ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଅନ୍ତିମ ପାଉଣା - ହାସ୍ୟମୟୀ ରାଜ୍

ଅନ୍ତିମ ପାଉଣା - ହାସ୍ୟମୟୀ ରାଜ୍

ଆକାଶର ଆଖି
ସବୁ ଦେଖେ
ସବୁ ବୁଝେ,
ତାର ଛାତି ଚିରି
କେତେ ବାଆ
ବତାସ ଯେ ବହେ,
କେତେଯେ ଶାଗୁଣା
ପୁଣି ଡେଣା ଝାଡି ଉଡେ ।
ତା'ର ବକ୍ଷକୁ ଧୂମାୟିତ କରି
କେତେଯେ ଯୁଦ୍ଧଯାନ
ଆତଙ୍କ ଖେଳାଏ,
ପରମାଣୁ ପରୀକ୍ଷଣ
ତା'ର ହସକୁ ଉଜାଡେ,
ବିବର୍ଣ୍ଣ ପୃଥିବୀଟା
କେତେ ଯେ ଅଶ୍ରୁ ନିଗିଡାଏ  ।
ରକ୍ତମୁଖା ମଣିଷ କେମିତି
ଜିଇଁ ଜିଇଁ ମରେ,
ବୁଢା ମାଙ୍କଡ଼ ଦାଉରେ
ନିରୀହ ହଳଦୀ ବସନ୍ତଟା
ତା ବସାକୁ ବାରମ୍ବାର ଝୁରେ,
ମାଂସର ବିଳାପ କେମିତି
ତା'ର ଅଗଣା ଥରାଏ  ।
କୋକିଳର କୁହୁତାନ ଶୁଣେ
କାଉର କର୍କଶତାତା ହୃଦୟକୁ ଝୁଣେ,
ଡହଳ ଖରାରେ ସେ
କେମିତି ଯେ ଜଳେ ।
କେତେ ପୁଣି ହସର ରୋଷଣୀ
କେତେ ପୁଣି ଲୁହର ଭସାଣୀ
ତା'ର ଛାତି ଦୁଲୁକାଏ ।
ସେ ଧ୍ୟାନସ୍ଥ ହେବାକୁ ଚାହେଁ
ସେ ନିଦ୍ରିତ ହେବାକୁ ଚାହେଁ,
ଅଥଚ ପାରେନି
ତା'ର ଅସହାୟତାକୁ ତୋଳିଦିଏ
ସମୟ ହାତରେ,
ସମୟ ଟିକେ ହସିଦିଏ
କହେ ---
କାହିଁକି ଭାବୁଛ ବନ୍ଧୁ ?
ତମେ ଯେ ଉଦାର, ଅନାବିଳ
ତମେ ଯେ ବ୍ୟାପ୍ତ, ପ୍ରଶାନ୍ତ
ସେଥିପାଇଁ ତ ତମେ ଆକାଶ !
ହେଲେ ମୁଁ ସମୟ
ହିସାବ୍ ଭୂଲେନା,
ସାଇତିଛି ସବୁ ନଥିପତ୍ର
ଦେବାକୁ ସେମାନଙ୍କ
ଅନ୍ତିମ ପାଉଣା ।
  
Writer's Details: ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: May 04, 2019

0 Comments