କ୍ଷୁଦ୍ରଗଳ୍ପ - ସେଇ ଝଡ ପରେ - ଶିବ ଚରଣ ମହାପାତ୍ର

କ୍ଷୁଦ୍ରଗଳ୍ପ - ସେଇ ଝଡ ପରେ - ଶିବ ଚରଣ ମହାପାତ୍ର

       ଘର ଚାଳ ଦେଇ ଅଦିନିଆ ଝଡଟା ଖସିଗଲା ପରେ ଘର ଭିତରେ ଯେଉଁ ଝଡ ସୃଷ୍ଟି ହେଲା ତାହା ଆମ ସମସ୍ତଙ୍କୁ ମର୍ମାହତ କରି ପକାଉଥାଏ । ମୁଁ ଦୌଡିଯାଇ ଜେଜେ ଙ୍କୁ କୁଣ୍ଢେଇ ଧରିଲି  । ବାପା ଚିତ୍କାର କରି କହୁଥିଲେ-" ଆଗରୁ କେତେଥର କହିଛି ସେଇ ପୁରୁଣା ଆମ୍ବ ଗଛ ଟା ବାଡି ଭିତରଟାରେ ରହି କିଛି ଲାଭ ନାହିଁ ତାକୁ ବରଂ ବିକ୍ରି କରିଦିଅ ,ଏବେ ହେଲା ତ ..ଭାଙ୍ଗି ପଡିଲା ପରେ କାଠ ଗଣ୍ଡି ସବୁ ମାଟିରେ ମିଶିବ "।
ତାଙ୍କ କଥାରେ ତାଳ ଦେଇ ସାନ ବାପା କହିଲେ-" ଭାଙ୍ଗିଗଲା ମନ ଦୁଃଖ ନାହିଁ ହେଲେ ଏବେ ଯେଉଁ  ବାଡି ପାଖ ପାଚେରୀ ଟା ଭାଙ୍ଗି ଗଲା..? ତାକୁ କଣ ସାଙ୍ଗେ ସାଙ୍ଗେ ତିଆରି କରି ହେବ..?"।
ବାପା ଆଉ ସାନ ବାପା ଙ୍କ ବାକ୍ ବିତର୍କ ଭିତରେ ଘରର ସମସ୍ତେ ଚୁପ୍ ଚାପ୍ ନିରବଦ୍ରଷ୍ଟା ସାଜିଥିଲା ବେଳେ ଜେଜେ କିନ୍ତୁ ଘର ବାରଣ୍ଡାରେ ବସି ରହି  ଅନ୍ୟ କେଉଁ ଦୁନିଆ ରେ ମର୍ମାହତ ହୋଇ ପଡି ରହିଥିଲେ । ଆଗରୁ ମୁଁ କେବେ ବି ଜେଜେ ଙ୍କୁ ଏତେ ଗମ୍ଭୀର ହେବାର ଦେଖିନି  । ମୁଁ କହିଲି-"ଜେଜେ  ,ଚାଲନା ଆମେ ବାଡି ପାଖ ଗଛଟି ଦେଖି ଆସିବା ।"
ମୁଁ ତାଙ୍କୁ ହାତଧରି ଟାଣିବାରୁ ସେ ମୋ ସହିତ ବାଡି ପଛପାଖ  ଚାଲି ଆସିଲେ । ପୁରୁଣା ଆମ୍ବ ଗଛଟିକୁ ଦେଖି ସେ କେମିତି ଅବିଚଳିତ ଭାବରେ ଚାହିଁ ରହିଥାଆନ୍ତି ।
ମୁଁ କହିଲି -" କଣ ଜେଜେ ,
ବାପା ଆଉ ସାନ ବାପା ଏମିତି ପାଟି କରୁଛନ୍ତି ହେଲେ ତମେ କିଛି ବି କହୁନ..??"
ମୋ କଥା ଶୁଣି ସେ ମୋତେ ଚାହିଁ କହିଲେ-" କଣ କହିବି ସାନୁ ବାବା..??ସେମାନେ ଦୁହେଁ ବଡ ହେଇଗଲେ ସିନା ଏବେବି ଛୋଟ ହେଇ ରହିଯାଇଛନ୍ତି । ଆରେ ଏଇ ଆମ୍ବ ଗଛ ଟି  ମୋର
ଆଉ ଗୋଟିଏ ପୁଅ । ସେମାନେ ଛୋଟ ଥିଲାବେଳେ ଏ ଗଛ କୁ ମୁଁ ଲଗେଇ ଥିଲି । ତୁମେ ମନେକଲ  , ତମାମ ଖରା ବେଳଟାରେ ଆମେ କେମିତି  ଏଇଠି ବସୁଛନ୍ତି  । ପ୍ରତି ବର୍ଷ ଏତେ ଆମ୍ବ ତୋଳୁଛନ୍ତି । ଆମ ଘରେ କିମ୍ବା  ଗାଁ ର ସାହି ପଡିଶା ରେ କାହାର କିଛି ଶୁଭ କାମ ହେଲେ ଏଇ ଗୋଟିକ ଆମ୍ବ ଗଛ ର ପତ୍ରରେ ତୋରଣ କରୁଛନ୍ତି । ସମସ୍ତେ ତ ନିଜ ନିଜ ବାଡି ର ଗଛ କାଟି ସଫା କରିଦେଲେଣି ,ଏଇ ଗୋଟିକ ଥିଲା ଯେ ଏ କାଳ ଝଡଟା ତାକୁ ବି ରଖେଇ ଦେଲାନି..। ତୁମେ ଦେଖିବ ସାନୁ ବାବା..ଏମିତି ଦିନ ଆସିବ  ଆଉ ବର୍ଷା ହେଉନଥିବ ...ଭୂ-ମଣ୍ଡଳ ରେ ଅମ୍ଳଜାନ ର ସ୍ତର କମି ଯାଇଥିବ ...ପ୍ରଦୂଷଣ ସୀମାରେଖା ଟପିଯାଇଥିବ... ଏମିତି ତ ସାତ ଋତୁ ହଜିଯାଇ ଏବେ ଖାଲି ବର୍ଷା,ଖରା, ଶୀତ ଅନୁଭୂତ ହେଉଛି ..ଆଉ ଅଳ୍ପ ଦିନ ପରେ ସେ ସବୁ ବି ମନ ତଳେ ଥିବ ହେଲେ ଦେହ ଖୋଜି ପାଉନଥିବ ।ଖାଲି ଝୁରିହେଇ ଖୋଜୁଥିବ ତାଙ୍କର ଟିକିଏ ସାନ୍ନିଧ୍ୟ ..ହେଲେ ମିଳି ପାରୁନଥିବ..କେମିତି ମିଳିବ ଅତ୍ୟାଧୁନିକ ମଣିଷ ମାନଙ୍କୁ କଣ ଗଛ ର ମହତ୍ତ୍ଵ ଦେଖାଯାଉଛି...ହେ ଭଗବାନ ଏମାନଙ୍କର ଯେ କଣ ହେବ..??.."
ଆମେ ଏମିତି କଥାବାର୍ତ୍ତା ହେଉ ହେଉ ମ୍ଯୁନିସିପାଲିଟି ର ଲୋକ ଆଉ ଗାଡି ଆସି ଆମ୍ବ ଗଛ ଟିକୁ କାଟି ସଫା କରିବାରେ ଲାଗିଯାଇଥିଲେ । ଅଳ୍ପ ସମୟ ଭିତରେ ସବୁଦିନ ପାଇଁ ଆମ ବାଡି ପଛପାଖ ଗଛ ସମ୍ପୂର୍ଣ୍ଣ ସଫା ହେଇଗଲା । ମୁଁ ତୁରନ୍ତ ଦୌଡି ଯାଇ ଆମ ଷ୍ଟୋର ରୁମ୍ ରୁ କୋଦାଳ ଟିଏ ନେଇ ଆସି ଠିକ୍ ସେଇ ଯାଗା ର ପାଖା ପାଖି ଆଉ ଗୋଟିଏ ଖାତ ତିଆରି କରି ଦେଲି ଆଉ କହିଲି -" ଜେଜେ  ,ଆସନ୍ତା କାଲି ସ୍କୁଲ ରୁ ଫେରିବା ବେଳେ ତୁମ ର ଆଉ ଗୋଟିଏ ନାତି ଏଇଠି ଠିଆ ହେଇଥିବ ।"
ସେ ମୁରୁକି ହସି ମୋତେ ଆସି କୁଣ୍ଢେଇ ଧରି ନେଲେ ।
    ତା ପରଦିନ ସ୍କୁଲ ରୁ ଫେରିବା ବେଳେ ତୃପ୍ତି ଫାର୍ମ ରୁ କଲମୀ ଆମ୍ବ ଗଛ ଦୁଇଟି ନେଇ ଆସିଲି । ସାନ ବାପା ମୋ କାମ ଦେଖି ବହୁତ ଖୁସି ହେଇଗଲେ ଆଉ  କହିଲେ-"ବାଃ..ବହୁତ ଭଲକାମ ଟିଏ କରିଲ ସାନୁ ବାବା.."
ବାପା କିନ୍ତୁ ଟିକିଏ ତାଗିଦ୍ କରି କହିଲେ-"ଭଲ..କିନ୍ତୁ ପଢା ରେ ଯେମିତି ଖିଲାପ ନହୁଏ.."
     ଝଡ ପରେ ଏବେ ପୃଥିବୀ ନୂଆ ରୂପରେ ସଜବାଜ ହେଉଛି..ଆମ ଘର ବି..ଆଉ ଆମ ଘର ପଛ ପାଖ କୁନି ଆମ୍ବ ଗଛ ଟି ନୂଆ ପତ୍ର ଟିଏ ହଲେଇ କୃତଜ୍ଞତା ରେ ମୁରୁକି ହସୁଛି..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର,କେନ୍ଦୁଝର 

0 Comments