ରମ୍ୟଗଳ୍ପ - ଚିହ୍ନ ଦେବତାୟ ସ୍ୱାହା - ସିଦ୍ଧେଶ୍ଵର ତ୍ରିପାଠୀ

ରମ୍ୟଗଳ୍ପ - ଚିହ୍ନ ଦେବତାୟ ସ୍ୱାହା - ସିଦ୍ଧେଶ୍ଵର ତ୍ରିପାଠୀ



ଭୋଟର ଏଠି ପ୍ରାର୍ଥୀ ଦେଖି ଭୋଟ ଦିଅନ୍ତିନି ଚିହ୍ନ ଦେଖି ଭୋଟ ଦିଅନ୍ତି । ଯଦି କୁକୁର ଛୁଆକୁବି ନିର୍ବାଚନରେ ପ୍ରାର୍ଥୀ କରାଯାଏ ସେବି ଜିତିଯିବ । ଖାଲି ପରିଚିତ ଚିହ୍ନ ଟେ ତା ପଛରେ ଲାଗିବାର ଅଛି । ତେଣିକି ସେ ପାଠ ପଢୁକି ନପଢୁ ନୂଆ ହଉକି ପୁରୁଣା ଲୋକଙ୍କ ପାଇଁ କାମ କରୁକି ନକରୁ । ସେ ଗୁଣ୍ଡା ହେଉ ଅବା ଡାଲି ଖଣି ପାଣି ଚୋର ହେଉ କିଛି ଯାଏ ଆସେ ନାହିଁ । ବିଧାନ ସଭାଠୁ ଲୋକସଭା ରାଜ୍ୟରୁ ଦେଶ ସବୁଠି ଚିହ୍ନର କରାମତି । ଭାରି ଆଶ୍ଚର୍ଯ୍ୟ କର କଥା ଏତେ ଛୋଟ ଛୋଟ ଚିହ୍ନ ଗୁଡାକୁ ଚିହ୍ନି ବାଟି ଘୋରି ପାଣି କରିଦେଉଥିବା ଭୋଟର ଗୁଡାକ ଚିଟଫଣ୍ଡ ଆଉ ଦୁଷ୍କର୍ମ ଭଳି ବଡ ଚିହ୍ନ ଲଗା ନେତା ଗୁଡାଙ୍କୁ କେମିତି ଚିହ୍ନି ପାରନ୍ତିନି କେଜାଣି । ଘରେ ବସି ଖାଇବା ଆରାମରେ ଚଳିବା ଯଦି ସବୁ ସୁବିଧା ସୁଯୋଗ ଯୋଉ ଦଳର ସରକାର ଯୋଗେଇଦବ ତାକୁହିଁ ଭୋଟ ଦବା । ବ୍ୟକ୍ତିତ୍ୱର ବିକାଶ କୁ ମାର ଗୁଳି । ସ୍ଥାୟୀ ପ୍ରତିକାର କଥା ପଚାରେ କିଏ । ଜମି ବାଡ଼ିରେ ପଟାସ୍ ଲାଗେଇଦିଅ ନହେଲେ ବିକ୍ରିକରିଦିଅ । କୋଉ ଚାଉଳ କିଣା ପଡୁଛି । ହଁ କାହା କଥା କହିବା ଏଠିତ କମଳ ଯାକ ବାଳ । ଏଠିତ ପିଲାଟି ଜନ୍ମ ହେଲା ବେଳକୁ ମୁଣ୍ଡରେ ଋଣ ବୋଝ ଧରି ଆସିଥାଏ । ଲୋକେ କିନ୍ତୁ ଏନ୍ତୁଡ଼ିରୁ ମସାଣି ଯାଏ ଯୋଜନାର ସୁଫଳ ପାଇବାରେ ବ୍ୟସ୍ତ । ଜମି ଜଙ୍ଗଲ ଖଣି ପାଣି ପର୍ଯ୍ୟଟନ ସବୁଥିଲେବି ଆଜି ନାହିଁ ନାହିଁ ର ଦୁନିଆ । ଅତି ସହଜ ଆଉ ସଟକଟ ରେ ଜୀବନ ରେ ଶୀର୍ଷ ସ୍ଥାନରେ ପହଂଚିବାର ସ୍ୱପ୍ନ ଦେଖୁଥିବା ଭୋଟରଙ୍କଠୁ ଆଉ କଣ ଆଶା କରାଯାଇ ପାରେ ।


ରାମାୟଣ ମହାଭାରତ ଯୁଗଠୁ ବି ଏଯୁଗର ରାଜନୀତି ଅଙ୍କ ଭାରି ଜଟିଳ ଚାଣକ୍ୟ ନୀତିକୁ ଗୋଳି ବାଟି ପିଇ ଦେଲା ପରେ ସେଥିରେପୁଣି କିଛି ନିଜସ୍ୱ ନୀତି ଖଞ୍ଜା ହୋଇଯାଏ ଆପେଆପେ । ଆଜି ଏଘର ମାଉସୀତା କାଲି ସେଘର ପିଉସୀ । ବର୍ଷା ଜୁଆଡ଼େ ଛତା ସିଆଡେ ନ୍ୟାୟ ରେ ଏଠି ସବୁ କାମ ଚାଲେ । ଏଠି ବିଭିସଣଙ୍କର ଅଭାବ ନାହିଁ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ତାକଥା ନକହିବା ଭଲ । କେତେ ବେଳେ ତିଳକୁ ତାଳ ଆଉ କେତେବେଳେ ତାଳକୁ ତିଳ କରାଯିବ ତାହା ସମ୍ପୃକ୍ତ ସଂସ୍ଥାର ମାଲିକଙ୍କ ରାଜନୈତିକ ଦଳ ସହିତ ଥିବା ସମ୍ପର୍କ ଆଉ ସ୍ୱାର୍ଥ ଉପରେ ନିର୍ଭର କରେ । ଏଠି ନିର୍ଦିଷ୍ଟ କିଛି ମହାପୁରୁଷଙ୍କ ଛାଇ ତଳେ ଅନ୍ୟ ମହା ପୁରୁଷଙ୍କ ନାଁ ବି ମାଟି ଭିତରୁ ବାହାରି ପାରେନି । ବଂସବାଦର ନ୍ୟାୟରେ ଚାଲେ ରାଜନୀତି । ତେଲାତେଲି ଏକା ହୁଅନ୍ତି ବଳି ପଡି ଯାଆନ୍ତି ସାଧାରଣ ଜନତା । ଏଠି ବାଘ ଛେଳିବି ଗୋଟିଏ ତୁଠରେ ପାଣି ପିଅନ୍ତି । ଏଠି ମଣିଷ ଭୁଲିଯାଏ ମଣିଷ ପଣିଆ । ବାପା ମା ଭାଇ ଭଉଣୀ ଙ୍କର ନୂଆ ନୂଆ ଦଳ ମତଭେଦ ଗୋଷ୍ଠୀ କନ୍ଦଳ । ଏଠି କେତେ ମୁଣ୍ଡିଆଳ କହିଥିବା କଥା ଭୁଲିଯାଆନ୍ତି । ପକେଇବା ଛେପ ଚାଟନ୍ତି କିଏ ଦିଲ୍ଲୀ ଯିବାକୁ ତ ଆଉକିଏ ଭୁବନେଶ୍ୱର । ଜେଲ ଜୋରିମାନା ରେ ଅଭ୍ୟସ୍ତ ରାଜନେତା ଏଠି ସମସ୍ତଙ୍କର ପ୍ରିୟ କାରଣ ସେ ବାଣ୍ଟି ପାରନ୍ତି ଟଙ୍କା କାଟି ପାରନ୍ତି ତଣ୍ଟି । ରାଜତନ୍ତ୍ର ରେ ରାଜାର ପୁଅ ରାଜା ହୁଏ ଆଉ ଏଠି ଗଣତନ୍ତ୍ରରେ ମନ୍ତ୍ରୀର ପୁଅ ମନ୍ତ୍ରୀ । ମଦ ମାଉଁସ ରେ ଏଠି ସମସ୍ତେ ଖୁସି । 

ଏଠି ନିର୍ବାଚନ ଆସିଲେ ନେତା ମାନେ ଜନତାଙ୍କ ପାଦଧୂଳି ନିଅନ୍ତି ସାଇକେଲ ଚଲାନ୍ତି ଝୁମ୍ପୁଡି କୁଡ଼ିଆରେ ଖାଆନ୍ତି । ଗାଁ ଓ ସହର ବାସୀଙ୍କ ଦୁଃଖ ସୁଖ ବୁଝନ୍ତି । ଆଉ ଥରେ ଆସନକୁ ଆସିଗଲେ ଏସି ଘର ଏସି କାରରୁ ତଳକୁ ଓଲ୍ହାନ୍ତି ନାହିଁ । ରହିବା ଖାଇବା ଗସ୍ତଖର୍ଚ ହାତପାଣ୍ଠି । ମାସିକ ଦରମା ପେନସନ ସବୁ ତାଙ୍କ ପାଇଁ ଥୁଆ । ଏବେ 300 ଟଙ୍କାରେ ଦୁଇମାସ ଫୋନ ସହିତ ଇଣ୍ଟରନେଟ ବ୍ୟବହାର ସବୁ ସମ୍ଭବ ହୋଇପାରୁ ଥିଲେ ମଧ୍ୟ ତାଙ୍କୁ ଫୋନ ଖର୍ଚ୍ଚ ବାବଦକୁ ମାସକୁ ମିଳେ ହଜାର ହଜାର ଟଙ୍କା । କେତେ ନିର୍ବାଚନ ଆସେ ଯାଏ ବାଣ ଫୁଟେ ବାଜା ବାଜେ ମଦ ମାଉଁସ ବଣ୍ଟାହୁଏ । କେତେ ପ୍ରାର୍ଥୀ ଆସି କୁଡ଼ିଆ ଘରେ ବସି ପଖାଳ ଖାଇ ଫଟୋ ଉଠେଇ ଚାଲିଯାନ୍ତି । ହେଲେ ପରିବର୍ତ୍ତନ ତ ବହୁତ ଦୂରରେ । ସବୁ ସଫଳତାତ ସେଇ କେତୋଟି ଚିହ୍ନ ତଳେ ଚାପି ହୋଇ ରହିଯାଏ । ଚିହ୍ନର ଖୋଳପା ଭିତରୁ ବାହାରି ନୂଆ ଆଲୋକ ଦେଖି କିଛି ନୂଆ ନୂଆ ଚରିତ୍ର ଆପଣେଇବା କଣ ଉଚିତ ନୁହେଁ କି । ଯୋଉଦିନ ଏ ମାନସିକତାରେ ପରିବର୍ତ୍ତନ ଆସିବ । ସେଦିନ ଆଉ କେହିI କହୁନଥିବେ ଚିହ୍ନ ଦେବତାୟ ସ୍ୱାହା ।


Writer's Details: ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା
Content Category:
Submission Date: May 25, 2019

0 Comments