OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ଫେସନ୍ ଆଜିର - ହାସ୍ୟମୟୀ ରାଜ୍

ଫେସନ୍ ଆଜିର - ହାସ୍ୟମୟୀ ରାଜ୍



ସିନ୍ଦୁରା ଫାଟିବା ଠାରୁ
ବିଛଣା ଧରିବା ଯାଏ
ଅହରହ ଧାଉଁଛି ଜୀବନ,
ପାଠର ଭୋକ ଭିତରେ
ଅଣନିଃଶ୍ୱାସୀ ସରଳ ଶୈଶବ,
ମଧୁର ବାଲ୍ୟ
କୋମଳ କୈଶୋରର
ଛନ୍ଦହୀନ ଦିନ ।
ବାତାୟାନର ମୁକ୍ତ ପବନ
ଶାନ୍ତ ସକାଳକୁ
ଆବାହନ କଲାବେଳେ
ତା ଫାଙ୍କରେ ମୁଁ ଦେଖେ
କଂକ୍ରିଟର ଆସ୍ତରଣ ଭିତରେ
ସତ୍ତା ହରାଇଥିବା
ଆମ ଘର ପାଖର
ଧୂଳି ଧୂସରିତ ଦାଣ୍ଡ ,
ଧାଡି ଧାଡି ଟ୍ୟୁସନ ପିଲାଙ୍କ
ସାଇକେଲ୍ ର ସର୍ ସର୍ ଶବ୍ଦ
ଅବା ଯାତ୍ରାରୁ ଫେରିଲା ଭଳି
ଦଳ ଦଳ ପିଲାଙ୍କର
ଅଯତ୍ନ କୋଳାହଳ ଓ ପାଟିତୁଣ୍ଡ ।
ଏବେ ଫେସନ ହେଇଛି ଟ୍ୟୁସନ
ଘରେ ନିଜେ ବସି ପାଠ ପଢିବାଟା
ଆଉ କାମ ନୁହଁ
ମା ବାପାଙ୍କ ପାଇଁ
ଏହା ଏକ ବିରାଟ ଟେନ୍ ସନ୍ ।
ସକାଳୁ ସକାଳୁ
ଖାଇବାକୁ ଦେବାରେ
ମା ପୁରାପୁରି ଓସ୍ତାଦ,
ପାଠର ହିସାବ ରଖୁଚି କିଏ ?
ବ୍ୟାଗ୍ ଧରି ବାହାରି ଗଲେ ପୁଅ
ସଅଳ ସାରିବ ତା ବାସିକାମ,
ହଁ ଏହାବି ତ ସତ
ତାକୁ ବି କୋଉ ଅଛି ଫୁରୁସତ୍,
କେମିତି ର, ଠ, କାମସାରି
ଗୋଡ ହାତ ଲମ୍ବେଇ
ବସିଯିବ ସେ ଟିଭି ପାଖରେ,
ସିରିଏଲ୍ ର ଆଜିର ମୋଡଟା
କୁଆଡ଼କୁ ଯିବ
ମନ ଭିତରେ ଆଙ୍କୁଛି ସେ ଚିତ୍ର,
ତା ଛଡା ମୋବାଇଲ୍ ବି ତ କାମ ବହୁତ୍ ।
ଆଜିର ମା ମାନେ ବହୁତ୍ ଚାଲାକ୍
ମନଟା ସବୁବେଳେ ଉଛନ୍ନ
କେମିତି ନହେବେ ?
ସ୍ବୟଂସହାୟକ ଗୋଷ୍ଠୀ ହିଁ
ଦେଇଛି ତାଙ୍କୁ ଏ ଅବଦାନ,
ଏବେ ବ୍ୟାଙ୍କ୍ ରେ ଦେଖ
ଖାଲି ସେମାନଙ୍କ ଭିଡ
ମିଟିଂ, ପାର୍ଟି, ଗୁଲିଗପ
ଏଇ ବାହାନାରେ
ସେମାନେ ହେଇଛନ୍ତି
ଏବେ ଅଲ୍ଟ୍ରାମଡର୍ନ  ।
ସବୁଠୁ ଆଶ୍ଚର୍ଯ୍ୟ ଲାଗେ
ଏବେ ଚାରିଟାରେ ସ୍କୁଲ୍ ଛୁଟି ପରେ ପରେ
ପିଲା ଘରକୁ ନଯାଇ
ସିଧା ସିଧା ଯାଏ ଟ୍ୟୁସନ
କ'ଣ ସେ ଯେ ପାଠ ପଢେ
ଭାବେ କ'ଣ ହେଇଗଲା ଏ ସମୟ,
ମନେପଡେ
ଚାରିଟାରେ ସ୍କୁଲରୁ ଫେରିଲେ
ଅପେକ୍ଷାରେ ଥାଏ ମା
ବାଢିଦିଏ ସରାଗରେ ଭାତ
ଖାଇସାରି ହସ୍ତାକ୍ଷର ଦୁଇଧାଡ଼ି ଲେଖିଦେଇ
ମନ ଇଛା ଖେଳୁଥିଲୁ
କଙ୍କି ଆଉ ପ୍ରଜାପତି ସହ ।
ସେଇ ପ୍ରକୃତିକୁ ବୁଝି ନ ଥିଲେ
ଆଜି କ'ଣ ଶବ୍ଦ ସହ
ଯୋଡି ପାରିଥାନ୍ତି ସମ୍ପର୍କ ?
ବିଷାଦରେ ହୃଦୟଟା ହୁଏ
ହାହାକାର ମୟ ।
ଭବେ
ଏବେ ପିଲାଟା
ଏତେ ପାଠ ପଢିବା ଭିତରେ
ହେଇଯାଉଛି କେମିତି ଅମଣିଷ,
ଦୋଷ କାହାର ?
ଟିଭି, ମୋବାଇଲ୍
ନା ଆମେ ଦେଉଥିବା ସଂସ୍କାର ।
ଭାବିଲି ଦିନେ
ବହୁତ୍ ପଢା ହୋଇଗଲା ଘରେ
ପଠେଇବି ପୁଅକୁ
ଇଂଲିଶ୍ ଟ୍ୟୁସନ୍,
ସାର୍ କହିଲେ
ଆଉ କେତେବେଳେ ନାହିଁ ସମୟ
ଆସିବ ତ ଆସୁ ଚାରିଟାରେ
ସ୍କୁଲ୍ ଛୁଟି ପରେ,
ପୁଅ କହିଲା ବୋଉ!
ଯଦି ଚାରିଟାରେ ଯିବି ଟ୍ୟୁସନ୍
ତେବେ ଖେଳିବି କେତେବେଳେ କହ ?
ସେଇଦିନୁ ମୋର ବନ୍ଦ୍ ହୋଇଗଲା ମୁହଁ
ଖୁସିହେଲି ଯାହାହେଉ
ସତକଥାଟା କେମିତି
ବୁଝିପାରିଚି ମୋ କୁନି ପୁଅ ।।

Writer's Details: ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: May 24, 2019

0 Comments