ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ପ୍ରବନ୍ଧ - ନିଜକୁ ଅଡୁଆ ପରକୁ କାଳ - ସନ୍ତୋଷ କୁମାର ମହାନ୍ତି

ପ୍ରବନ୍ଧ - ନିଜକୁ ଅଡୁଆ ପରକୁ କାଳ - ସନ୍ତୋଷ କୁମାର ମହାନ୍ତି



ଆମେ ଷ୍ଟୋନ ଯୁଗରୁ drone ଯୁଗରେ ଆସି ପହଂଚିଗଲେଣି |ଏହା ଭିତରେ ମଣିଷର ଚାଲି ଚଳନ,ଭାଷା ,ଭାବ ଓ ବଂଚିବାର କୌଶଳ ସବୁ ବଦଳିଗଲାଣି | ଇତିହାସ କୁହେ ଯେ ସମୟ ସହ ତାଳ ଦେଇ ଚାଲି ପାରେନା ସେ କେବଳ ପଛରେ ରହି ଯାଏନା ବରଂ ସେ ଅନେକ ସମସ୍ୟାର ସମ୍ମୁଖୀନ ହୁଏ | ମଣିଷ ବହୁତ କିଛି ପରିଵର୍ତନକୁ ଗ୍ରହଣ କରି ଜୀବନର ତରିକୁ ଆଗେଇ ନେଇ ବାଟ ଚାଲୁଛି |କିନ୍ତୁ ଏବେବି ମଣିଷ ପାଇଁ ଅନେକ ଛୋଟ ଛୋଟ କଥା ଓ କାମ ଭାରି ଅଡୁଆ ହେଇ ତାକୁ ଏମିତି ଘାଣ୍ଟୁଛି ସିଏ ଜାଣିକି ବି ନ ଜାଣିଲା ଭଳି ରହୁଛି କି ଅଭିନୟ କରୁଛି ବୁଝା ପଡୁନି | ସଂପର୍କ ଯୋଉ ଦିନ ଠାରୁ ଯନ୍ତ୍ରରେ ବଂଧା ହେଲାଣି ସେବେ ଠାରୁ whatsapp, facebook ଓ ମୋବାଇଲ ଭିତରେ ଜୀବନର ସବୁ ଭାବ ଦିଆ ନିଆ ଚାଲିଛି | ଅହରହ ମୋବାଇଲ ଭିତରେ ଜଣା ,ଅଜଣା ସମ୍ପର୍କ ସହ ଭାବ ଯୋଡ଼ିବାରେ ଆମେ ଯେତେ ଆଗୁଆ ,ଆମ ପାଖରେ ଥିବା ବାପା,ମା,ଭାଇ,ଭଉଣୀ,ଜେଜେ ଓ ଜେଜେମା ସହ କଥା ହେବା ଓ ମିଶିବା ଏବେ ଆମ ପାଇଁ ଭାରି ଅଡୁଆ ହୋଇଯାଇଛି |ଏପରିକି ସ୍ଵାମୀ ,ସ୍ତ୍ରୀର ସଂପର୍କ ବି ଏବେ ଏକ ଅଡୁଆ ସ୍ଥିତି ଦେଇ ଗତି କରୁଛି |ସ୍ଵାମୀ ଓ ସ୍ତ୍ରୀ ଏବେ ପରସ୍ପର ପାଇଁ ପାଗଳ ନ ହୋଇ ମୋବାଇଲ ନ ଦେଖିଲେ ,କି ସେଥିରେ ନେଟ ପ୍ୟାକ ନଥିଲେ ବାୟା ହେଇ ଯାଉଛନ୍ତି |

ରାଜ୍ୟର ବଡ ସହରଗୁଡିକରେ ଆମେ ତ୍ରିତଳ ପ୍ରାସାଦ କରିଛେ ,ନିଜେ ଭଲରେ ରହିବା ସହ,ଟଂକା କମେଇବା ପାଇଁ ଘର ଭଡା ଦେଇଛେ | ଗୋଟେ ବିଲଡିଂରେ ଆମେ ୧୦ ପରିବାରକୁ ଭଡା ଦେଇଛେ ,କୋଟିଏ ଟଂକା ଖର୍ଚ କରି ଦାମିକା ସାମଗ୍ରୀ ସବୁ ଘରେ ଲଗେ ଇଛେ |ଭଡା ବି କଷିକି ନେଉଛେ |ଆମେ ଓ ଆମ ଭଡାଟିଆମାନେ ନିଜ ଘର ଅଳିଆ ସବୁ ରାସ୍ତା କଡ,ନଚେତ ଆମ ପ୍ଲଟ ପାଖରେ ଫାଙ୍କା ଥିବା ଜାଗାରେ ଜମା କରନ୍ତି |ନହେଲେ ସରକାରୀ ରାସ୍ତା ଉପରେ ନେଇ ଅଳିଆ ଫିଗନ୍ତି | କାଉ,କୁକୁର,ଷଣ୍ଢ ଓ ଗାଈ ସବୁ ସେ ଅଳିଆକୁ ଆଡେଇ ରାସ୍ତାକୁ ଆହୁରି ଖରାପ କରନ୍ତି |ତା ସହ ପଲିଥିନ ଜରି ଖାଇ ପଶୁମାନେ ମରନ୍ତି | ସରକାର ପଲିଥିନ ଉପରେ ରୋକ ଲଗେଇଲେ କିନ୍ତୁ ଆମେ ଆମର କୋଟିଏ ଟଂକାର ପ୍ରସାଦ ପାଖରେ ଅଳିଆ କୁଣ୍ଡ ଟିଏ କରିବାକୁ ଭାରି ଅଡୁଆ ମନେ କଲେ | ବଜ଼ାରର ଯେତେ ଦାମିକା ଗାଡି ଆମେ ଚଢ଼ୁ ,କିନ୍ତୁ ହେଲମେଟ ଟିଏ କିଣିବା ଆମ ପାଇଁ ଭାରି ଅଡୁଆ | ଆମେ ପୋଲିସର ତନଖି ବେଳେ ଜୋରିମାନା ଦେବାକୁ ଭଲ ପାଉ କିନ୍ତୁ ନିଜେ ହେଲମେଟ କରୁନା କି ଗାଡିର ଲାଇସେନ୍ସ କରିବାଟା ଆମ ପାଇଁ ଭାରି ଅଡୁଆ |ଗାଁ ଚଉପାଡ଼ି କି ପୋଖରୀ ତୁଠରେ ବସି ପର ଘର ଝିଅ ,ବୋହୁର କଥା କୁ ତାଳରୁ ତିଳ କରିବାରେ ଆମେ ପୁରା ଓସ୍ତାଦ କିନ୍ତୁ ନିଜ ଘର କଥା କିଏ ଆମକୁ ପଚାରିଲେ ଭାରି ଅଡୁଆ ଲାଗେ | ସରକାରୀ ଚାକିରୀଟିଏ ପାଇଛେ,ସରକାର ବାପୁଡ଼ା ଠାରୁ ସବୁ ସୁଖ ,ସୁବିଧା ନେବା ପାଇଁ ଆମେ ଅନେକ ସଂଘ,ସମିତି ଓ ମଂଚ ଗଢ଼ିଛେ |କେମିତି ନିଜର ହକ ହାସଲ କରାଯିବ ସେଥିପାଇଁ ଆମେ ତୁମ୍ବି ତୋଫାନ କରିବାଟା ଠିକ ଜାଣୁ କିନ୍ତୁ ନିଜ କାମର କିଏ ସମୀକ୍ଷା କି ପ୍ରଗତି ବିଷୟରେ ପଚାରିଲେ ସେଇଟା ଆମକୁ ଭାରି ଅଡୁଆ |ପର ରୋଜଗାର ଓ ପକେଟରେ କେତେ ଧନ ଅଛି ସେଇଟା ଜାଣିବାକୁ ଆମେ ଭାରି ତତ୍ପର କିନ୍ତୁ ନିଜ ରୋଜଗାର କଥା ଉଠିଲେ ଆମକୁ ଅଡୁଆ ଲାଗେ, ଆମେ ସେ ଲୋକକୁ ଯାହା ନାହିଁ ତାହା କହୁ |ସମାଜ କହେ ଝିଅକୁ ତା ବୟସ କଥା ପଚାରିବ ନାହିଁ କି ପୁଅକୁ ତା ରୋଜଗାର ପଚାରିଵ ନାହିଁ |କିନ୍ତୁ ତା ପରେବି କିଛି ଲୋକ ପରର ରୋଜଗାର ଜାଣିବାକୁ ଭାରି ସୁଖ ମଣନ୍ତି,ସେଇଟା ତାଂକୁ ଜମା ଅଡୁଆ ଲାଗେନି |

ଆମକୁ ଧାଡି ରେ ଯାଇ ଠାକୁର ଦର୍ଶନ କରିବା ଭାରି ଅଡୁଆ ଲାଗେ,କିନ୍ତୁ ପେଲା ଠେଲା ହେଇ ଦଳା ଚକଟା ହେବା ସହ ଭିଡ ଭିତରେ ଅପ୍ରୀତିକର ପରିସ୍ଥିତିର ସ|ମନ| କରିବାକୁ ଭାରି ଭଲ ଲାଗେ |ଦେଶ ବିଗିଡି ଯାଉଛି କହି ଆମେ ଯେତେବେଳେ ନିୟମ ପ୍ରଣୟନ ପାଇଁ ହୋ ହାଲା କରୁ ନିୟମ ଲାଗୁ ପରେ ଆମେ ହିଁ ନିୟମକୁ ବେଖାତିର କରୁ |ଜନଗହଳି ଭିତରେ ଧୂମପାନ କରି ଏମିତି ଧୂଆଁ ଛାଡ଼ୁଯେ ଆମ କୋଉଠି ଅଛୁ ଓ ଆମ ପାଖରେ କିଏ ଅଛି ଜଣା ପଡ଼େନି |ପଲିଥିନ ପରିବେଶ ଖରାପ କରୁଛି କହି କୁମ୍ଭୀର କାନ୍ଦଣା କାନ୍ଦୁଛେ କିନ୍ତୁ ପଲିଥିନ ରାସ୍ତାରେ ପକେଇବା,ଗୁଟଖା ଜରି,ପାଣି ବୋତଲ ଡଷ୍ଟବିନରେ ନ ପକାଇ ରାସ୍ତାରେ ପକାଇବାକୁ ଆମକୁ ଅଡୁଆ ଲାଗେନି | ସରକାରୀ ଜାଗା ମାଡି ବସି ଘର କରିଥିବା କିନ୍ତୁ ସାମୁହିକ ଡ୍ରେନ ଯିବା ପାଇଁ ଆମ ଘର ବାଟେ ଯେତେବେଳ ଯୋଜନା ହୁଏ ଆମ ଫଁ ଏମିତି ବାହାରିବ ଯେ ଯେମିତି ସର୍ବସାଧାରଣ ରାସ୍ତା ବି ଆମ ବାପାର | ପଚାଶ ଲୋକ bank କିମ୍ବା ଏ.ଟି.ଏମ ଆଗରେ ଭିଡ ଲଗେଇ ଶାନ୍ତି ଓ ଶୃଂଖଳା ସହ ନିଜ କାମ କରୁଥିବେ କିନ୍ତୁ ଆମ ଭିତରୁ କିଛି ଧାଡିକୁ ସନମାନ ନ ଦେଇ ସିଧା ଆଗକୁ ଯାଇ ନିଜ କାମ କରନ୍ତି |ସେମାନଂକୁ ପର ମଣିଷର ଧର୍ଯ୍ୟ ଭାରି ଅଡୁଆ ଲାଗେ |ଆଉ କିଏ ଯଦି କିଛି ପ୍ରତିବାଦ କଲା ,ଇଲୋ ମୋ ବୋପାଲୋ ସଂଗେ ସଂଗେ ମାଉଜ଼ର ବାହାରି ପଡେ |ଓଡିଶା ବାହାରେ ମହାରାଷ୍ଟ୍ର,ଆନ୍ଦ୍ରପ୍ରଦେଶ,କର୍ଣାଟକ ,ତାମିଲନାଡୁ,କେରଳ ,ଦିଲ୍ଲୀ ଗଲେ ଏହି ଓଡ଼ିଆ ଲୋକ ଧାଡିକୁ ମାନି ଚଳେ କିନ୍ତୁ ନିଜ ରାଜ୍ୟରେ ତାକୁ ଧାଡି ଭାରି ଅଡୁଆ ଲାଗେ | ନିଜେ ଯେତେ ସୁଖ ସୁବିଧାରେ ଥିଲେ ମଧ୍ୟ ପର ଲୋକର ସୁବିଧାକୁ ଲୁଟ କରିବାକୁ ଆମକୁ ଅଡୁଆ ଲାଗେନି ,ସେଇଟା ନ କରିପାରିଲେ ଆମେ ନିଜକୁ ବୋକା ବୋଲି ଭାବୁ |ଊଂଚ ଅଂକର ବେତନ ପାଇଁ ମଧ୍ୟ ଲାଞ୍ଚ ନ ନେଲେ ଆମ କଲମ ଚାଲେଣି |ପରକୁ ଶୋଷି ଧନ ଲୁଟିବା ପରେ ଯଦି ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଉ ତଥାପି ଆମକୁ ଅଡୁଆ ଲାଗେନି ସେଇଟା ଆମର କ୍ରେଡିଟ ବୋଲି ଭାବୁ |

ଜୀବନରେ ଗଛ ଟିଏ ଲଗେଇବାରେ କେବେ ମନ ହୁଅନା କିନ୍ତୁ ଯିଏ ଗଛ ଟିଏ ଲଗାଇ ଥାଏ ତାକୁ ଓପାଡିବାରେ ଆମକୁ ଟିକେବି ଅଡୁଆ ଲାଗେନି | ଜିନିଷ ଚୋରି କରିବା ପାପ ବୋଲି ସଭିଂକୁ କହୁ କିନ୍ତୁ ରାତି ଅଧରୁ ଉଠି ପରା ଵାରୀରୁ ଠାକୁର ପୂଜା ପାଇଁ ଫୁଲ ଚୋରି କରିବାକୁ ଜମାବି ଅଡୁଆ ଲାଗେନାହିଁ | ନିଜ ସାହି,ଗାଁ,ପଡୋଶୀର ବହୁତ ଦୁଃଖ ଓ ସମସ୍ୟା ଥିଲେ ମଧ୍ୟ ଆମେ ସେସବୁ ରେ କେବେ ମୁଣ୍ଡ ଖେଳାଉ ନାହେଁ କିନ୍ତୁ ନିଜକୁ ବଡ ସମାଜସେବୀ କହି ଫୋଟୋ ଛାପିବା ଓ ସଭା ସମିତିରେ କହିବାରେ ଟିକେବି ଅଡୁଆ ଲାଗେନା |ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୁତି କଥା ପୁରା ଆମେ ପାଞ୍ଚ ବର୍ଷ ଭିତରେ ଭୁଲି ଯାଇ ନିଜ ପାଇଁ ଆମେ ସବୁ କରିସାରିଲା ପରେ ଯେତେବେଳେ ଭୋଟର ଆମକୁ ପ୍ରଶ୍ନ କରେ ଆମକୁ ଟିକେବି ଅଡୁଆ ଲାଗେନି କିନ୍ତୁ ଦାନ୍ତ ଦେଖେଇ ଲୋକଂକୁ ଆଉ ଥରେ ଭୋଟରେ ଜିତେଇବା ପାଇଁ ନିବେଦନ କରିବାରେ ଉଣା ନଥାଏ | ସହଜ ବାଟରେ ଚାଲିବା ଏ ଦେଶରେ ଆମକୁ ଭାରି ଅଡୁଆ ଲାଗେ,ନାନା ଫନ୍ଦି ଫିକରି କରି ଦିନ କଟିବାରେ ଆମେ ଭାରି ସୁଖ ପାଉ |ଦିନ ଗଡି ଚାଲେ, ଜୀଵନର ଖାଲ ଢିପ ରାସ୍ତା ଭିତରେ ଆମେ ସବୁ ଅଡୁଆ କାମ ,ଚିନ୍ତା ,ଭାବନାରେ ଏତେ ବୁଡି ଯାଉଯେ ଜୀବନଟା ଏକ ଅଡୁଆ ସୁତା ହୋଇ ଯାଏ | ସେ ଅଡୁଆ ସୁତାକୁ ଖୋଲିଲା ବେଳକୁ ନେଡ଼ିଗୁଡ଼ କହୁଣିକି ବୋହି ଯାଏ | ଛେଳିକୁ ଯେମିତି ମାଳି ଅଡୁଆ ହୁଏ ଆମେ ଏତେ ସବୁ ଅଡୁଆ ଭିତରେ ପଶି ଯାଉଯେ ନିଜ ଜୀବନତ ଗୋଳିଆ ହୁଏ ପର ମାନେବି ଆମ ପାଇଁ ଦୁଃଖ ଭୋଗନ୍ତି |

ନବଜୀବନ ସମାଜ
ସଫା, କଟକ-୭୫୪୦୨୨, ମୋବାଇଲ ନମ୍ବର-9777766346

0 Comments