OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ଗାଁରୁ ସିନେଟ୍ ଯାଏଁ - ଏକ ଅବଲୋକନ - ସତ୍ୟ ପ୍ରକାଶ ସେଠୀ

ଗାଁରୁ ସିନେଟ୍ ଯାଏଁ - ଏକ ଅବଲୋକନ - ସତ୍ୟ ପ୍ରକାଶ ସେଠୀ


"ଟିକି ମୋର ଗାଁଟି, ଭୂଗୋଳ ପୋଥି ପତରରେ ପଛେ ନଥାଉ ତା'ର ନାଁଟି" କଟକି ପାଟଣା ତା'ର ନାଁଟି, ଯେଉଁଠି ନୈସର୍ଗିକ ପ୍ରକୃତି ରାଣୀ ହସି ଉଠେ କୋଚିଳା ନଦୀର ଉପକଣ୍ଠେ ନାନା ଫଳ ପୁଷ୍ପ ସଜାଇ ଅତି ଯତନେ। ପୁଣି କେତେ ଜାତି ଜାତିକା ଦରବ ସବୁ ସିଏ ସାଇତି ରଖେ। ସେଇଠି ଅଛି ମୋ ସ୍ମୃତିର ଗନ୍ତାଘର, ବୋଉ ବୋଉକା ଓ ଗୁଳା ଡିଆଁ ବାଗୁଡ଼ି ଖେଳ ଆଉ ଡୁଡୁ ଖପରା ଡିଆଁ, ପୁଣି ମିଛି ମିଛିକା କଣ୍ଢେଇ ବାହାଘର। ସେଇଠି ଅଛି ଆମ ଗାଁ ବର ଗଛର ବର ଓହଳ ଓ ତେନ୍ତୁଳି ଗଛର ଲମ୍ବ ଡାଳ ଯେଉଁଠି ଚଢେଇ ବସା କରେ, ରାତିରେ ଭୁତ ଚାରିଗୁଣୀ ବାସ କରେ। ସେଇଠି ପୁଣି ଆମ୍ବ ତୋଟାରେ ମୁଁ ଡାଳ ମାଙ୍କୁଡି ଖେଳେ। ଖରା ବେଳେ ପଳାଶ ପତର ସିଆଁ ପତର ଥାଳି ଉପରେ କଟା କଞ୍ଚା ଆମ୍ବର ମଉଛବ କରି ମଜ୍ଜା ନିଏ। ସେଇଠି ପୁଣି ଅଛନ୍ତି ମୋ ବାରିକ ମଉସା, ଧୋବା ଭାଇ ନାଉରିଆ କକା, ଯାହାଙ୍କ ଠାରୁ ମୁଁ ପାଇଛି ସ୍ନେହ ଶ୍ରଦ୍ଧାର ପାରାବାର। ସେଇଠି ଅଛନ୍ତି ମୋ ସାଙ୍ଗ ସାଥୀ, କାଠୁରିଆ ଓ ଚଷା ଭାଇ – ଯାହାଙ୍କ ସ୍ନେହ ଶ୍ରଦ୍ଧାର ରୁଣ ସୁଝି ହେବ ନାହିଁ ଜୀବନ ଭରି।


ଆଜି ମୁଁ ସୁଦୂର ଆମେରିକା ସହରରେ, ହେଲେ କାହିଁକି କେ ଜାଣି ଅତୀତ କଥା ଭାରି ଗୋଟେ ରୋମନ୍ଥନ କରି ବସୁଛି। ସବୁ ଗୋଟି ଗୋଟି ହୋଇ ଯେମିତି ସ୍ମୃତି ଭାଲ ପଟେ ଉଇଁକି ଉଠୁଛି। ସବୁ କିଛି ଥେଇ ଥେଇ ହୋଇ ଯେମିତି ଆଖି ସାମ୍ନାରେ ନାଚି ଉଠୁଛି। ବାସ୍ତବରେ ବହୁତ ଭାବୋଦ୍ଦୀପକ ସେ ଅତୀତ ମୁହୂର୍ତ୍ତ। ମୋ ଏନ୍ତୁଡ଼ିଶାଳ, ମୋ ଧୂଳି ଘର, ମୋ ପିଲା ବେଳ, ସାଙ୍ଗ ସାଥୀ ସବୁ କିଛି ରହିଛି ସେଠି ଲାଖି। ଆହାକି ସୁନ୍ଦର ସେ ସ୍ମୃତି ବିଜଡିତ ପ୍ରତିଟି ମୁହୂର୍ତ୍ତ ଯେଉଁଠି ଅଟକି ଯାଏ ମୋ ମନର ଅପାର ସାମ୍ଭ୍ରମ୍ଯ। ଆଉ ଥରେ ଏମିତି ହଟକି ଯା'ନ୍ତି କି ପୁଣି ସେଇଠି ଲଟକି, ଭାରି ଭଲ ଲାଗନ୍ତା, ପିଛିଲା କଥା ଗୁଡ଼ାକ ସବୁ ମାଡି ବସନ୍ତା। ହେଲେ ଅତୀତ କି ବର୍ତ୍ତମାନ ହୋଇ କେବେ ସେ ଆଉ ଫେରେ? ଏମିତି ଭାବୁ ଭାବୁ ଦୁଃଖ ଓ ଅବସାଦରେ ଗୋଟିଏ ଦୀର୍ଘ ନିଶ୍ଵାସ ପକାଇଲେ – ସିନେଟର ମୁକ୍ତିକାନ୍ତ ନାୟକ। ନିଜକୁ କିଛିଟା ପ୍ରକୃତିସ୍ଥ କରି ନେଇ ପତ୍ନୀକୁ ଡାକ ଛାଡିଲେ.. "କପେ ଚା" । ତହିିଁ ଉତ୍ତାରୁ….

ତାଳ ତମାଳ ଓ ନଦ ନଦୀ ଘେରା କଟକି ପାଟଣା ଗାଁଟି ପୁରୁଷ ପୁରୁଷ ଧରି କେଉଁ କାଳରୁ ଦଣ୍ଡାୟମାନ ସେହି କୋଚିଳା ନଦୀ କୂଳରେ, ଯାହାର ମୂକ ସାକ୍ଷୀ ଏଇ ଥୁଣ୍ଟା ବରଗଛ ଓ ଗ୍ରାମ ଦେବତୀ ବୁଢୀ ଠାକୁରାଣୀ। ତା'ର ଅମା ଅନ୍ଧକାର, ଆଲୋକ, ଉଷା, ପ୍ରଦୋଷ ସବୁ କିଛି ଏକ ଭିନ୍ନ ପରମ୍ପରାର ଅବଶେଷ।ତା' ର ବନ ପ୍ରାନ୍ତର , ସବୁଜ ବନାନୀ ଓ ଶସ୍ୟ କ୍ଷେତ ଅପରୂପ ସୌନ୍ଦର୍ଯ୍ୟରେ ଭରା। ଯାହାର ପ୍ରାକୃତିକ ଦୃଶ୍ୟପଟ୍ଟ ଅତ୍ୟନ୍ତ ମନ ଲୋଭ ଦୀପ୍ତିମୟୀ ଆଭା। ସେଇଠି ପୁଣି ଜନ୍ମ ନିଅନ୍ତି ବହୁ ପଥିତଯଶା ମୁକ୍ତିକାନ୍ତ ନାୟକ ଏକ ଗରୀବ କ୍ଷୁଦ୍ର କୃଷି ଓ କୃଷିକାରୀ ପରିବାରରେ। ବାପା ମାଆଙ୍କ ମନରେ ଅନେକ ଉତ୍ସାହ ଓ ଉଦ୍ଦୀପନା, ଅନେକ ସ୍ଵପ୍ନ – "ପୁଅ ଆମ ଦିନେ ବଡ଼ ହେବ। ପାଠ ପଢି ପରିବାରର ନାଁ ରଖିବ। ଦେଶ ଓ ମାଟି ପାଇଁ ଗୌରବ କିଣିବ। ତେଣୁ ଯେମିତି ହେଲେ ତାକୁ ପଢ଼ାଇବାକୁ ହେବ" ।



ଗ୍ରାମ ଚାଟଶାଳୀରେ ପାଠ ପଢା ସରିଲା ପରେ ସୁଦୂର ଐହାସ ସ୍କୁଲରେ ପଢ଼ିବା ପାଇଁ ଗଲେ ଶ୍ରୀକାନ୍ତ। ବାଟରେ କୋଚିଳା ଓ ବୈତରଣୀ ନଦୀ ଦ୍ୱୟ ପାରି ହେବାକୁ ପଡିଥାଏ । ନିକଟରେ ବିଦ୍ୟାଳୟ ନଥିବାରୁ ନାହିଁ ନଥିବା ସମସ୍ୟା। ସମସ୍ତ ପ୍ରାକୃତିକ ପ୍ରତିବନ୍ଧକ ସତ୍ତ୍ଵେ ନିଜର ଗଭୀର ଆତ୍ମବିଶ୍ବାସ ଓ ପ୍ରଚଣ୍ଡ ଅଧ୍ୟବସାୟ ନିଶା ତାଙ୍କୁ ବାଟ କଢେଇ ନେଇ ଯାଉଥାଏ ବିଦ୍ୟାଳୟ ଯାଏଁ। ଅବଶ୍ୟ ନଦୀ ପାର ହେବା ପାଇଁ ତାଙ୍କୁ ଭୋଇ ମଉସା ଓ ଘନିଆ ଭାଇ କାନ୍ଧର ସାହାଯ୍ୟ ନେବାକୁ ପଡୁଥାଏ। ଯାହାବି ହେଉ ପିଲାଟି ଯେତେବେଳେ ସବୁ ଶ୍ରେଣୀରେ ପ୍ରଥମ ହେଉଛି ତା' ପଢ଼ା ବା କେମିତି କିଏ ରୋକି ପାରନ୍ତା? ସମସ୍ତଙ୍କର ଆଶା ଓ ବିଶ୍ବାସ ସେ ଦିନେ ନା ଦିନେ ନିଶ୍ଚୟ ଗାଁ ମାଟିର ନାଁ ରଖିବ। ତେଣୁ ସାହି ଭାଇ ଠାରୁ ଆରମ୍ଭ କରି ଗାଁ ଲୋକ ଓ ପାଖ ପଡ଼ୋଶୀ ମଧ୍ୟ ଭାରି ଆଗ୍ରହ ପ୍ରକାଶ କରନ୍ତି – "କାକ୍ତିକାନ୍ତ ଆମର ପାଠ ପଢୁ "। ଯେଉଁଦିନ ସେ ମାଟ୍ରିକ୍ ପରିକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହେଲେ ଏବଂ ରେଡିଓ ତଥା ସମ୍ବାଦ ପତ୍ରରେ ତା'ଙ୍କ ନାଁଟା ବାହାରିଲା, ଗାଁ ଲୋକଙ୍କର କି ଖୁସି? ମୁକ୍ତିକାନ୍ତକୁ ଧରି ଆଗ ଦମେ ଖଣ୍ଡ ନାଚି ପକାଇ ଗାଁ ହୁଲୁସ୍ତୁଲୁ କଲେ, ସମସ୍ତେ ନାଚି ନାଚି ବେଦମ – "ଶ୍ରୀକାନ୍ତ ଆମର ଫାଷ୍ଟ ହୋଇଛି "।

ତା'ପର ଠାରୁ ସେ ଆଉ ପଢ଼ା କ୍ଷେତ୍ରରୁ ହଟି ନାହାଁନ୍ତି। ପ୍ରଥମେ ରେଭେନ୍ସା କଲେଜ, ପୁଣି ବୁର୍ଲା ଇଞ୍ଜିନିୟରିଂ କଲେଜ ଓ ଶେଷରେ କାନପୁର ଆଇ. ଆଇ. ଟି. ରୁ ଏରୋସ୍ପେସ ଇଞ୍ଜିନିୟରିଂ ସମାପ୍ତ କରି ଏକାବେଳକେ ମାହାକାଶ ଯାତ୍ରୀ ଓ ଆମେରିକାର ମାହାକାଶ ଗବେଷଣା କେନ୍ଦ୍ରରେ ଅବସ୍ଥାପିତ ହୋଇ ଜଣେ ସଫଳ ମହାକାଶ ବୈଜ୍ଞାନିକ ରୂପେ ବେଶ୍ କିଛି ସୁଖ୍ୟାତି ଅର୍ଜ୍ଜନ କରି ପାରିଛନ୍ତି। ଏବେ ସେ ଆମେରିକାର ବାସିନ୍ଦା, ନାଗରିକତ୍ୱ ମଧ୍ୟ ଗ୍ରହଣ କରି ସାରିଛନ୍ତି। ଚାକିରିରୁ ଅବସର ଗ୍ରହଣ କଲା ପରେ ଏଣିକି ସେ ଆମେରିକାର ସିନେଟର ରୂପେ ନିର୍ବାଚିତ। ସ୍ତ୍ରୀ, ପୁଅ ଓ ଝିଅ ସମସ୍ତେ ଡାକ୍ତର। ନିଜର ଗୋଟିଏ ବଡ ସୁପର ହସ୍ପିଟାଲ ଆମେରିକାରେ ଅଛି। ଆହୁରି କେତେ କ'ଣ ବ୍ୟବସାୟିକ ପ୍ରତିଷ୍ଠାନ ଓ ଶିଳ୍ପ ଉଦ୍ୟୋଗ ମଧ୍ଯ ରହିଛି। ଜଣେ ଅରବ ପତି ରୂପେ ସେ ବେଶ୍ କିଛି ଅର୍ଥୋପାର୍ଜନ କରିପାରିଛନ୍ତି। ତାଙ୍କର ବଦାନ୍ୟ ଓ ଭଲ ଗୁଣ ପାଇଁ ମଧ୍ୟ ସେ ବେଶ୍ କିଛି ସୁଖ୍ୟାତି ଅର୍ଜନ କରିଛନ୍ତି। ଯେତକ ସାମାଜିକ କ୍ରିୟାନୁଷ୍ଠାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନରେ ତାଙ୍କର ପ୍ରତ୍ୟେକ୍ଷ ସମ୍ପୃକ୍ତି ଥାଏ। Migrated Asian Continent American People 's Association ର ସେ ମଧ୍ୟ ସଭାପତି। ଭାରତୀୟ ସଂସ୍କୃତି ଓ ଦେଶୀୟ ସଂସ୍କୃତିର ଜୟଗାନ ତଥା ପ୍ରଚାର ଓ ପ୍ରସାର ଆମେରିକାରେ ତାଙ୍କରି ପାଇଁ ହିଁ ସମ୍ଭବ ହୋଇଥାଏ। ବାସ୍ତବରେ ସେ ଜଣେ ମହାନୁଭବ ଲୋକ। ଯିଏ କି ମନ, ପ୍ରାଣ ଓ ହୃଦୟରେ ନିଜ ମାଆ, ମାଟି ଓ ମାତୃଭାଷାକୁ ଭଲ ପାଉଥିବା ଏକ ନିଆରା ବ୍ୟକ୍ତିତ୍ଵ।

ଦିନକର କଥା। ଥରେ ତାଙ୍କ ମାଆ ଆମେରିକା ବୁଲି ଯାଇଥିଲେ, ଯିଏ କି ଶତାୟୁ, ଅଧୁନା ଶହେ ଦୁଇ ବର୍ଷରେ ପଦାର୍ପଣ କଲେଣି। ସିଏ ଦିନେ ମୁକ୍ତିକାନ୍ତଙ୍କୁ ପାଖକୁ ଡାକି କୋଳରେ ବସାଇ ମୁଣ୍ଡ ଆଉଁସି ଦେଉ ଦେଉ କହିଲେ – "ତୁ ମୋତେ ଗୋଟେ କଥା ଦେ', ପ୍ରତିଜ୍ଞା କର! ମୋତେ ଆଉ କେବେ ବି ଆମେରିକା ଆଣିବୁ ନାହିଁ। ଥରକେ ମୋତେ ଆମେରିକା ଆଣି ପାଞ୍ଚ ଲକ୍ଷ ତିନି ଲକ୍ଷ ଖର୍ଚ୍ଚ କରୁଛୁ, ହେଲେ ଗାଁରେ ଯେଉଁ ଧୋବା, ବାରିକ ଓ ନାଉରି ଭାଇ ଏବଂ ତୋତେ ପଚା ନାଉ କରି କରି ନଦୀ ପାରି କରି ପାଠ ପଢେଇବାକୁ ନେଇ ଯାଉଥିବା ମଣିଷମାନଙ୍କ ପାଇଁ ତୁ କଲୁ କ'ଣ? ଯେଉଁମାନେ ତୋତେ ଏଡ଼ୁଟେରୁ ଏଡୁଟେ କଲେ ସେମାନଙ୍କ ପାଇଁ କ' ଣ ତୋର କିଛି କର୍ତ୍ତବ୍ୟ ନଥିଲା? ତେଣୁ ମୋ ପାଇଁ ଯେଉଁ ପଇସା ତୁ ଖର୍ଚ୍ଚ କରୁଛୁ ସେହି ପଇସାକୁ ତୁ ସେହିମାନଙ୍କ ଭିତରେ ପ୍ରତି ବର୍ଷ ବାଣ୍ଟି ଦେ '। ସେଇଥିରେ ମୋ ଆତ୍ମା ଶାନ୍ତି ପାଇବ, ପରିତୃପ୍ତିରେ ମୋ ଅନ୍ତର ଭରି ଉଠିବ-ଏ କଥା ଜାଣି ଯେ, ତୁ ତୋ କର୍ତ୍ତବ୍ଯ କରିଛୁ, ସେମାନଙ୍କ ଦାନର ପ୍ରତିଦାନ ଦେଇପାରିଛୁ।"



ସେଦିନ ମହାକାଶ ଗବେଷଣା କେନ୍ଦ୍ରର ଖ୍ୟାତନାମା ବୈଜ୍ଞାନିକ ତଥା ଔଦିଗପତି ମୁକ୍ତିକାନ୍ତ ନାୟକ ଖୁବ୍ ଗମ୍ଭିର ହୋଇ ପଡିଥିଲେ। "ଦେଲୁ ତୁ ମୋତେ ମହାଶିକ୍ଷା" ବୋଲି ପାଟିରୁ ଝରି ପଡିଥିଲା। ନିଜର କୋହକୁ ସମ୍ଭାଳି ନପାରି ଭାବ ବିହ୍ଵଳ ହୋଇ କାନ୍ଦି ପକାଇଥିଲେ। ଆଖିରୁ ବୋହି ଆସୁଥିଲା ଲୋତକର ବାରିଧାରା। ମନରେ ସ୍ରୁଷ୍ଟି ହେଉଥିଲା ଭାବାନ୍ତର ।ହୃଦୟରେ ଦେଖା ଦେଲା କ୍ଷତ। ଅନୁତାପ ଓ ପଶ୍ଚାତ୍ ତାପର ନିଆଁରେ ସେ ଝଲସିବାକୁ ଲାଗିଲେ। ସେହି ଦିନ ଠାରୁ ଆରମ୍ଭ ହେଲା ମିଶନ -" ସଂସ୍କୃତି ଓଡିଆ "ସ୍ଲୋଗାନ୍ – "ମାଆ, ମାଟି ଓ ମାତୃଭୂମି"। ଦରବାର – " ଓଡିଆ ସମାଜ ସମ୍ମିଳନୀ"।

ଶରୀର ଆମେରିକାରେ ଥିଲେ ହେଁ ମନ ଆଉ ଥୟ ଧରୁ ନଥାଏ। ହୃଦୟଟା ଓଡିଶା ଭୂଇଁରେ। କୋଟି କୋଟି ଟଙ୍କା ଉପାର୍ଜନ କରୁଥିଲେ ହେଁ ଆଉ ମାନସିକ ଶାନ୍ତି ମିଳୁ ନାହିଁ। ମନ କହିଲାଣି ମାତୃଭାଷା ଓ ମାତୃଭୂମି ପାଇଁ କିଛି କରିବା ପାଇଁ। ତେଣୁ ହୃଦୟ ତାଙ୍କର କାନ୍ଦୁ ଥାଏ। ଜନ୍ମ ମାଟିର ସେବା କରିବା ପାଇଁ ସେ ଏକ ପ୍ରକାର ବ୍ୟଥିତ। ଅତୀତରେ ଅନେକ ଓଡିଶା ତଥା ଓଡିଶା ବାହାରର ବଡ଼ ବଡ଼ ଭାରତୀୟ ନେତୃମଣ୍ଡଳୀ ଆମେରିକା ଆସିଛନ୍ତି ଓ ତାଙ୍କର ମଧ୍ୟ ଆତିଥ୍ଯ ଗ୍ରହଣ କରିଛନ୍ତି। ସିଏ ବି ନେତୃତ୍ୱ ନେଇ NRI ମାନଙ୍କ ଠାରୁ କିଛି ମୋଟା ରକମର ଆଣି ସେମାନଂକୁ ଦେଇଛନ୍ତି। ଉଦ୍ଦେଶ୍ଯ – ନିଜ ଦେଶ ଓ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ସାଧନ। ହେଲେ କିଛି ନିର୍ଦ୍ଦିଷ୍ଟ ଭାବେ ଆଖି ଦୃଶିଆ କାର୍ଯ୍ୟ ସାଧିତ ହୁଏ ନାହିଁ, ସବୁ ଖାଇ କି ଏମାନେ ଗୋଲ କରି ଦିଅନ୍ତି। ଏଥିରେ ତାଙ୍କ ମନ ଭାଙ୍ଗି ଯାଏ ।ରାଜନୈତିକ ନେତାଙ୍କ ଉପରୁ ତାଙ୍କର ଭରସା ତୁଟେ। ତେଣୁ ଏବେ ସେ ନିଜେ ଅଣ୍ଟା ଭିଡିଛନ୍ତି। ନିଜର ଏକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗଢି ଓଡ଼ିଶାର ଗାଁ ଗହଳିରୁ ଗରୀବି ହଟେଇବା ତାଙ୍କର ଲକ୍ଷ୍ଯ। ଚାଷୀ ମୂଲିଆ ମାନଙ୍କ ପାଇଁ ଯୋଜନା ପ୍ରସ୍ତୁତ ହେଲାଣି। ବେକାରୀ ସମସ୍ୟା ଦୂରୀକରଣ ପାଇଁ କିଛି ଆର୍ଥିକ କର୍ମ ସଂସ୍ଥାନ ସ୍ରୁଷ୍ଟି କରିବେ ।ମହିଳା ସଶକ୍ତିକରଣ ଓ ଶିଶୁ ବିକାଶ କଲ୍ଯାଣ ଯୋଜନାମାନ ହାତକୁ ନେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଦେଶରୁ ଅଶିକ୍ଷା ଅନ୍ଧକାର ଦୂର କରି ଶିକ୍ଷାର ପ୍ରଚାର ଓ ପ୍ରସାର କରିବା ସଙ୍ଗେ ସଙ୍ଗେ ଶିକ୍ଷାର ମାନଦଣ୍ଡ ଓ ଶିକ୍ଷାୟତନର ଅଭିବୃଦ୍ଧି କରିବା ପାଇଁ ମଧ୍ଯ ସେ ଚେଷ୍ଟିତ। NRI ମାନଙ୍କୁ ଏକତ୍ରୀକରଣ କରି ଓଡ଼ିଶାର ଗୋଟିଏ ଗୋଟିଏ ଗାଁକୁ ପୃଷ୍ଠପୋଷକତା କରି ତାହାକୁ ମଡେଲ ଭିଲେଜରେ ପରିଣତ କରିବା ତାଙ୍କର ଲକ୍ଷ୍ୟ ଓ ସ୍ଵପ୍ନ । ଦେଖାଯାଉ ମିଶନ 'ଓଡିଶା ଓ ସଂସ୍କୃତି ଓଡିଆ'ର ଗତି କେଉଁ ଆଡକୁ ଯାଉଛି।

ଆମ ରାଜନେତା ତ ପ୍ରକୃତ ସମାଜ ସେବୀମାନଙ୍କୁ ସହି ପାରନ୍ତି ନାହିଁ। ଖାଲି ବାଟ ଓଗାଳିବେ। କାଳେ ଏମାନେ ଗାଦି ମାଡି ବସିବେ ସେଥିପାଇଁ ଖାଲି ବାଟ ଛେକିବେ ଓ ସୁବିଧା ସୁଯୋଗ ଉଣ୍ଡି ଅମୃତ ଭାଣ୍ଡରେ ଭାଣ୍ଡିଆ ହୋଇ ଖାଲି ବିଷ ମିଶାଇବେ। ଏତେବେଳେ ମୁକ୍ତିକାନ୍ତଙ୍କ ସ୍ଵପ୍ନ ବାସ୍ତବ ରୂପରେଖ ନେଇ ପାରିବ କି ନା ମନରେ ସନ୍ଦେହ ଉପୁଜିଛି। ମୁଁ ତ ଆଶାବାଦୀ, ହେଲେ ଆପଣମାନେ କେତେଦୂର ଏହି ଯୁକ୍ତି ସହିତ ସହମତି ହୋଇ ପାରିବେ? କେତେଦୂର ସହଯୋଗ ଓ ସହନଶୀଳ ମନୋବୃତ୍ତି ରଖି ଉକ୍ତ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ପାରିବେ?- ସେଇ କଥାରେ ମୋର ଟିକିଏ ସନ୍ଦେହ ରହିଛି। ସବୁ ସେଇ ଉପରବାଲା ହାତରେ…। ଜୟ ସଂସ୍କୃତି ଓଡିଆ .. ଜୟ ତୁ ଉତ୍କଳ ଜନନୀ…।

"ମାଟି ନୁହେଁ ସେ ତ ଏ ଦେଶ ମାଆଟି
ନାଆଁଟି ସିନା ତା ମାଟି
ଚଷା ଭାଇ ଆମ ଫଳାଏ ଯହିଁଟି
ଫଳ ପୁଷ୍ପ ପିଟି ବା'ଟି।"


Writer's Details: ସତ୍ୟ ପ୍ରକାଶ ସେଠୀ
ଉପ ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ଭଦ୍ରକ
Content Category:
Submission Date: May 27, 2019

0 Comments