ମୋ ଗାଆଁ ପୋଖରୀ ଓ ପିଲାଦିନ - ହାସ୍ୟମୟୀ ରାଜ୍

ମୋ ଗାଆଁ ପୋଖରୀ ଓ ପିଲାଦିନ - ହାସ୍ୟମୟୀ ରାଜ୍



ମନେପଡେ ପିଲାଦିନ
ଆମ ଗାଁ ପୋଖରୀର ତୁଠ
ତା'ର ମାଙ୍କଡ଼ା ପାଉଛ
ସେପଟେ ତାଳ ଆଉ ଖଜୁରୀର ଗପ
ଏପଟେ କନିଅର, କୃଷ୍ଣଚୂଡ଼ାର ଭୂବନ ମୋହନ ରୂପ,
ପୁଣି ଆକାଶକୁ ଚାହିଁଥାଏ ଆକାଶୀ
ଝାଉଁ ଗଛଟା ସୁ ସୁ ଶବ୍ଦରେ ଗୀତ ଗାଉଥାଏ ହସି ।
ପାଖରେ ବର ଆଉ ଅଶ୍ୱତ୍ଥର ମିଳନ
ଫଡ୍ ଫାଡ୍, କିଚିରି ମିଚିରି ଶବ୍ଦରେ
ଚଢେଇ ଓ ଚେମିଣିଆଙ୍କ ଉଡାଣ ।
ମୁଁ ସକାଳୁ ସକାଳୁ ବସିବାକୁ ଭଲପାଏ
ମୋର ଅତି ପ୍ରିୟ ତାର ସବା ଉପର ପାବଛ,
ସେଠାରୁ ସ୍ପଷ୍ଟ ଦେଖାଯାଏ ସୂର୍ଯ୍ୟୋଦୟ
ଫର୍ଚ୍ଚା ହୋଇଉଠେ ପୂର୍ବାକାଶ,
ତା'ର ସ୍ନିଗ୍ଧ ସୁନ୍ଦର ଜଳରାଶି
ଛୁଇଁଦେଇ ଯାଏ ସୂରୁଯର ସୁନେଲି କିରଣ,
ଚିକ୍ ମିକ୍ କରୁଥାଏ ତା ଦେହରେ ଉର୍ମିର ପାର୍ବଣ,
ଆଃ କି ମନୋହର !
ମନ୍ତ୍ରମୁଗ୍ଧ କରୁଥାଏ ମୋତେ ପ୍ରକୃତିର ମନ୍ଦ ସମୀରଣ ।
ଚାରିପଟେ ବୁଲିଆସେ ଟିକେ
ନେବାକୁ ମୋ ପ୍ରିୟ ସାଥୀ
ଚିଙ୍ଗୁଡି କଇଁଛ ଓ କଙ୍କଡ଼ାଙ୍କ ଖବର,
ସେମାନଙ୍କର ଯେ ମୁଁ ଚିହ୍ନା ମୁଁହ
ନିର୍ଭୟରେ କରୁଥାନ୍ତି ବିଚରଣ ।
ହାତରେ ପାଛୋଟି ଆଣେ କେବେ କେବେ ଚିଙ୍ଗୁଡିଟିଏ
ଦେଖୁଥାଏ ତାର ଶାନ୍ତ, ସୁନ୍ଦର ଅପରୂପ ସୌନ୍ଦର୍ଯ୍ୟ
କହେ ତାକୁ ଡରିବୁନି ବନ୍ଧୁ
ମୁଁ ତତେ କେବେବି ନେବିବିରେ କରିବାକୁ ଉଦରସ୍ଥ
ଫକ୍ କିନା ଡେଇଁ ପଡେ ଉତ୍ଫୁଲ ପଣରେ
ହାତରୁ ଯେ ମୋର
ସତେ ତାର କେତେ ଲାଜ !
ଏ ତ ଥିଲା ମୋର ସବୁଦିନ ସକାଳର ସାଜ ।
ସବୁଠୁ ନିଆରା ଥିଲା, ଖରାଦିନ ଗାଧୁଆର ମଜା
ଏକମୁହାଁ ଦୌଡୁଥିଲୁ ସକାଳୁଆ ସ୍କୁଲ୍ ଛୁଟି ପରେ,
କିଏ ସେ ଆଗ ଛୁଇଁବ ଦିପଦାଣ୍ଡି ଏଇ ବିରତ୍ବ ପଣରେ,
ଆମେ ସବୁ ଧୁରନ୍ଧର ଥିଲୁ ଖୁବ୍ ପହଁରାରେ ।
ଆଜିର ପିଲାଏ କେଉଁଠୁ ପାଇବେ ସେ ଜୀବନ୍ତ ଅନୂଭବ,
ବିଷାଦରେ ପ୍ରାଣପକ୍ଷୀ ବିକଳରେ ଝୁରେ ।
ମନ କହେ ଫେରି ଆସନ୍ତାକି ସେଇ ପିଲାଦିନ
ହେଲେ ଶୂନ୍ଯରେ ମିଳେଇଯାଏ ସେ ହଜିଲା ସପନ ।
ଏବେ ଦେଖେ, ଗାଁ ପୋଖରୀଟା ନିହାତି ନିର୍ଜିବ
ଚାରିପଟେ ତାରବାଡ ମାଛର ନିଲାମ୍,
ଭାବେ ଏବେ କେମିତି
ପ୍ରକୃତିଠୁ ଦୂରେଇ ଯାଉଛି ଅବିବେକୀ ମଣିଷ,
ପୋଖରୀକୁ ଚାହେଁ, ଝରିପଡେ ଆଖିରୁ ଦୁଇଟୋପା ଲୁହ ।
ସେ ତାର ନିଶବ୍ଦ ଭାଷାରେ, ସତେ ଯେମିତି କହୁଥାଏ
ମୁଁ ହୋଇଯାଇଛି ନିହାତି ଅସ୍ପୃଶ୍ୟ
ମୋ ଚାରିପଟେ ହଳାହଳ କୋହ,
ନିରବରେ ଡାକୁଥାଏ ମୋତେ
ଆ ମୋର ପ୍ରିୟ ବନ୍ଧୁ
ଛୁଇଁଦେଇ ଯାଆ, ପାଇଯାଏ ପ୍ରାଣ,
ଆଉ କେବେ ଆସିବୁକି କହ ??
 
Writer's Details: ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି. କେନ୍ଦୁଝର ।
Content Category:
Submission Date: May 20, 2019

0 Comments