ବେଶ୍ୟା ହାତରେ କାଳିଦାସଙ୍କ ମୃତ୍ୟୁ - ନରେନ୍ଦ୍ର ପ୍ରସାଦ ବେହେରା

ବେଶ୍ୟା ହାତରେ କାଳିଦାସଙ୍କ ମୃତ୍ୟୁ - ନରେନ୍ଦ୍ର ପ୍ରସାଦ ବେହେରା

କାଳିଦାସ ଜଣେ ପଣ୍ଡିତ ହୋଇଥିବାରୁ ତାଙ୍କର ଯଶଖ୍ଯାତି ଚାରିଆଡେ ବ୍ଯାପୁଥାଏ । ଯେଉଁଆଡେ ଯିବେ ସିଆଡେ କେବଳ କାଳିଦାସଙ୍କର ଗୁଣ,କୀର୍ତ୍ତନ ଅଗାଧ ପାଣ୍ଡିତ୍ଯତା ବଳରେ ସେ ଗୌରବ ବାନା ଉଡାଇ ଚାଲିଥାନ୍ତି । ସବୁଥାଇ ମଧ୍ଯ ତାଙ୍କର ଗୋଟିଏ ଦୁର୍ଗୁଣ ପୂରି ରହିଥାଏ । ରତ୍ନାବତୀ ପରି ଅପରୂପା ସୁଗୁଣସମ୍ପନ୍ନା ସ୍ତ୍ରୀ ରତ୍ନ ଥାଇ ମଧ୍ଯ ସେ ସଦାସର୍ବଦା ଲମ୍ପଟ ପ୍ରକୃତିର ଥିଲେ । ତେଣୁ ସେ ଗୋଟିଏ ପରେ ଗୋଟିଏ ବେଶ୍ୟା ନିକଟକୁ ଯାଉଥାନ୍ତି ।

ସେହି ସମୟର କଥା -ରାଜା ବିକ୍ରମାଦିତ୍ଯ ଏବଂ ମହାକବି କାଳିଦାସ ଉଭୟେ ଗୋଟିଏ ବେଶ୍ଯା ନିକଟକୁ ଗମନକରି ନିଜର ଯୌନ ଚରିତାର୍ଥ କରୁଥାନ୍ତି । ସେ ବେଶ୍ଯାର ନାମ ଥିଲା ଲକ୍ଷ୍ଯହୀରା । ମହା ଚତୁରୀ ସେ । ନିଜର ଚତୁରତା ବଳରେ ସେ ଏପରି କାର୍ଯ୍ୟ କରୁଥାଏ ଯେ କାଳିଦାସ ରାଜାଙ୍କ କଥା ଜାଣି ପାରୁ ନଥାନ୍ତି କିମ୍ବା ରାଜା ମଧ୍ଯ କାଳିଦାସଙ୍କ କଥା ଜାଣିପାରୁ ନଥାନ୍ତି । ଏହିପରି କିଛିଦିନ ଗଲାପରେ ଦିନେ ରାଜା କାଳିଦାସଙ୍କୁ ଅପମାନିତ କରିବା ପାଇଁ ବେଶ୍ଯାର ସାହାଯ୍ୟ ଭିକ୍ଷା କରି କହିଲେ ତୁମେ ଯେ କୌଣସି ପ୍ରକାରେ କାଳିଦାସଙ୍କୁ ବଶ କରି ଲଣ୍ଡା କରିଦିଅ । ରାଜାଙ୍କ କଥାରେ ବେଶ୍ଯା ରାଜି ହୋଇ ଲଣ୍ଡା କରିଦେବା ପାଇଁ ପ୍ରତିଶ୍ରୁତି ଦେଲେ । କାଳିଦାସ ସବୁବେଳେ ବେଶ୍ଯା ପାଖକୁ ଆସୁଥିବା କଥା ରାଜା ଜାଣନ୍ତେ ବା କିପରି । ଯେତେବେଳେ କାଳିଦାସ ବେଶ୍ଯା ପାଖକୁ ଆସିଲେ ସେତେବେଳେ ବେଶ୍ଯା ନାନାପ୍ରକାର ମିଥ୍ଯା ଛଳନା ଓ ମଧୁର ବାକ୍ଯ ଦ୍ବାରା ବଶବର୍ତ୍ତୀ କରାଇ ଶେଷରେ ଲଣ୍ଡା କରି ଦେଲା ଏବଂ ପ୍ରତି ବଦଳରେ ରାଜାଙ୍କ ଠାରୁ ବହୁ ପରିମାଣର ଅର୍ଥ ପାଇ ଆନନ୍ଦିତ ହେଲା । କାଳିଦାସ ବେଶ୍ଯା କଥାରେ ପଡି ଲଣ୍ଡା ହେଲେ ସିନା ହେଲେ ସେ  ଜଣେ ପଣ୍ଡିତ ହୋଇଥିବାରୁ ଏଥିରେ ରାଜାଙ୍କର ହାତ ଅଛି ବୋଲି ଜାଣି ପାରିଲେ । ଏ ଅପମାନ ଓ ଲଜ୍ଜିତର ପ୍ରତିବଦଳରେ ରାଜାଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଉପାୟ ଚିନ୍ତା କଲା । ପରଦିନ ସୁ ପ୍ରଭାତରୁ ରାଣୀଙ୍କର ଉଆସେ ପ୍ରବେଶ କଲା । ରାଣୀ ସେତେବେଳେ ଦେବାର୍ଚ୍ଚନାରେ ଲିପ୍ତ ଥାଆନ୍ତି । କାଳିଦାସ ସନ୍ନ୍ୟାସୀ ବେଶରେ ସାଧୁ ସାଧୁ ରଡି ଛାଡିବାରୁ ରାଣୀ ଦ୍ବାର ନିକଟକୁ ଦୌଡ଼ି ଆସିଲେ । ସନ୍ନ୍ୟାସୀ ରୂପେ କାଳିଦାସ ରାଣୀଙ୍କୁ ଆର୍ଶୀବାଦ କରି ଜଣେ ମହାନ ଗଣକ ବୋଲି ରାଣୀଙ୍କୁ କହିଲେ । ଗଣନା ବଳରେ ମୁଁ ଭୂତ,ବର୍ତ୍ତମାନ ଓ ଭବିଷ୍ୟତ କହିପାରିବା ସହିତ ଅମଙ୍ଗଳ କରିପାରେ ବୋଲି ରାଣୀଙ୍କୁ କହିଲେ । ଆହୁରି ମଧ୍ଯ କହିଲେ ଯେ ଗତକାଲି ମୁଁ ଆପଣଙ୍କ ପିତ୍ରାଳୟକୁ ଯାଇଥିଲି । ସେ ସର୍ବଦା ସବୁ ପ୍ରକାର ସୁବିଧା ଅସୁବିଧାରେ ମୋର ଆଶ୍ରୟ ଲୋଡିଥାନ୍ତି । ତେଣୁ ଗତକାଲି ମଧ୍ଯ ନାନାପ୍ରକାର ଗଣନା କାର୍ଯ୍ୟ ମୋ ଦ୍ବାରା ଆପଣଙ୍କ ପିତା ମାତା କରାଇଲେ । ଶେଷରେ ଆପଣଙ୍କ ଭବିଷ୍ୟତ ବିଷୟରେ ଗଣନା କରିବାରୁ ଯାହା ଜଣାଗଲା ସେଥିରେ ସମସ୍ତଙ୍କ ମୁଣ୍ଡ ଘୁରିଗଲା । ମୋ ହୃଦୟ ବିଦାରିତ ହୋଇଗଲା । ଭାବିଲି ମୁଁ ଥାଉଁ ଥାଉଁ ମୋ ସନ୍ତାନ ଉପରେ ଏପରି ବଜ୍ରପାତ ହେବ ତାହା କେବେ ମୁଁ ସଜ୍ଯ କରିପାରିବିନି । ଏଣୁ ରାତ୍ରର ଅବସାନ ହେବାକ୍ଷଣି ମୁଁ ଆପଣଙ୍କ ପାଖକୁ ଛୁଟି ଆସିଛି । 
     
ଏହାଶୁଣି ରାଣୀ ବ୍ଯସ୍ତ ହୋଇ ଅମଙ୍ଗଳ ବିଷୟରେ ପ୍ରଶ୍ନ କଲେ । ଛଦ୍ମବେଶୀ କାଳିଦାସ କହିଲେ ଆଜିଠାରୁ ସାତଦିନ ମଧ୍ଯରେ ଆପଣଙ୍କ ସ୍ବାମୀ ରାଜା ବିକ୍ରମାଦିତ୍ଯର ଅପମୃତ୍ଯୁ ଘଟିବ । ଏହାଶୁଣି ରାଣୀ ସଂଜ୍ଞାହୀନ ହୋଇ ତଳେ ପଡିଗଲେ । କାଳିଦାସ ତାଙ୍କୁ ସାଷ୍ଟାଙ୍ଗ କରାଇ ଭୟର କାରଣ ନାହିଁ ବୋଲି କହିଲେ ।  ଏକଥାରେ ରାଣୀ ଧୌର୍ଯ୍ଯଧରି କାଳିଦାସଙ୍କ ପାଦଧରି ଲୋତକଭରା ନୟନରେ ଗୁହାରି କଲେ ହେ ପ୍ରଭୁ ମୋ ସ୍ବାମୀଙ୍କୁ ରକ୍ଷାକର । ତା' ପ୍ରତିବଦଳରେ ଯାହା ଆପଣ ଚାହିଁବେ ମୁଁ ତାହା ପ୍ରଦାନ କରିବି । କାଳିଦାସ କହିଲେ ମୋ ସନ୍ତାନର ଦୁଃଖ ମୁଁ ହରଣ କରିବିନି ତ କିଏ କରିବ । ଏଥିପାଇଁ ମୋର କିଛି ନେବା କ'ଣ ଦରକାର ।  ମୁଁ ଜଣେ ସନ୍ଯାସୀ ହୋଇଥିବାରୁ ସମସ୍ତେ ମୋର ସନ୍ତାନ । ଧନସମ୍ପଦ ନେଇ କରିବି ବା କ'ଣ । କେବଳ ମୁଁ ତୋତେ ପ୍ରତିକାର ପଥ ବତାଉଛି । ମୋ କଥା ଅନୁସାରେ କାର୍ଯ୍ୟ କଲେ ତୋର ଅମୂଲ୍ୟ ରତ୍ନ ପାଖଛଡା ହେବନି । ରାଣୀ ପ୍ରତିଶ୍ରୁତି ଦେବାରୁ କାଳିଦାସ କହିଲେ ମା' ତୋ ସ୍ବାମୀଙ୍କର ଗ୍ରହ ଖୁବ ଖରାପ ଥିବାରୁ କାଳ ଗ୍ରହର କୁପ୍ରଭାବରେ ସେ ନିଶ୍ଚିତ ମୃତ୍ୟୁ ବରଣ କରିବ । ତେଣୁ ସେ ଯଦି କିଛି ସମୟ ପାଇଁ ମାନବରୁ ପଶୁକୁ ପରିବର୍ତ୍ତନ ହୋଇପାରନ୍ତେ ତେବେ ସେ ରିଷ୍ଟଟି କଟି ଯାଆନ୍ତା । 
   
ରାଣୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ  ମାନବ ପୁଣି ପଶୁ ହେବ କିପରି । କାଳିଦାସ କହିଲେ ଖାଲି ଚତୁସ୍ପଦ ଥିଲେ ପଶୁ ହୁଅନ୍ତିନି । କର୍ମ ଯଦି ପଶୁ ଭଳି ହେବ ତାକୁ ମଧ୍ଯ ପଶୁ କୁହାଯିବ । ଆଜି ରାତିରେ ଆପଣ ଯଦି କୌଣସି ପ୍ରକାରେ ଭୁଲାଇ ଘୋଡା କରାଇପାରିବେ ଏବଂ ନିଜେ ମଧ୍ଯ ତାଙ୍କ ଉପରେ ବସି ଘରସାରା ସାତଥର ବୁଲି ପାରନ୍ତି ତେବେ ତାଙ୍କର ଗ୍ରହ ଶାନ୍ତି ହେବ ଏବଂ ରିଷ୍ଟ ମଧ୍ଯ କଟିଯିବ, ହଁ ଆହୁରି ମଧ୍ଯ ସେ ହଃ ହଃ  ଶବ୍ଦ କରିବେ । ଏଥର ରାଣୀ ଶାନ୍ତିରେ ନିଶ୍ବାସ ମାରିଲେ  ଏବଂ ଗୋଟିଏ ମୁକ୍ତାହାର ଦିଅନ୍ତେ କାଳିଦାସ ଚାଲିଗଲେ । କାଳିଦାସଙ୍କ କହିବା ଅନୁସାରେ ରାଣୀ ରାଜାଙ୍କୁ ବୁଝାଇ କାର୍ଯ୍ୟ ସମ୍ପାଦନ କଲେ । ଏଣେ କାଳିଦାସ ଗୁପ୍ତରେ ସବୁ ଶୁଣୁ ଥାଆନ୍ତି । ଯାହାହେଉ ତାଙ୍କର ଆଶା ପୃର୍ଣ୍ଣ ହେଲା । ରାତି ପାହିଲା । ପୂର୍ବ ଦିନଗୁଡିକ ପରି ରାଜା ବିକ୍ରମାଦିତ୍ଯ ରାଜସଭାକୁ ଆସିଲେ । ସେ ସମୟରେ କାଳିଦାସ ଲଣ୍ଡିତ ମସ୍ତକ ଧାରଣକରି ସଭାକୁ ଆସିଲେ ।  ସମସ୍ତେ ପଣ୍ଡିତଙ୍କ ମସ୍ତକକୁ ଚାହିଁ ଥାନ୍ତି । ହେଲେ କେହି କିଛି ପଚାରିପାରୁ ନଥାନ୍ତି । ରାଜା ନିଜେ ତ ଏହା କରାଇଛନ୍ତି ତେଣୁ ମନେ ମନେ ହସୁଥିଲେ ମଧ୍ଯ ପ୍ରକାଶ କରୁନଥାନ୍ତି । ହସ ଚାପିରଖି ପ୍ରଶ୍ନ କଲେ କେଉଁ ତୀର୍ଥରେ ବା କ'ଣ ପାଇଁ ଲଣ୍ଡା ହୋଇଛ ? କାଳିଦାସ କହିଲେ ଆପଣ ଯେଉଁ ତୀର୍ଥରେ ବା ଯେଉଁଥିପାଇଁ ହଃ ହଃ ଶବ୍ଦ କରୁଥିଲେ । ରାଜା କହିଲେ ମନୁଷ୍ୟ ନାରୀ ବଶତା ସ୍ବୀକାର କଲେ କ'ଣ ନ କରିପାରେ । କାଳିଦାସ କହିଲେ ଯେଉଁ ନାରୀ ବଶରେ ରାଜା ନିଜେ ବି ଘୋଡା ହୋଇ ବୁଲୁଥିଲେ । ଏକଥା କେହି ନ ଜାଣି ପାରିଲେ ମଧ୍ଯ ଦୁହିଁଙ୍କ କଥା ଦୁହେଁ ଠିକ୍ ବୁଝି ପାରିଲେ । ଏଥିରେ ରାଜା ଲଜ୍ଜିତ ହୋଇ କାଳିଦାସଙ୍କର ସମସ୍ତ ଚକ୍ରାନ୍ତ ବୁଝିପାରି ସଭାରୁ ଉଠି ଚାଲିଗଲେ । ହେଲେ କ୍ରୋଧରେ ସେ ଥରି ଉଠିଥାନ୍ତି । ଭାବୁଥାଆନ୍ତି କିପରି ସେ ଏହାର ପୂର୍ଣ୍ଣ ପ୍ରତିଶୋଧ ନେବେ । ଶେଷରେ ସେ ଚିନ୍ତା କଲେ ମୂଳୁ ମାଇଲେ ଯିବ ସରି,ଦେବଙ୍କ ସଙ୍ଗେ କିମ୍ପା କଳି । ଏକଥା ଚିନ୍ତା କରି ଲକ୍ଷ୍ଯହୀରାକୁ ରାଣୀ କରିବାର ପ୍ରଲୋଭନ ଦେଖାଇ କାଳିଦାସଙ୍କୁ ମାରିଦେବା ପାଇଁ କହିଲେ । ତେଣୁ ଲୋଭଗ୍ରସ୍ତା ବେଶ୍ଯା କାଳିଦାସ ଶୟନ କରିଥିବା ଅବସ୍ଥାରେ ତାଙ୍କର ମସ୍ତକ ଚ୍ଛେଦନ କରି ଆଣି ରାଜାଙ୍କୁ ଦେଲା । ଯଥାର୍ଥରେ ବରଦାୟିନୀ ସରସ୍ବତୀ ମା'ଙ୍କର ଅଭିଶାପ କାଳିଦାସଙ୍କ ଉପରେ ପତିତ ହେଲା ।

ସଂଗ୍ରାହକ - ନରେନ୍ଦ୍ର ପ୍ରସାଦ ବେହେରା,
ଆଳଦା, ଖଇରା, ବାଲେଶ୍ଵର, ମୋ-୯୮୫୩୧୪୨୫୧୦

0 Comments