ପ୍ରବନ୍ଧ - ଯିଏ ଡରେ ସିଏ ହାରେ - ସନ୍ତୋଷ କୁମାର ମହାନ୍ତି

ପ୍ରବନ୍ଧ - ଯିଏ ଡରେ ସିଏ ହାରେ - ସନ୍ତୋଷ କୁମାର ମହାନ୍ତି



ମଣିଷକୁ ଜନ୍ମରୁ ମୃତ୍ୟୁ ଯାଏ ଭୟ ଛାଡ଼ୁନି | ଅନେକ ଅଜଣା ଭୟରେ ମଣିଷ ସବୁବେଳେ ଘାଣ୍ଟି ହେଉଛି | ପିଲାବେଳୁ ଆମକୁ ଭୁତ, ପ୍ରେତ, ଡାହାଣୀର କାହାଣୀ ଶୁଣାଇ ଆମ ମନରେ ଭୟକୁ ପୁରେଇ ଦିଆଯାଇଛି | ସେହି ଭୟ ଆମକୁ ଏତେ ଗ୍ରାସ କରି ରଖିଛି ଯେ, ଆମର ବୟସ ଯେତେ ବଢ଼ୁଥିଲେ ମଧ୍ୟ ଆମେ ଅନ୍ଧାର ରାତିରେ ଗଛର ଛାଇକୁ ଦେଖି ଡରିଯାଉ | ଅନ୍ଧାର ରାତିରେ ଘର ପାଖ ଗଛରେ ପବନ ଯୋଗୁ ଡାଳ ଦୋହଲି ଗଲେ କିଏ ଗୋଟେ ଅଶରୀର ଗଛରେ ଆସି ବସିଛି ବୋଲି ମନରେ ଅନେକ କଥା ପୁରେଇ ଦେହରେ ଛେପ ପକାଉ | କାହାଣୀ ଓ ଲୋକକଥା ମଧ୍ୟରୁ ଅନେକ ଗୁଡିଏ ପିଲାମାନଙ୍କୁ ଡ଼ରାଇବା ପାଇଁ ଏପରି ଭାବେ ଲେଖା ଯାଇଛି ଯେ ,ଆମେ ସାହସୀ ହେବା ପରିବର୍ତ୍ତେ ଆମକୁ ନାନା ଅନ୍ଧବିଶ୍ୱାସ ଓ ଅବାସ୍ତବ ଚିନ୍ତାଧାରା ଭିତରକୁ ପିଲାବେଳୁ ଠେଲି ଦିଆହେଉଛି |

ଛୁଆବେଳେ ଘରେ ବାପା,ମା ,ଭାଇ ,ଭଉଣୀ ଓ ଅନ୍ୟ ଗୁରୁଜନ ମାନଙ୍କୁ ଆମର ଭାରି ଡର | ପୁଣି ପଡୋଶୀରେ ଯଦି କିଏ ରାଗି ଲୋକ କି ମୋଟାସୋଟା ଲୋକ ଥିବ ତାକୁ ବି ଆମେ ବହୁତ ଡରୁ | ଦୁଷ୍ଟ ହେଲେ ବୋଉ କହେ ମୋ କଥା ମାନିବୁ ନା ନାହିଁ ,ନ ହେଲେ ପଡୋଶୀର ସେହି ଲୋକଟିକୁ ଡାକ ପକାଇବ ଯାହାର ଚେହେରା କି ପାଟି ଶୁଣିଲେ ଆମକୁ ଭାରି ଭୟ ଲାଗେ |ଅଙ୍ଗନବାଡି ମାଟି ମାଡିଲେ ସେଠି ଦିଦି ଆଉ ସେଠି କାମ କରୁଥିବା ସହାୟିକାକୁ ଆମର ଭାରି ଡର | କାରଣ ସେମାନେ କେତେବେଳେ କୋଉ ପ୍ରକାର ଅତ୍ୟାଚାର କରିବେ ସେଇଟା ଆମକୁ ଜଣା ନ ଥାଏ | ଆମେ ତ ଛୋଟ ପିଲା ଟିକେ ଦୁଷ୍ଟ ହେଲେ ସେମାନଙ୍କ ବିଧା ଚାପୁଡ଼ା ଆମ ଉପରେ ବସେ | ଆମର ବାଲ୍ୟ ଚପଳାମୀକୁ ସେମାନେ ଦୁଷ୍ଟାମୀ ବୋଲି ଭାବନ୍ତି |

ଅଙ୍ଗନବାଡିରୁ ଆମର ବିଦ୍ୟାଳୟ ପ୍ରତି ଭୟ ଆସି ଯାଇଥାଏ | ବିଦ୍ୟାଳୟରେ ପାଠ ପଢା ଆରମ୍ଭ ଦିନ ଠାରୁ ଭୟର ବସ୍ତାନି ବି କାନ୍ଧରେ ଝୁଲୁଥାଏ | ସେଠିବି ମାଡ ,ଗାଳି କେତେବେଳେ କୋଉ ରୂପରେ ଉଭା ହେବେ ସେଇଟା ସବୁବେଳେ ଆମକୁ ଛାନିଆ କରି ରଖିଥାଏ | ପାଠରେ ହେଳା କଲେ ମାଡ ,ପାଠ ନ ବୁଝି ପାରି ସାର ଓ ଦିଦିଙ୍କୁ ପ୍ରଶ୍ନ କଲେ ମାଡ | ଯାହା ହଉ ୨୦୧୦ ପରେ ବିଦ୍ୟାଳୟ ଗୁଡିକ ଦଣ୍ଡ ମୁକ୍ତ ପରିସର ହେବା ପରେ ଏବେକା ପିଲାମାନଙ୍କ ବିଦ୍ୟାଳୟ ଯିବା ପାଇଁ ଟିକେ ଭୟ ଛାଡ଼ିଛି | ଆମ ବେଳେ ତ ସ୍କୁଲ ଗଲାବେଳକୁ ଜର ଆସୁଥିଲା | ସ୍କୁଲ ଗୋଟେ ଜେଲ ଭଳି ଲାଗୁଥିଲା | ଆମର ଅନେକ ସାଙ୍ଗ ,ସାରଙ୍କ ବେତ ମାଡ ଓ ଗାଳିର ଭୟରେ ପାଠ ଛାଡିଦେଲେ | କିନ୍ତୁ ସେମାନେ ଅଧିକ ପାଠ ନ ପଢ଼ିଥିବାରୁ ବେପାର ,ବଣିଜ କରି ଆମ ଠାରୁ ଖୁସିରେ ଅଛନ୍ତି | ଆମେ ଯୋଉ ମାନେ ବେଶୀ ପଢ଼ିଲୁ ଜୀବନ ,ଜୀବିକା ସହ ଯୁଝୁଛୁ | ସରକାରୀ ଚାକିରିର ବଡ ପଦବୀରେ ରହିଲେ ନେତା ,ମନ୍ତ୍ରୀ ଓ ବଦଳିକୁ ସବୁବେଳେ ଭୟ | ଆଉ ଅଧସ୍ତନ ହୋଇ ରହିଲେ ସବୁବେଳେ ପଦସ୍ଥ ଊଂଚ ଅଧିକାରୀକୁ ଆମର ଭାରି ଭୟ | କାରଣ ଆମ ଚାକିରୀ ପଞ୍ଜିକା ତାଙ୍କ ହାତରେ ଥାଏ | ତେଣୁ ସବୁବେଳେ ଆମକୁ ଜଗି ରଖି ଚାଲିବାକୁ ପଡେ | ବେସରକାରୀ ଚାକିରୀରେ ଭୟ ତ ଆମକୁ ବେଶୀ ଘାରୁଥାଏ | କେତେବେଳେ କମ୍ପାନୀ ,ଅନୁଷ୍ଠାନଟି ବନ୍ଦ ହେଇ ଯାଇପାରେ , ନ ହେଲେ ଚାକିରୀରୁ ଛଟେଇ ହୋଇପାରେ | ବେପାର ,ବଣିଜ କଲେ କ୍ଷତିର ଭୟ ଲାଗି ରହି ଥାଏ | ଆଉ ଯଦି ଆମର ବେପାର ଭଲ ଚାଲି ଚାଲିଲା ତେବେ ଆମ ପାଇଁ ଆଉ କିଏ ଯେମିତି ପ୍ରତିଦ୍ବନ୍ଦୀ ନ ଆସୁ ଏହି ଅଜଣା ଭୟ ଆମକୁ ସବୁବେଳେ ଲାଗି ରହି ଥାଏ | ଯଦି କିଏ ଆମ ଦୋକାନ କି ପ୍ରତିଷ୍ଠାନ ପାଖରେ ଆମେ କରୁଥିବା ସମାନ ବେପାର କରେ ତେବେ ଆମ ଭୟ ଆହୁରି ବଢି ଯାଏ |ଚାଷବାସ କଲେ ପାଣିପାଗ,ରୋଗ ପୋକ,ବନ୍ୟଜନ୍ତୁଙ୍କୁ ଆମର ଭାରି ଡର | ପୁଣି ଫସଲ ଅମଳ ବେଳେ ବନ୍ୟା , ବାତ୍ୟାକୁ ଆମର ବେଶୀ ଭୟ ଥାଏ | ଚାଷ କରି ଫସଲ ଅମଳ ପରେ ପୁଣି ବିକ୍ରିର ଭୟ ଲାଗି ରହିଥାଏ | ଚାଷରେ ଯେତିକି ଖର୍ଚ୍ଚ ହେଇଥାଏ ସେତିକି ମୂଲ୍ୟ ମିଳିବ କି ନାହିଁ ସେହି ଭୟ ଚାଷ କରୁଥିବା ଚାଷୀ ଓ ତାର ପରିବାରକୁ ଲାଗି ରହିଥାଏ | ଯଦି ବ୍ୟାଙ୍କ କି ଅନ୍ୟ ଜାଗାରୁ ଋଣ ଆଣି ଚାଷ କରାଯାଏ ତେବେ ଋଣ ଠିକ ସମୟରେ ପୈଠ କରି ହେବ କି ନାହିଁ , ଏ ଚିନ୍ତାରେ ଆମ ଦିନ କଟୁଥାଏ |

ଚାକିରୀଟିଏ ପାଇଁ ନିଜ ଇଲାକା ଠାରୁ ଦୂରରେ ରହିବା ପରେ ସବୁବେଳେ ଭୟ ଲାଗି ରହି ଥାଏ | କାରଣ ପ୍ରବାସରେ କେତେବେଳେ କଣ ଘଟିବ ସେଇଟା ଆମକୁ ଜଣା ନଥାଏ | ସମସ୍ତେ କୁହନ୍ତି ଯିଏ ଘର କି ଗାଁ ଛାଡି ବାହାରେ ରହିଲା ସିଏ ବହୁତ ଖୁସିରେ ରହିଛି | କିନ୍ତୁ ନିଜ ଗାଁ, ଜ଼ିଲ୍ଲା, ରାଜ୍ୟ ଓ ଦେଶ ଛାଡି ରହୁଥିବା ଲୋକଟି କେତେ ଅଜଣା ଭୟରେ ଘାଣ୍ଟି ଚକଟି ହେଉଥାଏ ସେଇଟା ଅନୁଭବୀ ଜାଣେ |ସବୁବେଳେ ଆମ ପଡୋଶୀ, ଗାଁ ଓ ସହରରେ ରହୁଥିବା ଚୋର, ଟାଉଟର  ମଦୁଆ, ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ଆମ ମନରେ ଭୟ ରହିଥାଏ | ସେମାନେ କେତେବେଳେ କଣ କରି ବସିବେ ସେଇଟା ଆମ ଚିନ୍ତାର ବାହାରେ ଥାଏ | ତେଣୁ ସେମାନଙ୍କୁ ଜଗି ରଖି ଚାଲିବା ଭିତରେ ଜୀବନର ଅଧା ସମୟ ହିଁ ଭୟରେ ବିତି ଯାଇଥାଏ | ଜୀବନରେ ବାଟ ଚାଲିବା ଭିତରେ ସବୁବେଳେ ବଣୁଆ ଜନ୍ତୁ, ସର୍ପ, ମଶା,ଓଡ଼ଶ,ଅସରପା ଓ ବିଷାକ୍ତ କୀଟର ଭୟରେ ଆମ ଦିନ ଗଡୁଥାଏ | ନଈ କୂଳ ଲୋକକୁ କୁମ୍ଭୀର ସହ ନଈ ବଢୀର ଭୟ ସବୁବେଳେ ଲାଗି ରହିଥାଏ | ଜଙ୍ଗଲ ଭିତରେ କି ତାର ପାର୍ଶ୍ଵବର୍ତ୍ତୀ ଇଲାକାରେ ବସତି ସ୍ଥାପନ କଲେ ବାଘ, ଭାଲୁ, ହାତୀ ସହ ଅନେକ ଜଙ୍ଗଲୀ ଜନ୍ତୁରେ ଭୟ ଲାଗି ରହି ଥାଏ |

ସତରେ ଏ ଧରାରେ ଜୀବନ ଜିଇବା ଭାରି କଷ୍ଟ ସାଧ୍ୟ | ମଣିଷ ଯେତେ ବୁଦ୍ଧିମାନ ହେଲେ ବି ଭୟ ତାକୁ କେବେ ପାଖ ଛାଡେନା | ରାଜନୀତି କଲେ ସବୁବେଳେ ଆସନ ଚାଲିଯିବାର ଭୟ ରହେ | କର୍ମୀ,ଅନୁଗତ ଓ ହାଇ କମାଣ୍ଡକୁ ଆମର ଭାରି ଭୟ କିଏ କେତେବେଳେ ଆମକୁ କୋଉ ଘାଟରେ ନେଇ କୋଉ ପାଣି ପିଆଇବ ସେହି ଭୟରେ ଆମର ରାଜନୈତିକ ଦିନ ସବୁ ଗଡି ଚାଲିଥାଏ | ଏହିଁ ସଂସାରର ଯୋଉ ଲୋକ ଚୋରି,ଲୁଟ ,ଠକାମୀ ଓ ଯେତେ ସବୁ ଯାବତୀୟ ହୀନ କାମ ଯେତେ ଦମ୍ଭର ସହ କଲେବି ଆଇନକୁ ସବୁବେଳେ ଭୟ ଥାଏ | କେତେବେଳେ କିଏ ଯାଇ ଜେଲର କୋଠରୀ ଭିତରେ ଥିବ ସିଏ ନିଜେବି ଜାଣି ନ ଥାଏ | ମଣିଷକୁ ଦଙ୍ଗା, ମାଡ ପିଟ, ଆତଙ୍କବାଦ ଓ ମାଓବାଦୀଂକ ଭୟ ସବୁ ବେଳେ ଲାଗିରହୁଛି | ବେଶୀ ଧନ ,ସମ୍ପତ୍ତିର ଚିନ୍ତା ଓ ଭୟ ମଣିଷକୁ ଏତେ ଘାରେ ଯେ ସିଏ ସବୁବେଳେ ସେହିସବୁ ଚିନ୍ତାରେ ସନ୍ତୁଳି ହେଉଥାଏ | ଧନ ପାଖରେ ନ ରହିଲେ ଆଗକୁ ବାଟ ଚାଲିବାର ଭୟ ପୁଣି ଅଧିକ ଧନ ପାଖରେ ରହିଲେ ସେସବୁ ସାଇତି ରଖିବାର ଭୟ ମଣିଷକୁ ଭାରି ହଟହଟା କରେ | ବ୍ୟାଙ୍କରେ ଟଙ୍କା ଜମା ରଖିଲେ ସାଇବର ଠକେଇର ଭୟ ଆମକୁ କେବେ ଛାଡିପାରୁନି |

ଜୀବନରେ ଗୋଟେ ଭୟ ଆମକୁ ବେଶୀ ଘାରେ | ସେଇଟା ହେଉଛି ଆମ ସମ୍ମାନ ଚାଲିଯିବାର ଭୟ | ବାପ ,ମା ସମ୍ମାନ କମାଇ ଥାନ୍ତି କିନ୍ତୁ ପୁଅ ,ଝିଅ ମାନେ ବେଳେ ବେଳେ ସେମାନଙ୍କ ସମ୍ମାନ ମାଟିରେ ମିଶାଇ ଦିଅନ୍ତି | ନିଜେ କମାଇ ଥିବା ସମ୍ମାନ ଯେମିତି ଆମର ହାଟରେ ପଡି ଦାଣ୍ଡରେ ନ ଗଡୁ ଏହି ଅଜଣା ଭୟ ମଣିଷକୁ କବଳିତ କରି ରଖିଥାଏ | ଆମ ସମାଜରେ ଅର୍ଦ୍ଧାଧିକ ପୁରୁଷଙ୍କ ସ୍ତ୍ରୀ ମାନଙ୍କୁ ଭାରି ଡର | କାରଣ ପୁରୁଷର ଅନେକ ଚିନ୍ତା,ମତ ,ଅଭିମତରେ ମହିଳା ମାନେ ସହମତ ହୋଇପାରନ୍ତି ନାହିଁ | ଏଣେ ସ୍ତ୍ରୀ କଥାରେ ନ ଚାଲିଲେ ଘରେ ଅନେକ ମହାଭାରତ ଲେଖା ହୁଏ | ଅଶାନ୍ତିର ବାତାବରଣ ଭିତରେ ପୁରୁଷ ଲୋକଟି ଟିକେ ଶାନ୍ତିରେ ରହିବା ପାଇଁ ଡରି ମରି ସ୍ତ୍ରୀ କଥାରେ ଖାଲି ହଁ ମାରେ | ଆମ ଦେଶରେ ଅନେକ ଘରର ପରିସ୍ଥିତି ଏମିତି ଯେ ,ପରୁଷ ମାନେ ନିଜ କର୍ମ କ୍ଷେତ୍ରରୁ ଘରକୁ ଫେରିଲେ ସେମାନଙ୍କୁ ଗୋଟେ ଅଜଣା ଭୟ ଘାରି ରହିଥାଏ | ଆଜି ଘରର ପରିସ୍ଥିତି ଓ ପରିବେଶ ଭଲ ଅଛି ତ ? ପୁଣି ଆଜି ଘରେ ଅଶାନ୍ତିର ଝଡ ନ ବହିବ ତ ? ଘରୋଇ ଅଶାନ୍ତି ଭିତରେ ଦିନ କାଟୁଥିବା ବେଳେ ପ୍ରକୃତିର ଅଶାନ୍ତ ରୂପ ଆମକୁ ଆହୁରି ଦୋହଲାଇ ଦେଇ ଥାଏ | ମରୁଡି,ଦୁର୍ଭିକ୍ଷ ,ଭୂମିକମ୍ପ ,ଆଗ୍ନେୟ ଉଦଗୀରଣ, ନଦୀ ବଢି ,ଝଡର ଭୟ ସବୁବେଳେ ଆମକୁ ଲାଗି ରହିଥାଏ | ୧୯୯୯ ମହାବାତ୍ୟା ଆସିଲା | ତା ପରେ ହୁଡହୁଡ, ତିତଲୀ ଓ ଫନି ଭଳି ବିପତ୍ତି ଆସିବା ପୂର୍ବରୁ ଓ ପରେ ଆମ ମନରେ ଅନେକ ଭୟ ଛାଡ଼ି ଦେଇ ଯାଇଛି | ଇତିହାସ ମାନବ ସମାଜର ଏହି ଭୟକୁ ଆମ ଜୀବନ ଗାଥାରେ ସାଇତି ରଖିଛି |

ଜଣେ ନିଜକୁ ଯେତେ ବଡ ସାହସୀ କହିଲେ ବି କାହାକୁ ନ କାହାକୁ ସିଏ ଭୟ କରୁଥିବ | ଏମିତି ଲୋକ ଅଛନ୍ତି ଯିଏ ଜୀବନ କାଳ ଭିତରେ ଅନେକ ଦୁଃସାହସିକ କାମ କରିଥିବ କିନ୍ତୁ ସେ ଲୋକବି ବିଲେଇ ,ଅସରପା,ଝିଟିପିଟିକୁ ଦେଖି ଡରୁଥିବ |କାହାକୁ ପାଣିକୁ ଡର ତ କାହାକୁ ଉଞ୍ଚା ଜାଗାକୁ ଯିବାକୁ ଡର | ପରିସ୍ଥିତି ଓ ପରିବେଶ ଅନୁଯାୟୀ ମଣିଷର ଭୟ ସବୁବେଳେ ବଦଳୁ ଥାଏ | ଅଜଣା ଲୋକ,ଅପରିଚିତ ସ୍ଥାନ,ଗୁଣି ଗାରେଡି, ପ୍ରେମରେ ପ୍ରତାରଣା ,ବନ୍ଧୁର ବିଶ୍ୱାସଘାତକତା ଓ ଆତ୍ମୀୟଙ୍କ ଷଡ଼ଯନ୍ତ୍ରଙ୍କୁ ଆମର ବେଶୀ ଡର ଥାଏ | ଏମିତି କୋଉ ଲୋକ ନାହିଁ ଯିଏ ନିଜ ଗାଁ ମଶାଣି ଓ ପର ଗାଁ ପାଣିକୁ ନ ଡରେ | ମଣିଷର ଭୟ କଥା ଲେଖି ବସିଲେ ତାକୁ ଯେ କେତେ ଅଜଣା ଭୟ ବାନ୍ଧି ରଖିଛି ଓ ସେ କାହାକୁ ସବୁ ଡରେ ସେଇ ଲୋକଟି ନିଜେ କହିପାରିବ | ପୁଣି ଆମର ଈଶ୍ୱରଙ୍କୁ ଭାରି ଡର | ଭଲ କାମରେ ବି ଆମେ ଠାକୁରଙ୍କ ପାଖେ ମୁଣ୍ଡ ନଇଁ ଥାଉ ଆଉ ଖରାପ କାମ ସବୁ କରି ତାଙ୍କ ପାଖରେ ଅଳି କରୁଥାଉ | ଆମ ପୂଜା ,ଅର୍ଚନା ଓ ଭକ୍ତିରେ ଭୁଲ ରହିଗଲେ ଈଶ୍ୱର କାଳେ ଆମ ଉପରେ ରାଗିବେ ଏହି ଭୟ ଆମକୁ ବେଶୀ କବଳିତ କରି ରଖି ଥାଏ | ଯୋଉଟା ବେଶୀ ଆମ ଭୟକୁ ବହୁଗୁଣିତ କରେ ସେଇଟା ହେଲା ଯମର ଭୟ | ମରଣକୁ ଆମର ବେଶୀ ଭୟ ରହି ଥାଏ | ଜନ୍ମ ଯେତେବେଳେ ମଣିଷ ହୋଇଛି ମୃତ୍ୟୁ ଆସିବ ଏଥିରେ ସନ୍ଦେହ ନାହିଁ | ତେଣୁ ମରଣର ଭୟ ମନରୁ ପୋଛି ଦେଲେ ଜୀବନର ଯାତ୍ରା ଆହୁରି ସୁଖଦ ହେବ | ଆମକୁ ଜୀବନରେ ବାଟ ଚାଲିବାକୁ ହେଲେ

ମନରୁ ଭୟ ସବୁ ଦୂରେଇ ଦମ୍ଭର ସହ ଆଗକୁ ମାଡିବାକୁ ହେବ | କାରଣ କଥାରେ ଅଛି - ଯିଏ ଡରିଗଲା, ସିଏ ଏଠି ମରିଗଲା | ନାଉରିଆ ପ୍ରତିଦିନ ନଦୀ,ହ୍ରଦ ଓ ସମୁଦ୍ର ଭିତରେ ଡ଼ଙ୍ଗା ଚଲାଉଥାଏ | ନାଆ ବାହିବା ଭିତରେ ତା ମନରେ ଅନେକ ଭୟ ଆସୁଥାଏ | କେତେବେଳେ ଝଡ଼ ଆସିପାରେ | ପୁଣି କେବେ ଗଭୀର ନଈରେ ଡ଼ଙ୍ଗା ଭଉଁରୀ ଭିତରେ ବୁଡି ଯାଇପାରେ |ନହେଲେ ଡ଼ଙ୍ଗା ଭାରସ୍ୟାମ ହରାଇ ବୁଡି ଯାଇପାରେ | ଏସବୁ ଭୟ ଭିତରେ ବି ନାଉରିଆ ମନରେ ଦମ୍ଭ କରି ନିଜ କାମ କରି ଚାଲେ | ଠିକ ସେମିତି ଏ ସଂସାର ରୂପକ ନଈରେ ଆମ ଜୀବନର ନାଆ ଚାଲିଛି | ଆଉ ସେହି ନାଆରେ ନାଉରି ସାଜି ଆମ ଜୀବନ ତରୀକୁ ନିଜ ଓ ପର ପାଇଁ ଆଗକୁ ବାହିବାକୁ ପଡିବ | କାରଣ ସବୁ ଭୟ ଓ ଆଶଙ୍କାକୁ ପଛରେ ପକାଇ ଆମକୁ ହିଁ ଜୀବନ ଜିଇବାକୁ ହେବ |

ନବଜୀବନ ସମାଜ, ସଫା, କଟକ-୭୫୪୦୨୨
ଦୂରଭାଷ-୯୭୭୭୭୬୬୩୪୬

0 Comments