କ୍ଷୁଦ୍ରଗଳ୍ପ - କୃଷ୍ଣଚୂଡାର ପ୍ରେମିକ - ଶିବ ଚରଣ ମହାପାତ୍ର

କ୍ଷୁଦ୍ରଗଳ୍ପ - କୃଷ୍ଣଚୂଡାର ପ୍ରେମିକ - ଶିବ ଚରଣ ମହାପାତ୍ର

କୃଷ୍ଣଚୂଡା କୁ କିଏ ପଚାରେ କହିଲେ ସେଇ ହାତ ଗଣତି କେତୋଟି ହିଁ  ଲୋକ ବାହାରିବେ । ପୁଣି ସେମାନଙ୍କ ଭିତରେ ଅଧା ତିନିପା' ଫୁଲ ଡେକୋରେଟର ହେଇଥିବେ ଆଉ କିଛି ବଳକା ପାଗଳ ଭାବୁକ ,ଆଉ କିଛି ଆମ ପରି କୁନି କୁନି ଛୁଆ । ମୋର କୃଷ୍ଣଚୂଡା ଫୁଲ ପ୍ରତି ଟିକିଏ ଅଧିକା ଦୁର୍ବଳତା ଥାଏ । କଣ ପାଇଁ ..??କାହିଁକି ..??ସେ କଥା ମୁଁ ଜାଣେନା ..।ସେଇ ଦୁର୍ବଳତା ପାଇଁ ସେଦିନ କୃଷ୍ଣଚୂଡା ଫୁଲ ତୋଳିବାକୁ ସାଙ୍ଗ ମାନଙ୍କ ସହିତ ଗଲୁଯେ ସେ ଭଜମନ ବୁଢା ଟା ହାଇଁ ପାଁଇ  ହେଇକି ଉଦୁଉଦିଆ ନିର୍ଦ୍ଧୁମ ଖରା ବେଳଟାରେ ଆମକୁ ଠେଙ୍ଗା ଧରି ଦୌଡେଇଲା । ସେଇ କୃଷ୍ଣଚୂଡା ର ପେନ୍ଥା ପେନ୍ଥା ଲାଲ୍ କୃଷ୍ଣଚୂଡା ଫୁଲ ଗୁଡିକୁ ଠେଙ୍ଗା ଧରି ଜଗିବସିଛି । କଣ କରିବ କେଜାଣି ସେଇ ଫୁଲ ଗୁଡିକୁ ..?? ଏଇ ଫୁଲ ନେଇ କାହା ଗଭା ଗଜରା ତ ସଜା ହେଇ ପାରିବନି କି କେଉଁ ଦିଅଁ ଦେବତା ଙ୍କ ପୂଜା ରେ ଲାଗିବନି  । ହଁ ଯଦି କିଛି କାମ ରେ ଲାଗିବ ତେବେ ସେଇ ପାଗଳ ଭାବୁକ ମାନଙ୍କର ପାଗଳାମୀ କାମରେ ଲାଗିବ.. କେମିତି ନ ଲାଗନ୍ତା ଯେ...?? ସେଇମାନେ ହିଁ ତ କୃଷ୍ଣଚୂଡା ର ପ୍ରଥମ  ପ୍ରେମିକ ବୋଲେଇ ହେଉଥାଆନ୍ତି ।ଯେମିତି କୃଷ୍ଣଚୂଡା ଟା ତାଙ୍କ ବୋପା ଙ୍କ ସମ୍ପତ୍ତି । ଆମେ ବି ସେଦିନ ନଛୋଡବନ୍ଧା , ସେ କୃଷ୍ଣଚୂଡା ଫୁଲ ତୋଳିବୁ ହିଁ ତୋଳିବୁ  । ମାନ ଯେମିତି କାଶ୍ମୀର ର ଦ୍ୱାର ସେପାଖ ପାକିସ୍ଥାନୀ ସିପାହୀ ଆଉ ଏପାଖ ସଜାଗ ହିନ୍ଦୁସ୍ଥାନୀ ସେନା...କାଶ୍ମୀର ପାଇଁ ପାଗଳ...।

ବହୁତ ଘମାଘୋଟ ଯୁଦ୍ଧ ଲାଗିଥାଏ ସେ କୃଷ୍ଣଚୂଡା ଫୁଲ ତୋଳିବାକୁ ନେଇ , ପରିଶେଷରେ  ଆମ କୂଟନୀତି ର ଜୟ ହେଲା , ଆମ ହାତରେ ଏବେ ପେନ୍ଥାଏ ଲାଲ୍ ଟହଟହ କୃଷ୍ଣଚୂଡା ଫୁଲ । ଭଜମନ ବୁଢା ତା ଠେଙ୍ଗା କୁ ଭୁଇଁ ରେ ପିଟିପିଟି କହୁଥାଏ-"ରୁହରେ ଶଳା' ଆର ଥରକୁ ତମ ପଛ ଫଡିଆ କୁ ଏଇ ଠେଙ୍ଗାରେ ପାହାରେ ପାହାରେ ଯଦି ନ ଦେଇଛି ମୋ ନାଁ ବି ଭଜମନ ନୁହେଁ  "...ଆମେ ସବୁ ଖିଁ ଖିଁ କରି ଦାନ୍ତ ଦେଖେଇ କହିଲୁ -"ଭଜୁଥାଲୋ ଅଜା..ତୁ ଆମକୁ ଧରିପାରିବୁ ନା ପିଟିବୁ".. ଆମେ ସେଠାରୁ  ଦୌଡି ପଳେଇଗଲୁ  । ସଂଧ୍ୟା ରେ ଶୁଣିଲି ଭଜମନ ବୁଢା ର ଶ୍ୱାସ ରୋଗ ଥିଲା ଖରା ବେଳଟାରେ ସେଇ ଗଛ ମୂଳେ ପଡିରହି ଆରପାରିକୁ ଚାଲି ଯାଇଛି ।ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲି  , ଆରେ ଆଜି ଦିନବେଳେ ବୁଢା ଟା ଆମ ପଛରେ ଧାଇଁ ଥିଲା ସେ ଏମିତି କେମିତି ମରିପାରେ ..??ମୋତେ ସବୁ ସ୍ୱପ୍ନ ପରି ଲାଗୁଥିଲା ..ବାପା ଆଉ ଆମ ସାହି ର ଅନ୍ୟ ଲୋକମାନେ କଥା ହେଉଥାଆନ୍ତି , କାଳେ ଚାଟଶାଳୀରେ ପଢିବା ବେଳେ ସେଇଠି ସେ ଗଛ ଟିକୁ ଭଜମନ ବୁଢା ଲଗେଇଥିଲା ..ପରିବର୍ତିତ ସମାଜ ସାଙ୍ଗ କୁ ବର୍ଦ୍ଧିତ ଜନସଂଖ୍ୟା ର କରାଳ ଝଡ ରେ ଗାଁ ର ସମସ୍ତ ଗଛ ଲତା କାଟି ସଫା କରି ଦିଆଯାଇଥିଲା , କେବଳ ସେଇ ବୃଦ୍ଧ କୃଷ୍ଣଚୂଡା ଗଛଟିକୁ ଛାଡି । ସେ ଗଛ ପଛରେ ବି ବହୁତ ଲୋକ ଲାଗିଥିଲେ କିନ୍ତୁ ବୁଢା ର ଜିଦ୍ ଆଗରେ ସମସ୍ତେ ହାର୍ ମାନି ଗଲେ । ବୁଢା ର ପିଲା ପିଲି ନାହାନ୍ତି ବୋଲି ଗାଁ ଲୋକ ପ୍ରଥମେ ପ୍ରଥମେ ତାକୁ ବହୁତ ଟାହି ଟାପରା କରୁଥିଲେ କିନ୍ତୁ ପରେ ପରେ ବ୍ୟସ୍ତତା ଭିତରେ କେହି କାହା କଥା ବୁଝିବାକୁ ସମୟ ନପାଇ ସବୁ ଭୁଲିଗଲେ  । ବୁଢା କିନ୍ତୁ ନିଜ ସ୍ତ୍ରୀ ଆଉ କୃଷ୍ଣଚୂଡା ଗଛଟିକୁ ହିଁ  ନିଜ ର ସଂସାର ବୋଲି ଭାବି ନେଇଥିଲା , ତେଣୁ ସେ କେମିତି ଅବା ସହି ପାରନ୍ତା ଯଦି କେହି ତା ସନ୍ତାନ ର ଗୋଡ ହାତ ଭାଙ୍ଗିବାକୁ ଚେଷ୍ଟା କରିବ..?? ତେଣୁ କିଛି ପାଇବାର ଆଶା ନରଖି କେବଳ ଭଲପାଇବା ଦେଇ ଚାଲିଥିଲା ସେ କୃଷ୍ଣଚୂଡା ଗଛଟିକୁ । ସେ କଥା ଶୁଣି ମୁଁ  ଖୁବ୍ ମର୍ମାହତ ହେଲି  । ରାତିରେ ଠିକ୍ ରେ ଶୋଇ ପାରିଲିନି ..ସତରେ କଣ କେହି କେବେ କୌଣସି ଏକ ଗଛ କୁ ବି ଏତେ ଭଲପାଇପାରେ...?? ରାତି ବଢି ଚାଲିଲା ତା ସହିତ ଛନ୍ଦମୟ ହେଇ ଉଠିଲା ମୋ ଭାବନା ର ଇନ୍ଦ୍ରଜାଲ ସବୁ ।

ପରଦିନ ସକାଳୁ ଉଠି ସେଇ କୃଷ୍ଣଚୂଡା ଗଛ ପାଖକୁ ଧାଇଁ ଯାଇ ପହଞ୍ଚି ଦେଖିଲି ଗଛ ମୂଳ ରେ କୃଷ୍ଣଚୂଡା ଫୁଲ ର ଶେଜଟିଏ... ସତେଅବା କୃତଜ୍ଞତା ସ୍ୱରୂପ ସେ ଗଛ ବିଛେଇ ଦେଇଛି...ଅନ୍ତର୍ବେଦନା ଜ୍ୱାଳା ରେ ଝଡେଇ ଦେଇଥିଲା ତାର ସମସ୍ତ ଫୁଲ । କୃଷ୍ଣଚୂଡା ଗଛରେ ଜରାଜୀର୍ଣ ଶାଖା ମାନଙ୍କର  ଆଲୋଚନା ଶୁଣିବାକୁ ପାଇଲି କି ଆମେ କାଳେ ତାଙ୍କ ବୁଢା ବାପା ଙ୍କୁ ହତ୍ୟା କରିଛୁ..ତାଙ୍କ ବନ୍ଧୁ , ପରିଜନ, ସାହି ପଡିଶା ବାସୀ ଙ୍କୁ ନିପାତ କରିଛୁ...ଆମେ ହତ୍ୟାକାରୀ .. । ସେଦିନ ଅସହାୟ କୃଷ୍ଣଚୂଡା ର ଯନ୍ତ୍ରଣା ଭରା କଟୋକ୍ତି  ଶୁଣିବା ପରେ ମୋ ବିବେକ୍ ମୋତେ କହୁଥିଲା "ହଁ ମୁଁ ଏଥିପାଇଁ ଦାୟୀ.. ମୁଁ ହିଁ ତାଙ୍କ ସମସ୍ତଙ୍କୁ ହତ୍ୟା କରିଛି...।" ସେଦିନ  ଚୁପ୍ଚାପ୍ ସେ ଜାଗା ଛାଡି ଚାଲି ଆସିଲି । କିନ୍ତୁ ସବୁଦିନ ପାଇଁ ତା ଦେହର ଛାଇ ହେଇ ରହି ଗଲି ... ଆଜକୁ ଉଣେଇଶି ଟି ବୈଶାଖ ର ଝାଞ୍ଜି ଖରା ତା ସହିତ ସାଥି ହେଇ ସହିଲୁଣି । ସେବେଠାରୁ କୃଷ୍ଣଚୂଡା ଫୁଲ ହେଲା ମୋର ପ୍ରଥମ ପ୍ରେମିକା..ଆଉ ମୁଁ ତାର ମନର ପ୍ରଥମ  ମଣିଷ.. ପ୍ରଥମ ପୁରୁଷ... ପ୍ରଥମ ପ୍ରେମିକ... ସକାଳ ର ସ୍ୱର୍ଣିମ କିରଣ ବି ଖୁବ୍ ଅବଶ ଆଉ ନିସ୍ତେଜ ଲାଗୁଥିଲା  କୃଷ୍ଣଚୂଡା ଫୁଲ ର ମୁରୁକି  ହସ ଆଗରେ । ମୁଁ ବି ହସୁଥିଲି ତା ପେନ୍ଥା ପେନ୍ଥା ଫୁଲ ର ଛାତି ଭିତରେ...ଧକ୍... ଧକ୍... ଧକ୍... ଧକ୍... ସ୍ପନ୍ଦନରେ ...। 

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
Sent from my Samsung Galaxy smartphone.

0 Comments