OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ପ୍ରବନ୍ଧ - ଧରା କ୍ଷଣ କ୍ଷଣକେ ଆନ.. କାହାକୁ ଛୋଟ ନ ମାନ - ସନ୍ତୋଷ କୁମାର ମହାନ୍ତି

ପ୍ରବନ୍ଧ - ଧରା କ୍ଷଣ କ୍ଷଣକେ ଆନ.. କାହାକୁ ଛୋଟ ନ ମାନ - ସନ୍ତୋଷ କୁମାର ମହାନ୍ତି

ଏ ଧରା ବଡ ବିଚିତ୍ର | କିଏ ଏଠି ରାଜା ହେବା ପାଇଁ ଜନ୍ମ ହେଇଥିଲା | ଆଉ କିଏ ରାଜାର ସେବକ ହେଇ ଏ ଧରାରୁ ଆର ପାରିକୁ ଚାଲିଗଲା | କିଏ ଏଠି ଧନ, ବାହୁବଳ ଯୋଗୁ ଅନ୍ୟକୁ ଶୋଷଣ କରୁଥିଲା ଆଉ କିଏ ଶୋଷିତ ହେଇ କାଳ କାଟୁଥିଲା | ପୁଣି ଏ ଦୁନିଆରେ ରାଜାର ପ୍ରଜା ଓ ସେବକ ଥିବା ଲୋକଟି ସମୟ କ୍ରମେ ରାଜାବି ହେଇପାରିଥିଲା | ଶୋଷିତ ଓ କଷଣ ସହୁଥିବା ଲୋକଟି ଅନେକ ଆନ୍ଦୋଳନର ସୂତ୍ରଧର ହେଇ ସମାଜରେ ଶୋଷିତ ଜନତାର ଦୁଃଖକୁ ଦୁରେଇ ପାରିଥିଲା |କିଏ ଏଠି କୋଟିପତି ହେଇ ମନରେ ଟିକେ ଅହମିକା ରଖିନି ଆଉ ଏଠି କିଏ ହଜାରପତି ହେଇ ଏମିତି ଗର୍ବରେ ଫୁଟାଣି ମାରୁଛି ଯେ ତାର ଗର୍ବକୁ ଦଉଡି ପାଉନି |ଆଜିର ଜୀବନ କାଲିକି ନାହିଁ | ମରଣ କେବେ ଆମକୁ ବରଣ କରିବ ସେଇଟା କାହାକୁ ଜଣା ନାହିଁ | ସେଇଟା ଜଣା ଥିଲେ ହୁଏତ ଆମେ ଅଧିକ ଲୋଭ, ମୋହ ଓ ଅହଂକାରରେ ମାତୁ ନଥାନ୍ତେ |

ଜୀବନର ଧାରା ଅହରହ ବଦଳୁଥାଏ | ଆଜି ଯିଏ କୋଟିପତି କାଲି ସିଏ ଖାଇବା ପାଇଁ ନିଜ ରୋଟୀ ଯୋଗାଡ଼ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଇପାରେ | ପୁଣି ଯିଏ ଆଜି ଆର୍ଥିକ ଅନଟନ ଭିତରେ ଅଛି କାଲି ସିଏ ଅମାପ ଧନର ମାଲିକ ହେଇପାରେ | ବିଶ୍ୱର ଇତିହାସ ଏହାର ସାକ୍ଷୀ | ତେଣୁ କାହାର ଜୀବନରେ ଆଗକୁ ସମୟ କଣ ସବୁ ଲେଖିଛି ସେଇଟା ଆମକୁ ଅଗୋଚର | ଆଜି ଆମେ ପରିଶ୍ରମ କରି ଧନୀ ହେଉ ବା ନାନା ଅନୀତି କରି ଓ ପର ତଂଟି ଚିପି ଅନେକ ସମ୍ପତ୍ତିର ମାଲିକ ହେଇଛେ ତାହାର ମାନେ ନୁହେ ଯେ ଆମେ ସବୁବେଳେ ଏମିତି ଧନୀ ହେଇ ରହିଥିବା | ଆମ ଘର ପାଖରେ ନୁଆଁଣିଆ ଚାଳତଳେ ଜୀବନ କାଟୁଥିବା ଲୋକଟି ଆସନ୍ତାକାଲି ଆମ କୋଠା ପାଖରେ ବିରାଟ ପ୍ରାସାଦ ଗଢ଼ିପାରେ | ଏଇଟା କିଛି ବଡ଼ କଥା ନୁହେ | ସଂସାରର ନିୟମ ବଡ ବିଚିତ୍ର | ଆଜି ଯିଏ କୋଟିପତି କାଲି ସିଏ ଦାଣ୍ଡର ଭିକାରି ହେଇପାରେ ଆଉ ଯିଏ ଖାଇବା ପାଇଁ ପର ପାଖରେ ଆଜି ହାତ ପାତୁଛି ,କାଲି ସିଏ ବହୁତ ଅର୍ଥ ବିଭିନ୍ନ ମନ୍ଦିର,ବିଦ୍ୟାଳୟ ଓ ସମାଜ ମଙ୍ଗଳ ପାଇଁ ଦାନ କରିପାରେ | ତେଣୁ ଏ ସଂସାରରେ ଯିଏ ମଣିଷକୁ ହୀନ ମନେ କରେ ସେହି ଲୋକଟି ବୋକା, ନହେଲେ ତାର ବୁଦ୍ଧି ପାକଳ ହେଇନି ବୋଲି ଭାବିବାକୁ ପଡିବ |

ଅନେକ ଲୋକ ଜୀବନରେ ଅମାପ ଧନର ମାଲିକ ହେଇଗଲା ପରେ ସେମାନଙ୍କ ଅନ୍ୟ ମାନଙ୍କ ପ୍ରତି ବହୁତ ଖରାପ ଆଚରଣ ଦେଖାନ୍ତି | ସାମାନ୍ୟ କଥାରେ ଅତି ଖରାପ ଭାଷାରେ ଗାଳି ଗୁଲଜ କରନ୍ତି | ଏପରିକି ମାଡ ଦେବାକୁ ପଛାନ୍ତି ନାହିଁ ? ପାଖରେ ଅର୍ଥ ଥିବାରୁ ଆଇନକୁ ନିଜ ପକେଟରେ ରଖିବା ଭଳି କାମ ସବୁ କରନ୍ତି | ସମାଜର ତଳ ଶ୍ରେଣୀର ଲୋକମାନଙ୍କୁ ସେମାନେ ବହୁତ ଇତର ଭାବନ୍ତି | କିନ୍ତୁ ସେମାନେ ଭାବନ୍ତି ନାହିଁ ଯେ ,ଇତିହାସ ସବୁବେଳେ ମୋଡ ବଦଳାଏ | ଆଜି ଯୋଉଁମାନଙ୍କୁ ସେମାନେ ଇତର ଭାବୁଛନ୍ତି କାଲି ସେମାନଙ୍କ ଭିତରୁ କିଏ ରାଷ୍ଟ୍ରପତି, ପ୍ରମୁଖ ରାଜନେତା, ଶିକ୍ଷାବିତ, ସମାଜ ସୁଧାରକ,ବୈଜ୍ଞାନିକ ,ବିଚାରପତି,ସାହିତ୍ୟିକ ଓ ସମାଜର ବଡ଼ ତାରକା ହେଇପାରେ | ଧନର ପାହାଡ଼ ଗଦା ଉପରେ ଠିଆ ହେଇ ସମାଜକୁ ଛୋଟ ନଜରରେ ଦେଖିବା ସେମାନଙ୍କ ବାଚାଳାମି ବୋଲି ବୁଝିବାକୁ ହେବ | ଯୋଉ ମଣିଷ ନେତା ,ମନ୍ତ୍ରୀ କି ସରକାରୀ ପଦ,ପଦବୀ ଯୋଗୁ ଗୋଟେ କ୍ଷମତା ପାଇ ସେହି କ୍ଷମତା ଯୋଗୁ ଅନ୍ଧ ହେଇଯାନ୍ତି ,ପରେ କ୍ଷମତା ଯିବା ପରେ ସେମାନେ ବହୁତ ହଇରାଣ ହୁଅନ୍ତି | ଧନ,କ୍ଷମତା ଓ ଗୌରବ ସବୁବେଳେ ଓ ସବୁ ସମୟରେ ମଣିଷ ପାଖକୁ ଆସେ ନାହିଁ | ଜୀବନରେ ଏସବୁ ପାଇବା ଏତେ ସହଜ ନୁହେ | କିନ୍ତୁ ଯିଏ ନିଜ ଆସନର ଗାରିମାକୁ ବୁଝି ନ ପାରି କ୍ଷମତାର ଅପପ୍ରୟୋଗ କରେ ସେ ଲୋକଟିର ନିଜ ପାଇଁ ସେହି ଦିନ ଗାତ ଖୋଲିବା ଆରମ୍ଭ କରେ | କାରଣ କ୍ଷମତା ବଳରେ ଯିଏ ନିଜକୁ ବଳିୟାନ ଭାବି ଧରାକୁ ସରା ମନେ କରେ ଓ ସେହି କ୍ଷମତାରେ ଅନ୍ଧ ହେଇ ଅନେକ ଭୁଲ କରି ବସେ | ସିଏ ଶେଷ ଜୀବନରେ କେବେ ଖୁସିରେ ରହି ପାରେନା | ଏପରିକି ନିଜ ପଡୋଶୀ ଓ ଅତି ଆପଣାର ଲୋକମାନଙ୍କ ଠାରୁ ଅଜାଣତରେ ଦୁରେଇ ଯାଇଥାଏ | ଯୋଉମାନେ ନିଜ ପାଠ ପଢା ଓ ଡ଼ିଗ୍ରୀକୁ ନେଇ ଗର୍ବରେ ମାତନ୍ତି ,ସେମାନେ ଯୋଉ ଜ୍ଞାନ ଆହରଣ କରିଛନ୍ତି ତାହା ଦ୍ୱାରା ସେମାନଙ୍କ ଚେତନାର ଦ୍ୱାର ଠିକରେ ଖୋଲି ନାହିଁ ବୋଲି ଜାଣିବାକୁ ହେବ | କାରଣ ଏଇ ସଂସାରରେ ଜ୍ଞାନର ପରିସୀମା ବହୁତ ବଡ | ଜଣେ ସବୁ ବିଷୟରେ ଜ୍ଞାନୀ ହେଇପାରିବ ନାହିଁ | ଏପରିକି ଜଣେ ନିଜକୁ ଯୋଉ ବିଷୟରେ ବେଶୀ ଜ୍ଞାନୀ ବୋଲି ଭାବୁଛି ସେ ଲୋକଟି ସବୁ ଜ୍ଞାନବି ସେହି କ୍ଷେତ୍ରରେ ହାସଲ କରିପାରିନାହିଁ କି ତା ଜୀବନ କାଳ ଭିତରେ କରିବା ସମ୍ଭବ ନୁହେ ? ଆମେ ଆହରଣ କରିଥିବା ଜ୍ଞାନ ଯଦି ସମାଜର ବୃହତ୍ତର କଲ୍ୟାଣରେ ଆସୁ ନାହିଁ କି ଆମ ଜ୍ଞାନ ଦ୍ଵାରା ସମାଜର ସୁଧାର ଆସୁ ନାହିଁ ତେବେ ଆମେ ନିଜକୁ ଏତେ ଜ୍ଞାନୀ ଓ ପଣ୍ଡିତ କହି ଡିଣ୍ଡିମ ପିଟିବା ଆମ ପାଇଁ ଶୋଭା ପାଉ ନାହିଁ |

ଏ ଦୁନିଆରେ ଅର୍ଦ୍ଧାଧିକ ନର ,ନାରୀ ନିଜ ସୁନ୍ଦର ପଣିଆ ଓ ଶରୀରର ରଙ୍ଗକୁ ନେଇ ଭାରି ଗର୍ବ କରନ୍ତି | କାରଣ ଶରୀରର ରଙ୍ଗ ,ରୂପ ଅହରହ ବଦଳୁଥାଏ | କେତେବେଳେ ମଣିଷର କଣ ହେବ ,କୋଉ ରୋଗ ମାଡି ଆସିବ ଏ ସୁନ୍ଦର ଶରୀରର ସେ ରୂପ କାନ୍ତି ଆଉ ରହିବ ନାହିଁ | ଏଇଟା ଯଦି ଆମେ ବୁଝି ପାରନ୍ତେ ତେବେ ରୂପକୁ ନେଇ ଏତେ ଅହଂକାର ଆମର ରହନ୍ତା ନାହିଁ | ଆଜି ମୁ ଦିନକୁ ଚାରିଥର ଆମିଷ ଖାଉଛି ଆଉ ସେ ଲୋକଟା ଶାଗ ,ପଖାଳ ଖାଇ ବଂଚିଛି ସେଇଟା ଯିଏ ଭାବିଲା, କାଲି ଯେ ତା ଭାଗ୍ୟରେ ବାଇଗଣ ପୋଡା ଓ ପଖାଳ ମିଳିବ କି ନାହିଁ କିଏ କହିବ ?ଧନ ,କ୍ଷମତା , ଊଂଚ ବଂଶ ଓ ଜ୍ଞାନରେ ଅଧିକ ଅହଂକାର ଆମକୁ ଅନ୍ଧାର ଆଡକୁ ନେଇ ଯାଇ ଆମକୁ ଏମିତି ଗୋଟେ ମୋଡରେ ପହଂଚାଇ ଦେଇଥାଏ ସେଠୁ ବାହାରି ସମାଜକୁ ଭଲ ପାଇଲା ବେଳକୁ ଆମକୁ ଆଉ ବେଳ ନ ଥାଏ |ଛୋଟ ମୂଷାଟିକୁ ସିଂହ ହେୟ ମନେ କଲା | କିନ୍ତୁ ସେହି ମୂଷା ଦିନେ ସିଂହକୁ ଶିକାରୀର ଜାଲରୁ ମୁକୁଳାଇ ଥିଲା | ଛୋଟ ପିମ୍ପୁଡିଟି ହାତୀର କଣ କରିପାରେ ଆମେ ସମସ୍ତେ ଜାଣିଛେ | ଏହି କଥା ଭାବିଲେ ମଣିଷକୁ ଛୋଟ ଓ ଦୁର୍ବଳ ମନେ କରିବା ନିହାତି ଆମର ବୋକାମୀ ହେବ | କାରଣ ପଙ୍ଗୁ ଏଠି ଗିରି ଲଂଘି ପାରେ ଆଉ ଯାହାକୁ ଆପଣ ପଛ ଧାଡ଼ିର ସାଧାରଣ ବିଦ୍ୟାର୍ଥୀ ଭାବୁଥିବେ ସିଏ ଆପଣଙ୍କୁ ଦିନେ ଶାସନ କରିପାରେ | ଏଇ ଭାରତରେ କାଳିଦାସଙ୍କ ଭଳି ମୂର୍ଖ ମହାପଣ୍ଡିତରେ ଗଣା ହେଲେ | ଦସ୍ୟୁ ରତ୍ନାକର, ବାଲ୍ମୀକି ହୋଇ ରାମାୟଣ ଭଳି ମହାଗ୍ରନ୍ଥ ରଚନା କରି ସବୁଦିନ ପାଇଁ ଇତିହାସରେ ନିଜ ସ୍ଥାନ ରଖି ଦେଇଗଲେ | ତେଣୁ ମଣିଷ ଜୀବନର କୋଉ ବୟସ ,ମୁହୂର୍ତ୍ତ କାହା ପାଇଁ କଣ ଲେଖିଛି ସେଇଟା ଆମକୁ ବା ସେହି ଲୋକଟିକୁ ଜଣ ନାହିଁ |

ଆଜି ଯିଏ ପର ଦୁଃଖରେ ହସୁଛି କାଲି ଦୁଃଖଟା ତାକୁ ଗ୍ରାସ ନ କରିବଯେ କିଏ କହିବ ?କାରଣ ଦୁଃଖ,ରୋଗ ,ବିପତ୍ତି ଓ ସମସ୍ୟା କେତେବେଳେ ,କୋଉ ରୂପରେ ମଣିଷ ପାଖରେ ଆସେ ପହଂଚି ଯାଏ ସେଇଟା କହିବା ଓ ଭାବିବା ଆମ ପାଇଁ ଅତି କାଠିକର ପାଠ |କାରଣ ବିପତ୍ତି ଯେତେବେଳେ ଆସେ ସିଏ କାହିଁକି ଆସେ ନାହିଁ ସିଏ ଧନୀ ,ଗରିବ ,ଜ୍ଞାନୀ ,ଅଜ୍ଞାନୀ ସମସ୍ତଙ୍କୁ କବଳିତ କରିପାରେ | ଆମ ପୂର୍ବ ପୁରୁଷ ମାନେ ଜାଭା ,ସୁମାତ୍ରା ଯାଇ ବାଣିଜ୍ୟ କରୁଥିଲେ | ମୋ ବାପାଙ୍କ ବହୁତ ଲମ୍ବା ନିଶ ଥିଲା | ମୋ ଜେଜେ ବାରବାଟୀ ଚାଷ କରୁଥିଲେ | ମୋ ଅଜା ହାତୀରେ ବସି ବର ହେଇକି ଯାଇଥିଲେ |ଏଇ ସବୁ ଅତୀତର ବଡ ପଣିଆ ଗୁଡାକ ଆଜିର ଦିନରେ କେହି ଶୁଣିବାକୁ ଭଲ ପାଉନାହାନ୍ତି | ତେଣୁ ଆମ ଅତୀତ କଣ ଥିଲା ସେଇଟା ଆମ ପାଇଁ ବଡ ହେଇପାରେ | ସମାଜ ଆମର ବର୍ତ୍ତମାନକୁ ଦେଖୁଛି | ତେଣୁ ଆମ ପରିବାର,ବଂଶର ଅତୀତକୁ ନେଇ ଯୋଉ ଯୋଉ ରଙ୍ଗ ଦେଖାଉଛ ସେଇଟା ଆମକୁ ବେଶୀ ଉପରକୁ ନେଇ ପାରିବ ନାହିଁ | ନିଜ ପାଇଁ ନିଜେ ଗୋଟେ ଭାବମୂର୍ତି ତିଆରି କଲେ ଆମ ଅତୀତ ଇତିହାସକୁ ଆମେ ଆହୁରି ଗୌରବମୟ କରିପାରିବା |

ଏ ଦୁନିଆରେ ଆଜି ଯୋଉମାନେ ଲୋକମାନଙ୍କ ହୃଦୟରେ ରହିଛନ୍ତି ଓ ଆଗକୁ ରହିବେ ସେମାନେ ତାଙ୍କର ସୁଗୁଣ, ଉତ୍ତମ କର୍ମ, ଧର୍ମ, ସମାଜ ପ୍ରତି ଥିବା ତ୍ୟାଗ ଓ ଭଲ ପାଇବା ଯୋଗୁ ରହିବେ | ମଣିଷ ମଲାବେଳକୁ ସିଏ କେତେ ଧନର ମାଲିକ ଥିଲା ,ସିଏ କେତେ ଜ୍ଞାନୀ ଥିଲା ,କେତେ କ୍ଷମତାର ଅଧିକାରୀ ଥିଲା ତାହା ବେଶୀ ଦିନ ସମାଜ ବା ଆଗାମୀ ପିଢ଼ି ମନେ ରଖେ ନାହିଁ | କେବଳ ଉତ୍ତମ କର୍ମ ଓ ତ୍ୟାଗ ଯୋଗୁ ଆମ ଗାଁ ,ସହର,ରାଜ୍ୟ ,ଦେଶ ଓ ବିଶ୍ୱର ଅନେକ ଲୋକ ଆଜି ଆମ ପାଇଁ ଗୋଟେ ଛାପ ଛାଡିକି ଯାଇଛନ୍ତି | ଆମେ ସେମାନଙ୍କୁ ମନେ ପକାଉଛେ | ସେମାନଙ୍କ ଜୀବନ ଆମକୁ ପ୍ରେରଣା ଦେଉଛି | ଋତୁ ଅନୁଯାୟୀ ଯେମିତି ଧରାର ରଙ୍ଗ ବଦଳୁଥାଏ ଠିକ ସେମିତି ଆମ ଜୀବନର ରଙ୍ଗ ଏମିତି ଆଖି ପିଛୁଳାକେ ବଦଳୁଥିବ | ତେଣୁ ଆମେ ମାନେ ଧନ, କ୍ଷମତା, ଜ୍ଞାନ ଓ ଗୌରବ ଯୋଗୁ ଯୋଉ ଭଳି ବୃଥା ଅହମିକାରେ ମାତୁଛେ ସେ ରଙ୍ଗ ବେଶୀ ଦିନ କାହାର ଏଠି ରହି ନାହିଁ କି ରହିବ ନାହିଁ | ଆମେ ଯେହେତୁ ଈଶ୍ୱରଙ୍କ ସବୁଠୁ ଶ୍ରେଷ୍ଠ ଜୀବ ତେଣୁ ବର୍ତ୍ତମାନକୁ ନେଇ ବଂଚିବା ସହ ଆମର ଅତୀତ ଓ ଆଗାମୀ ଦିନ କଥା ଟିକେ ଭାବିଲେ ଆମ ପାଇଁ ଜୀବନ ଆହୁରି ସହଜ, ସରଳ ହେବା ସହ ସମାଜରେ ଆମର ଗ୍ରହଣୀୟତା ଅଧିକ ବଢ଼ିପାରିବ | ସମାଜରେ ବିଧିର ବିଧାନ ବଡ ବିଚିତ୍ର | ଏ ଧରା ଏଠି କ୍ଷଣ କ୍ଷଣକେ ଆନ,କାହାକୁ କେବେ ଛୋଟ ନ ମଣ..........|

ନବଜୀବନ ସମାଜ,
ସଫା, କଟକ-୭୫୪୦୨, ଦୂରଭାଷ-୯୭୭୭୭୬୬୩୪୬

0 Comments