "



ଏହି ସମୟରେ ଫାଟକ ଖୋଲି ଜଣେ ଭଦ୍ରଲୋକ ପଶି ଆସିଲେ l ଦ୍ୱାର ସାମ୍ନାରେ ଛିଡା ହୋଇ ଅରୁଣାଂଶୁକୁ ନମସ୍କାର ଜଣାଇ ବସୁମତୀ ଦେବୀଙ୍କୁ ଦେଖା କରିବାକୁ ଆସିଛନ୍ତି ବୋଲି କହିଲେ l ଅରୁଣାଂଶୁ ମାଆଙ୍କୁ ଦେଖାଇଦେବାରୁ ବ୍ୟାଗରୁ ଚିଠିଟିଏ ଖୋଲି ତାଙ୍କ ହାତକୁ ବଢ଼ାଇଦେଲେ ଆଉ କହିଲେ -"ମାଆ ଆଜିଠାରୁ ଆପଣ ଆମ ଅରୁଣିମା ଜରାଶ୍ରମର ଅତିଥି l ଆପଣଙ୍କ ବାକିତକ ନିରାମୟ ଜୀବନ ପାଇଁ ଅରୁଣିମା ଜରାଶ୍ରମ ଆପଣଙ୍କୁ ଅପେକ୍ଷା କରିଛି l ଚିଠିଟି ମାଆଙ୍କ ହାତରୁ ନେଇ ଅରୁଣାଂଶୁ ଜୋରରେ ଏକନିଃଶ୍ବାସରେ ପଢିପକାଇଲା l ଏଥିରେ ଲେଖା ଥିଲା ନାରାୟଣ ସାମନ୍ତରାୟ ସମସ୍ତ ସ୍ଥାବର ସମ୍ପତ୍ତି ଅରୁଣିମା ଜରାଶ୍ରମ ନାମରେ ଉଇଲ କରିଦେବା ସହିତ, ବସୁମତୀ ଦେବୀଙ୍କ ଶେଷ ଜୀବନ ସେଇଠି କାଟିବାକୁ ଏକ ସନନ୍ଦ ଲେଖିଦେଇଛନ୍ତି l ହଠାତ ଅରୁଣାଂଶୁ ଓ ଶୁଭ୍ରାଂଶୁର ମୁହଁ ଝାଉଁଳି ଗଲା l ମାଆଙ୍କୁ ଚାହିଁ ଅରୁଣାଂଶୁ କଥାର ସତ୍ୟତା ଆଶା କରୁଥିଲା l ମାଆ କହିଲେ -"ବାବୁରେ ତୁମେ ଏ ସମ୍ପତ୍ତି ବାଡି଼କୁ ନିଜ ପାଇଁ ମୂଲ୍ୟବାନ ଭାବି ସିନା ବିକିବାକୁ ମନସ୍ଥ କରିଥିଲ, କିନ୍ତୁ ଏ ଅଦରକାରୀ, ମୂଲ୍ୟହୀନ ମାଆଟା ବା କାହାର କାମରେ ଆସିବରେ? ଜାଣିରଖ ତୁମ ବାପା ନିଜ ହାତରେ ଗଢ଼ିଥିବା ଅରୁଣିମା ଜରାନିବାସ ହିଁ ମୋର ଶେଷ ଠିକଣାରେ l ମୁଁ ଆଉ କାହାର ବୋଝ ହେବାକୁ ଚାହୁଁ ନାହିଁରେ l ବିଚାରବନ୍ତ ନାରାୟଣ ମାଷ୍ଟ୍ରେଙ୍କ ବିଚାର ଆଜି ମଲାପରେବି ମୁଁ ବୁଝିପାରୁଛିରେ l" ଏତିକି କହି ସେ ଆଗକୁ ଆଗକୁ ପାଦ ବଢ଼ାଇଲେ l 

Writer's Details: -- ହରିଶ୍ଚନ୍ଦ୍ର ହୋତା
ରାଜ୍ୟ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ,
ମୂଷାବଣି ସରକାରୀ ଉପ୍ରା. ବିଦ୍ୟାଳୟ,
ରାଇରଙ୍ଗପୁର, ମୟୁରଭଞ୍ଜ, ଦୂରଭାଷ -9438745662


Content Category:
Submission Date: May 01, 2019

0 Comments