କ୍ଷୁଦ୍ରଗଳ୍ପ - ଘଣ୍ଟାକୁ ଠିକ୍ ଭାବେ ଚିହ୍ନିଲା ଗଉରା - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ଘଣ୍ଟାକୁ ଠିକ୍ ଭାବେ ଚିହ୍ନିଲା ଗଉରା - ନାରାୟଣ ଚନ୍ଦ୍ର ସେନାପତି

ସେଦିନ ସହ ନିର୍ଦ୍ଦେଶକଙ୍କ ଗୋଟିଏ ଉକ୍ତି ଗଉରା ମନରେ ଆଣିଥିଲା ଅନେକ ଅନେକ ଦ୍ବନ୍ଦ୍ୱ।ଉକ୍ତିଟି ଥିଲା, ଯେଉଁଦିନ ତୁମେ ଘଣ୍ଟାକୁ ଭଲ ଭାବେ ଚିହ୍ନିପାରିବ,ସେଇଦିନ ତୁମେ ଭଲ ମଣିଷ ହୋଇପାରିବ।" ଗଉରା ଷଷ୍ଠ ଶ୍ରେଣୀର ଛାତ୍ର।ସରକାରୀ ସ୍କୁଲରେ ପଢେ।ଓପେପାର ନିର୍ଦ୍ଦେଶକ ସରପ୍ରାଇଜ ଭିଜିଟରେ ଆସି ତାଙ୍କ ବିଦ୍ୟାଳୟର ଭାଷଣରେ ଏ କଥା କହିଥିଲେ।ଗଉରା ଟିକିଏ ଘଣ୍ଟା ଭଲ ଭାବେ ଚିହ୍ନି ନ ଥିଲା।ଘରେ ଆସି ତା ବାପାଙ୍କୁ ସେଇ ଉକ୍ତିଟି କହି, ପଚାରିଲା ବାପା, ତୁମ ମତରେ ଏ ଉକ୍ତିଟି କଣ ଠିକ୍ ? ବାପା କହିଲେ ହଁ ଖାଲି ଠିକ୍ ନୁହଁ ଯୁକ୍ତିଯୁକ୍ତ ମଧ୍ୟ।ତା ମନରେ ଦ୍ବନ୍ଦ୍ୱ ଦ୍ବିଗୁଣିତ ହେଲା।ତାଙ୍କ ଗାଁର ଜଣେ ଅତି ଜ୍ଞାନୀ ଲୋକ ବିଷ୍ଣ୍ଣୁ ମାଷ୍ଟ୍ରେ ଯାହାକୁ ସମସ୍ତେ ମାନନ୍ତି,ତାଙ୍କୁ ସେ ଯାଇ ପଚାରିଲା।ସେ କହିଲେ ବାପା ଏ ଉକ୍ତିଟି ଶତ ପ୍ରତିଶତ ଠିକ୍।ଏଥିରେ ବହୁତ ଗୂଢ଼ ରହସ୍ୟ ଅଛି।ଗଉରା ଭାବିଲା ମୁଁ ହୁଏତ ଅଧିକ ପଢିନାହିଁ ହେଲେ କଣ ଏତେ ମୂର୍ଖ ଯେ ଏମାନେ ସବୁ ବୋକା ବନେଇବେ।ତେଣୁ ସେ ତା ମାଆ କୁ ପଚାରି ପଚାରି ଘଣ୍ଟା ଠିକ୍ କରି ଚିହ୍ନି ଦେଲା।ଏଥର ତା ବାପାଙ୍କୁ କହିଲା, ବାପା ମୁଁ ଘଣ୍ଟା ଭଲରୁପେ ଚିହ୍ନିଲିଣି, ମୁଁ ଭଲ ମଣିଷ ହୋଇପାରିବି ତ?ବାପା ସବୁ ଆଡକୁ ଚିନ୍ତା କଲେ କହିଲେ,ନାଁ।ଗାଉରା ଛାଡିବାର ପିଲା ନୁହଁ,ସେ କହିଲା ବାପା ମୋତେ ଏଥର ଘଣ୍ଟାର ସମୟ ଯେତେ ପଚାରୁଛ ପଚାର,ମୁଁ ସବୁ କହିଦେବି।ବାପା ପଚାରିଲେ,ଗଉରା ବି କହିଦେଲା।ହେଲେ ବାପା ରାଜି ନୁହଁ ଗଉରା ଏବେ ଭଲ ମଣିଷ ହେବା ପାଇଁ ଯୋଗ୍ୟ ହେଲାଣି ବୋଲି।ତା ପରଦିନ ସେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳ ସାର୍ ଙ୍କୁ ପଚାରିଲା।ସେ ବି କହିଲେ ନାଁ ତୁମ ସମୟ ଏବେ ବି ଆସିନାହିଁ।ଗଉରା ବିଷ୍ଣ୍ଣୁ ମାଷ୍ଟ୍ରେଙ୍କୁ ବି କହିଲା, ସେ ବି ରାଜି ହେଲେ ନାହିଁ।ସେ ଭାବିଲା,ଏ ସମସ୍ତେ ପ୍ରକୃତରେ ଜ୍ଞାନୀ ନୁହଁ,ଏମାନେ ଗୋଟେ ଗୋଟେ ପାଗଳ।
   
ବାପା ମନେ ମନେ ଟିକେ ଖୁସି ହେଲେ କାହିଁକି ନା,ଗଉରାଟା ଘଣ୍ଟା ଚିହ୍ନି ଗଲାଣି ପୁଣି ମନ ଦୁଃଖ ହେଉଥାଏ କାରଣ ଦିନ ଆଠଟାରେ ଉଠେ।ସନ୍ଧ୍ୟାରେ ସୁଏ।କେତେବେଳେ ବି ଟିଭି ଦେଖେ।ପାଠ ପଢା ତ ସ୍ବପ୍ନ।କାହା କଥା ବି ମାନେ ନାହିଁ । ଏପଟେ ବଳ ସାର୍ ଗଉରା ଉପରେ ଆଦୌ ସନ୍ତୁଷ୍ଟ ନୁହଁ କାରଣ ସେ ନିୟମିତ ବିଦ୍ୟାଳୟ ଆସେ ନାହିଁ।ଯଦି କେବେ ଆସେ ବହୁତ ବିଳମ୍ବରେ।ପୁଣି ଗୃହକାର୍ଯ୍ୟ କରେ ନାହିଁ।ବିଦ୍ୟାଳୟରୁ ଲୁଚି କାହାକୁ ନ କହି ଚାଲିଯାଏ।ଏପଟେ ବିଷ୍ଣ୍ଣୁ ମାଷ୍ଟ୍ରେ ଯାହା ଜାଣିଛନ୍ତି,ଗଉରା ସାହିରେ ସାଥୀମାନଙ୍କ ସହ କଲି ଝଗଡା କରେ ପୁଣି ଖେଳରେ ଖେଳିବା ନେଇ।ସେ ବିଳମ୍ବରେ ଆସେ,ତା ଆସିବା ପୂର୍ବରୁ କାହିଁକି ଖେଳ ଆରମ୍ଭ କରାଗଲା।ସେ ଆସିଲେ ଯାଇ ଖେଳ ହେବ।ସେପଟେ ସେ ଜାଣିଶୁଣି ମନ ଇଛା ଖେଳିବାକୁ ଆସେ।

ଗଉରା ଭାବିଲା ଏ ତିନିହେଁ ନିପଟ ମୂର୍ଖ।ଏଇ ପାଖରେ ଗୋଟିଏ ଆଶ୍ରମ ଅଛି,ଯେଉଁ ଆଶ୍ରମରେ ଜଣେ ଯୋଗଜନ୍ମା,ଜ୍ଞାନୀ ଗୁଣୀ ସାଧକ ଅଛନ୍ତି।ନୀତି ନିୟମ,ଭଦ୍ରାମି,ଶିଷ୍ଟାଚାର ଓ ସମସ୍ୟା ସମାଧାନର ସେ ନିପୁଣ।ଭାବିଲା କେବଳ ସେ ଗୋବିନ୍ଦ ବାବା ହି ତାଙ୍କ ସମସ୍ୟା ସମାଧାନ କରିପାରିବେ।ଏମିତିକି ପ୍ରତିଦିନ ବହୁତ ଲୋକ ନିଜ ସମସ୍ୟା ନେଇ ଯାଆନ୍ତି ଗୋବିନ୍ଦ ବାବାଙ୍କ ପାଖକୁ ଓ ପୂର୍ଣ୍ଣ ହସ୍ତରେ ସହାସ୍ୟ ବଦନରେ ଫେରନ୍ତି।

ଗଉରା ପହଁଚିଲା ଗୋବିନ୍ଦ ବାବାଙ୍କ ଆଶ୍ରମରେ।ଏଡ଼େ ଛୋଟ ପିଲା ସମସ୍ୟା ଧରି ଆସିଛି ଜାଣି ବାବା ଆଶ୍ଚର୍ଯ୍ୟ ଓ ପରେ ଆନନ୍ଦିତ ହେଲେ।ବାବା ଶ୍ରଦ୍ଧାରେ ଗଉରାକୁ ଡାକି ପାଖରେ ବସାଇଲେ।ତାର ପରିଚୟ ଓ ଆସିବାର ଅଭିପ୍ରାୟ ପଚାରିଲେ।ଗଉରାଠୁ ସବୁ କଥା ଶୁଣି ସେ କେବଳ ତାକୁ କିଛି ସାଧାରଣ କଥା ପଚାରିଲେ।ତୁମେ କେତେବେଳେ ଉଠ,କେତେବେଳେ ସ୍କୁଲ ଯାଅ, କେତେବେଳେ ଶୁଅ,ବିଦ୍ୟାଳୟ ନିୟମିତ ଯାଅ କି ନାଁ,ଗୃହକାର୍ଯ୍ୟ କେତେବେଳେ କର,ଖେଳାଖେଳି କେବେ କାହା ସହିତ କର ????ଇତ୍ୟାଦି ଇତ୍ୟାଦି ଏପରିକି ତାର ଦିନଚର୍ଯ୍ୟା ସମ୍ପର୍କରେ।ଗଉରା କହିଲା,ମୁଁ ଟିକେ ଅଳସୁଆ ଆଜ୍ଞା,ମୁଁ ପ୍ରତ୍ୟହ ଆଠଟାରେ ଉଠେ,ତରବର ହୋଇ ସ୍କୁଲ କୁ ଯାଏ,ଅଧିକାଂଶ ଦିନ ବି ସ୍କୁଲ ଯାଇପାରେ ନାହିଁ।ସ୍କୁଲ ର ନୀତିନିୟମ ବହୁତ କଡାକଡି,ଯେଉଁଠି କି ସ୍ବାଧୀନତା ନ ଥାଏ,ସେଥିପାଇଁ ମୁଁ ଅଧିକାଂଶ ସମୟ ଲୁଚି ଚାଲି ଆସେ।ଗୃହକାର୍ଯ୍ୟ କରି ଦେବା ମୋ ପାଇଁ କଷ୍ଟ ହୁଏ ସେଥିପାଇଁ ଶିକ୍ଷକ ମାନେ ମୋତେ ସମସ୍ତଙ୍କ ଆଗରେ ଅପମାନିତ କରନ୍ତି।ଗାଁ ପିଲାମାନେ କିନ୍ତୁ ମୋତେ ଡରନ୍ତି,ମୁଁ ଟିକେ ଡେରିରେ ପଡ଼ିଆରେ ପହଁଚିଲେ ଯଦି ଖେଳ ଚାଲିଥାଏ ତେବେ ମୁଁ ତାଙ୍କୁ ଧମକ ଦିଏ।ଏସବୁ କଥା ଛାଡ଼ନ୍ତୁ ଆଜ୍ଞା,ମୁଁ ଘଣ୍ଟା ଭିହ୍ନି ନଥିଲି ବୋଲି ସମସ୍ୟା ଥିଲା କିନ୍ତୁ ଏବେ ମୁ ସମ୍ପୂର୍ଣ୍ଣ ଚିହ୍ନି ସାରିଛି ହେଲେ କାହିଁ ମୁଁ ଭଲମଣିଷ ହେବା ପାଇଁ ଏ ଯାଏ ସମୟ ହୋଇନି ବୋଲି ସମସ୍ତେ କହୁଛନ୍ତି, ଅରାଜି ହେଉଛନ୍ତି।ବାବା ଟିକିଏ ଚିନ୍ତା କଲେ ,ସେ ଜାଣି ପାରିଲେ ଏ ଗଉରାଟା ସମ୍ପୂର୍ଣ୍ଣ ଅଜ୍ଞ।ପ୍ରକୃତରେ ଘଣ୍ଟା ଚିହ୍ନି ନାହିଁ।ସେ ଯେପର୍ଯ୍ୟନ୍ତ ନିଜକୁ ବୁଝିନାହିଁ,ଚିହ୍ନିନାହିଁ,ସେ କଣ ସ୍ୱୟଂ ଭଗବାନ ଆସିଲେ ବି ତାକୁ ବୁଝାଇ ପାରିବେ ନାହିଁ।ଗଉରା ତ ନିଜେ ନିଜର ବଡ଼ ସମସ୍ୟା।ତଥାପି ତାକୁ ଅପ୍ରିୟ ସତ୍ୟ କଥା ନ କହି ନିରୁତ୍ସାହିତ ନ କରି ସେ କହିଲେ,ବାବା ଗଉରା, ତୁମେ ବହୁତ ଭଲ,ତୁମ ପାଖରେ ସବୁ ସାମର୍ଥ୍ୟ ଅଛି,ମାତ୍ର ମୁଁ ଏବେ ସମ୍ପୂର୍ଣ୍ଣ ବ୍ୟସ୍ତ,ତୁମକୁ ମୁଁ କିଛି ଉପାୟ କହିବି ଯଦି ତୁମେ ମାନିବ,ଏକ ମାସ ପରେ ନିଶ୍ଚୟ ମୁଁ କହିଦେବି ତୁମେ ଭଲମଣିଷ ହୋଇପାରିବ କି ନାହିଁ।ମଣିଷ ଜୀବନର ସବୁଠୁ ବଡ଼ କଥା ହେଲା ଆଦର୍ଶ ଦିନଚର୍ଯ୍ୟା।ତୁମେ ମୋର କେବଳ ତିନୋଟି କଥା ମାନିବ,ପ୍ରଥମ ହେଲା ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟାତ୍ୟାଗ କରିବ, ଦ୍ବିତୀୟତଃ ରାତିରେ ଏକ ନିର୍ଦ୍ଧିଷ୍ଟ ସମୟରେ ଶେଜକୁ ଯିବ,ବାକି ରହିଲା ଅନ୍ତିମ...। ଶଯ୍ୟା ତ୍ୟାଗଠାରୁ ଭଗବାନଙ୍କୁ ଡାକି ଠିକ୍ ଠିକ୍ ସମୟରେ ପ୍ରତିଟି ସ୍ଥାନରେ ସବୁ କାମ ନିୟମିତ କରି ଶଯ୍ୟାକୁ ଯିବା ପୂର୍ବରୁ ଭଗବାନଙ୍କୁ ଡାକି ନିଦ୍ରା ଯିବା।ତୁମେ ଦିନର ସମସ୍ତ କାମ ତୁମ ନିଜ ଅନୁସାରେ ଆଜିଠୁ ଏକ ରୁଟିନ କରି କର।ଯଦି ଏତିକି କର ତେବେ ଏକ ମାସ ପରେ ନିଶ୍ଚୟ ମୋ ଆଶ୍ରମକୁ ଆସିବ।ତୁମ ପରି ଜଣେ ଉଦୀୟମାନ ଭଲ ଶିଶୁ ମୋ ଆଶ୍ରମରେ ପାଦ ଦେଲେ ମୁଁ କେବଳ ଖୁସି ନୁହଁ ବରଂ ନିଜକୁ ଧନ୍ୟ ମନେ କରିବି।ବାବାଙ୍କ କଥାରେ ସମ୍ମତି ଜଣାଇ ସାଷ୍ଟାଙ୍ଗ ପ୍ରଣିପାତ କରି ଆନନ୍ଦ ମନରେ ଘରକୁ ଫେରିଲେ।

  ସତରେ ଯେପରି ଆମ୍ର ବୃକ୍ଷ ଚାହିଁଥାଏ ବସନ୍ତକୁ,ବସନ୍ତ ଚାହିଁଥାଏ ମଳୟକୁ,ଆଉ ମଳୟ ଚାହିଁଥାଏ କୋଇଲିକୁ ଠିକ୍ ସେହିପରି ବାବା ଓ ଗଜରାର ଏ ମୁହୂର୍ତ୍ତ ଭକ୍ତ ଭଗବାନର ସମ୍ପର୍କ ପରି ଥିଲା।ଗଉରା ଗଢିଲା ଆଦର୍ଶ ଦିନଚର୍ଯ୍ୟା ର ସମୟ ନିର୍ଘଣ୍ଟ ତାଲିକା।ସେହି ଅନୁସାରେ କଲା ତା କାର୍ଯ୍ୟକଳାପ।ଘରେ ପିତାମାତା,ବିଦ୍ୟାଳୟରେ ଗୁରୁ,ପଡ଼ିଶାର ଗୁରୁଜନ ସମସ୍ତେ ଖୁସିରେ ବିହ୍ଵଳ।ଏଇମିତି ଦିନ ପରେ ଗଡିଚାଳିଲା ଦିନ।ଏକ ମାସ ପରେ ଗଉରା ର ଆଶ୍ରମକୁ ଗମନରେ ଥିଲା ଅପୂର୍ବ ଝଙ୍କାର।ସମସ୍ତ ତଥ୍ୟ ଜାଣି ବାବା କହିଲେ,ଗାଉରା ମୁଁ ତୁମ ଉପରେ ସନ୍ତୁଷ୍ଟ, ତୁମେ ଭଲମଣିଷ ହୋଇପାରିବ ଏଥିରେ ସନ୍ଦେହ ନାହିଁ।ମାତ୍ର ତୁମେ ସେଇ ମାନଙ୍କ ପାଖକୁ ଯାଅ ଯେଉଁମାନେ ତୁମକୁ ଭଲମଣିଷ ହେବାର ସମୟ ହୋଇନାହିଁ ବୋଲି କହିଥିଲେ।ସମସ୍ତଙ୍କୁ ଦେଖା କରିବା ପରେ ହିଁ ତୁମେ ମୋ ପାଖକୁ ଆସିବାକୁ ଭୁଲିବ ନାହିଁ।ପୁଅର ଆଦର୍ଶ ଦିନଚର୍ଯ୍ୟା ଦେଖି ବାପା ଖୁବ୍ ଖୁସି ଏଥର। ଗଉରା ବାପାଙ୍କ ପାଖକୁ ଗଲା।ଏଥର ତା ବାପାଙ୍କ ଆଦର ବିମୋହିତ କଲା ଗଉରାକୁ।ସେ ବି କହିଲେ,ମୁଁ ତୁମ ଉପରେ ପ୍ରୀତ,ତୁମେ ତୁମ ଶିକ୍ଷକଙ୍କ ପାଖକୁ ଯାଅ।ତା ପରଦିନ ବଳ ସାରଙ୍କୁ ଡେଖାକଲା।ଜଣେ ଆଦର୍ଶ ଛାତ୍ରର କର୍ତ୍ତବ୍ୟ ସମ୍ପାଦନ କରୁଥିବା ଅର୍ଥାତ ବଦଳି ଯାଇଥିବା ଗଉରା ଉପରେ ଖୁସି ହୋଇ ସାର୍ କହିଲେ ମୁଁ ତୁମ ଉପରେ ପ୍ରୀତ।ହେଲେ ତୁମେ ବିଷ୍ଣୁ ସାରଙ୍କ ପାଖକୁ ଯାଅ।ତାଙ୍କ ଆଶୀର୍ବାଦ ନିଅ।ଗଉରା ନିଷ୍ଣ୍ଣୁସାର ଙ୍କ ପାଖକୁ ଗଲା ।ନିଷ୍ଣ୍ଣୁସାର ଗଉରାକୁ କୁଣ୍ଢେଇ ପକାଇଲେ ଓ କହିଲେ ମୁଁ ତୁମ ଉପରେ ଅତ୍ୟନ୍ତ ପ୍ରୀତ।

  ମନରେ ଅଫୁରନ୍ତ ଆନନ୍ଦର ବାସ୍ନା ନେଇ ଗଉରା ଚାଲିଲା ବାବାଙ୍କ ନିକଟକୁ।ହେଲେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା ତା ଅବୁଝା ମନରେ।ଏବେ ତ ସମସ୍ତେ ବିମୁଗ୍ଧ ତା ଉପରେ।ତେବେ ସେ ଘଣ୍ଟା ଚିହ୍ନିବା ସହ ଭଲ ମଣିଷର ସମ୍ପର୍କ କ'ଣ ?ଯାଇ ବାବାଙ୍କ ପାଦ ତଳେ ସାଷ୍ଟାଙ୍ଗ ପ୍ରଣିପାତ କଲା।ବାବା ଗଉରାର ମନରେ ସରସତା ଦେଖି ତାକୁ ପାଖରେ ବସାଇଲେ ଓ ସମସ୍ତଙ୍କ ପ୍ରୀତ ଖବର ଶୁଣି ମୁଗ୍ଧ ହେଲେ।ଗଉରା ବାବାଙ୍କୁ ପଚାରିଲା,ବାବା ମୋ ପ୍ରଶ୍ନର ଉତ୍ତର ଆପଣତ ଦେଲେ ନାହିଁ? ବାବା କହିଲେ, ତୁମ ପ୍ରଶ୍ନର ଉତ୍ତର ତ ମୁଁ ଦେଇସାରିଛି ବତ୍ସ୍ୟ।ଘଣ୍ଟାକୁ ଚିହ୍ନିବା ମାନେ କେତେଟା ବାଜିଛି ନୁହଁ,ଯିଏ ଶଯ୍ୟାତ୍ୟାଗ ଠାରୁ ଶେଯ ଗ୍ରହଣ ପର୍ଯ୍ୟନ୍ତ ଘଣ୍ଟାର ସମସ୍ତ ମୁହୂର୍ତ୍ତ କୁ ଉପଯୁକ୍ତ ଭାବେ ବିନିଯୋଗ କରେ ସେ ଘଣ୍ଟାକୁ ପ୍ରକୃତ ଚିହ୍ନେ ବୋଲି କୁହାଯାଏ।ପୁନଶ୍ଚ ଯିଏ ସମୟର ପ୍ରତିଟି ମୁହୂର୍ତ୍ତକୁ ସମ୍ମାନ ଦିଏ ସେ ପରୋକ୍ଷରେବ  ସମୟାନୁବର୍ତ୍ତୀର  ମୁକୁଟ ପିନ୍ଧେ,ସେ ହିଁ ଭଲ ମଣିଷର ମଣିଷତ୍ୱକୁ ଆବାହନ କରେ।ଏଇ କେଇ ପଦ କଥା ଗଉରାକୁ ସମୟର ସଂଜ୍ଞା,ଗୁରୁତ୍ୱ ଓ  ମୂଲ୍ୟବୋଧ ସମ୍ପର୍କରେ ଦିଗ୍ ଦର୍ଶନ ଦେଇଥିଲା।ସେ ନିଜର ଭୁଲ ବୁଝିପାରିଲା ଓ ବାବାଙ୍କର ଅଗାଧ ଜ୍ଞାନ ଓ ଚତୁରତାକୁ ପ୍ରଶଂସା କଲା।ସମସ୍ତେ କହିଲେ ଏଥର "ଘଣ୍ଟାକୁ ଠିକ୍ ଭାବେ ଚିହ୍ନିଲା ଗଉରା।"

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments