ତୁମେ ମୋ ଜୀବନ ସାଥୀ - ନିବେଦିତା ମହାପାତ୍ର

ତୁମେ ମୋ ଜୀବନ ସାଥୀ - ନିବେଦିତା ମହାପାତ୍ର



ଖେଳ ସାଥିଟିଏ ଖୋଜୁଥିଲି ଯେବେ
ମାଆ ଧରାଇଦେଲେ ତୁମରି ଛବି
କହିଲେ ବୁଝାଇ ଧନରେ ମୋର
ଏହିତୋ ଜୀବନର ବଡ ସାଥି। ୧
ଧୂଳିଖେଳ ବେଳେ ତୁମକୁ ବସାଇ
ଗଢୁଥିଲି ମୁହିଁ ବାଲିର ଘର
ଆଉ କାହାକୁ ଲୋଡୁ ନଥିଲି
ତୁମେତ ଥିଲ ଏକା ନିଜର। ୨
ଘନିଷ୍ଠ ହୋଇଲା ସଂପର୍କ ଆମର
ଯେବେ ବଢିଲା ବୟସ ମୋର
ସକାଳ ସଞ୍ଜର ଯେତେକ ଘଟଣା
ବଖାଣୁଥିଲି ସବୁ ଆଗରେ ତୁମର। ୩
ପାଦ ଥାପିଲି ଆଦ୍ୟ ଯୌବନରେ
ଶୁଣିଲି ତୁମରି ଲୀଳା ଅମାପ
ବୁଝିଲି ସେଦିନ ଲବଣୀ ବାହାନାରେ
ଚୋରୀ କରୁଥିଲ ଗୋପୀଙ୍କ ପାପ। ୪
ଉଦ୍ଧାରିବ ବୋଲି ଯାମାଳ ଅର୍ଜ୍ଜୁନ
ରଚିଥିଲ ତୁମେ ଏପରି ମାୟା
ଫାଶ ଫିଟାଇବା କୌଶଳ କରି 
ମୁକ୍ତ କରିଦେଲ ଦୁହିଁଙ୍କ କାୟା। ୫
ପାପୀ କଂସର ବିନାଶନ ପାଇଁ
ଗୋପ ଛାଡି ଆସିଥିଲ ମଥୁରାପୁର
ପୁଣି କରସ୍ପର୍ଶ ଦେଇଯେ ତୁମର
କୁବୁଜା ନାରୀକୁ କରିଲ ସୁନ୍ଦର। ୬
ବନ୍ଧୁତାପଣ ତୁମ ରକ୍ଷା କରିବାକୁ
ଧୋଇଥିଲ ଗରୀବ ସୁଦାମା ପାଦ
ମହାଭାରତ ଯୁଦ୍ଧେ ମହାନାୟକ ସାଜି
ସର୍ଜନା କରିଥିଲ ଗୀତାର ପଦ। ୭
ନାଶ କରିଦେଇ ଅନୀତି ଅଧର୍ମ
ସ୍ଥାପନା କରିବାପାଇଁ ସତ୍ୟ ଧର୍ମକୁ
ଯୁଗେଯୁଗେ ନେଇ କେତେ ଅବତାର
ଆସିଅଛ ତୁମେ ଏଧରା ଧାମକୁ। ୮
ସମର୍ପିତ କରିଅଛି ଏକ୍ଷୁଦ୍ର ପରାଣ
ଭାବିଅଛି ତୁମେ ମୋଜୀବନ ବନ୍ଧୁ
କରୁଣାର ଧାରା ମିଳିଗଲେ ତୁମର
ପାରି ହେଇଯିବି ଏହି ଭବସିନ୍ଧୁ। ୯
ମନକୁ ବୁଝି ସବୁତ ଦେଇଛ
ତୁମକୁ କିବା ମାଗିବି ଆଉ
ଜୀବ ଗଲାବେଳେ ଏଘଟ ଛାଡି
ତୁମରି ନାମଟି ତୁଣ୍ତରେ ଥାଉ। ୧୦

ନିବେଦିତା ମହାପାତ୍ର 
ମୁକୁନ୍ଦ ମିଶ୍ର ନଗର,ପୁରୀ

0 Comments