ଫେରିଆସ କଳା କହ୍ନେଇ - ନିବେଦିତା ମହାପାତ୍ର

ଫେରିଆସ କଳା କହ୍ନେଇ - ନିବେଦିତା ମହାପାତ୍ର

ନନ୍ଦରାଜା ସୁତ ତୁମେ କଳା କହ୍ନେଇ
ଦଧି ଲବଣୀର ମୋହ ମନୁ ଭୁଲେଇ
ମହୋଦଧି କୂଳେ ଶ୍ରୀ ମନ୍ଦିର ଗଢେଇ
ବିରାଜିଲ ଶୂନ୍ୟ ବ୍ରହ୍ମ ରୂପକୁ ନେଇ। ୧
ଧୂଳିଖେଳ ସାଙ୍ଗ ସାଥୀ ଛାଡି ଆସିଲ
ମୋହନ ବଂଶୀର ସ୍ବର ଭୁଲିତ ଗଲ
ହୋଲି ଲଉଡିର ଖେଳ ପାଶୋରି ଦେଲ
ହସ୍ତପାଦ ଶୂନ୍ୟ ଦାରୁ ବିଗ୍ରହ ହେଲ। ୨
ବାଲ୍ୟ ସଖାଙ୍କ ସଂଗତେ କରିଲ କାମ
ଦୁଷ୍ଟ ବିନାଶି ରକ୍ଷା କଲ ନନ୍ଦଗ୍ରାମ
ଯଶୋଦାଙ୍କ ସ୍ନେହ ରାଧା ରାଣୀର ପ୍ରେମ
ପର କରିଦେଇ ଆସିଲ ନିଳାଚଳ ଧାମ। ୩
ଝୁରୁଛି କଦମ୍ବ ବନ ଯମୁନା ଜଳ
ଝାଉଁଳି ପଡିଛି ପୁଣି ରାଧା ତମାଳ
କାକ ପିକଙ୍କର ଆଉ ଶୁଭୁନି ରୋଳ
ଗୋଧୂଳି ଲଗ୍ନରେ ହେଉ ନାହିଁ ଗହଳ। ୪
କରିଥିଲ ବୋଲି ଦିନେ ଲବଣି ଚୋରୀ
ମା ବାନ୍ଧିଦେଲେ ଖୁଆ ଦଉଡି ଡୋରୀ
ସେଥି ଲାଗି ମନେ ଅଭିମାନଯେ କରି
ଚାଲି ଆସି ନଚାହିଁଲ ଆଉତ ଫେରି। ୫
ଦିଶିଯାଏ ମୁହଁ ତବ ଆଖି କଜଳେ
ପ୍ରତିଛବି ଭାସେ ପୁଣି ତୁଳସୀ ଦଳେ
ବ୍ୟଥିତ ହୃଦୟେ କହୁଛନ୍ତି ସକଳେ
ତୁମବିନା ନାହିଁ ଶାନ୍ତି ବ୍ରଜ ମଣ୍ତଳେ। ୬
ପ୍ରତିକ୍ଷାରେ ରହିଛନ୍ତି ଗୋପିକା ଗଣ
କହିଛନ୍ତି ଉଦ୍ଧବଙ୍କୁ ପକାଇ ରାଣ
ବିରହ ଜ୍ଜ୍ବାଳାରେ ଦଗ୍ଧ ହେଉଛି ପ୍ରାଣ
କେଶବଙ୍କୁ ଆଉଥରେ ଫେରେଇ ଆଣ। ୭
ଫେରିନାହିଁ ଫଗୁଣ ତୁମେ ଗଲାପରେ
ବସନ୍ତବି ଆସିନି ଫୁଲ ସବାରିରେ
ଫୁଟୁନି ମଲ୍ଲୀ ମାଧବୀ ଲତା  କୁଞ୍ଜରେ
ବାସ ଚହଟୁନି ମଳୟର ସ୍ପର୍ଶରେ । ୮
ବିଷାଦ ମୟ ହୋଇଛି ଗୋପ ନଗର
ଜଡ ପ୍ରାୟ ପ୍ରତୀତ ସବୁ ପରିବାର
ଆକୁଳିତ କଣ୍ଠୁ ଶୁଭେ ଗୋଟିଏ ସ୍ବର
ଲେଉଟି ଆସ ଥରେ ଅାହେ ଦାମୋଦର। ୯
କଥାଥିଲା ତିନି ଦିନେ ଆସିବ ଫେରି
ପଡୁନିକି ମନେ କିଛି ହେ ବଂଶୀଧାରି
କଳ୍ପବଟ ମୂଳେ ଭାଇ ଭଉଣୀ ଧରି
କରୁଅଛ କେତେ ଲୀଳାହେ ଚକ୍ରଧାରୀ। ୧୦

ନିବେଦିତା ମହାପାତ୍ର 
ମୁକୁନ୍ଦ ମିଶ୍ର ନଗର, ପୁରୀ

0 Comments