ଶ୍ରମିକର କଥା - ସୌମ୍ୟ ରଞ୍ଜନ ଦାଶ

ଶ୍ରମିକର କଥା - ସୌମ୍ୟ ରଞ୍ଜନ ଦାଶ

ଗୋଟିଏ ଡାଳ ରେ      ଦିନେ ବସିଥିଲେ
          କପୋତ କପୋତୀ ପକ୍ଷୀ 
ଖୁସି ଲଗନ ରେ       ମଧୁର ବେଳା ରେ 
        ବାଣ୍ଟୁଥିଲେ ପ୍ରେମ ପ୍ରୀତି  l

କପୋତ କହୁଛି       କପୋତୀ କାନରେ 
          ଜାଣିଛୁ କିଲୋ ସଜନୀ 
ତତେ ଛାଡ଼ି ଦେଇ      ଗୋଟିଏ ମୁହୂର୍ତ୍ତ 
         କାହିଁ ମୁଁ ରହି ପାରେନି l

କପୋତୀ କହୁଛି       ଲାଜେଇ ଲାଜେଇ 
         ହେଲ ତମେ ଅଳସୁଆ 
ମୋ ବାହାନା ରେ     କର୍ମକୁଢ଼ି ହେଲ
        ନ ଧର ଶ୍ରମ ର ନାଆଁ   l

ଥଣ୍ଟେ ଠାର ଦେଇ      କପୋତୀ କହୁଛି 
         ଦେଖ ମୋର ପ୍ରାଣଧନ 
ଦେଖି ପାରୁଛ କି        ରାସ୍ତାରେ ଯାଉଛି
         ଚାଲି ଚାଲି ଯେଉଁ ଜନ  l

ସେ ଯେ ସାଂସାରିକ       କର୍ମରେ ଜଡ଼ିତ 
        ଶ୍ରମିକ ଯେ ତାର ନାଁ 
ନିତି ପ୍ରତିଦିନ      ଶ୍ରମ ସମ୍ପାଦିଣ 
         ଗଢେ ତା ଟିକି ଦୁନିଆ   l

ପୂରୁବ ଆକାଶେ     ଅରୁଣ ପଛକେ 
         ବିଳମ୍ବେ ହୁଅନ୍ତୁ ଉଭା 
କିନ୍ତୁ ଶ୍ରମଜୀବି         ଶ୍ରମରେ ତତ୍ପର 
           କର୍ମେ ତାର ମନ ବନ୍ଧା   l

ସଂସାର ଜଂଜାଳ      ତେଲ ଲୁଣ ଭାର
       କାନ୍ଧରେ କାନ୍ଧେଇ ସିଏ 
ଶ୍ରମ ଜଗତ ରେ        ସେ ଯେ ବିଶ୍ୱକର୍ମା 
          ସୁଖେ ଶ୍ରମ କରୁ ଥାଏ  l

ଖରା ବର୍ଷା ଶୀତ       କାକର କୁହୁଡ଼ି 
       କାହା ବାଧା ମାନେ ନାହିଁ 
ଶ୍ରମ ପ୍ରତି ତାର       ସତ୍ୟନିଷ୍ଠତା କୁ 
         ବର୍ଣ୍ଣିଲେ ସରିବ କାହିଁ   l

ଦୁଃଖ ଲାଗେ ଯେବେ       ଶ୍ରମିକଟି ତାର 
           ଶ୍ରମ ର ମୂଲ୍ୟ ନ ପାଇ 
ପୁଞ୍ଜିପତି କରେ        ଶଠତା ଲୁଣ୍ଠନ 
       କ୍ରୁରତା ଚାବୁକ ଦେଇ   l

ପୁଞ୍ଜି ମାଲିକ ଙ୍କ      ଦମନ ଲୀଳା ରେ 
        ହୋଇଣ ଅତିଷ୍ଠ କ୍ଷୁବ୍ଧ 
ନିଜ ପାଇଁ ନିଜେ      ନ୍ୟାୟ ପ୍ରାପ୍ତି ଆଳେ 
        ଶୁଭିଲା ବିଦ୍ରୋହ ନାଦ  l

ଶ୍ରମିକ ଭାଇ ର       ଶକତି ଆଗରେ 
      ଆଣ୍ଠୁମାଡ଼ି ପୁଞ୍ଜିପତି 
ଦମନ ଲୀଳା ର        ଯୁଗ ଶେଷ ହେଲା 
       ନ୍ୟାୟ ପାଏ ଶକ୍ତିପତି  l

ଶ୍ରମିକ ଭାଇର     ଶ୍ରମ ର ମର୍ଯ୍ୟାଦା 
       କିଏସେ ଫେରାଇ ଦେବ 
ଶ୍ରମ ର ବିନ୍ଧାଣୀ      ସେ ଯେ ବିଶ୍ବବନ୍ଧୁ 
        ଧାନ୍ୟତାର ରକ୍ତ ସ୍ବେଦ  l

କପୋତୀ କହୁଛି       ଶୁଣିଲକି ସାଥି 
     ଶ୍ରମିକ ଭାଇ ର ରାୟ 
ଜଗତେ ମହାନ       ସେଇ ଦିବ୍ୟଜନ 
      ଶ୍ରମ ରେ ଯାହାର ଲୟ  l

ସୌମ୍ୟ ରଞ୍ଜନ ଦାଶ
       ବଲାଙ୍ଗୀର

0 Comments