କ୍ଷୁଦ୍ରଗଳ୍ପ - ଏଇ ଘର ମୋର ସ୍ୱର୍ଗ - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ଏଇ ଘର ମୋର ସ୍ୱର୍ଗ - ନାରାୟଣ ଚନ୍ଦ୍ର ସେନାପତି

ବାପା ବାପା, ମୁଁ ଏ ଘରେ ରହିବାକୁ ଚାହେଁନା । ମୁଁ ସ୍ୱର୍ଗକୁ ଯିବାକୁ ଚାହେଁ।ଛି ଛି ଏଠି ଏତେ ଅପରିଷ୍କାର, ଅସନା, ଏ ଲୋକଗୁଡ଼ାକ କି ଅସୁନ୍ଦର ! ସ୍ଵର୍ଗରେ ନା ଦେବା ଦେବୀ ଥିବେ, ରମ୍ଭା, ମେନକା ପରି ସୁନ୍ଦରୀ ଥିବେ, ଅପ୍ସରୀ ମାନେ ବି ଥିବେ, ଦିବ୍ୟ ମହଲ, ସବୁବେଳେ ସୁଗନ୍ଧ ମହକୁଥିବ ! ଏଠି ଗୋବର ଗାଡ଼ିଆ, ପଚା ଫଳ ପଡିଥିବା ପଡିଆ,ଘରେ ତ ପରିବା ଚୋପା, ଅସ୍କରା ପାଣି, ଏଇଠି ମଣିଷ ରହେ ? ଏଇମିତି ବ୍ୟତିବ୍ୟସ୍ତ ଓ ବିବ୍ରତ ହୋଇ କହୁଥାଏ ଅଭୟ ତା ବାପା ମଳୟକୁ । କଣ କହିବ, କେମିତି ବୁଝାଇବ ସେ କଳ୍ପନା କରି ପାରିଲାନାହିଁ ମଳୟ ।

ମଳୟ ମାଟିର ମଣିଷ, ସାଧାରଣ କୃଷକଟିଏ।ତିନୋଟି ଝିଅ ପରେ ଠାକୁରଙ୍କୁ ଡାକି ଶେଷରେ ପାଇଛି ଏ ପୁଅଟି।ଜନ୍ମରୁ ଛୋଟାଟିଏ।ଦେଖିବାକୁ ଅତି ଅସୁନ୍ଦର ହେଲେ ସମସ୍ତଙ୍କୁ ଅସୁନ୍ଦର କହିବା ତାର ବଦଭ୍ୟାସ।ମନରେ କେବେ ବି ସରସତା ନାହିଁ।ଆଦର କରିବା,ଭଲ ପାଇବା,ପ୍ରଶଂସା କରିବା,ମିଳାମିଶା କରି ଆନନ୍ଦ ପାଇବା ଠାରୁ ସେ ବହୁତ ଦୂରରେ।ଏଥିପାଇଁ ମଳୟ ବହୁତ ବିବ୍ରତ।ସବୁଦିନ ପରି ସେଦିନ ସନ୍ଧ୍ୟାରେ ହସଖୁସି ମଜା କରୁଥାନ୍ତି ସମସ୍ତେ।ମଳୟ କହିଲେ ଏଇ ଘର ଏଇ ପରିବାର ସତରେ  ଆମ ସ୍ୱର୍ଗ।ହଠାତ୍ ରାଗ ତମ ତମ ହୋଇ ଉଠିଗଲା ଅଭୟ।କହିଲା ବାପା,ଏଇ ଛଣ ଛପର ମାଟି କୁଡ଼ିଆ ଘରକୁ କହୁଛ ସ୍ୱର୍ଗ।ତୁମେମାନେ ଜାଣିଛ ସ୍ୱର୍ଗ କଣ ? ମୁଁ ଯାଉଛି ଆମ ଗାଁ ସାଧୁଆ ବୁଢାକୁ ପଚାରେ ସ୍ୱର୍ଗ କଣ, କେଉଁଠି ଅଛି।

ଅଭୟ ଚାଲିଲା ସାଧୁଆ ବୁଢା ପାଖକୁ।ସାଧୁଆ ବୁଢା ନିପଟ ମୁର୍ଖଟିଏ।କିନ୍ତୁ ଗାଁ ର ଯେତିକି ମୂର୍ଖ ଅସାମାଜିକ ତାକୁ ଭଲ ପାଆନ୍ତି।କାରଣ ସେ ଅଜବ ଅଦ୍ଭୁତ କଥା କହି ସମସ୍ତଙ୍କୁ ଖୁସି କରାଏ।ଅଭୟ ଯାଇ ପଚାରିଲା,ଏ ଅଜା ବୁଢା କହିଲ ଦେଖି ସ୍ୱର୍ଗ କଣ, କେଉଁଠି ଅଛି,କିଏ ରହେ,କଣ ହୁଏ ଇତ୍ୟାଦି ଇତ୍ୟାଦି।ସାଧୁଆ ବୁଢା ବୁଝାଇଦେଲେ ଆଙ୍ଗୁଳି ଦେଖାଇ,ଏଇ  ଉପରକୁ ଦେଖ୍ ଯେଉଁ ଆକାଶ. ଦେଖୁଛୁ..ଆହୁରି ଉପରକୁ..... ସେଇଠି ହେଲା ସ୍ୱର୍ଗ।ସେଠାରେ ଦେବତା ରହନ୍ତି।କି ଚମତ୍କାର ! କି  ସୁନ୍ଦର ସେ ଜାଗା।କି ବାସନା ସେ ଜାଗାରେ.. !!! କି ଖାଦ୍ୟ..!!! ଆହା !!!  କହିଲା ବେଳକୁ ପାଟିରୁ ଲାଳ ଗଡି ଯାଉଛି।ଅଭୟ କହିଲା ସାଧୁ ଅଜା  ଆଜ୍ଞା କହିଲ କେମିତି ଯିବା ସେଠାକୁ।ଆମ ଗନ୍ଧିଆ ଘର, ଏ ଅସୁନ୍ଦର ଲୋକ ଗୁଡାକ ସାଙ୍ଗରେ ରହି ରହି ମୋତେ ଅଣନିଃଶ୍ବାସୀ ଲାଗିଲାଣି।ସାଧୁଆ ବୁଢ଼ା ତ ଭୂଷ ପଣ୍ଡିତ, ଯେତେ ଅଜବ ଯୋଜନା ବତାଇଲା। ଅଭୟ ତା କୁମ୍ପିରୁ ପଇସା ଖୋଲି ହାଡ଼ିକୁ କହି ଲମ୍ବା ବାଉଁଶ ଦୁଇଟା ହାଣିଲା ।ବଢ଼େଇ ପାଖକୁ ନେଇ ବଡ଼ ନିଶୁଣୀ ଟିଏ ତିଆରି କଲା।ନିଛାଟିଆ ଜଙ୍ଗଲ  ମଝି ପଡ଼ିଆରେ ଗାତ ଖୋଳି ତା ମୂଳରୁ କିଛି ଅଂଶ ପୋତିଦେଲା। ବାପା ମଳୟ ମା ମିନତୀ କାହା କଥା ନ ମାନି ମୁଁ ସ୍ୱର୍ଗକୁ ଯାଉଛି କହି ଚାଲିଗଲା।ବାଇଆ ଟା ଏମିତି କହୁଛି, ସନ୍ଧ୍ୟା ହେଲେ ବୁଲି ବୁଲି ଘରକୁ ଆସିବ ଭାବି ଅନେଇଁ ରହିଲେ।ସନ୍ଧ୍ୟା ଯାଇ ରାତି ହେଲା ଫେରିଲା ନାହିଁ ଅଭୟ,ଭୟ ଆଶଙ୍କାରେ ସେମାନେ ଖୋଜି ଖୋଜି ବ୍ୟସ୍ତ ହେଲେ,ମାତ୍ର ପାଇଲେ ନାହିଁ ପୁଅକୁ।

ପଡିଆରେ ଯେଉଁଠି ନିଶୁଣୀ ପୋତିଥିଲା ଆନନ୍ଦରେ ଆଗ୍ରହରେ ଚଢ଼ିଲା।ତଳକୁ ମଝିରେ ମଝିରେ ଟିକେ ଦେଖୁଥାଏ।ଉପରକୁ ଚାହିଁ ଖୁସି ହେଉଥାଏ।ଗର୍ବରେ ମନ କୁଂଢେମୋଟ ହୋଇଯାଉଥାଏ କାରଣ ସେ ସମସ୍ତଙ୍କ ଉପରେ।କେତେ ବଡ଼ ସିଏ । ଖାଲି ସେତିକି ନୁହଁ, ଯେତେବେଳେ ସ୍ଵର୍ଗରେ ପହଂଚିବ କି ଆନନ୍ଦ ! ସେ ହୋଇଯିବ ସବୁଠୁ ବଡ଼।ଧୀରେ ଧୀରେ ଆଉ ଦୁଇ ଫଳି ପୂର୍ବରୁ ପହଂଚି ଦେଖିଲା ସ୍ୱର୍ଗ ଆହୁରି ଦୂରରେ ଅଛି।କ'ଣ କରିବ ହାତ ବଢ଼ାଇଲା,ବଢ଼ାଇଲା... ଟେକି ହେଲା,ଟାଣି ହେଲା ଆଉ ହାତ ପାଇଲା ନାହିଁ । ତଳକୁ ଚାହିଁଲା, ମୁଣ୍ଡ ଘୁରାଇଲା, ଶେଷରେ ତଳେ କଚାଡି ହୋଇ ପଡ଼ିଲା । ଆଗରୁ ଛୋଟା ଥିଲା,ଗୋଟିଏ ଗୋଡ଼ରେ ଛୋଟେଇ ଛୋଟେଇ ଚାଲୁଥିଲା, ଏବେ ଆର ଗୋଡ଼ବି ଭାଙ୍ଗିଲା । ବହୁତ ଜୋରରେ କାନ୍ଦିଲା।ନିଛାଟିଆ ଜାଗା,ଅନ୍ଧାର,କେହି ଜାଣି ସ୍ୱର୍ଗକୁ ଚାଲିଯିବ ବୋଲି ଲୁଚି ଲୁଚି ଚଢୁଥିଲା ସେ ।
  
ରାତି ପାହି ସକାଳ ହେଲା।ଯନ୍ତ୍ରଣାରେ କାନ୍ଦୁଥିଲା ଅଭୟ । ଜଙ୍ଗଲ ଦେଇ ଯାଉଥିଲେ ଜଣେ ସନ୍ନ୍ୟାସୀ।କରୁଣ ଚିତ୍କାର ଶୁଣି ଆସି ଦେଖିଲେ ଓ ବିଚାରାଠୁ ସବୁ କଥା ଶୁଣି ଦୁଃଖ ପ୍ରକାଶ କଲେ।ତା ନିର୍ବୋଧତା ପାଇଁ ଗାଳି ବି ଦେଲେ।ନିଜ ଆଶ୍ରମକୁ ନେଇ ବୈଦ୍ୟ କବିରାଜି ଔଷଧ ଦେଲେ।ତାପରେ କହିଲେ ଆରେ ପିଲା,ତୁ ସରଳ ନିଷ୍ପାପ,ସାଧୁଆ ବୁଢା ଯିଏ ଏ କଥା କହିଛି ମୁର୍ଖଟାଏ।ତୋତେ ଏ ସବୁ ମିଛରେ କହିଛି।ଆକାଶ ମହାଶୂନ୍ୟ।ସ୍ୱର୍ଗ ବୋଲି ଏକ ଅପୂର୍ବ ଜାଗା କିଛି ନାହିଁ।ଯେଉଁଠି ରାହୁଛ ସେଇ ଘର ଛୋଟ ହେଉ କି ବଡ଼ ସେ ତୁମକୁ ବାସ ଦିଏ।ଯେଉଁ ପରିବାରରେ ଜନ୍ମିଛ ସେ ବଡ଼ ହେଉ ବା ଛୋଟ,ସେ ଲୋକଙ୍କ ସ୍ନେହ ଆଦରରେ ତୁମେ ଅମୃତ ପାଇଛ।ସେଠାର ହସ ଖୁସି,ସୁଖ ଦୁଃଖର ଭାଗିହେବା ହି ଅପାର ଆନନ୍ଦ ଯୋଗାଏ।ସେଇ ପତିବାରର ମା ବାପା ଯେଉଁମାନେ ଜଳି ଜଳି,କଷ୍ଟ ସହି ସହି ଆମକୁ ଖୁସି ଦେଇଛନ୍ତି,ତାଙ୍କ ପରି ଦେବାଦେବୀ ଏ ଜଗତରେ କେହି ନାହାନ୍ତି।ଯେଉଁ ଘରେ ଜନ୍ମ ହୋଇଛ,ବଢ଼ୁଛ ତାପରି ସୁନ୍ଦର ଜାଗା ଏ ସଂସାରରେ କିଛି ନାହିଁ।ପରିବାର ଲୋକଙ୍କ ମିଳାମିଶା ଆଦର ସ୍ନେହ ପରି ସୁଗନ୍ଧ ଏ ପୃଥିବୀରେ କିଛି ବି ନାହିଁ।ତୁମ ବାପା ମାଆ ଙ୍କ ଠିକଣା ଦିଅ,ମୁଁ ସେଇ ସ୍ୱର୍ଗର ଦେବାଦେବୀ ପାଖରେ ତୁମକୁ ପହଞ୍ଚାଇ ଦିଏ।ସେ ଭଲ କରିବେ ଓ ତୁମେ ଆନନ୍ଦରେ ରହିବ।

ସନ୍ନ୍ୟାସୀ ଦୁଇ ଶିଷ୍ୟଙ୍କୁ ନେଇ ଘୋଡାଗାଡିରେ ବସାଇ ଅଭୟକୁ ତା ଘରେ ପହଂଚାଇଲେ।ପୁଅର ଆଉ ଏକ ଗୋଡ଼ ଭାଙ୍ଗିଛି ଶୁଣି ମା ମିନତୀ ଆଖିରୁ ଧାର ଧାର ଲୁହ ବହିଗଲା।ବାପା ଅସ୍ତବ୍ୟସ୍ତ ହୋଇ ଡାକ୍ତର ଡାକି ଚିକିତ୍ସା କଲେ।ସନ୍ନ୍ୟାସୀ କହିଲେ, କହିଲ ଦେଖ୍,ୟା ଠାରୁ ବଡ ସ୍ୱର୍ଗ କଣ ଅଛି ? ଅଭୟ ସବୁ ବୁଝିପାରିଲା, ଭୋ ଭୋ ହୋଇ କାନ୍ଦିଲା,ସନ୍ୟାସୀଙ୍କୁ ଆଖି ବୁଜି ହାତ ଯୋଡ଼ି ନମସ୍କାର କଲା ଓ କହିଲା, ଆଜ୍ଞା ଆପଣ ମୋ ଆଖି ଖୋଲିଦେଲେ, ଆପଣ ମୋ ପାଇଁ ସାକ୍ଷାତ ଭଗବାନ।ଅଭୟ ଆଖିରୁ ଲୁହ ପୋଛି, ତା ମୁଣ୍ଡ ଆଉଁସି ସନ୍ନ୍ୟାସୀ କହିଲେ, ଆରେ ବାବା,ଭଗବାନ ମୁଁ ନୁହଁ,ମୁଁ ତୁମ ପଥ ପ୍ରଦର୍ଶକ,ତୁମ ବାପା ମା ତୁମ ଭଗବାନ,ଆଉ ଏଇ ଘର ହେଉଛି ତୁମ ସ୍ୱର୍ଗ।ଅଭୟ ତା ଭୁଲ୍ ପାଇଁ କ୍ଷମା ମାଗିଲା ଓ ସେଇଦିନୁ କହି ବୁଲିଲା, "ସତରେ ଏଇ ଘର ହେଉଛି ମୋ ପାଇଁ ସ୍ୱର୍ଗ" ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments