ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

କ୍ଷୁଦ୍ରଗଳ୍ପ - କୁହୁକ ହାତର ସ୍ପର୍ଶ - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - କୁହୁକ ହାତର ସ୍ପର୍ଶ - ନାରାୟଣ ଚନ୍ଦ୍ର ସେନାପତି

ସ୍ୱାମୀ ନିଗମାନନ୍ଦ ସରସ୍ବତୀଙ୍କ ଆଶ୍ରମରେ କାହ୍ନୁ ବାବୁଙ୍କ ମନଟା ଆଜି କାହିଁ ଆନ୍ଦୋଳିତ ହେଉଛି।ଏଇ କେତେଦିନ ହେବ ଅସୁସ୍ଥତା ତାଙ୍କ ସହ ଗୋଟେ ଧର୍ମ ସମ୍ପର୍କ ଯେମିତି ଯୋଡ଼ିଛି।ଟିକିଏ ଯନ୍ତ୍ରଣା ହେଲେ କାହିଁକି ମନଟା ଆପେ ଆପେ ଖୋଜୁଛି ସେଇ ଜନ୍ମକଲା ମାଆର କୁହୁକ ହାତର ସ୍ପର୍ଶ।ଆଉ ଛୋଟ ଥିବାବେଳେ ଜ୍ଜ୍ଵରରେ କମ୍ପୁଥିଲେ ସେ କାଖକରି କେତେ କଣ କହି କେମିତି ଶୁଖାଉଥିଲା ତା ଆଖିର ବୁନ୍ଦା ବୁନ୍ଦା ଅଶ୍ରୁ।ବହୁଦିନରୁ ପ୍ରୀତିବୋଳା ଗଣ୍ଠିଲିରେ ସାଇତା ସେ ଅମୁଲ୍ୟ ଚିଜଟାକୁ ଖୋଲି ଦେଖୁ ଦେଖୁ ତାଙ୍କ ହୃଦୟର ତନ୍ତ୍ରୀ ସବୁ ବିଦାରି ହୋଇଗଲା।ଜିନିଷଟି ଥିଲା ତାଙ୍କ ବାତ୍ସଲ୍ୟମୟୀ ମାଆର କାଖରେ ବୃନ୍ତ ଲଗା ସଜ ଗୋଲାପ ପରି ତାଙ୍କ ଛୋଟ ଦିନର ଫଟୋଚିତ୍ର ଟିଏ।ବାରମ୍ବାର ଫଟୋର ସବୁ ଦିଗକୁ ଟିକ୍ ନିକ୍ ଦେଖୁ ଦେଖୁ ଆଗ୍ରହ ଓ ଉତ୍କଣ୍ଠାର ଚାବିକାଠିଟା ଅମୃତମୟ ସ୍ମୃତି ଇତିହାସକୁ ଖୋଲି ଆତ୍ମାରେ ପଢିବାପାଇଁ ଯେମିତି ଅନୁରୋଧ କରୁଥିଲା।

ବାପା କୁଞ୍ଜବିହାରୀ ଥିଲେ ଜଣେ ଏକନିଷ୍ଠ ସାଧକ।ମାଆ ସୁରମା ଦେବୀ ଜଣେ ସରଳା ଧର୍ମପ୍ରାଣା ମହିଳା।ହସଖୁସିର ସଂସାର ଭିତରେ ଜୀବନର ନାଆ ମହାନନ୍ଦରେ ଦୋହଉଲୁଥିବା ବେଳେ ନିଃସନ୍ତାନ ଦୁଃଖଟା ସବୁ ସୁଖକୁ ଚକ୍ରବୃଦ୍ଧି ଦୁଃଖ ସୁଧରେ କିଣି ତାଙ୍କୁ ଯେମିତି କ୍ରୀତଦାସ ସଜେଇଦେଲା।ପୂଜା ପାଠ,ବ୍ରତ ଉପବାସ,ମା ତାରିଣୀଙ୍କ ପାଖେ ଧାରଣାରେ ସତେ ଯେମିତି ମା' ଉପହାର ଦେଇଥିଲେ ତାଙ୍କୁ ତାଙ୍କ ଜନ୍ମଦାତ୍ରୀ ସୁରମାଦେବୀଙ୍କ କୋଳରେ।ଏକୋଇର ବଳା ବିଶିକେଶନ ଥିଲେ ସେ।ମାଆର ଗଣ୍ଠିଧନ,ହୃଦ ସ୍ପନ୍ଦନ ଥିଲେ ସେ।ସେ କାନ୍ଦୁଥିଲେ ମାଆ ଆଖିରୁ ବହୁଥିଲା ଲୋତକ,ସେ ଝୁଣ୍ଟି ପଡିଲେ ମାଆଙ୍କ ହୃତପିଣ୍ଡଟା କ୍ଷତ ବିକ୍ଷତ ହେଉଥିଲା।ସୂର୍ଯ୍ୟଙ୍କ ନିଷ୍ଠୁର କିରଣ ପଡିଲେ ମାଆର ଫୁସଫୁସରୁ ବାହାରୁଥିଲା ଉତ୍ତପ୍ତ ଘର୍ମବିନ୍ଦୁର ବାଷ୍ପ।ଆଖି ଆଗରୁ ଟିକିଏ ଦୁରେଇ ଗଲେ ସେ ହେଉଥିଲେ ପାଗଳିନୀ।ସେ ଥିଲେ ତାଙ୍କ ପାଠ୍ୟକ୍ରମର ସତେ ଅବା ବିବିଧ ବିଷୟବସ୍ତୁ।ତାଙ୍କର ହସ ଦେଖିଲେ ମଆ ଜୀବନ ସମସ୍ୟାର ଜଟିଳ ଗଣିତ ଛାଏଁ ଛାଏଁ ସମାଧାନ ହୋଇଯାଉଥିଲା।ତାଙ୍କର ଟିକିଏ ହସ,ପଦେ କଥା ଆଉ ଧାଡ଼ିଏ ପ୍ରେମବୋଳା ଡାକରେ ସତେ ଯେମିତି ସେ ହୃଦୟ କାଗଜରେ ଲେଖୁଥିଲେ ଆବିଳତାର ସାହିତ୍ୟି ଇତିହାସ।ସେ କେଉଁଠିକି ଟିକେ ଚାଲିଗଲେ ମାଆର ଅକ୍ଷାଂଶ ଓ ଦ୍ରାଘିମା ରେଖା ନିରୂପଣ ତାଙ୍କ ଅବସ୍ତଟି ଖୋଜି ବାହାର କରିଦିଏ।ମଝିରେ ମଝିରେ ମାଆର ଖଣ୍ଡି ଇଂଲିଶ ସତେ ଯେମିତି ଲାଗୁଥିଲା ତାଙ୍କ ମା ମହାରାଣୀ ଭିକ୍ଟୋରିଆଙ୍କ ସାଙ୍ଗ ଥିଲେ କି? ଖାଇବା,ପିନ୍ଧିବା, ଗାଧୋଇବା,ଖେଳିବା ଏପରିକି ସବୁ କାର୍ଯ୍ୟକଳାପରେ ସେହି ମମତାମୟୀଙ୍କ ସୂଚନା,ସାବଧାନତା ଓ ନୀତି ନିୟମ  ସୁଚାଉଥିଲା ସେହି ମା ସତରେ କଣ ଜଣେ ବୈଜ୍ଞାନିକ?ସନ୍ଧ୍ୟାରେ ବସି କାହାଣୀ କହିଲା ବେଳେ ସେ ଯେବେ କହନ୍ତି  ମାଆ, ତୁ ଏ ରାମାୟଣ ମହାଭାରତ ଲେଖିଛୁ କି?ବେଳେବେଳେ ବି ମନରେ ଉଙ୍କି ମାରେ, ତାଙ୍କ ମାଆ ଯଦି ଡାକ୍ତରାଣୀ କି ଶିକ୍ଷୟିତ୍ରୀ ହୋଇଥାନ୍ତା ତେବେ ବହୁତ ଭଲ ହୋଇଥାନ୍ତା!

ଏଇମିତି ଦିନସିନା ଗଡି ଗଲା,ତାଙ୍କର ଭଲ ପାଠ ପଢା ପିତାମାତାଙ୍କ ମନକୁ ବି କୁଂଢେମୋଟ ନ କରି ଛାଡ଼ିଲାନାହିଁ।ସବୁଠୁ ବେଶି ଖୁସି ହେଉଥିଲେ ସେ ଯେତେବେଳେ ଆଠ ବର୍ଷ ବୟସରେ ପ୍ରବଚନ ଦେଉଥିଲି।ତାଙ୍କ ବାପାଙ୍କର ଆଶା ଥିଲା ସେ ବହୁତ ପାଠ ପଢିବେ...ବଡ଼ ଚାକିରୀଟେ କରିବେ।କିନ୍ତୁ ସେ ଚାହୁଁଥିଲେ କେବଳ ବାପା ମା ନୁହଁ ଏମିତିକି କିଛି କରି ଭାରତମାତାର ଟେକ ରଖିବେ।

ପରିବର୍ତ୍ତନ ଶୀଳ ଏ ଦୁନିଆଁ।କୌଣସି ମୁହୂର୍ତ୍ତ,ପରିବେଶ ଓ ପରିସ୍ଥିତି ବଦଳାଇଦିଏ ମଣିଷର ଜୀବନର ମାର୍ଗ।ଠିକ୍ ସେଇଆ ହିଁ ହେଲା ତାଙ୍କ ସାଥିରେ ହେଲା।ଦିନେ ସେ ଦେଖିଲେ,ଜନ୍ମକଲା ମାଆ ଟିକୁ ବଢ଼ୁଆ ପୁଅ ମାଡ଼ ମାରୁଛି।ଆଃ ବିଚାରୀ ମାଆଟା କେତେ କଷ୍ଟ ସହି ଜନ୍ମକରି ବଢ଼ାଇ ଥିବ ତାକୁ!ଆଉ ଦିନେ ଦୃଷ୍ଟି ପଡିଲା,ଖଣ୍ଡିଏ ଜାଗା ପାଇଁ ଦୁଇ ଭାଇଙ୍କ ମଧରେ ରକ୍ତ ନଦୀ।ଭାବନା ଆସିଲା ଏ ଦୁହେଁ କଣ ଚିର ଅମର ରହିବେ,ନା ମଲାବେଳକୁ କିଛି ସ୍ଥାନ ସାଥିରେ ନେଇଯିବେ!ଛୋଟବେଳେ ଭାଇ ଭାଇ କି ଆନନ୍ଦରେ ଖେଳୁଥିବେ, ଛୋଟିଆ ଜିନିଷଟେ ମିଳିମିଶି ଉପଭୋଗ କରୁଥିବେ!ସେତିକି ନୁହଁ ସେଦିନ ଆଖିରେ ପଡ଼ିଲା ଛାତ୍ରଟି ପଢ଼ୁଥିବା ବେଳେ ଭୁଲ ପାଇଁ ଦେଇଥିବା ଶିକ୍ଷକଙ୍କୁ ରାଗ ରଖି ବଡ଼ ହେଲା ପରେ ବିଚ ରାସ୍ତାରେ ଅଶ୍ଳୀଳ ଗାଳିଗୁଲଜ କରି,ଧକ୍କା ମାରି ପ୍ରତିଶୋଧ ନେଉଛି।କାନ୍ଦି ପକାଇଲା ତାଙ୍କ ହୃଦୟ।ନିଜ ପରିବାରକୁ ଅବହେଳା କରି, ନିଜ ପିଲାଙ୍କ ଅଳି ଅର୍ଦ୍ଦଳୀ ଭୁଲି ଯେ ପର ଛୁଆକୁ ନିଜର ଭାବେ,ତା ଉନ୍ନତି ପାଇଁ,ସଫଳତା ପାଇଁ ସ୍ବପ୍ନ ଦେଖେ,ନିଜ ଜୀବନକୁ ଉତ୍ସର୍ଗ କରେ ତାକୁ ଏ କଣ ଗୁରୁଦକ୍ଷିଣା।ଏହିପରି ଅନେକ କଥା,ଘଟଣା ଓ ଦୁର୍ଘଟଣା ସାଇତି ହୋଇ ଚାହିଁ କାନ୍ଦୁଛି ତାଙ୍କ କାହାଣୀ ମୁଣିର ବନ୍ଦୀଶାଳରେ।ଅତ୍ୟନ୍ତ ଦୁର୍ବିସହ ଲାଗିଲା ଏ ସାଂସାରିକ ଜୀବନ।ଭାବିଲେ ଏଥିରୁ ଦୁରେଇ ରହନ୍ତି କି ? ତାଙ୍କର ଏ  ଭାବନା,ରୀତିଗତି ଦେଖି ଭୟରେ ବିବାହ କରିଦେଲେ ତାଙ୍କ ବାପମାଆ।ଶରୀରକୁ କିଏ ସିନା ବନ୍ଦୀ କରେ ହେଲେ ମନ ଓ ଅନ୍ତରାତ୍ମାକୁ?ବିଚାରୀଟା ସଂସ୍କାର ବିହୀନ ପଳାଶ ଗଛଟିଏ।ତାଙ୍କ ପବିତ୍ର ସଂସ୍କାର ପରିଧି ତାକୁ ଓ ଆମକୁ ବ୍ୟତିବ୍ୟସ୍ତ କଲା ତା ମଦ୍ୟପାନ ଓ ତାଙ୍କ ଘରଲୋକଙ୍କ  ନୀତିନିୟମରେ।ତାକୁ ଦିଆଗଲା ସମ୍ପୂର୍ଣ୍ଣ ସ୍ବାଧୀନତା,ହେଲେ ବିଶୁଦ୍ଧ ଜଳରେ କଙ୍କଡା କଣ ରହିପାରେ?ଦିନେ ସାଥୀର ବିବାହ ଉତ୍ସବରୁ ଅତ୍ୟନ୍ତ ମଦ୍ୟପାନ କରି ଭାରସାମ୍ୟ ହରାଇ ରାସ୍ତାର ଦୁର୍ଘଟଣାରେ ଆରପାରିକୁ ଚାଲିଗଲା। ଆଉ ଏକ ନୀତିଶିକ୍ଷା ବି ମିଳିଲା।ଆଦର ଯତ୍ନ,ସଂସ୍କାର ଭଲପାଇବାକୁ ବି ମଣିଷ ଗୋଇଠା ମାରିପାରେ? ଶେଷରେ ତାଙ୍କ ଅନ୍ତିମ ନିଷ୍ପତ୍ତି ହେଲା ଆଶ୍ରମକୁ ଯିବା।ସଂସାର, ମାନବ ପାଇଁ କିଛି ସେବା କରିବା ଓ ସଭିଙ୍କ ସୁଦୟା ପାଇଁ ଈଶ୍ୱରଙ୍କୁ ଡାକିବା।ଅବଶ୍ୟ ସେଦିନ ତାଙ୍କ ଗୃହ ବିଦାୟ ହୃଦୟ ବିଦାରକ ହୋଇଥିଲା, ହେଲେ ସେସବୁ ମୋହ ମାୟା ବିଷକୁ ନୀଳକଣ୍ଠ ପରି ପାନ କରି ସେଦିନୁ ଆଣିଯାଏ ସେ ଅଛନ୍ତି ଏଇ ଆଶ୍ରମର ପବିତ୍ର ପରିବେଶରେ।

ଆଜି ମନେ ପଡୁଛି, ସେଇ ମାଆର  ତା ପ୍ରତି ମମତା, ତାର ଯତ୍ନ ଓ ସୁରକ୍ଷା ପାଇଁ  ସର୍ବସ୍ୱ ଦାନ, ନିଷ୍ଠା ଆଉ ଖୁସି ସମର୍ପଣ।ଆଜି ସେ ଅସୁସ୍ଥ, ହେଲେ ମାଆ ପାଖରେ ଥିଲେ ତାର ହାତର ଛୁଆଁ ତାକୁ କରିପାରିଥାନ୍ତି ସମ୍ପୂର୍ଣ୍ଣ ଆରୋଗ୍ୟ। ଭାଵ ବିହ୍ଵଳ ହୋଇ କାହ୍ନୁ ବାବା କହୁଥାନ୍ତି,ହୋଇ ଯାଆନ୍ତିକି ପୁଣି କୁନି ଛୁଆଟେ।ଅସୁସ୍ଥ ହେଲେ ହୁଅନ୍ତି ମୋ ମାଆ କାଖରେ କାଖ।ମାଆ ବୋଧ କରି କୁହନ୍ତା, କାନ୍ଦେନାରେ ଧନ...ତୋର କିଛି ହୋଇନାହିଁ। ଏତିକି କହିବା ମାତ୍ରେ କାହ୍ନୁବାବାର ଆଖିରୁ ବୋହିଯାଇଥିଲା ଦିଟୋପା ଲୁହ।ନିଜ ନାଲି ଗାମୁଛାରେ ପୋଛି ଜୟଗୁରୁ କହି ଚାଲିଲେ ସିଏ ସ୍ୱାମୀ ନିଗମାନନ୍ଦଙ୍କ ଆଶ୍ରମ ସ୍ଥଳୀକୁ ଯେଉଁ ଆସ୍ଥାନକୁ ସେ ଆଦରି ନେଇଛନ୍ତି, କର୍ମ,ଧର୍ମର ତପୋବନ।ଆତ୍ମା ଭିତରୁ କିଏ କହୁଥିଲା, ଭୁଲି ପାରିବୁ କିରେ ତୋ ମାଆର "କୁହୁକ ହାତର ସ୍ପର୍ଶ ???"

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର