OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ପ୍ରବନ୍ଧ - ମାଗି ଓଳଗି ଯାଚି କଲ୍ୟାଣ - ସନ୍ତୋଷ କୁମାର ମହାନ୍ତି

ପ୍ରବନ୍ଧ - ମାଗି ଓଳଗି ଯାଚି କଲ୍ୟାଣ - ସନ୍ତୋଷ କୁମାର ମହାନ୍ତି



ଦୁନିଆରେ ସମସ୍ତେ ସମ୍ମାନର ସହ ବଂଚିବାକୁ ଚାହାନ୍ତି | ଗୁରୁଜନ ଓ ଲଘୁଜନମାନଙ୍କୁ କିପରି ବ୍ୟବହାର ଦେଖାଇବା ତାହା ସମାଜ ଆମକୁ ଖୁବ ଭଲ ଭାବରେ ଶିଖାଇଛି | କିନ୍ତୁ କିଏ କିପରି ଅନ୍ୟମାନଙ୍କୁ ସମ୍ମାନ ଦେବ ବା ଦେଉଛି ତାହା ତାହାର ପାରିବାରିକ ଶିକ୍ଷା , ସଂସ୍କାର ଓ ବିବେକ ଉପରେ ନିର୍ଭର କରୁଛି | ଦୁନିଆରେ ଧନ ଚାଲିଗଲେ ପୁଣି ଥରେ ଆସିପାରେ | କିନ୍ତୁ ସମ୍ମାନ ହଜେଇଦେଲେ ସହଜରେ ମିଳେନା | ସମାଜ ଆଖିରେ ସମ୍ମାନର ଯୋଗ୍ୟ ହେବା ଏତେ ସହଜ କଥା ନୁହେ | ଏଠି ସମ୍ମାନ କମେଇବାକୁ ପଡେ | ସମାଜ ନିକଟରେ ସମ୍ମାନର ପାତ୍ର ହେବାପାଇଁ ମଣିଷକୁ ଅନେକ ପରିଶ୍ରମ ଓ ତ୍ୟାଗ କରିବାକୁ ପଡିଥାଏ ଥରେ ସମାଜ ଆଖିରେ ତଳକୁ ଚାଲିଗଲେ ପୂର୍ବର ସେ ଖାତିର ଆଉ ସତ ଚେଷ୍ଟା କଲେବି ଫେରିପାରେନା | ଗୁରୁଜନ ହିସାବରେ ଆମେ ଆମ ପରିବାର ଲୋକ ,ବନ୍ଧୁବାନ୍ଧବ,ଗୁରୁ,ଗୁରୁମା ଓ ପରିଚିତ ଲୋକଙ୍କୁ ସମ୍ମାନ ଜଣାଉ | କାହାକୁ ନମସ୍କାର କରିବା କି ସମ୍ମାନ ଦେବାପାଇଁ ବାଧ୍ୟ କରି ହୁଏନି | ଯାହାଙ୍କ ପ୍ରତି ଆମର ଶ୍ରଦ୍ଧା ଓ ସମ୍ମାନ ଥାଏ ଆମ ହାତ ତାଙ୍କ ପାଖରେ ଆପେ ଯୋଡି ହେଇଯାଏ | କିଛି ବରିଷ୍ଠ ଲୋକ ସମାଜରେ ସବୁବେଳେ ସମ୍ମାନ ଆଶା କରନ୍ତି | ଆମ ସମାଜବି ବରିଷ୍ଠ ମାନଙ୍କୁ ସମ୍ମାନ ଦେବାରେ କୁଣ୍ଠା କରେନି | କିନ୍ତୁ ପରିବାର ହେଉ ବା ପଡୋଶୀରେ ଯଦି ଜଣେ ଗୁରୁଜନର ଆଚାର, ବ୍ୟବହାର ଗ୍ରହଣୀୟ ହେଉନଥିବ ତାଙ୍କୁ କିଏ ସମ୍ମାନ ଦେବ ? ଏପରିକି ଅନେକ ଗୁରୁଜନ ଥାନ୍ତି ସେମାନେ ପରିବାର ଭିତରେ ଅଶାନ୍ତି ସୃଷ୍ଟି କରୁଥାନ୍ତି | ନିଜ ଆଚାର ,ବିଚାର ଅନ୍ୟମାନଙ୍କ ଉପରେ ଲଦିବାକୁ ପସନ୍ଦ କରନ୍ତି | ସେଥିପାଇଁ ପରିବାରର ଅନେକ ଗୁରୁଜନ କନିଷ୍ଠଙ୍କ ଠାରୁ ଉଚିତ ସମ୍ମାନ ପାଉନାହାନ୍ତି | ଏବେ ଏମିତି ହେଲାଣି ଘର ଭିତରେ ସବୁ ଆପଣ| ପଣେ ଚଉଦ ପା | କେହି କାହାକୁ ଶୁଣିବାକୁ ଓ ବୁଝିବାକୁ ରାଜି ନୁହନ୍ତି | ସମୟ ଏମିତି ଆସି ପହଁଚିଲା ଯେ ବାପା ପୁଅ ମିଶି ମଦ ପାନ କରୁଛନ୍ତି | ମା ଝିଅ ମିଶି କ୍ଲବ ଯାଉଛନ୍ତି | ଦୁଇ ଭଉଣୀ ଗୋଟେ ପୁଅକୁ ପ୍ରେମ କରୁଛନ୍ତି | ଆଉ ଗାଁ ମଣ୍ଡପ,ଭାଗବତ ଟୁଙ୍ଗିରେ ବସି ବଡ ସାନ ସଵୁ ଗଂଜେଇ ଟାଣୁଛନ୍ତି |

ଆଜକୁ ୧୦ ବର୍ଷ ତଳେ ଘର କି ଗାଁରେ ବଡ ମାନଙ୍କ ପାଖରେ ଠିଆ ହେବାକୁ କୁଣ୍ଠାବୋଧ ହେଉଥିଲା | ଏବେ ସାନ ମାନଙ୍କ କଥା ,ଭାଷା ଆଉ ଆଚରଣ ଦେଖି ବଡ ମାନେ ନିଜ ସମ୍ମାନକୁ ଜଗି ରଖି ଚାଲିବାକୁ ପଡୁଛି | କଥାରେ ଅଛି ବଡକୁ ପଚାରି ସାନକୁ ବିଚାରି | କିନ୍ତୁ ଏବେ ବଡ ହେଉ କି ସାନ ହେଉ କେହି କାହାକୁ ପଚାରି ଓ ବିଚାରି କାମ କରିବାକୁ ଚାଁହୁ ନାହାନ୍ତି | ସମସ୍ତେ ନିଜ ଭିତରେ ଠିକ ଅଛନ୍ତି | ସେଥିପାଇଁ ସମାଜ,ଗାଁ,ସହର ,ପରିବାର ଓ ଅନୁଷ୍ଠାନ ଭିତରେ ନାନା ଅଶାନ୍ତି ଓ ମନୋମାଳିନ୍ୟ ବଢ଼ିବାରେ ଲାଗିଛି | ବଡମାନେ ଯାହା କରନ୍ତି ସାନମାନେ ଆଗକୁ ସେହି ପଥରେ ଯାନ୍ତି | ଦୀର୍ଘ ଦିନ ଧରି ସମାଜରେ ଚାଲୁଥିବା ନାନା ଅନୀତି ,ଦୁର୍ନୀତି ,କୁସଂସ୍କାର ପାଇଁ ଆମ ପୂର୍ବ ଓ ଏବେର ବରିଷ୍ଠ ମାନଙ୍କ ଉପରେ କନିଷ୍ଠମାନେ ଆଙ୍ଗୁଠି ଉଠାଉଛନ୍ତି | ଯାହା ଫଳରେ ଏବେର ପିଢୀଙ୍କ ପାଖରୁ ଯୋଉ ଶ୍ରଦ୍ଧା ଓ ସମ୍ମାନ ମିଳିବା କଥା ତାହା ବରିଷ୍ଠ ମାନଙ୍କୁ ମିଳିପାରୁନି | ଏହି ଦୁନିଆରେ କିଛି ଲୋକ ଅଛନ୍ତି ସବୁବେଳେ ମୁଣ୍ଡିଆ ଆଶା କରନ୍ତି | ସେମାନଙ୍କୁ କିଏ ନମସ୍କାର କରୁ ବା ନକରୁ କିନ୍ତୁ ସେମାନେ ମାଗିକି ମୁଣ୍ଡିଆ ଖାନ୍ତି ଓ ଯାଚିକି କଲ୍ୟାଣ ଦିଅନ୍ତି | ଆଉ କିଛି ଅଛନ୍ତି ସେମାନଙ୍କର ସମାଜ ପାଇଁ କିଛି ପ୍ରତିଦାନ ଥାଉ ବା ନଥାଉ କିନ୍ତୁ ସେମାନେ ସବୁବେଳେ ସମ୍ମାନ ଖୋଜି ବୁଲନ୍ତି | ସେହି ଟିକକ ନ ମିଳିଲେ ଅମୁକ ଲୋକଟା ଭଲ ନୁହେ | ଅମୁକର ପୁଅ ମୋତେ ସମ୍ମାନ ଦେଲାନି ତା ବୋପା କି ସଂସ୍କାର ଦେଇଛି କେଜାଣି ଚାରିଆଡେ କହି ବୁଲନ୍ତି | କିଛି ଧନୀ ଲୋକ ସମାଜରେ ନିଜ ଧନ ପାଇଁ ସମ୍ମାନ ଖୋଜନ୍ତି | ସେତକ ଯଦି ନ ହେଇପାରିଲା ଗାଁ ଡ୍ରାମା ,କ୍ରିକେଟ ଖେଳ, ସଭାସମିତି,ସାଂସ୍କୃତିକ ଉଛବକୁ ବିଭିନ୍ନ ବାଟରେ ଚାନ୍ଦା ଦେଇ ସମ୍ମାନ ଖୋଜନ୍ତି | ଆଉ ସଭା ସଭାସମିତିରେ ମଞ୍ଚରେ ଗୋଟେ ଆସନ ଆଶା ରଖନ୍ତି | ଧନୀ ଲୋକଟିର ଯଦି କିଛି ଗୁଣ ନରହିଲା ତାକୁ ସମାଜ କେତେ ଦିନ ସମ୍ମାନ ଦେବ | ବିଶ୍ୱରେ ଜନ୍ମିଥିବା ଅନେକ କୋଟିପତି ଲୋକଙ୍କ ନାମ ଏବେ ଜନମାନସରୁ ହଜି ଗଲାଣି | ଯୋଉ ଧନୀ କି ବିତ୍ତଶାଳି ଲୋକଟି ବୃହତ୍ତର ସମାଜର ସ୍ୱାର୍ଥ ପାଇଁ କିଛି କରି ଯାଇଥିଲା ଏବେ ସମାଜ ସେମାନଙ୍କୁ ସମ୍ମାନ ଦେଉଛି ଓ ପୂଜା କରୁଛି | ଧନର ବଳରେ ଯୋଉ ସମ୍ମାନ ବା ମୁଣ୍ଡିଆଟିଏ ମିଳେ ତାହା ବେଶୀ ଦିନ ରହିପାରେନା | କାହାକୁ ଅଯାଚିତ ଭାବେ ଧନ ଦେଇ ସମ୍ମାନ ଗୋଟା ଯାଇପାରେନା | ଏ ସମାଜରେ ଧନୀକୁ ଶୋଷିବା ଲୋକବି କିଛି କମ ନଥାନ୍ତି | ସେମାନେ ଧନୀକୁ ମୁଣ୍ଡିଆ ମାରନ୍ତି ନାହିଁ ତାର ଧନକୁ ସମ୍ମାନ ଦିଅନ୍ତି | ଆଉ ସେହି ଧନୀ ଲୋକଟି ଯୋଉଦିନ ଧନ ହରେଇ ବସେ ସମାଜର ଗହଳି ତାଙ୍କ ପାଖରେ ନ ଥାଏ | ତେଣୁ ଧନ ବଳରେ ସମ୍ମାନ କମେଇବା ଗୋଟେ ତାସର ଘର ପରି ହୋଇଥାଏ |

କିଛି ଲୋକ ନିଜ ପଦ ,ପଦବୀ ପାଇଁ ଭାରି ସମ୍ମାନ ଖୋଜନ୍ତି | ଅଧସ୍ତନଟି ଯଦି ସେମାନଙ୍କୁ ଠିକରେ ସମ୍ମାନ ନ ଦେଲା ପାନରୁ ଚୂନ ଖସି ପଡେ | ତେଣୁ ସେମାନେ ଚାକିରୀରେ ଥିବା ବେଳେ ଓ ଚାକିରିରୁ ଯିବା ପରେ ନିଜ ପଦବୀ ପାଇଁ ଭାରି ସମ୍ମାନ ଲୋଡ଼ନ୍ତି | ଯଦି ଊଂଚ ପଦସ୍ଥ ଅଧିକାରୀ ଜଣଙ୍କ କାମ କରୁଥିବା ଅନୁଷ୍ଠାନରେ ନିଜ ପଦର ମର୍ଯ୍ୟାଦା ରଖିଥାନ୍ତି, ସେ ଅଧସ୍ତନ କର୍ମଚାରୀ ଓ ଜନସାଧାରଣଙ୍କ ପାଇଁ ଉପଯୁକ୍ତ ଶ୍ରଦ୍ଧା ରଖିଥାନ୍ତି ତେବେ ସେ କାମ କରୁଥିବା ଓ କାମରୁ ଚାଲିଯିବା ପରେ ସବୁବେଳେ ସମସ୍ତଙ୍କ ହୃଦୟରେ ରହିଥାନ୍ତି | ଆଉ ଯୋଉ ଅଧିକାରୀମାନେ ନିଜ ଚାକିରୀରୁ ଅବସର ପରେ ସମାଜ,ନିଜ ଗାଁ ,ସହର ଓ ପଡୋଶୀ ମାନଙ୍କ ଠାରୁ ଉପଯୁକ୍ତ ସମ୍ମାନ ପାଉ ନାହାନ୍ତି ,ତାହା ସେମାନେ ନିଜକୁ ପଚାରିବା ଦରକାର | ଥରେ ଜଣେ ଡାକ୍ତର ବାବୁଙ୍କୁ ରୋଗୀଟିଏ ଭାଇ ବୋଲି ସମ୍ବୋଧନ କରିଦେଲା | ଡାକ୍ତର ବାବୁଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଗଲା | ଆମର ସାର ଶବ୍ଦଟା ଶୁଣିବାରେ ଏତେ ଲାଳସା ଯେ ,ଆମକୁ କେହି ସାର ନ ଡାକିଲେ ଆମ ସମ୍ମାନ ହାନି ହେଇଗଲା ଭଳି ଲାଗେ | ଜଣେ ଅବସର ନେଇଥିବା ସରକାରୀ କର୍ମଚାରୀ ଆମ ପାଖ ଗାଁକୁ ଆସିଲେ | ସେଠି ରହି ହୋମିଓପାଥିକ ସେବା କେନ୍ଦ୍ରଟିଏ ଖୋଲିଲେ | ଆଉ ଲୋକମାନଙ୍କୁ ମାଗଣାରେ ସେବା ଦେବା କଥା କହିଲେ | ଗାଁରେ ସେହି ବାବୁଙ୍କ ସମ୍ମାନ ଭାରି ବଢିଗଲା | ଆଖ ପାଖ ଗାଁ ଲୋକମାନେ ସେ ବାବୁଙ୍କ ନିସ୍ଵାର୍ଥପର ସେବା କଥା ଶୁଣି ଖୁସି ହେଲେ | ୮ ଦିନ ବିତିଗଲା | ମାଗଣା ସେବା ଚାଲିଲା | କିନ୍ତୁ ୯ ଦିନ ବେଳକୁ ସିଏ ଲୋକଙ୍କୁ ଔଷଧ ଦେଇ ଟଙ୍କା ମାଗିବାକୁ ଆରମ୍ଭ କଲେ | ରୋଗୀଙ୍କ ଆସିବା ତା ପରଦିନ ଠାରୁ କମିଗଲା | ସେହି ଗାଁର ଲୋକମାନେ ଡାକ୍ତର ବାବୁଙ୍କୁ ସାର ନଡାକି ମଉସା ଡାକିଦେବାରୁ ସେ ବାବୁଙ୍କୁ ଭାରି ଖରାପ ଲାଗିଲା | ସେ ନିଜ ସେବା କେନ୍ଦ୍ର ବନ୍ଦ କରି ଗାଁରୁ ସବୁଦିନ ପାଇଁ ଚାଲିଗଲେ | ସିଏ ଚାଲିଗଲା ପରେ ସେହି ବାବୁଙ୍କୁ ଗାଁ ଲୋକମାନେ କଣ କହିଥିବେ ସେଇଟା ଆପଣଙ୍କ ଭଳି ବିଚାରବନ୍ତ ପାଠକ ମାନେ ଠିକ ବୁଝି ପାରୁଥିବେ |

ଆମ ଦେଶରେ ପ୍ରତିଭାର ଅଭାବ ନାହିଁ | ଅନେକ ପ୍ରତିଭାମାନେ ବହୁ ଘାତ,ପ୍ରତିଘାତ ଭିତରେ ନିଜର ଈଶ୍ୱର ଦତ୍ତ କଳାକୁ ନେଇ ସମାଜରେ ନିଜ ପାଇଁ ଏକ ପରିଚୟ ତିଆରି କରିଥାନ୍ତି | ଜଣେ ପ୍ରତିଭା ସମ୍ପର୍ଣ ଲୋକଟିଏ ନିଜ କ୍ଷେତ୍ରରେ ବହୁତ ଶିଖରକୁ ଉଠିଯିବା ପରେ ସମାଜରେ ତାର ଏକ ସ୍ୱତନ୍ତ୍ର ପରିଚୟ ଓ ସମ୍ମାନ ଆସିଯାଇଥାଏ | କିନ୍ତୁ ସେ ଲୋକଟି ଯଦି ଗର୍ବୀ ଓ ଅହଙ୍କାରୀ ହେବ ସମାଜରେ କଣ ସିଏ ଗ୍ରହଣୀୟ ହୋଇପାରିବ କି ? ପ୍ରତିଭାରେ ଭରା ଲୋକଟିଏ ଯେତେ ବଡ ତାରକା ହେଇଥାଉ ନା କାହିଁକି ତାର ଯଦି ଚରିତ୍ର ଠିକ ନରହିଲା ତେବେ ତାର ସମ୍ମାନ ହାଟରେ ପଡି ଦାଣ୍ଡରେ ଗଡୁଥିବ | ଏବେ ନିକଟ ଅତୀତରେ ଆମେ ଦେଶରେ ଖୁବ ଚର୍ଚ୍ଚାକୁ ଆସିଥିବା "ମି ଠୁ #" କେତେ ଲୋକଙ୍କ ସମ୍ମାନକୁ ଧୂଳିରେ ମିଶେଲଲା ତାହା ନ କହିବା ଭଲ |

ଏବେ ଆମ ଦେଶର ଗାଁ ଓ ସହରରେ ସମ୍ମାନ ସବୁ ବିକ୍ରି ହେଉଛି | ଆପଣଙ୍କ ପାଖରେ ଯଦି ଅର୍ଥ ଅଛି ତେବେ ଆପଣ ଜଡିତ ଥିବା କ୍ଷେତ୍ର ପାଇଁ ସମ୍ମାନ ଯୋଗାଡ କରିପାରିବେ | ଅନେକ ଗୁଡିଏ ଅନୁଷ୍ଠାନ ଏବେ ଭିତିରିଆ ଅର୍ଥ ନେଇ ସମ୍ମାନ ବାଣ୍ଟିବାରେ ଭାରି ଆଗୁଆ | ଆଉ କିଛି ବିକିଳିଆ ପ୍ରତିଭା ଅର୍ଥ ଦେଇ ସମ୍ମାନିତ ହେବାକୁ ଫୁଲ ଦମରେ ଲାଗିପଡ଼ିଛନ୍ତି | କବିବର,ପଦ୍ମ,ରତ୍ନ ଆଦି ବିଶେଷଣ ଲାଗିକି ସମ୍ମାନ ସବୁ ବଣ୍ଟା ଗଲାଣି | କିନ୍ତୁ ଯୋଉମାନେ କଳା,ସାହିତ୍ୟ,ସଂସ୍କୃତି ,କ୍ରୀଡା,ଅଭିନୟ ,ଶିକ୍ଷା ,ପରିବେଶ ଆଦି କ୍ଷେତ୍ରରେ ପ୍ରଚାର ପ୍ରସାର ଠାରୁ ଦୂରରେ ରହି ଭଲ କାମ କରୁଛନ୍ତି ସେମାନେ ସମ୍ମାନିତ ହେଇ ପାରୁନାହାନ୍ତି | ଅର୍ଦ୍ଧାଧିକ ଅନୁଷ୍ଠାନ ଅର୍ଥ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସମ୍ମାନ ବାଣ୍ଟୁ ଥିବାରୁ ସମ୍ମାନର ବି ଆଉ ମାନ ରହୁନାହିଁ | କିନ୍ତୁ ତାରି ଭିତରେ ବି ଆମ ଦେଶରେ କିଛି ଅନୁଷ୍ଠାନ ଅଛନ୍ତି ଯୋଗ୍ୟ ଲୋକକୁ ସମ୍ମାନିତ କରି ମହିମାମଣ୍ଡିତ ହେଉଛନ୍ତି | ଆଉ କିଛି ଲୋକ ଏଠି ସାଧନା ନଥାଇ ସମ୍ମାନ ଗୋଟେଇବାରେ ବ୍ୟସ୍ତ | ୧୦ ଟି କବିତା ଲେଖି ଏଠି କିଛି ଲେଖକ ,ଲେଖିକା ଯୋଗାଡ଼ିଆ କରି ସାହିତ୍ୟରେ ବଡ ଉପାଧି ପାଇଗଲେଣି | ଆଉ କିଛି ଜୀବନରେ ୨ ଗଛ ଲଗେଇ ସରକାରୀ ଓ ବେସରକାରୀ କ୍ଷେତ୍ରରେ ପରିବେଶ ପାଇଁ ଅନେକ ସମ୍ମାନ ସାଉଁଟିସାରିଲେଣି | କିନ୍ତୁ ସେମାନେ ବୁଝିବା ଦରକାର ବିନା ପରଶ୍ରମ,ତ୍ୟାଗ ଓ ସାଧନାରେ ଯୋଗାଡ଼ିଆ ମାନପତ୍ର ଓ ଫଳକ ବେଶୀ ଦିନ ଯାଏ କାହାର ସମ୍ମାନ ବଢ଼େଇ ପାରେନା | ଯଦି ସାଧନାରେ ପ୍ରକୃତ ଆନ୍ତରିକତା ଥାଏ ମରଣ ପରେ ବି ଏଠି ସମାଜ ପୂଜା କରୁଥାଏ | ଆପଣ କହିବେ ମରିଗଲା ପରେ ଫୁଲ ମାଳ ପାଇଲେ କିଏ ଲାଭ | ଆମ ଦେଶ ତ ସେଇ ଭଳିଆ ଏଠି ବଂଚି ଥିବା ଭିତରେ ଆପଣଙ୍କ ପ୍ରତିଭା ପାଇଁ ଆପଣଙ୍କୁ ଯେତେ ସମ୍ମାନ ମିଳେ ନାହିଁ ମଲାପରେ ଆପଣଙ୍କ ଜୟନ୍ତୀ,ଶ୍ରାଦ୍ଧବାର୍ଷିକ ପାଳନ ହୁଏ ଓ ଆପଣଙ୍କ ନାମରେ ସମ୍ମାନ ଦିଆଯାଏ | ଆମକୁ କିଏ ଆଗରେ ସମ୍ମାନ ଦେଇ ପଛରେ ଆମ ଚଉଦ ପୁରୁଷ ଉଦ୍ଧାର ନ କରୁ | ଏଇ କଥା ଆମର କେବବି ପସନ୍ଦ ନୁହେ କିଛି ଲୋକ ଅଛନ୍ତି ଯୋଉମାନେ ଆମକୁ ଆମ ପଦବୀ,ଧନ ଓ କ୍ଷମତାକୁ ଦେଖି ଓଳିଗି ହୁଅନ୍ତି | କିନ୍ତୁ ଆମ ପଛରେ ଆମକୁ କାନ ଶୁଣିବା ଭଳି ଗାଳି ଦିଅନ୍ତି | ତେଣୁ ଏଭଳି ସମ୍ମାନ ପାଉଥିବା ଲୋକମାନେ ନିଜକୁ ଟିକେ ସମୀକ୍ଷା କରିବା ଦରକାର | ଆମେ କାହାକୁ ସମ୍ମାନ ଦେଖେଇବା କି ନ ଦେଖେଇବା ସେଇଟା ଆମର ନିଜର ଅତି ଆପଣାର କଥା କିନ୍ତୁ କାହାକୁ ବିନା କାରଣରେ ଅସଂମ୍ମାନ କରିବାକୁ କେବେବି ଠିକ କୁହା ଯାଇପାରିବ ନାହିଁ |

ନବଜୀବନ ସମାଜ, ସଫା,କଟକ
ଦୂରଭାଷ-୯୭୭୭୭୬୬୩୪୬

0 Comments