OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କ୍ଷୁଦ୍ରଗଳ୍ପ - ଆମର କିଛି ଦରକାର ନାହିଁ - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ଆମର କିଛି ଦରକାର ନାହିଁ - ନାରାୟଣ ଚନ୍ଦ୍ର ସେନାପତି

ନାନୀ ଲୋ....,ଏ ପୁନି ନାନୀ...କୁଆଡେ ଗଲୁ କିଲୋ ?
 
କ'ଣ କିରେ ଶଙ୍କରା, ଖାଇବା ପାଖରୁ ଉତ୍ତର ଦେଲା ନାନୀ।

ନା ଲୋ ନାନୀ ପାନ ଦିଟା ଖାଇବି ତ,ସେଇଥିପାଇଁ ଡାକୁଥିଲି।ତୁ ତ ଜାଣିଛୁ, ତୋ ପାନ ନ ଖାଇଲେ...? ମୋତେ ଆଉ କାହା ପାନ ଭଲ ଲାଗେ ନାହିଁ।ତୁ ଖାଉଛୁ କି ? ହଉ ଖା...ମୁଁ ପରେ ଆସିବି।

  ନା'ରେ ଶଙ୍କରା.... କଣ ଖାଇବି,ପଖାଳ ଶାଗ ଟିକେ ଖାଉଥିଲି,ଖାଇ ସାରିଲିଣି..  କହି ଅଧା ଖାଇବା ପାଖରୁ ଉଠି ଆସିଲା ଶହେ ସାତ ବର୍ଷୀୟା ପୁନି ନାୟକ।ହତଭାଗିନୀ ଟିଏ,ଏଇ ବୟସରେ ବି ଦେଇଛି ପାନ ଦୋକାନ,ଏଇ ପେଟ ଚାଖଣ୍ଡଜ ଓଦା କରିବାକୁ।ବିଚାରୀ ମା'ଟିକୁ ଚାହିଁ ମନେ ମନେ କାନ୍ଦି ପକାଉଥାଏ ବାଉନ ବର୍ଷୀୟ ଆକର୍ମଣ୍ୟ ପୁଅ ଶମ୍ବୁନାଥ।ଯେଉଁ ବୟସରେ ସେ ତା ମା'କୁ କେବଳ ପୋଷିବା ନୁହଁ ବରଂ ସେବା ତୀର୍ଥ ସବୁ କରିବା କଥା, ହେଲେ ସେ ଆଜି.... କତରାଲଗା ହୋଇ ହାତ ପାତିଛି ତା ମାଆକୁ, ଆଉ ଦାନା ବି ଲୋଡୁଛି ବଂଚିବା ପାଇଁ।ପୁନି ଶଙ୍କରା କୁ ପାନ ଚାରି ଖଣ୍ଡ ଦେଇ ଦଶ ଟଙ୍କିଆଟେ ରଖିଲା।

    ଆସୁଥିବୁରେ ଶଙ୍କରା।ମୋର ତ ମରଣ କାଳ ଆସିଲାଣି,କେତେବେଳେ ବି ଚାଲିଯିବି।ଗରିବ ନାନୀଟାକୁ ଟିକେ ଦେଖି ଆସୁଥିବୁ।ଶଙ୍କରା ହସି ହସି କହୁଥାଏ,ନା ଲୋ ନାନୀ, ତୁ ଏବେ ମରିବୁ ନାହିଁ।ଆଉ ପନ୍ଦର ବର୍ଷ ହେଲେ ବଞ୍ଚ।କହି କହି ଚାଲିଗଲା ଶଙ୍କରା।ଅଧା ଖିଆ ସାରିବାକୁ ଆସୁ ଆସୁ ଦଳେ ଲୋକ ଆସିଲେ,ଜଣେ ଡାକିଲା ଏ ବୁଢ଼ୀ ପାନ ଦିଟା ଦେଲୁ । ପୁନି କୁ ଖରାପ ଲାଗୁଥିଲେ ବି ସେ ଚୁପ ରହି ପାନ ଭାଙ୍ଗିଦେଲା।ଲୋକଟା ପାନ ଦି ଖଣ୍ଡ ନେଇ ଚାଲିଯାଉଥିଲା।ଆରେ ବାବୁ ପଇସା ଦେଇ ଯା ରେ।ଲୋକଟି କହିଲା ଆଲୋ ବୁଢ଼ୀ ତୁ ଏ ସୋନୁ ଦାଦାକୁ ଚିହ୍ନି ନୁ କି?ପଇସା କ'ଣ ମାଗୁଛୁ।ନାଁ ରେ ବାବା ତୁ ଯିଏ ହୋ ଏ ଗରିବ ବୁଢ଼ୀର ପଇସା ଦିଟା ଦେଇ ଯା। ଏଇପା ମୋ ଜୀବିକା।  ମୁଁ ନ ଦେଲେ ତୁ କ'ଣ କରିବୁ ଲୋ ବୁଢ଼ୀ,ମୁଣ୍ଡ ତଳେ ଲାଗିଲାଣି, କାଲି ପରି ଯମ ତୋତେ ନେବ ବହୁତ ଲୋଭ ତ ତୋର କହିଲା ସୋନୁ।ଆରେ ବାପା ତୁ ଗୁରୁଜନକୁ କେମିତି ବ୍ୟବହାର ଦିଅନ୍ତି ଶିଖିନୁ?ଏତିକି କହୁ କହୁ ସୋନୁ ବୁଢ଼ୀ ଚୁଟିକୁ ଟାଣି ଠେଲି ଦେଲା।ବିଚାରୀଟିର ମୁହଁଟା ବାଡେଇ ହୋଇଗଲା ରାକ୍ ରେ।ଓଠଟା ଫାଟି ରକ୍ତ ଧାର ବହିଲା।ଟଙ୍କାଟିଏ ବି ପୁନି ପାଇଁ ବହୁତ।ଦିନ ସାରା ଦୋକାନରୁ କୋଡ଼ିଏ ରୁ ତିରିଶି ଟଙ୍କା ସେ ପାଏ।ସେଇଥିରେ ମା' ପୁଅ ଦି ଓଳି ବଂଚିଯାନ୍ତି।ମାଆର କାନ୍ଦ ଓ ପିଲାଙ୍କ ପାଟି ଶୁଣି ବିଶ୍ବମ୍ବର କହିଲା, କ'ଣ ହେଲା ମାଆ, କିଏ ପାଟି କରୁଥିଲା,ତୁ କ'ଣ କାନ୍ଦୁଛୁ ?ନିଜ ପୁଅ ମନକୁ କଷ୍ଟ ନ ହେଉ ସେଥିପାଇଁ ତରବର ହୋଇ ଚିରା ପଣତକାନିରେ ଆଖିର ଲୁହ ପୋଛି ଓଠର ଲହୁ ପୋଛି କହିଲା, ନାଁରେ କେତେ ଲୋକ କେତେ ପ୍ରକାର,ତାଙ୍କ କଥା କାହିଁକି ଶୁଣୁଛୁ।

   ହେଲେ ପାଞ୍ଚ ଟଙ୍କା ଚାଲିଗଲା ନାହିଁ ଯେ ତା(ପୁନି) ଦେହରୁ ପୋଷେ ରକତ ଚାଲିଗଲା।ଆଉ ଖାଇବ କ'ଣ ଅଇଁଠା ଉଠଉ ଉଠଉ ପୁଅର ଆଖି ପଡିଗଲା ମା ଓଠର ରକତ ଉପରେ।ମୋତେ ଲୁଚାଉଛୁ ମା,ସେମାନେ ତୋତେ ମାରିଲେ ନା,କହି ନିଜ ପୁରୁଷ ପଣିଆକୁ ଧିକ୍କାର କରି ମୁଣ୍ଡକୁ କାନ୍ଥରେ ବାଡେଇଲା ଶମ୍ବୁ।ମା'ପୁଅ ଆଖିରୁ ଲୁହ ଦି ଟୋପା ପୋଛି ଦେଉ ଦେଉ ଦୁହେଁ ଦୁହିଁଙ୍କୁ କୁଣ୍ଢେଇ ବୁକୁ ଫଟାଇ ଚିତ୍କାର କରି ଏପରି କାନ୍ଦିଲେ ଯେ ଯିଏ ଶୁଣିବ ଆଉ ସେ ଦୃଶ୍ୟ ଦେଖିବ ତା ଛାତି ଫାଟିଯିବ।

   କଥାରେ ଅଛି ବଡ ଲୋକଙ୍କୁ ଉତ୍ତର ନାହିଁ ମାଆ।ଆଜି ଯଦି ତୋ ପୁଅ ଭଲ ଥାଆନ୍ତା ତାହେଲେ ସେ ସୋନୁ ତା ହାତ ନେଇ କେବେ ଫେରି ନଥାନ୍ତା।ସବୁ ଭାଗ୍ୟର ଖେଳ।କେଉଁ ଜନ୍ମର କି ପାପ କରିଥିଲି କେଜାଣି ଆଜି ଏଇ ବୟସରେ ଅକର୍ମଣ୍ୟ ହୋଇ ଘରେ ବସି ରହିବାକୁ ପଡିଲା,ଭାବି ଭାବି କାନ୍ଦୁଥାଏ ଶମ୍ଭୁ।
    
     ସେପଟେ ଗୁମୁରି ଗୁମୁରି ଭିତରେ କାନ୍ଦୁଥାଏ ପୁନି।ପୁରୁଣା ଦିନ ଗୁଡାକ ଆଖିରେ ଜଳ ଜଳ ହୋଇ ଦିଶୁଥାଏ।ତା ସ୍ୱାମୀର ଯେଉଁଦିନ ହାତ ଧରିଲା,ଦୁହେଁ ସ୍ବପ୍ନ ଦେଖିଥିଲେ,ପୁଅଟିଏ ହେବ,ସ୍ୱାମୀ ତାର କାମ କରି ବହୁତ ଟଙ୍କା ଆଣିବ,ପୁଅକୁ ଭଲ ଖାଇବାକୁ,ପିନ୍ଧିବାକୁ ଦେବେ,ରାଜକୁମାର ପରି ବଢ଼ାଇବେ,କିଛି ଟଙ୍କା ସଞ୍ଚୟ କରି ରଖି ବଡ଼ କୋଠାଘରଟିଏ କରିବେ,ସେ ଘରକୁ ବୋହୁଟିଏ ଆସିବ,ନୂଆ ନାଲି ମାରୁତିଟିଏ କିଣି ଆଣିବେ,ସମସ୍ତେ ସାଥିରେ ପୂଜା କରିବା ପାଇଁ ମା ତାରିଣୀ ମନ୍ଦିର ଯିବେ। କୁଆଡେ ଗଲା ସେ ଦିନର କଳ୍ପନା ଗୁଡିକ।ସ୍ୱାମୀ ଅକାଳ ମରଣରେ ଛାଡି ଚାଲିଗଲେ ତାକୁ ଓ ଶମ୍ଭୁକୁ।ତାପରେ ପରେ କଟକ ଜାତୀୟ ରାଜପଥ ପାର୍ଶ୍ଵରେ ଯେଉଁ ସରକାରୀ ଜାଗାଖଣ୍ଡିକରେ କୁଡ଼ିଆଟି ଥିଲା,ରାସ୍ତା ଚଉଡା ହେବାରୁ ତାହା ହିଁ ଗଲା ।ଭୂମିହୀନ,ସ୍ୱାମୀହୀନ ପୁନି କୁନି ପିଲାଟିକୁ ନେଇ କେମିତି ଚଳିବ?

   ଶେଷରେ ବ୍ରିଜ୍ ତଳ ମାଲଗୋଦାମ ର ତଳେ ଭାଡ଼ି ଉପରେ ଗୁଂଜିଲା ମୁଣ୍ଡ ,ଭାବିନେଲା ଏ ହେଉଛି ତା ଶ୍ରୀମନ୍ଦିର।  ସ୍ୱାମୀର କଥାକୁ ମନେ ପକାଇ ଓ ପୁଅ ଶମ୍ଭୁ ମୁହଁକୁ ଚାହିଁ ଚାହିଁ ଦୁଃଖକୁ ନିଦାଘର ଥଣ୍ଡା ପାଣି ପରି ପିଇ ଗଲା।ଯନ୍ତ୍ରଣା ଲାଗୁଥିଲା ତାକୁ ସତେ ଯେମିତି ବସନ୍ତର ମଳୟ,କେବଳ ଶମ୍ବୁ ମୁହଁକୁ ଦେଖି ଓ ଭବିଷ୍ୟତକୁ ଚିନ୍ତା କରି।ବଡ ଘରର ପିଲାଙ୍କୁ ପଢେଇଲା ପରି ପଢେଇଲା।ହେଲେ ପାଠ ହେଲାନି ତା'ର।ଶେଷରେ ଭେଣ୍ଡିଆ ଶମ୍ଭୁ ଚିନ୍ତାକଲା ଚଳାଇବ ରିକ୍ସା।ମାଲିକର ରିକ୍ସା ଟାଣି  ପାଉଣା ପୈଠ କରି କିଛି ପାଇଲା,ଘର ଭଲ ଚାଲିଲା।ଆଶା ରଖିଥିଲା ପ୍ରଥମେ ଜାଗା ଖଣ୍ଡେ କିଣି ମୁଣ୍ଡ ଗୁଞ୍ଜିବାକୁ ଘର କରିବ।ତାପରେ ଅଟୋ ଟେ କିଣିବ।ହେଲେ ତା'ର ସବୁ ଆଶା ଆଶାରେ ହିଁ ରହିଗଲା।ଶମ୍ଭୁର ଡାହାଣ ଗୋଡ଼ଟି ଅଚଳ ହୋଇଗଲା। ଡାକ୍ତରଙ୍କୁ ଦେଖାଇ ଦେଖାଇ ଯାହା ପଇସା ଦିଟା ଥିଲା ସରିଗଲା। ସାରାଦିନ ପାଇଁ ହୋଇଗଲା ଅକର୍ମଣ୍ୟ।ହେଲା ମା'  ବେକରେ ବନ୍ଧା।

    ପ୍ରତି ପାଞ୍ଚ ବର୍ଷରେ ଥରେ ଦେଖା ଦିଅନ୍ତି ଆମ ଦେଶର ଭଗବାନ ମାନେ।ପୁନିକୁ ସମସ୍ତେ କହି ବୁଝେଇ ଦିଅନ୍ତି,ନାନୀ ଚିନ୍ତା କରିବୁନି,ଇନ୍ଦିରା ଆବାସ ଘର କରିଦେବୁ।ତୁ କୋଠାଘରେର ରହିବୁ।ଅନ୍ତର୍ଦ୍ଦ୍ୱୟ ଯୋଜନା,ଅନ୍ନପୂର୍ଣ୍ଣା ଯୋଜନା...ହେଙ୍ଗୁ ଗୁଡ଼ ଯୋଜନା ଯେତେ ଅଛି ସବୁ ଦେଇଦେବୁ... ମିଛ ଆଶ୍ୱାସନା ଦେଇ ପୁନିର ପାନକୁ ମାଗଣା ବି ଖାଇଦେଇଯାନ୍ତି।ହେଲେ ଜିତି ସାରିଲା ପରେ ପୁଣି ଅବଶ୍ୟ ବ୍ରିଜ ଉପରେ ତାଙ୍କ ଗାଡିର ଦ୍ରୁତ ଗତିର ଶବ୍ଦ ଓ ହର୍ଣ୍ଣ ବାରି ବହୁତ ଖୁସି ହୁଏ।

  ଅବଶ୍ୟ ପୁନି ବିଧବା ଭତ୍ତା ଓ ଶମ୍ଭୁ ଆକର୍ମଣ୍ୟ ଭତ୍ତା ପାଇ ପୁନି ପାନ ବ୍ୟବସାୟ ଟଙ୍କା ସାଙ୍ଗରେ ମିଶାଇ ଚଳିବାରେ ସାହାଯ୍ୟ କରୁଛି।କିନ୍ତୁ କାହିଁ ???  ସେ ବସୁନ୍ଧରା ଯୋଜନା-ଅନେଶ୍ୱତ ବାତ୍ୟାରେ ଭାଙ୍ଗି ଗଲା,ନା ଦୁଇ ହଜାର ତେରରେ ଉଡ଼ିଗଲା?ସେ ମହିଳାଙ୍କ ପାଇଁ ଉଜ୍ଜ୍ଳଳା ଯୋଜନା ଅଣ୍ଡାରୁ ଛୁଆ ଫୁଟେଇଲା କି ଗୁଳୁଗୁଳିଆ ହୋଇଗଲା?

 ଆଖିର ଲୁହକୁ ପୋଛି ତିନୋଟି ଇଟାରେ ତିଆରି ତା ଚୁଲିର ଭାତ ଦିଟା ଫୁଟେଇ ଦେଲା ପୋଡା ଆଙ୍ଗାର  ଜାଳି ଜାଳି ଦେଇ।ଟିକେ ବେଶର, ଗୋଟା ଭେଣ୍ଡି କେଇଟା,ନେଲିଆ ଦିଶୁଥିବା ଆଳୁ କେଇଖଣ୍ଡକୁ ଭଙ୍ଗା ଫଟା କଡେଇରେ ଦେଇ ଅଣ୍ଡାଖୋଳ,ବିଅର ପେଟି ଖୋଳ ଓ ଫଳ ପେଟି ପୁରାଇ ସିଝାଉଥିଲା ଖାଇବାକୁ ଆଦରର ତିଅଣ।

   ଏହି ସମୟରେ ନଟିଆ ଭାଇ ଆସି କହିଲା,ଆରେ ଶମ୍ଵୁ,ଲୋ ପୁନି ନାନୀ, ଫୋନି ମାଡି ଆସୁଛି,ଚାଲ ସ୍କୁଲ ଘରକୁ ଯିବା।ବାରମ୍ବାର ମନା କରିବା ସତ୍ତ୍ୱେ ବାଧ୍ୟରେ ସରକାରୀ ଗାଡ଼ିରେ ବସି ପୁନି ଓ ଶମ୍ଭୁ ଚାଲିଲେ ସ୍କୁଲ ଘର।ହେଲେ ସେମାନେ ଲାଗୁଥିଲେ ଭିନ୍ନ,କାରଣ ତାଙ୍କ ଘର ତ ତିନି ଶହ ପଞ୍ଚଷଠି ଦିନ ଫୋନି ରେ ଧକ୍କା ଖାଉଛି।

  ବସି ବସି ଦୁହେଁ କହୁଛନ୍ତି, ବାଃ ବାଃ ରେ ସମାଜ,ବାଃ ବାଃ ରେ ଆଜିର ଦୁନିଆ। ଯେଉଁ ରାଜ୍ୟର ମୁଖ୍ୟ ଜଣେ ସାଧକ, ମଣିଷ ପରି ମଣିଷ,ଯେଉଁ ଦେଶର ମୁଖ୍ୟ ଜଣେ ଦେବ ତୁଲ୍ୟ, ବ୍ୟକ୍ତିତ୍ୱ,ଆଉ ଯେଉଁ ମାଟିର ଦେବତା ବିଶ୍ୱର ମଉଡ ମଣି,ମଙ୍ଗଳମୟ, ସେ ମାଟିର ମଣିଷ ଦୁଇଟାକୁ ଭୂମି ଖଣ୍ଡେ କି ବସ ବାସ ମିନୁନି ତାହା  ଲଅତ୍ୟନ୍ତ ନିନ୍ଦନୀୟ।ତେଣୁ ଆମେ ମାଆ ପୁଅ ଦୁହେଁ ଏ ରାଜ୍ୟର ମୁଖ୍ୟ,ଦେଶର ମୁଖ୍ୟ ଓ ସୃଷ୍ଟିର ମୁଖ୍ୟଙ୍କୁ ଅନୁରୋଧ କରୁଛୁ,ଆମର ଘର ଆବଶ୍ୟକ ନାହିଁ, ଆମର କିଛି ଦରକାର ନାହିଁ,ବରଂ ଏ ମାଟିର ଋଣ ଶୁଝିବାକୁ ଆମ ହାର୍ଟ,କିଡନି କି ଚକ୍ଷୁ ନେଇ ଆମ ଦେଶ ମାତୁକାର ସୁରକ୍ଷା ସମ୍ମାନ ପାଇଁ କାମରେ ନିୟୋଜିତ କଲେ ଆମ ଜୀବନ ଧନ୍ୟ ହେବ।
  ଏହା ଭିତରେ ଫୋନିର କରାଳ କ୍ରିୟା ଧ୍ୱସ୍ତ ବିଧ୍ୱସ୍ତ କରୁଥିଲା,କିନ୍ତୁ ପୁନି ଓ ଶମ୍ଭୁ ଠୋ ଠୋ ହସି ହସି କହୁଥାନ୍ତି ରେ ଫୋନି, ଏ ମଲା ଜୀବନ ଦୁଇଟାକୁ ତୁ କଣ ଡ୍ରାଇବୁ? ତୁ କଣ ଆମ ଜୀବନର ମହାବାତ୍ୟା ଠୁ ଭୟଙ୍କର???

ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର

0 Comments