ରକତ ଦାନ ମହତ ଦାନ - ନାରାୟଣ ଚନ୍ଦ୍ର ସେନାପତି

ରକତ ଦାନ ମହତ ଦାନ - ନାରାୟଣ ଚନ୍ଦ୍ର ସେନାପତି

ଭିନ୍ନ ଧର୍ମ ଭିନ୍ନ ଜାତି ଆମେ ସିନା 
(ଆମ) ରକ୍ତ ବର୍ଣ୍ଣ ପରା ସମାନ
ତଥାପି ଆମର ମନେ ଭେଦ କିମ୍ପା
କପଟ ହିଂସାର ମିଶାଣ ।

ଶାଗ,ବାଇଗଣ,ସଜନା ଛୁଇଁ ତ
ଏମିତି କେତେ ଧାତୁସାର
ଖାଇଲେ ପରା ଏ ଦେହରେ ସଞ୍ଚରେ
କି ଅଦ୍ଭୁତ ବିଜ୍ଞାନ ଆସର।

ସରଳ ତରଳ ଦରବଟି ସିନା
ଜୀବଦେହେ ମୂଳପିଣ୍ଡ
ରାକ୍ତହୀନତାଟା ଶରୀରେ ଛୁଇଁଲେ
ବୁଦ୍ଧି ବଳ ହୁଏ ପଣ୍ଡ ।

ସୁଷମ ଖାଦ୍ୟଟା ହଜମ ହୋଇଣ
(ତା) ସାର ଯେବେ ମିଶେ ରକତେ
ଅସୀମ ଶକ୍ତିର ଅଧିକାରୀ ହୋଇ
ସବୁ କର୍ମ କରୁ ଜଗତେ ।

ରଙ୍ଗଟା ସିନା ତା ସମାନ ଦିଶଇ
ବିଭାଗ ତା ଭିନ୍ନ ଭିନ୍ନ
କାହାର ତ "ଏ",କାହାର "ବି", "ଓ" 
ଯୁକ୍ତ ବିଯୁକ୍ତେ ବର୍ଣ୍ଣନ  ।

ଘନତା ବଢିଲେ ଉଚ୍ଚ ରକ୍ତଚାପ
ଜୀବନ ପ୍ରତି ବିପଦ
ନିମ୍ନ ରକ୍ତଚାପ  ଘନତା କମିଲେ 
(ହୁଏ)ଦୁର୍ବଳ ମଥାଠୁ ପାଦ  ।

ରକ୍ତ ଯେବେ ଦେହେ ହୁଏନା ତିଆରି
ସିକିଲିନ୍ ମାଡ଼ିଆସେ
ଜମାଟ ବାନ୍ଧି ସେ ଗ୍ଲୁକୋଜର ସାଥେ
ମଧୁମେହ ହୋଇ ବସେ ।

ଜୀବାଣୁ, ଭୁତାଣୁ ମିଶିଲେ ତା ଦେହେ
ଡେଉଁ ସାକ୍ଷାତ ମର୍କଟ
ମହାମାରୀ ଏଡ଼ସ ସାଥେ ନାନା ରୋଗ
ନଚାଏ ଦୁଷ୍ଟ କର୍କଟ ।

ଦେଶ ଜାତି  କଥା  କାନରେ ବାଜିଲେ
ହୁଏନା (ଯା) ରକ୍ତ ଗରମ
ଶଙ୍କର ନିଶ୍ଚେ ସେ ଦେଶଦ୍ରୋହୀ ନାମେ
ବଞ୍ଚେ ଧିକ ତା ଜନମ ।

ଏ ରକ୍ତ ସମର୍ପି ଦେଶକୁ ସ୍ବାଧୀନ
କରିଥିଲେ( ମୋ )ଦେଶ ଲୋକ
ଏବେବି ସୀମାନ୍ତ ଯୁଦ୍ଧେ ରକ୍ତ ଦେଇ
ସାଜନ୍ତି ବୀର, ସୈନିକ ।

ଦୁର୍ଘଟଣା ହେଲେ ରକତ ଯା ବହେ
ତାହାର କ୍ଷତି ପୂରଣ
ମହତ ଲୋକଟି କରି ରକ୍ତ ଦାନ
ବଞ୍ଚାଏ କେତେ ଜୀବନ ।

ରକ୍ତ ଦାନ ଠାରୁ ଶ୍ରେଷ୍ଠ ଦାନ ଏଇ
ବିଶ୍ୱ ଦରବାରେ ନାହିଁ
କର ଧର୍ମ ପୁଣ୍ୟ ଏ ମହତ ଦାନ
ଆଶିଷ ଦିଅ ଗୋସାଇଁ ।

 ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments