କ୍ଷୁଦ୍ରଗଳ୍ପ - ସେଦିନ ମୋ ଗାଁରେ ଗାଧୁଆ - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ସେଦିନ ମୋ ଗାଁରେ ଗାଧୁଆ - ନାରାୟଣ ଚନ୍ଦ୍ର ସେନାପତି

ରଙ୍ଗନାଥ ବାବୁ ସେକ୍ରେଟାରୀଏଟ ର ଯୁଗ୍ମ ନିର୍ଦ୍ଦେଶକ।ଏସି ଘରେ ରହିବା, ଏସି ଗାଡ଼ିରେ ବୁଲିବା ତାଙ୍କ ନିତିଦିନିଆ ଅଭ୍ୟାସ ହୋଇଗଲାଣି।ରାଜଧାନୀର ଆକାଶଛୁଆଁ ପାଞ୍ଚ ମହଲା କୋଠାରେ ସେ ରହନ୍ତି ବହୁତ ଜାକଜମକରେ।ଜାତିରେ ସେ ଆଦିବାସୀ ଗଣ୍ଡ ସମ୍ପ୍ରଦାୟର, ହେଲେ ଦେଖିଲେ କେହି କହିବେ ନାହିଁ ସେ ସବର୍ଣ୍ଣ ନୁହଁ ବୋଲି।ଏବେ ତାଙ୍କର ଆଭିଜାତ୍ୟ ଦେଖିଲେ ସମସ୍ତେ ଅବାକ୍ ହୋଇଯିବେ।ତାଠୁ ବଡ଼ ତାଙ୍କ ସହଧର୍ମିଣୀ ଲଛମାନଙ୍କ ଆଡ୍ଡା।ଉଭୟଙ୍କ ମନରେ ଅହଂ ପଣିଆ କ୍ଷୀର ଉପରେ ସର ପରି ଟିକେ ବସିଗଲାଣି।ରଙ୍ଗନାଥ ବାବୁଙ୍କ ଜନ୍ମସ୍ଥାନ କେନ୍ଦୁଝର ସାନଘାଗରା ପାଖ ତଳକଇଁସାରି ଗାଁରେ।ଗାଁ ଚାରିପାଖ ପାହାଡ଼,ଜଙ୍ଗଲ ଘେରା।ପାହାଡ଼ି କନ୍ୟାଟା ଝରି ଝରି ସେଇ ଜଳପ୍ରପାତ ଦେଇ ଆସୁଛି।ସରଳ ନିରୀହ ଅପାଠୁଆ ସାଧାରଣ ଲୋକ ଗୁଡିଏ ବସବାସ କରନ୍ତି ସେଠାରେ।ଯା ହେଉ ଅନ୍ଧଙ୍କ ଭିତରେ ସତେ ଯେମିତି ରଙ୍ଗନାଥ ବାବୁ ହେଲେ କଣା ସର୍ଦ୍ଦାର।ଗାଁ ମାଟିର ମମତାକୁ ଧୀରେ ଧୀରେ ସେ ଯେମିତି ଦୁରେଇ ଦେଲେଣି।କାହିଁକି ନା ସେ ସିନା ରାଜନୀତିଆ ପରି ରାତାରାତି ବଡ଼ ଅଫିସର ହୋଇଗଲେ ହେଲେ ଗାଁ ସେମିତି ପୂର୍ବପରି ଗାଉଁଲି ହୋଇ ପଡିଛି।ଯେଉଁଦିନଠୁ ଲଛମାନଙ୍କୁ ବିବାହ କଲେଣି ସେଦିନଠୁ ସମସ୍ତେ ଭାବନ୍ତି ଆମ ରଙ୍ଗନାଥଟା ଲାଗୁଛି ଆମେରିକାର ଅଧିବାସୀ ବୋଧହୁଏ।କେତେବେଳେ କେମିତି ମନେ ପଡିଲେ ସେ ନିଶ୍ଚୟ କଷ୍ଟ କରି ତାଙ୍କ ମୂଲ୍ୟବାନ ସମୟ ନଷ୍ଟ କରି ଆସନ୍ତି।ହେଲେ ଗାଁ ଟା ତାଙ୍କୁ ଯେମିତି ଅଡ଼ୁଆ ଅଡ଼ୁଆ ଲାଗେ।ଲଛମନ କହନ୍ତି ଏ ଗାଁ ମଫସଲରେ  ମଣିଷ କଣ କେବେ ରହନ୍ତି !

ଏଇ କେତେଦିନ ହେବ ରଙ୍ଗନାଥ ପ୍ରାଣପ୍ରିୟା ଲଛମନଙ୍କୁ ନେଇ ଗାଁ ଆସିଥିଲେ ଗୋଟିଏ ଶୁଦ୍ଧି କାମରେ।ଦଶଦିନ ଦିନ ଶୁଦ୍ଧିପରେ ସମସ୍ତେ ପୋଖରୀରେ ଗାଧୋଇଲେ କିନ୍ତୁ ସେ ଗାଧୋଇଲେ ନଳକୂପରୁ ପାଣି ନେଇ।କାରଣ ରାଜଧାନୀରେ ରହୁଥିବା ରଙ୍ଗ କେମିତି ଏ ବେରଙ୍ଗ ପାଣିରେ ଗାଧୁଅନ୍ତା।ତାପର ଦିନ ତାର ପିଲାଦିନର ପୁରୁଣା ସାଥି ବେଣୁ ଆଉ ଶଙ୍କରା ଦୁହେଁ ଡାକିଲେ,ରଙ୍ଗ ବାବୁ ଆସ ଯିବା ସାନଘାଗରା ଝରଣା ପାଣିରେ ଗାଧୋଇବା।ତାର ମନ ଥାଉ କି ନଥାଉ ଲଛମନ କହିଲା, ନାଁ ନାଁ ତାଙ୍କର ଏ ପାଣିରେ ଗାଧୁଆ ଅଭ୍ୟାସ ନାହିଁ।ଦେହ ଖରାପ ହୋଇଯିବ।ରାଜଧାନୀରେ ଗାଧୁଆ ଘରର ସେ ସାୱାର ଦେଇ ଗାଧୁଅନ୍ତି,ଏ ଗୋଳିଆ ପାଣିରେ ତାଙ୍କ ଦେହ ଖରାପ ହୋଇଯିବ।ନିଜତ୍ବ ହରାଇଥିବା ରଙ୍ଗ କ'ଣ ବା କହିବ, ସେ ତ ସେୟା।ଜଣେ ଏତେ ବଡ଼ ବାବୁ ସିଏ,ଗାଁ ର ଏ ମଳିମୁଣ୍ଡିଆ ଅନାମଧ୍ୟେୟଙ୍କ ସହ ଗୋଳିଆ ପାଣିରେ ଗାଧୋଇଲେ ତା ସମ୍ମାନ ରହିବ ତ?ଅବଶ୍ୟ ଏ ପ୍ରାକୃତିକ ଜଳର ମାହାତ୍ମ୍ୟ ସେ କେବେଠୁ ଭୁଲି ସାରିଲାଣି।

ଏଇ କେଇଦିନ ହେବ ଫନି ଆସି ଭୁବନେଶ୍ୱରକୁ ଦଳି ଚକଟି ପକାଇଛି।ଲାଇଟ ନାହିଁ,ପାଣି ନାହିଁ,ଟାୱାର ନାହିଁ।ପିଇବେ କଣ, ରୋଷେଇ କରିବେ କେମିତି,ଗାଧୋଇବେ କିପରି?ବାଲଟି ଧରି ରଙ୍ଗନାଥ ବାବୁ ଲାଇନ୍ ରେ ଅଛନ୍ତି।ପୁଣି କାହାକୁ ବାଲଟିଏ କି ଦୁଇ ବାଲଟି।ଏଥିରେ ପୁରା ପରିବାରର ପୁଣି ଦିନକର ଧୋଇହେବା,ଗାଧୋଇବା,ରୋଷେଇ କରିବା।ଏଇ ଦିନେ ଦୁଇଦିନ ହେବ ରଙ୍ଗନାଥ ବାବୁଙ୍କ ରଙ୍ଗ ବଦଳି ଗଲାଣି।ନାଁ ଏ କୂଳରେ ନାଁ ସେ କୂଳରେ।ଯେତେ ବଡ ବଡ଼ିଆ ଅଫିସର ଏ ଅସୁବିଧା ପାଇଁ ଗାଁକୁ ସବୁ ଚାଲିଗଲେଣି କିନ୍ତୁ ରଙ୍ଗନାଥ ବାବୁ ଗାଁକୁ ତ ପସନ୍ଦ କରନ୍ତି ନାହିଁ କେମିତି ବା ଯିବେ?ନାଁ ଏପଟ ନାଁ ସେପଟ।ଶେଷରେ ଦୁହେଁ ବିଚାର କରି ଚାଲିଲେ ଗାଁ।ଗାଁ ନଳକୂପ ଏବେ ଖରାଦିନରେ ଖରାପ ହୋଇଯାଇଛି,ଲୋକେ ପ୍ରପାତ ପାଣି ଓ ଝରଣା ପାଣିରେ ସମସ୍ତ କାର୍ଯ୍ୟ କରୁଛନ୍ତି।ସମସ୍ତେ ଜାଣିଛନ୍ତି ସେମାନେ ଗାଁକୁ ଯାଇଛନ୍ତି, ହେଲେ କେହି ବି କିଛି କହୁନାହାନ୍ତି।କେମିତି କହିବେ ଯେ ଏମାନେ ଅଫିସର ଲୋକ। ବଡ ବଡ଼ିଆ,ବଡ଼ ନଜର।କ'ଣ ବା ସାହସ କରି କହିବେ।ରଙ୍ଗନାଥ ବାବୁଙ୍କୁ ନିଃସଙ୍ଗ ନିଃସଙ୍ଗ ଲାଗୁଥାଏ।ବେଣୁ ଆଉ ଶଙ୍କରାକୁ ଡକେଇ କହିଲେ ଚାଲ ଯିବା ପ୍ରପାତ ପାଖକୁ ଗାଧୋଇ।ବେଣୁ ଶଂକରା ଆଶ୍ଚର୍ଯ୍ୟ ଏପଟେ ବି ବହୁତ ଖୁସି।ପାଣିରେ ପଶି ଆରମ୍ଭ କଲେ ଗାଧୁଆ।ରୋଗ,ଦୁଃଖ ବିପଦ ବେଳେ ମା'ର ହାତ ଆଉଁସା ଉପଶମ ଦେବାପରି ପ୍ରଫୁଲ୍ଲତା ଭରିଦେବା ପରି ତାକୁ ଲାଗୁଥାଏ ଗାଁର ଗାଧୁଆ।ସତରେ କି ଆନନ୍ଦ ! ସେ ଗାଧୁଆ ଘରର ଲୁଚି ଲୁଚି ଗାଧୁଆ,ସାୱାରର ପାଣିଛିଞ୍ଚା ଆଉ ଏ ମୁକ୍ତ ଜଳରାଶିରେ ଗାଧୁଆ,ବୁଡା, ପହଁରାରେ କି ଆନନ୍ଦ !ବେଣୁ କହିଲା, ରଙ୍ଗ ବାବୁ ମନେ ପଡୁଛି ଆମେ ସ୍କୁଲ ପଢୁଥିଲା ବେଳେ ଏଇଠି କେମିତି କୁଦି କୁଦି ଗାଧୋଉଥିଲେ।ଲୋକମାନେ ଵିରକ୍ତ ହୋଇ କହୁଥିଲେ ପାଣିକୁ ଦିଖଣ୍ଡ କରିଦେଉଛ।ଶଂକରା କହିଲା ରଙ୍ଗବାବୁ ମନେ ପଡୁଛି ମୁଁ ଏଇ ପାଣି ଭିତରକୁ ଡେଇଁ କେମିତି ତୁମମାନଙ୍କ ଭିଯୋଉଥିଲି।ରଙ୍ଗନାଥ ବାବୁକୁ ଏ ବାବୁ ଶବ୍ଦଟା କେମିତି ଛୁରୀ ପରି ଲାଗୁଥାଏ କାନକୁ।ସେ କହିଲେ ଆରେ ଆମେ ତ ସାଙ୍ଗଥିଲେ ଏବେ ବି ଅଛନ୍ତି ହେଲେ ଏ ବାବୁ ଶବ୍ଦଟା କୁଆଡେ ଆସିଲା, ମୋତେ ଫୋଡି ଫୋଡି ବହୁତ ଯନ୍ତ୍ରଣା ଦେଉଛି।ଆରେ ନାଁ ଆମେ ସେମିତି ଗାଉଁଲି ହୋଇ ଅଛୁ ଆମେ ତ ଜଣେ ଅଫିସରଙ୍କୁ କେବଳ ବାବୁ ଡାକୁଛୁ।ଏହା କହି ପୁରୁଣା ତିନି ସାଥି ଭିଜି ଭିଜି ଗାଧୋଉ ଗାଧୋଉ ରଙ୍ଗନାଥ କହିଲା, ମନେ ଅଛି ସାଙ୍ଗ ପିଲାଦିନ   ସେ ଗାଧୋଇବା,ବେଣୁ ତୁ ନଡ଼ିଆ ସଡେଇରେ ମୋତେ କେତେ ପାଣି ଛାଟୁଥିଲୁ,ଆଉ ଶଂକରା ତୁ ମାଟି ଛେଲୁଆରେ ମୋତେ ପାଣି ଛାଟି ଆକଚା କରିଦେଉଥିଲୁ।କି ଆନନ୍ଦ ଲାଗୁଥିଲା।ଯା ହେଉ ତୁ ମନେ ରଖିଛୁ ସାଙ୍ଗ।ଆମେ ତ ଭାବୁଥିଲୁ ରାଜଧାନୀରେ ତୁ ପୁରୁଣା ସ୍ମୃତି ସହ ଆମକୁ ବି ଭୁଲି ଯାଇଛୁ ବେଣୁ ଓ ଶଂକରା ଆବେଗର କହୁଥିଲେ।ନାଁରେ ସାଙ୍ଗ ପୁରୁଣା ଦିନ ଆଉ ଗାଁର ଘଟଣା ଏ ପରା ପରସ୍ତ ପରସ୍ତ ହୋଇ ମୋ ହୃଦୟରେ ବସାବାନ୍ଧିଛି।ଆଜି ବି ସେଇଭଳି ଗାଧୋଇବାକୁ ମନ ହେଉଛିରେ ସାଙ୍ଗ।ଏତିକି କହିବା ମାତ୍ରେ ଲୁଚେଇ ରଖିଥିବା ବେଣୁର ସଡେଇ ଓ ଶଙ୍କରାର ମାଟି ହାଣ୍ଡି ଭଙ୍ଗା ଛେଲୁଆର ପାଣି ମାଡ଼ ତା ମୁହଁରେ ବାଜି ତାକୁ ଅଶେଷ ଆତ୍ମତୃପ୍ତି ଦେଉଥିଲା।ସେ ମନେ ମନେ ଭାବୁଥିଲା ସତରେ ଏ ଗାଁ ଗାଧୁଆ,ଏ ଝରଣା ନଈ ପୋଖରୀ ଗାଧୁଆ,ପ୍ରପାତ ପାଣିର ଆତ୍ମତୃପ୍ତି ସହରର ବାଥରୁମ ର ସାୱାର କ'ଣ ଦେଇପାରିବ?ଏଇ ଗାଧୁଆ ଦୂର କରୁଥିଲା କେତେ ରୋଗ,ଏଇ ଗାଧୁଆକୁ ଦେଖି ଛାନିଆଁରେ ବାଟ କାଟୁଥିଲା ଅଂଶୁଘାତ।ଏଇ ଭିଜା ଭିଜା ଗାଧୁଆ ଦେହ- ମନ- ଆତ୍ମାକୁ ଶୀତଳ କରି ସଭିଙ୍କୁ ଦେଉଥିଲା ସ୍ନେହ ମମତାର ସଜ ପରଶ।

ରଙ୍ଗ କ'ଣ ଏମିତି ଭାବୁଛୁ ? ତାକୁ ହଲାଇ ବେଣୁ ଶଂକରା କହୁଥାନ୍ତି, କ'ଣ ସାଙ୍ଗ ସତରେ କହିଲୁ ତୁମ ସହର ଗାଧୁଆ ଭଲ ନାଁ ଆମ ଗାଁ ଗାଧୁଆ ? ଠୋ ଠୋ ହସି ରଙ୍ଗନାଥ କହିଲା, ଯେତେ ହେଲେ ଗାଁ ଗାଧୁଆ,ଗାଧୁଆ ପରି ଗାଧୁଆ ନା।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments