OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଅନନ୍ୟା ଜନନୀ - ସଂଯୁକ୍ତା ରାଉତ

ଅନନ୍ୟା ଜନନୀ - ସଂଯୁକ୍ତା ରାଉତ



ମାତୃଭୂମି ମାତୃଭାଷା ରେ ମମତା 
ଯା' ହୃଦେ ଜନମି ନାହିଁ ।
ତାଙ୍କୁ ଯଦି ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ !!

ଉତ୍କଳ ମାତାର ବରଦା ସନ୍ତାନ
କବିବର ରାଧାନାଥ ।
ଶବ୍ଦରେ ଶବ୍ଦରେ ଛନ୍ଦି କରିଛନ୍ତି
ଓଡ଼ିଆ ଭାଷା ସମ୍ଭ୍ରାନ୍ତ ।।

କବି ଗଙ୍ଗାଧର ଓଡ଼ିଆ ଭାଷାକୁ
ପ୍ରକୃତି ପ୍ରୀତିରେ ଭରି ।
ଭାଷାକୁ ସମୃଦ୍ଧ ଭାବକୁ ବିବିଧ
ବର୍ଣ୍ଣରେ କଲେ ସୁନ୍ଦରୀ ।।

ଉତ୍କଳ ଜନନୀ ସ୍ଵର୍ଣ୍ଣ ଶିରୋମଣି
ଭାଷାରେ ଅବର୍ଣ୍ଣନୀୟ ।
ତଥାପି କାହିଁକି ହୀନମନ୍ୟ ଆମେ
ଦେବା ପାଇଁ ପରିଚୟ ??

ଆମେ ଯେ ଓଡ଼ିଆ ଭାଷାରେ ବଢିଆ
ରକ୍ତ ଆମ କଥା କୁହେ ।
କାହିଁକି ତାହେଲେ ଆମରି ଭାଷାରେ
କହିବା ସଂକୋଚ ହୁଏ !!

ବିଦେଶୀ ଭାଷାରେ କଥା ହୋଇଗଲେ
ଭାବୁଛ ବଢ଼େ ସମ୍ମାନ ।
ଆମପରି ମୂର୍ଖ ଜଗତେ କେ ଅଛି
ସବୁ ଥାଇ ହୀନିମାନ ।।

ବିଦେଶୀ ଆଚାର ବିଦେଶୀ ଵିଚାର
ମିଶି ଗଲାଣି ରକ୍ତରେ ।
ବକଟେ ଶିଶୁକୁ ଇଂରାଜୀ ଶିଖେଇ
ଫୁଲୁଛୁ ମିଛ ଗର୍ବରେ ।।

ବେଲଜ୍ୟାଙ୍କ ପରି ଖଣ୍ଡି ଇଂରାଜୀରେ
କଥା ହୋଇ କରୁ ଗର୍ବ ।
ବୁଝି ପାରୁ ନାହୁଁ ପ୍ରକୃତ ପକ୍ଷରେ
ଜାତି ପ୍ରୀତିରେ ଅଥର୍ବ ।।

ନିଜ ଭାଷା ପ୍ରତି ମମତା ବଢିଲେ
ବଢିବ ଜାତିର ମାନ ।
ତାହା ହିଁ ଗୌରବ ତାହା ହିଁ ସୌରଭ
ସେ ଜାତି ଉଦୀୟମାନ ।।

ନିଜ ଭାଷା ଆଗ କହି ଲେଖି ଶିଖ
ହେ ମୋର ଓଡ଼ିଆ ଭାଇ ।
ଦେଶ ବିଦେଶରେ ଗର୍ବ ଗୌରବରେ
ଚାଲିବା ଛାତି ଫୁଲାଇ ।।

ମାତୃଭୂମି,ନିଜ ମାତୃଭାଷା ଠାରୁ
ଆଉ କେ ଅଛି ମହାନ ।
ଜନ୍ମଦାତ୍ରୀ ସିଏ ଅନନ୍ୟା ଜନନୀ
ବଢିବ ତା'ର ସମ୍ମାନ ।। 

Writer's Details: ସଂଯୁକ୍ତା ରାଉତ , ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: May 02, 2019

0 Comments