ପୁରାଣ କଥା - ବିଶ୍ରବାଙ୍କୁ ବିବାହ ପାଇଁ ନିକଷାଙ୍କ ମନ - ନରେନ୍ଦ୍ର ପ୍ରସାଦ ବେହେରା

ପୁରାଣ କଥା - ବିଶ୍ରବାଙ୍କୁ ବିବାହ ପାଇଁ ନିକଷାଙ୍କ ମନ - ନରେନ୍ଦ୍ର ପ୍ରସାଦ ବେହେରା

ବିଷ୍ଣୁଙ୍କଠାରୁ ପରାଭବ ପାଇ ବହୁ ଦୈତ୍ଯ ଯାଇ ସମୁଦ୍ର ଭିତରେ ଲୁଚିଥିଲା ବେଳେ ବହୁ ଦୈତ୍ଯ ମଧ୍ଯ ପାତାଳ ଭିତରେ ଲୁଚିଥିଲେ ।  ଏହି ସମୟରେ ପାତାଳ ଭିତରେ ଲୁଚି ରହିଥିବା ସୁମାଳି ଦୈତ୍ଯ ଦିନେ ନିଜ ଝିଅ ନିକଷାକୁ ସଙ୍ଗରେ ଘେନି ବାହାରକୁ ବାହାରିଥାଏ । ହଠାତ୍ ଉପରକୁ ଚାହିଁ ସୁମାଳି ଦୈତ୍ଯ ଦେଖିଲା ଯେ ବିଶ୍ରବା ନନ୍ଦନ କୁବେର ନିଜ ପୁଷ୍ପକ ରଥରେ ବସି ଅନୁଚରବର୍ଗଙ୍କ ସହିତ ଆକାଶ ପଥରେ ମହା ଆଡମ୍ବରରେ ଗମନ କରୁଛନ୍ତି । କୁବେରଙ୍କୁ ଦେଖି ଦୈତ୍ଯ ସୁମାଳି କୁବେରଙ୍କ ପରି ହେବାକୁ ଇଛାକଲା । କିପରି ସେ କୁବେରଙ୍କ ପରି ହୋଇପାରିବ ଏ ବିଷୟରେ ସେ ବହୁତ ଚିନ୍ତା କରିବା ପରେ ଗୋଟାଏ ଉପାୟ ପାଇଲା । ସୁମାଳି ଭାବିଲା ଯଦି ନିଜ ଝିଅ ନିକଷାକୁ ମହର୍ଷି ବିଶ୍ରବାଙ୍କ ସହିତ ବିବାହ ଦେଇପାରିବି ତେବେ ନିକଷା ଗର୍ଭରୁ ଯେଉଁ ପୁତ୍ର ଯାତ ହେବ ସେ କୁବେରଙ୍କ ପରି ହୋଇପାରିବେ । ତା'ହେଲେ ତା'ରି ବଳରେ ମୁଁ କୁବେରଙ୍କ ପରି ଆଡମ୍ବରରେ ରହିପାରିବି । ମନେ ମନେ ଏଭଳି ନିଷ୍ପତ୍ତି କରି ସୁମାଳି ଦୈତ୍ଯ ନିଜ ଝିଅ ନିକଷାକୁ ସବୁକଥା ବୁଝାଇ କହିଲା ।  ଏକଥାଶୁଣି ଝିଅ ନିକଷା ବିଶ୍ରବା ନିକଟକୁ ଯିବାପାଇଁ ସଜବାଜ ହେଲା । ରୂପ ଯୌବନବତୀ ନିକଷା ପାତାଳପୁରୀରୁ ଯାଇ ମହର୍ଷି ବିଶ୍ରବାଙ୍କ ପାଖରେ ପହଞ୍ଚିଲା । ନିକଷାର ମନକଥା ଜାଣିପାରି ବିଶ୍ରବା ତାକୁ କହିଲେ ମୁଁ ତୋତେ ପତ୍ନୀ ରୂପେ ଗ୍ରହଣ କରିବାକୁ ରାଜି ଅଛି । କିନ୍ତୁ ତୁ ଯେଉଁ ବେଳାରେ ମୋ ପାଖରେ ଆସି ପହଞ୍ଚିଛୁ ତାହା ଫଳରେ ତୋର ଯେଉଁ ପୁତ୍ର ଜାତ ହେବ ସେମାନେ ହେବେ ମହାଦୁଷ୍ଟ । ବିଶ୍ରବାଙ୍କ ମୁଖରୁ ଏହା ଶୁଣି ନିକଷା ବହୁତ ମନ କଷ୍ଟ କରି ଗୋଟିଏ ଭଲ ପୁଅ ପାଇବା ପାଇଁ ବିଶ୍ରବାଙ୍କୁ ବହୁତ ଅନୁନୟ କଲା । ବିଶ୍ରବା କହିଲେ ତୋ ଗର୍ଭରୁ ଯେଉଁ ପ୍ରଥମେ ଦୁଇ ପୁତ୍ର ଜାତ ହେବେ ସେମାନେ ମହାଦୁଷ୍ଟ ହେବେ । ଆଉ ତୃତୀୟ ପୁତ୍ରଟି ହେବ ଭାରି ଭଲ ଓ ବିଷ୍ଣୁ ଭକ୍ତ । ଏଥିରେ ନିକଷା ସନ୍ତୋଷ ପ୍ରକାଶ କରିବାରୁ ବିଶ୍ରବା ନିକଷାକୁ ପତ୍ନୀ ରୂପେ ଗ୍ରହଣ କଲେ । କିଛିକାଳ ଅନ୍ତେ ନିକଷା ଗୋଟିଏ ପୁଅ ଜନ୍ମକଲା । ସେହି ପୁଅଟି ଅତି ଭୟଙ୍କର ଥିଲା । ସେହି ପୁଅର ଦଶଟା ମୁଣ୍ଡ,ଦଶଟା ଵେକ ଓ କୋଡିଏଟା ହାତ ଥିଲା । ଏଠାରେ ମନେ ରଖିବା ଦରକାର ସଂସ୍କୃତରେ ବେକକୁ ଗ୍ରୀବା ବୋଲି କୁହାଯାଇଥାଏ । ତେଣୁ ବିଶ୍ରବା ସେହି ଶିଶୁଟିର ନାମ ଦଶଗ୍ରୀବ ଦେଲେ । ଦିତୀୟ ପୁତ୍ରଟିର କାନ ଦି'ଟା କୁମ୍ଭପରି ହୋଇଥିବାରୁ ବିଶ୍ରବା ତାହାର ନାମ ଦେଲେ କୁମ୍ଭକର୍ଣ୍ଣ । ତୃତୀୟରେ ଯେଉଁ ଝିଅ ଜନ୍ମହେଲା ତାହାର ନଖସବୁ ଗୋଟାଏ ଗୋଟାଏ କୁଲାପରି ହୋଇଥିବାରୁ ବିଶ୍ରବା ତାକୁ ନାଆଁ ଦେଲେ ସୂର୍ପଣଖା । ଏହାପରେ ନିକଷା ଗୋଟିଏ ପୁଅ ଜନ୍ମକଲା । ଏହି ପୁଅଟି ଥିଲା ପ୍ରସନ୍ନମୁଖ ଓ ତେଜବନ୍ତ । ବିଶ୍ରବା ଏହି ପୁତ୍ରଟିର ନାମ ଦେଲେ ବିଭିଷଣ । 

 
ମହର୍ଷି ବିଶ୍ରବାଙ୍କ ପତ୍ନୀ ନିକଷା ଗର୍ଭରୁ ଜନ୍ମିଥିବା ସନ୍ତାନମାନେ କ୍ରମେ ବଡ ହେବାକୁ ଲାଗିଲେ । ଦଶଗ୍ରୀବ, କୁମ୍ଭକର୍ଣ୍ଣ ଓ ବିଭିଷଣଙ୍କ ମଧ୍ଯରେ କୁମ୍ଭକର୍ଣ୍ଣ ଥିଲା ଅତିଶୟ ପେଟୁ । ତାକୁ ସବୁବେଳେ ଭୋକଲାଗେ । ଯେତେ ଖାଇଲେବି ତା ପେଟ ପୁରେ ନାହିଁ । ତେଣୁ ବଣ ଭିତରେ ଥିବା ବହୁତ ଋଷିଙ୍କୁ ମାରି ଖାଇଗଲା । ତେଣୁ ଆହାର ଖୋଜିବା ପାଇଁ ସ୍ବର୍ଗୂପୁରକୁ ଗଲା । ସ୍ବର୍ଗର ନନ୍ଦନକାନନରେ ପଶି ବଡ ଵଡ ଗଛସବୁ ଭାଙ୍ଗି ପକେଇଲା । ବନରକ୍ଷୀମାନେ ତାକୁ ବାଧା ଦେବାରୁ ସେ ମଧ୍ଯ ସେମାନଙ୍କୁ ମାରି ଖାଇଲା । ଏ ସମ୍ବାଦ ପାଇ ସ୍ବର୍ଗର ରାଜା ଇନ୍ଦ୍ର କୁମ୍ଭକର୍ଣ୍ଣ ଉପରେ ବଜ୍ର ପକାନ୍ତେ ଦେହରେ ବାଜି ବଜ୍ର ମୁନ ସବୁ ବଙ୍କା ହୋଇଗଲା ।ଏଥିରେ ରାଗିଯାଇ ଇନ୍ଦ୍ରଙ୍କ ଐରାବତ ହାତୀର ଦାନ୍ତକୁ ଭାଙ୍ଗି ଇନ୍ଦ୍ରଙ୍କୁ ନୀର୍ଘାତିଆ ଏକ ପାହାର ପକାଇବାରୁ ଇନ୍ଦ୍ର ଅଚେତ ହୋଇଗଲେ । ପରେ ଚେତାପାଇ ନିଜ ଘରକୁ ପଳେଇଗଲେ । ତାପରେ ଏସବୁ ଘଟଣା ଶୁଣି ବ୍ରହ୍ମା ଆସି ଇନ୍ଦ୍ରଙ୍କ ପାଖରେ ପହଞ୍ଚିଲେ । ବ୍ରହ୍ମାଙ୍କ ଆଗରେ ଇନ୍ଦ୍ର କୁମ୍ଭକର୍ଣ୍ଣର ଉତ୍ପାତ ସବୁ ବର୍ଣ୍ଣନା କରି କହିଲେ । 
   
ବ୍ରହ୍ମା ଇନ୍ଦ୍ରଙ୍କୁ କହିଲେ ଜୟ ଓ ବିଜୟ ବୋଲି ବିଷ୍ଣୁଙ୍କର ଦୁଇଜଣ ଦ୍ବାରପାଳ ଥିଲେ । ଅଭିଶାପ ହେତୁ ସେ ଦୁହେଁ ବିଶ୍ରବା ଋଷିଙ୍କ ରାକ୍ଷସୀ ପତ୍ନୀ ନିକଷା ଗର୍ଭରୁ ଦଶଗ୍ରୀବ ଓ କୁମ୍ଭକର୍ଣ୍ଣ ରୂପେ ଜନ୍ମଲାଭ କରିଛନ୍ତି । ସତ୍ଯଯୁଗରେ ଏ ଦିହେଁ ହିରଣ୍ଯକଶିପୁ ଓ ହିରଣାକ୍ଷ ନାମରେ ଭୂମିଷ୍ଠ ହୋଇଥିଲେ । ବର୍ତ୍ତମାନ ଏହି ତ୍ରେତାଯୁଗରେ ଏ ଦିହେଁ ପୁଣି ରାକ୍ଷସ ରୂପରେ ଜାତ ହୋଇଛନ୍ତି । ଭବିଷ୍ୟତରେ ଏ ଦିହେଁ ବିଷ୍ଣୁଙ୍କ ଦ୍ବାରା ନିହତ ହେଵେ । ଇନ୍ଦ୍ରଙ୍କୁ ଏହିସବୁ କଥା କହି ବ୍ରହ୍ମା ବ୍ରହ୍ମଲୋକକୁ ଫେରିଗଲେ । ଦଶଗ୍ରୀବ ଚାରିଆଡେ ବୁଲାବୁଲି କରୁକରୁ ପାତାଳପୁରୀରେ ପହଞ୍ଚିଲା । ପୂର୍ବରୁ ସେଠାରେ ଲୁଚି ରହିଥିବା ରାକ୍ଷସମାନେ ରାକ୍ଷସ ଦଶଗ୍ରୀବକୁ ଦେଖି ଆଦରକରି ପାତାଳପୁରୀ ମଧ୍ଯକୁ ନେଇଗଲେ । ଦଶଗ୍ରୀବ ସେମାନଙ୍କୁ ପଚାରିଲା ଆପଣମାନେ ଏଠି ଲୁଚି ରହିବାର କାରଣ କ'ଣ ? ସେମାନେ କହିଲେ ଦେବତାମାନଙ୍କ ମଧ୍ଯରେ ସବୁଠାରୁବଳି ଶକ୍ତିଶାଳୀ ଦେବତା ହେଉଛନ୍ତି ବିଷ୍ଣୁ । ସେହି ବିଷ୍ଣୁ ହେଉଛନ୍ତି ଆମର ଶତ୍ରୁ । ଆମ ରାକ୍ଷସ ଜାତିକୁ ବିଷ୍ଣୁ ଗୋଡାଇ ଗୋଡାଇ ମାରିଲା । ସେହି ବିଷ୍ଣଙ୍କୁ ଡରି ଆମେ ଏହି ପାତାଳପୁରୀ ଭିତରେ ଲୁଚି ରହିଛୁ । ସେମାନଙ୍କ ଠାରୁ ବିଷ୍ଣୁଙ୍କ ବିଷୟରେ ଶୁଣି ସାରିଲାପରେ ଦଶଗ୍ରୀବ କହିଲା ମୁଁ ହେଉଛି ନିକଷା ରାକ୍ଷସୀର ବଡପୁଅ । ମୋ ପିତା ହେଉଛନ୍ତି ମହର୍ଷି ବିଶ୍ରବା । ମୋର ନାମ ହେଉଛି ଦଶଗ୍ରୀବ ।  ଏହା ଶୁଣିଲାମାତ୍ରେ ରାକ୍ଷସମାନେ ଦଶଗ୍ରୀବକୁ ତା'ର ଅଜା(ନିକଷା ରାକ୍ଷସୀର ପିତା) ସୁମାଳି ଦୈତ୍ଯ ପାଖକୁ ନେଇଗଲେ ।  ସୁମାଳି ଓ ତା ସ୍ତ୍ରୀ ହେଉଛନ୍ତି ଦଶଗ୍ରୀବର ଅଜା ଆଈ । ବିଷ୍ଣୁ ଆକ୍ରମଣ କରିବାରୁ ରାକ୍ଷସକୁଳ କିପରି ଦୁର୍ଦ୍ଦଶାରେ ପଡିଛନ୍ତି ସେକଥା ଦଶଗ୍ରୀବକୁ ବୁଝାଇଦେଲେ । ସବୁକଥା ଶୁଣି ସାରିଲା ପରେ ଦଶଗ୍ରୀବ କହିଲା ମୁଁ ତପସ୍ଯା କରି ବଳଶାଳୀ ହେବି । ମୋ ସାବତ ଭାଇ କୁବେରକୁ ଲଙ୍କାରୁ ତଡିଦେଇ ସବୁ ରାକ୍ଷସମାନଙ୍କୁ ଲଙ୍କାରେ ରଖେଇବି । ଏହାକହି ଦଶଗ୍ରୀବ ବିଶ୍ରବା ଋଷିଙ୍କ ଆଶ୍ରମକୁ ଫେରି ଆସି କୁମ୍ଭକର୍ଣ୍ଣଠାରୁ ସ୍ବର୍ଗପୁର ଘଟଣା ଶୁଣି ଆନନ୍ଦିତ ହେଲା । ଠିକ୍ ଏହି ସମୟରେ ବିଭିଷଣ ନିଜ ପିତା ବିଶ୍ରବା ଋଷିଙ୍କ ପାଖରେ ରହି ଧର୍ମ ଆଚରଣରେ ମନ ଦେଇଥିଲା । ଆଉ କେଉଁଠାରେ ଅଧର୍ମ ଦେଖିଲେ ବିଭିଷଣର ମନରେ ଘୋର ଦୁଃଖ ଜାତ ହେଉଥିଲା । 

ସଂଗ୍ରାହକ - ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର, ମୋ-୯୮୫୩୧୪୨୫୧୦

0 Comments