ଏତେ ଅଳ୍ପ ଵୟସରେ କଵିତ୍ୱରେ ଅତେ ସମ୍ମାନ ଏ ଯୁଗରେ ଅନ୍ୟ କିଏ ପାଇଥିବାର ଶୁଣାନାହିଁ  | ତେଣୁ ସଭିଙ୍କ ଆକର୍ଷଣର କେନ୍ଦ୍ର ଏବେ ସତ୍ୟାଶ୍ରିତା | ରଙ୍ଗମଞ୍ଚ ଉପରେ ପଦକ ଆଣିବାବେଳେ କରତାଳରେ ପ୍ରଶାଳା କମ୍ପମାନ ଥିଲା, କେତେଜଣ ଆସି ପୁଷ୍ପଗୁଚ୍ଛ ଦେଇଗଲେ | ତେବେ କରଧ୍ୱନିକୁ ନମ୍ର ଭାଵେ ମଥା ଅଵନତ କରିବା ଓ ଉପହାରକୁ ଧୀରେ ଧନ୍ୟଵାଦଟେ ଦେବା ଛଡା ତାର ପ୍ରତିକ୍ରିୟା ନାହିଁ କହିଲେ ଚଳେ | 

ଉପଲବ୍ଧିର ଶୀର୍ଷରେ ଥାଇ ଆଜି ସେ ବହୁତ କିଛି ହରେଇଛି, ତା ଆନ୍ତରାତ୍ମାର ସାଧୁଵାଦ ହରେଇଛି | ହଁ, ତା ନାମ ସତ୍ୟାଶ୍ରିତା, କିନ୍ତୁ ଭିତରୁ କେହି ଜଣେ କହୁଛି, କଵିତାରେ ପ୍ରଶଂସାର ସୋପାନକୁ ତୁ କଣ ସଦୁପାୟରେ ଆସିଥିଲୁ ? ତୁ ଲେଖିବାର ବିଭିନ୍ନ ଶୈଳୀ, ଵକ୍‌ଚାରୁରୀ ଆଉ ପ୍ରଭାଵୀ ଉପସ୍ଥାପନା ଯାହାଠୁ ଶିଖିଲୁ, ତା ନାମ କେବେ କାହାକୁ କହିଛୁ, ନା କାଳେ କିଏ ମୌଳିକତା ନାହିଁ କହି ଦେବ ବୋଲି ସଭିଙ୍କୁ ଲୁଚେଇଛୁ ସେ ନାମ, ଜଗିଛୁ ନିଜ ସମ୍ମାନୀୟତା ? ଲୁଚେଇଲୁ ତ ଲୁଚେଇଲୁ, ଯିଏ ତୋ ଉପକର୍ତ୍ତା, ତା ପ୍ରତି ତୁ କି ଵ୍ୟଵହାର କରିଛୁ ? ସେ ଜାଣିଲା ପରେ ତୋତେ ଗାଳି ପଦେ କରିନାହିଁ, କି ତୋଠୁ ଦୂରେଇ ଯାଇ ନାହିଁ, ଓଲଟା ତୋ ନିକଟଵର୍ତ୍ତୀ ହେଇ ତୋତେ ପଦେ ପଦେ ସାହାଯ୍ୟ କରିବାରେ ତୁ ଆଜି ଏତେ ଉପରେ, କିନ୍ତୁ ଅକୃତଜ୍ଞା ତୁ, ସତ୍ୟାଶ୍ରିତା ତୋ ନାମ ମାତ୍ର, ତୁ ସତରେ ମିଥ୍ୟାଶ୍ରିତା, କାରଣ ସତ୍ୟୋକ୍ତି କରିବା ସୁଯୋଗ ଥାଇ ତୁ ଆଗରୁ କରିନୁ, ଲୁଚେଇଛୁ, ସଭିଙ୍କୁ ଧାରଣା ଦେଇଛୁ ତୁ ଜନ୍ମସିଦ୍ଧା କବୟିତ୍ରୀଟିଏ, କହିନୁ ସେଭଳି, କିନ୍ତୁ ପ୍ରକୃଷ୍ଟ କ୍ଷେତ୍ରରେ ନୀରଵ ରହି ସେ ଧାରଣା ସୃଷ୍ଟି କରିଛୁ ସର୍ଵସାଧାରଣରେ | 
.
ତୁ ମିଥ୍ୟାଚାରିଣୀ, ଆଉ ଟିକେ କଠୋର ଭାଷାରେ କହିଲେ, ତୁ ଚୋରଣୀ ମଧ୍ୟ ! ନିଜକୁ ଥରେ ସତ କହ, ତୁ ପ୍ରଥମେ ଯେଉଁଥର ଇଣ୍ଟର୍‌କଲେଜରେ ପ୍ରଥମ ହେଲୁ, ସେ କଵିତା ତୋ ନିଜର ଲେଖା ? ଚୋରେଇନୁ ? ଚୋରି କାହାଠୁ କରିଥିଲୁ ? ଯିଏ ତୋତେ ବୁଝେଇ ବତେଇ ଏତେ ବାଟ ଆଣୁଥିଲା, ଆଣି ପହଞ୍ଚେଇଲା ମଧ୍ୟ, ତାହାରିଠୁ ନା ?  ଧିକ୍‌ ସତ୍ୟାଶ୍ରିତା, ଧିକ୍‌ ! କେହି ନ ଜାଣନ୍ତୁ,  ତୁ ନିଜେ ତ ଜାଣୁ  ! 
.
ଏବେ ଖୁବ ଗମ୍ଭୀର ଅଛି ସେ, ଆଜି ସେ ସତ୍ୟ ପ୍ରକାଶ କରିବ | ଏତେ ଦିନ ଲୁଚେଇଥିବା ସତ୍ୟ ସେ ଆଉ ଚାପିଧରି ନିଜ ଅନ୍ତରର ଧିକ୍କାର ଶୁଣିବାକୁ ଚାହେଁ ନାହିଁ, ସେ ମିଥ୍ୟାଶ୍ରିତା ହେବନାହିଁ, ଅକୃତଜ୍ଞା ହେବନାହିଁ । ତା ମନରେ ସେହି ଏକାଗ୍ରତା କାୟା ଵିସ୍ତାର କରି ତାକୁ ଵ୍ୟତିଵ୍ୟସ୍ତ କରି ପକାଉଛି | କିନ୍ତୁ ଏଠି ନୁହେଁ, ତାର ଏତେ ବଡ ଉପକର୍ତ୍ତାଙ୍କ ନାମ ତାଙ୍କୁ ଖୁବ ମର୍ଯ୍ୟାଦା ଦେଇ ଏଭଳି ସ୍ଥାନରେ କହିବ ଯେ ସାରା ରାଜ୍ୟ ଜାଣିବ ତା ପୃଷ୍ଠପୋଷକଙ୍କୁ | ଆଜି ସନ୍ଧ୍ୟାରେ ପ୍ରେସ୍‌ ଲୋକେ ଆସିବେ, ଟିଭି ଲୋକେ ଆସିବେ | ସେଇଠି କେମେରାରେ କହିବ, ସେ ସ୍ୱୟମ୍ଭୂ ନୁହଁ, ତା ସଫଳତା ପଛରେ କାହାରି ତ ଆଶୀର୍ଵାଦ ଅଛି | ଏତେ ଦିନ ଡରି ଡରି ଭୁଲ୍‌ କରିଛି, ଏବେ ଆଉ ଡରିବ କାହିଁକି ? କିନ୍ତୁ ତା ପୂର୍ବରୁ ତା ଦିଗଦର୍ଶକଙ୍କୁ ସାକ୍ଷତ୍‌ କରି ତାଙ୍କ ପାଦଧୂଳି ନିଶ୍ଚୟ ନେବ, କୃତଜ୍ଞତା ଜଣେଇବ, ଆଉ ସେ କାହିଁକି ତାଙ୍କ ନାମ ଏ ଯାଏ ସଭିଙ୍କୁ ଲୁଚେଇଥିଲା କହି ଅନୁତାପ କରିବ, ପାପର ଭାର ଧୋଇଯିବ ତାର | 
.
ସଭା ସରିବା ମାତ୍ରେ ସତ୍ୟାଶ୍ରିତା ସଭାସ୍ଥଳରୁ ଅନ୍ତର୍ଦ୍ଧାନ ହେଇଗଲା | ନିକାଞ୍ଚନରେ ମୋବାଇଲ୍‌ କାଢି ଲଗେଇଲା ତା ପିତା ତୁଲ୍ୟ ଗୁରୁଙ୍କୁ | କିନ୍ତୁ ଏ କଣ, କେତେ ରିଂ ହେଲାଣି, ସତ୍ୟାଶ୍ରିତାର ଫୋନ୍‌ ସେ ଗୋଟିଏ ଦୁଇଟି ର୍ଂରେ ଉଠାନ୍ତି, ହେଲେ ଆଜି…., ଏଇ ଗୋଟେ ମିନିଟ୍‌ ତାକୁ ଗୋଟେ ଘଣ୍ଟା ପରି ଲାଗିଲାଣି…, ଆରେ, ରିଂ ତ ସରି ଗଲା, ନୋ ରେସ୍ପନ୍ସ୍‌ କହୁଛି, ତା ଧୈର୍ଯ୍ୟଚ୍ୟୂତି ହେଉଛି | ଲଗେଇଲା ଦ୍ୱିତୀୟ ଥର, ତୃତୀୟ ଥର... | 
.
ଚତୁର୍ଥ ଥରରେ ଗୋଟେ ନାରୀକଣ୍ଠ, 
"ହାଲୋ, ସରି, ମୁଁ କେବିନ୍‌ରେ ଥିଲି, ଉଠେଇ ପାରି ନଥିଲି, କହନ୍ତୁ |" 
"ଆପଣ ସାରଙ୍କର… " 
"ଝିଅ କହୁଛି, କହନ୍ତୁ |" 
"କେବିନ୍ କଥା କଣ କହିଲେ, କି କେବିନ୍ ?" 
"ଡାକ୍ତରଖାନା କେବିନ୍,  ବେଗେ କହନ୍ତୁ,  କଣ କହି ଦେବି, ସଂକ୍ଷେପରେ କହିବେ |" 
"ଡକ୍ତରଖାନା,  କେବିନ୍,  କାହିଁକି,  କାହାର କଣ ହେଇଛି, କେବେଠୁ ଅଛନ୍ତି ସେଠି?" 
"ବାପାଙ୍କ ଦେହ ଅତି ସିରିଅସ୍‌, ପର୍ ଦିନ ସକାଳୁ ଆଣି ଏଡ୍‌ମିଟ୍‌ କରିଥିଲୁ | କହନ୍ତୁ, ସେନ୍ସ୍‌ ଆସିଲେ ସୁବିଧା ହେବ ତ କହି ଦେବି |" 
.
ସତ୍ୟାଶ୍ରିତା ହାତରୁ ମୋବାଇଲ୍‌ ଖସି ପଡିଲା | ପରଦିନ ସନ୍ଧ୍ୟାରେ ସେ କଥା ହେଇଥିଲା, ସେ ତ ବହୁତ୍ ଖୁସିରେ କଥା ହେଲେ | ଅଵଶ୍ୟ, ଏବେ ମନେ ପଡୁଛି ତାଙ୍କ ସ୍ୱର ଫିକା ଲାଗୁଥିଲା, ଆଉ ଶୀଘ୍ର ସେ ଫୋନ୍‌ କାଟିବାକୁ କହିଥିଲେ | କଣ ଏମିତି ହେଇଛି, ସେନ୍ସ୍‌ ନାହିଁ  ? 
.
ସେ ଆଉ ଘରକୁ ନ ଯାଇ ବାଇକ୍‌ ଛୁଟେଇଲା ସିଧା ହସ୍ପିଟାଲ୍‌ | ଦିନରେ ଏଇ ଭିଡ ସମୟରେ ପ୍ରାୟ ଘଣ୍ଟାକର ରାସ୍ତା, ତାକୁ ଲାଗୁଥାଏ ଚାରି ଘଣ୍ଟା ହେଲା, ରାସ୍ତା ସରୁ ନାହିଁ | କିନ୍ତୁ ସେ ହାରି ନାହିଁ, ପହଞ୍ଚିଛି, ତା ନିଷ୍ପତ୍ତିରେ ଅଟଳ ଅଛି | କେବିନ୍ ପାଖରେ ପହଞ୍ଚି ଜାଣିଲା, ସାର୍ ପନ୍ଦର ମିନିଟ୍‌ ତଳେ ଚାଲିଗଲେ | ଘଣ୍ଟାଏ ଅପେକ୍ଷା କଲା ପରେ ସେଠି ଥିବା ଅନ୍ୟ ୩ ଜଣ ନାରୀଙ୍କ ଆକୁଳ କ୍ରନ୍ଦନରୋଳ ଭିତରେ ସେ ଵିନମ୍ର ଚରଣସ୍ପର୍ଶ କଲା, ପାଦର ଧୂଳି ଆଣି ମଥାରେ ମାରିଲା, ସମସ୍ତଙ୍କଠୁ ଵିଦାୟ ନେଇ ଲେଉଟିଲା | 
.
ଘରେ ମା ପଚାରିବାରେ କହିଲା, ସମ୍ମିଳନୀରେ ଆଜି ଅଧିକା ଖାଇ ଦେଇଛି | କାନ୍ଦି ନ ଥିଲା, ଗୋଡ ହାତ ଧୋଇ ଦି' ତାଲା ବାଲ୍‌କୋନିରେ ଏକା ବସିଲା, ଆଉ ଏକା ବସି କାନ୍ଦିଲା, ବହୁତ କାନ୍ଦିଲା, ବହୁତ, ବହୁତ, ବହୁତ | 
.
ଲଲାଟେନ୍ଦୁ କଵି 
୨୦୧୯୦୫୧୭୦୩୧୧