କ୍ଷୁଦ୍ରଗଳ୍ପ - ମଲା ନଈର ସୂଅ - ପ୍ରମୋଦ କୁମାର ପଣ୍ଡା

କ୍ଷୁଦ୍ରଗଳ୍ପ - ମଲା ନଈର ସୂଅ - ପ୍ରମୋଦ କୁମାର ପଣ୍ଡା

ପୁରୀ ମୁଗେଇ ଗାମୁଛାଟା ପୁରା ପୁରୀ ଷ୍ଟାଇଲ୍ ରେ ପିନ୍ଧାଯାଇଛି | ସେଇ ଗୋଟିକ ପିନ୍ଧା ଛଡା ଦେହରେ ଆଉ ବସ୍ତ୍ର ନାହିଁ | ହଁ କାନ୍ଧରେ ପଇତାଟା ଅଛି ଆଉ ବେକରେ ଆଙ୍ଗୁଠି ମୋଟା ଗୋଟେ ସୁନା ଚେନ୍ ଓ ଡାହାଣ ହାତରେ ଚାରିଟା ସୁନାମୁଦି | ସଦ୍ୟ ଖିଅର ହୋଇଥିବା ସଂପୂର୍ଣ ଲଣ୍ଡା ମୁଣ୍ଡରେ ଚଇତନ | ମସ୍ତକରେ ଗୋରଚନା ଚିତା ଓ ହାତରେ ମୋବାଇଲ୍ ଧରି ଦାଣ୍ଡରେ ଖାଲି ଏପଟ ସେପଟ ହେଉଥିଲେ ପଚାଶ ପଞ୍ଚାବନ ବର୍ଷୀୟ ସନେଇ ପଣ୍ଡା | ସେତେବେଳକୁ ସନ୍ଧ୍ୟା ଗଡିଗଲାଣି କେତେବେଳୁ | ଏକାଦଶାହ ଭୋଜି ଖାଇବାକୁ ଆସିଥିବା ନିମନ୍ତ୍ରିତ ବ୍ରାହ୍ମଣମାନେ ପିଣ୍ଡା ମାନଙ୍କରେ ବସି ଅଧୈର୍ଯ୍ୟ ହେଲେଣି | ସେମାନଙ୍କୁ ନିମନ୍ତ୍ରଣ କରିଥିବା ସନେଇ ପଣ୍ଡାଙ୍କ ପୁରୋହିତ ନିଧି ତିଆଡିଙ୍କ ଉପରେ ସମସ୍ତେ ଖପା | ସେମାନଙ୍କ ଭିତରୁ ଜଣେ କହିଲେ, " ଭଲ ଯଯମାନ କରିଛ ନିଧିଆନା | ଶ.....ଆସିକି ରାତି ପହରେ ହେଲାଣି | କଣ ରାତି ଅଧକୁ ଶୁଦ୍ଧଘର ଭୋଜି ଖାଇବୁ | କଣ ପୁରୀଟା ଲମ୍ବିଗଲା କଲିକତାକୁ ? ଭଣା....ଭଲ ହାରକିନ୍ ଦେଖଉଛ ଆମକୁ |"

ଏକଥା ଦାଣ୍ଡରେ ଟହଲୁଥିବା ସନେଇ ପଣ୍ଡାଙ୍କ  କାନରେ ଯେ ବାଜିନି ସେକଥା ନୁହେଁ | ହଠାତ୍ ମୋବାଇଲ୍ ଟାକୁ କାନରେ ଲଗାଇ ଚିତ୍କାର କରଉଠିଲେ, " ଆଉ କେତେ ସମୟ ଲାଗିବ ? ଭଣା !ମତେ ତ ତୁ ପାଠ ପଢେଇବୁ | ପୁରୀରେ ରହି ରହି ମୋ ବାଳ ପାଚିଲା ମୁଁ କଣ ଜାଣିନି ପୁରୀଟା ଏଠୁ କେତେବାଟ ? ପାଲେଇପୋ ! ମତେ ବେଇଜ୍ଜତ କରିବୁ ଗାଁରେ | ବେହିପୋ ! ଫୋନ୍ ରଖ୍, ଭଲ ଗତି ଅଛିତ ଶୀଘ୍ର ପହଞ୍ଚେ | "

ସନେଇ ପଣ୍ଡାଙ୍କର ମା ବୁଢୀ ମରିଯିବାର ଆଜିକୁ ଏଗାର ଦିନ | ଏକାଦଶାହ ଦିନ  ପୁରୀରୁ ମହାପ୍ରସାଦ ଆଣି ବ୍ରାହ୍ମଣ ଭୋଜନ ତଥା ସାଇ ଭାଇଙ୍କୁ କୁଆଡେ ଭୁରି ଭୋଜନ ଦେବେ ବୋଲି କୁହାଳିଆ ସନେଇ ପଣ୍ଡା କହିଦେଇଛନ୍ତି  | ଖାଲି ସେତିକି ନୁହେଁ, ତା ସାଥୀରେ ଯୋଡି ଦେଇଛନ୍ତି ଆଉ ଗୋଟିଏ ପଦ, " ପେଲେଇପୋଙ୍କୁ ଖୀରାରେ ଭସେଇଦେବି , କଣ ବୋଲି ପାଇଛନ୍ତି କି ମୋତେ ?" ଏକଥା ଶୁଣି ଗୋଟେ ବଗୁଲିଆ ଟୋକା କୁଆଡେ କହୁ କହୁ କହିଦେଲା, ହେଃ ଶୁଦୁ ଟାଉଟରୀ, ପୁରୀ କୋଉଠି ଆଉ ଗାଁ କୋଉଠି,ଅବଢା ଭୋଜି ତା ସହିତ ପୁଣି ଖୀରା....ହା ହା...ଖୀରାରେ କେତେ ଖର୍ଚ୍ଚ | ସେଥିପାଇଁ ଛେନାର ରସମଲେଇ ଦରକାର, ତାହା ପୁରୀରେ ତିଆରିହୁଏ | ଅସରପା ଗୋଟେ ଚଢେଇ ଆଉ ସନେଇ ପଣ୍ଡା ଗୋଟେ ଲୋକ | ସେ ପୁରୀରେ ରହିଯାଇଛି ବୋଲି ନା କଣ | ପେଟ ବିକଳରେ ମାଧିଆ ଯୋଗୀ , ସବୁ କୁକୁର ଯଦି ବାରାଣସି ଯିବେ ତେବେ ଅଇଁଠା ପତର ଚାଟିବ କିଏ ?"
       
କଥାଟା ଯେତେବେଳେ ସନେଇ ପଣ୍ଡାଙ୍କ କାନରେ ବାଜିଲା ସେ ଖାଲି ନାଗ ସାପ ପରି ଫଁ ଫଁ ହେଲେ | ଶୁଣିବା ଲୋକକୁ କହିଲେ, "ମୁଁ କଣ ତା  ଭଳି ମୂଲିଆ ଘରର ଲୋକ ନା କଣ ? ହଉ ଦେଖିବା ରେ ପୁଅ | ପେଲେଇପୋର ତ ବଡ ବହପ |" ରାତି ସେତେବେଳକୁ ନଅଟା ବାଜିବ ହଠାତ୍ ମୋବାଇଲ୍ ଟା କାନରେ ଲଗାଇ ଚିତ୍କାରକଲେ ସନେଇ ପଣ୍ଡା, " ଆସିଗଲା ! ହଉ ବାରି ପଟେ ଗାଡିଟା ପୁରେଇ ଦେ ସେଠି ଆମ ଲୋକ ଅଛନ୍ତି | ହଁ ଶୁଣ୍, କୋଡୁଆ ଗୁଡା ଭାଙ୍ଗିକରି ସବୁ ବାଲ୍ଟିରେ ଭରିକରିଦେ | ମୁଁ ଯାଉଛି ସେଠିକି |" ତାପରେ ପିଣ୍ଡାରେ ଅପେକ୍ଷାରତ ବିରକ୍ତ ବ୍ରାହ୍ମଣମାନଙ୍କୁ କହିଲେ, ଆପଣ ମାନେ ବସିପଡନ୍ତୁ | ଏଇ ପାଞ୍ଚ ମିନିଟ୍ ଭିତରେ ଲାଗିଯିବ ଅବଢା | ପୁରୀରୁ ଅବଢା ଆଣିବା କଣ ସହଜ କଥା ? ଖାଲି ମୁଁ ବୋଲି ସାହାସକଲି | ଗାଡି ଘୋଡା କଥା , ବାଟରେ ଚକା ପମ୍ପଚର ହେଇଗଲା | ହଉ ଆସନ ଉପରେ ବସିପଡନ୍ତୁ | ଆପଣଙ୍କ ପରେ ପୁଣି ସାଇ ଭାଇ ଖାଇବେ |" ଏକଥା କହି ଜୋର୍ ଜୋର୍ ରେ ପାଦ ପକାଇ ଘର ଭିତରକୁ ଚାଲିଗଲେ ସନେଇ ପଣ୍ଡା |
       
ଭୋଜି ଚାଲିଲା | କିଏ ଜଣେ କହିବାର ଶୁଣାଗଲା, " ଇୟେ ତ ଅବଢା ଭଳି ଲାଗୁନି | ମହାପ୍ରସାଦର ବାସ୍ନା ତା ସ୍ୱାଦ କାଇଁ ?" ଆଉ ଜଣେ ଚିତ୍କାରକରି କହିଲେ, ହଇଓ ଇୟେ ତ ମହାପ୍ରସାଦ ଭଳି ଲାଗୁନି | ତମ ଖୀରା କାଇଁ ? କଣ, ଖୀରା ବଦଳରେ ଖୀରି ?"  କିଛି ନଶୁଣିଲା ପରି ସନେଇ ପଣ୍ଡା ଘର ଭିତରେ ରହିଲେ | ଖିଆ ସରିଲା ପରେ ବ୍ରାହ୍ମଣ ମାନଙ୍କୁ ତାଙ୍କ ବିଦାକି ଗଣ୍ଡାକ ଧରେଇଦେଇ ସେଠୁ ଚମ୍ପଟ୍ | ସାଇ ଭୋଜି ହେଲା ଯେ ମାତ୍ର ସନେଇ ପଣ୍ଡା ସେଠି ନଥିଲେ | 
       
ସତ କେବେ ଲୁଚି ରହେନା | କଥା କଣ୍ କି, ସନେଇ ପଣ୍ଡା କିଛି ସୁଆରଙ୍କୁ ପୁରୀରୁ ଡାକି ତାଙ୍କ ବାଡିପଟେ ଅବଢା ଢାଞ୍ଚାରେ ସମସ୍ତଙ୍କ ଅଜାଣତରେ ରୋଷେଇ କରେଇଥିଲେ | ରୋଷେଇ ଡେରି ହେବାରୁ ଲୋକଙ୍କ ଆଗରେ ଫୋନ୍ ରେ ଅଭିନୟ ଚାଲିଥିଲା | ଖୀରା ପାଇଁ ଆବଶ୍ୟକ ଛେନା ଏଠି ଅଧିକ ପଇସା ତେଣୁ ତା ବଦଳରେ ଖୀରି କରିଦିଆଗଲା | କିଛିଦିନ ପର୍ଯ୍ୟନ୍ତ ଯେତେବେଳେ କେଉଁଠି ଭୋଜି ହୁଏ ବଗୁଲିଆ ଟୋକା ଗୁଡାକ ଦାନ୍ତ ଦେଖେଇ କହନ୍ତି, " ପେଲେଇପୋଙ୍କୁ ଖୀରାରେ ଭସେଇ ଦେବି ଯେ " |

ପ୍ରମୋଦ କୁମାର ପଣ୍ଡା
ବାଘମାରୀ, ଖୋର୍ଦ୍ଧା

0 Comments