ଏ ଦୁର୍ଦ୍ଦିନରେ ଆମେ ଏକାଠି ଅଛୁ - ନାରାୟଣ ଚନ୍ଦ୍ର ସେନାପତି

ଏ ଦୁର୍ଦ୍ଦିନରେ ଆମେ ଏକାଠି ଅଛୁ - ନାରାୟଣ ଚନ୍ଦ୍ର ସେନାପତି

ଏଇ ହାତର ସଙ୍ଗମ
ଆଙ୍କିଥିଲା ସେଦିନ ବିଶୁ ମହାରଣାର ସ୍ୱପ୍ନର କୋଣାର୍କ
ସେଇ ହାତର ସମ୍ମେଳନ ସୃଷ୍ଟି କରିଥିଲା
ଆଶା ଆକାଂକ୍ଷାର ଅନନ୍ୟ ସମ୍ବିଧାନ
ସେ ହୋଇପାରେ ମଇଳା,
କି ଲୋଳିତ ପୋଳିତ କି କଳା ମୁଗୁନି ପଥରର ବର୍ଣ୍ଣ
ହେଲେ ଫୁଟାଇପାରେ
ସ୍ୱପ୍ନର ତାଜମହଲର ଲାବଣ୍ୟମୟୀ ହସ,
ହୋଇପାରେ ଛୋଟ,ଅସ୍ପୃଶ୍ୟ ବା ଅଣଦେଖା ଅବହେଳିତ ମାଂସ ପେଣ୍ଡୁଳା
ମାତ୍ର ସୃଷ୍ଟିକରିପାରେ 
ନଭଶ୍ଚୁମ୍ବୀ କଳା ପାହାଡ଼ର ଇନ୍ଦ୍ରଭୁବନ।

ଶ୍ରମିକଟା କାମ କରୁ କରୁ ହାତ ପୋଡିଯାଏ
ସେଇ ପୋଡାହାତରେ ଯୋଡାହୁଏ
ଅସଂଖ୍ୟ ଅସଜଡ଼ା ଅଛିଣ୍ଡା ଦରବ
ତା ହାତରୁ ଯେବେ ବହିଯାଏ ଧାର ଧାର ରୁଧିର
ସେଇ ରକ୍ତ ଜୁଡୁ ବୁଡୁ ହାତ ଉଦ୍ଧାର କରେ, ବଂଚାଏ କେତେ ଯେ ଜୀବନ
ପୋଛିଦେଇ କେତେ ନିରୀହଙ୍କ ଦେହର ସଜରକ୍ତ।

ମାଟିର ମଣିଷଟା କାମ କରି କରି ହାତକୁ ମାଟିଆ କରିଦିଏ
ହେଲେ ସେଇ ମାଟିଆ ହାତରେ ହସାଇପାରେ
ସୃଷ୍ଟିର ସମସ୍ତ ଜୀବ
ପେଟରେ ପୁରାଇ ତା ହାତତିଆରି ଅମୃତମୟ ଦାନା।

ଗ୍ୟାରେଜ ରେ କାମ କରୁଥିବା ଲୋକଟାର  ହାତ ସିନା  କଳା
ହେଲେ ଫୁଟାଇଥାଏ କେତେ ସଜୀବର ନିର୍ଜୀବ ମୁହଁରେ ଖିଲି ଖିଲି ହସ
ଉଦ୍ଧାର କରି ବିଚରାକୁ ଖରା,ବର୍ଷା,ଶୀତ କାକରର ଆଶଙ୍କା
ଗୋଟିଏ ହାତ ପାଇପାରେ କେତେ ଯନ୍ତ୍ରଣା
ହେଲେ ତ୍ୟାଗକରି ଭରିଦିଏ ଭୋଗବିଳାସ ଓ ଅଫୁରନ୍ତ ଆନନ୍ଦ ।

  ହାତ ହୋଇଥାଉ ଯେତେ ବଡ଼
ମାତ୍ର ତାର ଶ୍ରେଷ୍ଠତ୍ଵ ପାଇଁ ଆବଶ୍ୟକ କରେ
ଅନେକ ଛୋଟ ଛୋଟ ହାତର ସମ୍ପର୍କର ସଂହତି
ଅସଂଖ୍ୟ ମଇଳା ହାତର ମିଳନ
କରିପାରେ ଅସାଧ୍ୟ ସାଧନ
ଆଉ ଅହଂକାରୀର ଗର୍ବକୁ ଖର୍ବ କରେ ଆଖିପିଛୁଳାକେ।

କଥାରେ ଅଛି,ଏଇ ହାତରେ ଅମୃତ...ଏଇ ହାତରେ ବିଷ
ଦୁର୍ବୁତ୍ତର ଧଳା ହାତ ରଚେ ଶ୍ମଶାନ
ଆଉ ମାନବିକତାର ହାତ ଦିଏ ଦିବ୍ୟତାର ଚୁମ୍ବନ
କେବେବା ଏଇ ହାତ ରଖେ ଶତଶତ ପ୍ରାଣୀର ଜୀବନ
ଆଉ କେବେ ନିଏ ଅସଂଖ୍ୟ ଅମୁଲ୍ୟ ପ୍ରାଣ ।

ଏଇ ହାତ ଦିଏ ମତଦାନ କରେ ନିର୍ବାଚନ
ଏକାଧିକ ହାତ ମିଶି ଗଢେ ବଡ଼ ଓ ଶକ୍ତ ହାତ
ହେଲେ ସେ ବିଜେତା ଭୁଲିଯାଏ ଏ ଛୋଟ ଛୋଟ ହାତର ମହତ୍ତ୍ୱ
କେବେବି ମିଳାଏ ନାହିଁ ଏ ମଇଳା ହାତରେ ହାତ।

ହେଲେ ଏ ଅଭିଶପ୍ତ  ହାତ ଗୁଡାକ
ଆଖିରୁ ରୁଧିର ଝରାଇ ବାରମ୍ବାର କହୁଥାଏ
ଲୁଚି ଯାଉପଛେ ତପନ
ଶ୍ମଶାନ ହେଉପଛେ ଏ ବିଶ୍ୱଜଗତ
ହେଲେ ଆମ ହାତ କେବେ ହେବନି ଛିନ୍ନ
ଏ ଦୁର୍ଦ୍ଦିନରେ ଆମେ ପରା ଏକାଠି ଅଛୁ
ହୋଇ ଗୋଟିଏ ଆତ୍ମା ...
ଆଉ ଗୋଟିଏ ସ୍ପନ୍ଦନ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments