ଶିଶୁଗଳ୍ପ - ଆପଣ ମାନେ ସବୁ ଖୁସି ତ - ସନ୍ତୋଷ କୁମାର ମହାନ୍ତି

ଶିଶୁଗଳ୍ପ - ଆପଣ ମାନେ ସବୁ ଖୁସି ତ - ସନ୍ତୋଷ କୁମାର ମହାନ୍ତି

ବାବୁନା କେବଳ ବାପାକୁ ଡରେ | ଘରେ ସିଏ କାହାକୁ ମାନେ ନାହିଁ ?ବାପା ଘରେ ନ ଥିଲେ ବାବୁନାର ଭଲ |ଇଚ୍ଛା ହେଲେ ପଢିବ ନହେଲେ ଯାଇ ଖେଳୁଥିବ | ଧକିନ, ଡୁବୁନା, ଟୁନା, ଗଣେଶ ଓ ବଳିଆ ତାର ଭାରି ସାଙ୍ଗ | ସେମାନଙ୍କ ସହ ସବୁବେଳେ ଖେଳେରେ ମାତି ଥାଏ | କିନ୍ତୁ ବାବୁନା ସ୍କୁଲ କେବେ ବନ୍ଦ କରେନାହିଁ ? ସ୍କୁଲରେ ସବୁ ଛୁଆଙ୍କ ସହ ତାର ଗଣ୍ଡଗୋଳ |ସାର ଓ ଦିଦିଙ୍କ ଠାରୁ ବହୁତ ମାଡ ଖାଏ |ଶ୍ରେଣୀରେ କାହା ଛୁଟି ଘୋଷାରିବା,କାହାର ଗୋଡ ଛନ୍ଦି ଦେଇ ତାକୁ ତଳେ ପକେଇବାର ବାବୁନାର ଭାରି ଖୁସି | ବାବୁନାକୁ ଶ୍ରେଣୀରେ କେହି ବେଶୀ ଭଲ ପାଆନ୍ତି ନାହିଁ |ମୁନା ,ବାବୁନାକୁ ବେଶୀ ଡରେ |ମୁନା ଭାରି ସରଳ ପିଲା | ସେଥିପାଇଁ ବାବୁନା ତାକୁ ବେଶୀ ଚିଡ଼ାଏ |

ଶନିବାର ଓ ରବିବାର ବାବୁନାର ମନ ଭାରି ଖୁସି | ଘରେ ଜମା ରହିବନି | ବାପା ଯଦି ଘରେ ନଥିବେ ତାର ଖୁସି ନ କହିଲେ ସରେ | ସାଙ୍ଗ ମାନଙ୍କ ସହ ଯାଇ ଦିନ ସାରା ଖେଳେରେ ମାତି ଥିବ | ସାଇକେଲ ଚଳେଇ ବୁଲୁଥିବ | ବୋଉ କି ଜେଜେ ଯିଏବି ଡାକିଲେ ସେ ଶୁଣିବ ନାହିଁ ? ଗାଁକୁ ଯଦି ମାଙ୍କଡ ଆସିଗଲା ବାବୁନାର କଚେ ପୁଅ ବାର | ଧକିନ,ଟୁନା ଓ ଗଣେଶ ସହ ମିଶି ବାବୁନା ମାଙ୍କଡ଼ ଦଳଙ୍କୁ ଗୋଡ଼େଇବାରେ ଲାଗିଥିବ |ପାଠରେ ବାବୁନାର ଜମା ମନ ନଥାଏ |ସେଥିପାଇଁ ବାପାଙ୍କ ଠାରୁ ବହୁତ ମାଡ ଖାଏ | ଗାଳି ବି ଶୁଣେ | ବାପା ,ବୋଉଙ୍କ ମାଡ ଗାଳି ତା ଉପରେ କିଛି ଫରକ ପଡେ ନାହିଁ |

ବାବୁନାକୁ ଗାଁ ସ୍କୁଲରେ ଆଉ ପଢ଼େଇବେ ନାହିଁ ବୋଲି ବାପା ,ବୋଉ କଥା ହେଉଥିଲେ | ସେମାନେ ବାବୁନା ପାଇଁ ହଷ୍ଟେଲ ସ୍କୁଲ ବୁଝିଛନ୍ତି | ସେ ସେଠି ରହି ପଢିବ |ବାବୁନାର ସପ୍ତମ ସରିଗଲା |ଆଉ ତିନ ବର୍ଷ ପରେ ସେ ମାଟ୍ରିକ ପରୀକ୍ଷା ଦେବ | ଗାଁରେ ରହିଲେ ବାବୁନା ଜମା ପଢୁନି | ଆଗକୁ ଆହୁରି ଦୁଷ୍ଟ ହେଇଯିବ | ସେଥିପାଇଁ ତାକୁ ଗାଁ ଠାରୁ ଦୂର ଶ୍ରୀକ୍ଷେତ୍ର ହଷ୍ଟେଲ ସ୍କୁଲରେ ରଖିବା ପାଇଁ ବାପା,ଜେଜେ ଓ ବୋଉ ସବୁବେଳେ କଥା ହେଉଛନ୍ତି | ବାବୁନା ସବୁ କଥା ଶୁଣେ |କାହାକୁ କିଛି କୁହେ ନାହିଁ | ବାପା ଘରେ ନ ଥିଲା ବେଳେ ବୋଉ ସହ କଜିଆ କରେ | ହଷ୍ଟେଲରେ ରହି ପଢିବ ନାହିଁ ବୋଲି କୁହେ | ହଷ୍ଟେଲ କଥା କହିଲେ ନ ଖାଇ ଜିଦ କରି ଶୁଏ |ବାବୁନା କାଲି ବାପାଙ୍କ ସହ ହଷ୍ଟେଲ ଯିବ | ସେଥିପାଇଁ ବାପା ତା ପାଇଁ ଗୋଟେ ବଡ ଟ୍ରଙ୍କ କିଣି ଦେଇଛନ୍ତି | ବୋଉ ଟ୍ରଙ୍କରେ ବାବୁନାର ପୋଷାକ,ଖାଇବା ଜିନିଷ ଓ ବହି ସବୁ ଭର୍ତି କରିସାରିଲେଣି | ବାବୁନାକୁ ରାତିରେ ଜମା ନିଦ ହେଉ ନଥାଏ | ଗାଁ ଛାଡିକି ଯିବ | ସେଠି ଆଉ ତାକୁ ସାଙ୍ଗ ମିଳିବେ ନାହିଁ | ସବୁବେଳେ ସାର ମାନେ ପଢିବାକୁ କହିବେ | ସେ ଆଉ ବୁଲି ପାରିବ ନାହିଁ | ଏଇ କଥା ଭାବି ତାକୁ ନିଦ ହେଉ ନଥାଏ |

ସକାଳ ହେଲା | ବାପା କାମ ସାରିଲେ | ବାବୁନା ମନ ଦୁଃଖରେ ବାପାଙ୍କ ସହ ହଷ୍ଟେଲ ବାହାରିଲା | ଦାଣ୍ଡରେ ରମେଶ ଜେଜେ ଓ ଶଙ୍କର ଦାଦା ବସିଥିଲେ | କଣ ବାବୁନା ବାବୁ ଆମର ହଷ୍ଟେଲ ଗଲେ ...କେତେ ବଡ କଥା ମ -ରମେଶ ଜେଜେ କହିଲେ |

- ମୁ ଆଜି ଘର ଛାଡ଼ି ହଷ୍ଟେଲ ଯାଉଛି , ଆପଣମାନେ ସବୁ ଖୁସି ତ--ବାବୁନା ହସି ହସି କହିଲା |

ବାବୁନା କଥା ଶୁଣି ବାପା,ବୋଉ ,ସନିଆ ଜେଜେ ,ରମେଶ ଜେଜେ, କନକ ମା ,ଭବାନୀ ଦି ସମସ୍ତେ ହସି ଉଠିଲେ | ହଁ- ଆମେ ସବୁ ବହୁତ ଖୁସି ବୋଲି ସମସ୍ତେ କହିଲେ | ବାବୁନା ବି ଟିକେ ହସି ଦେଇ କହିଲେ -ମୁ ବି , ଆଜି ବହୁତ ଖୁସି |ଏଥର ମୁ ଆଉ ବେଶୀ ଦୁଷ୍ଟ ହେବି ନାହିଁ |ଆଗକୁ ମନ ଦେଇ ପଢ଼ିବି | ଆଉ ଆପଣମାନେ ଆଗକୁ ଆହୁରି ଖୁସି ହେବେ | ବାପା ଗାଡି ଷ୍ଟାର୍ଟ କଲେ |ବାବୁନା ସମସ୍ତକୁ ନମସ୍କାର କରି ବାପାଙ୍କ ସହ ଚାଲିଗଲା |ବାବୁନା ହଷ୍ଟେଲ ଯାଇଥିବାରୁ ସମସ୍ତେ ଖୁସି ହେଲେ | ବାବୁନା ହଷ୍ଟେଲରେ ରହିବା ପରେ ପୁରା ବଦଳି ଯାଇଛି | ପାଠ ପଢ଼ାରେ ମନ ଦେଉଛି |ଶ୍ରେଣୀରେ ସବୁ ବିଷୟରେ ଭଲ ନମ୍ବର ରଖୁଛି | ଆଉ ଏବେ ଘରେ ଓ ଗାଁରେ ବାବୁନାକୁ ସମସ୍ତେ ଭଲ ପାଉଛନି |

ନବଜୀବନ ସମାଜ, ସଫା, କଟକ-୭୫୪୦୨୨

1 Comments

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।