"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

କ୍ଷୁଦ୍ରଗଳ୍ପ - ଶ୍ରେଷ୍ଠ ଯୋଦ୍ଧା କିଏ - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ଶ୍ରେଷ୍ଠ ଯୋଦ୍ଧା କିଏ - ନାରାୟଣ ଚନ୍ଦ୍ର ସେନାପତି



  ମାମା ମାମା..."ଏଇ ନିଅ ପ୍ରଶ୍ନ,କର ତା ଉତ୍ତର" କହି ହାତରେ ଧରିଥିବା ପ୍ରଶ୍ନ ପତ୍ରକୁ ଫିଙ୍ଗିଦେଲା ଆରାଧ୍ୟା।ଆଉ ମୋର ସ୍କୁଲକୁ ଯିବାର ନାହିଁ କି ପାଠ ପଢ଼ିବାର ନାହିଁ ଥିଲା ତା ପ୍ରତିକ୍ରିୟା।

 ସେଦିନ ଆରାଧ୍ୟା ସ୍କୁଲରୁ ଫେରି ରାଗ ତମତମ ହୋଇ ଆହୁରି କଣ ସବୁ କହି ଯାଉଥାଏ।ମନରେ ତାର ପେଡିଏ ଦୁଃଖ।କାରଣଟା ହେଲା ସେ ଆଜି ସଂସ୍କୃତି ଜ୍ଞାନ ପରୀକ୍ଷାରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇପାରିଲା ନାହିଁ।ପ୍ରଶ୍ନଟି ଥିଲା ମହାଭାରତରୁ।
   
    ଆରାଧ୍ୟା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ଵିତୀୟ ଶ୍ରେଣୀର ଶିଶୁ ଅଟେ।ଭାରି ବିଚକ୍ଷଣ ବୁଦ୍ଧି,ଜ୍ଞାନରେ ବି କମ୍ ନୁହଁ।ଗୀତ, ନାଚ, ଗଳ୍ପ,ଭାଷଣ.. ଏ ସବୁଥିରେ ତାର ଆଗ୍ରହ କହିଲେ ନ ସରେ।ପାଠ ସହ ଏହାକୁ ବି ସେ ଅଧିକ ଗୁରୁତ୍ୱ ଦେବାକୁ ତା ପାପା ମାମା କହିଥାନ୍ତି।ମା ମନୋଜ ମଞ୍ଜୁଳା ତାକୁ ପ୍ରତିଦିନ ଭଲ ଭଲ ଗଳ୍ପ କହନ୍ତି।ଟି. ଭି. ରେ ସିରିଏଲ-ସିନେମା ନ ଦେଖି ରାମାୟଣ- ମହାଭାରତ କିବା ଶିକ୍ଷଣୀୟ ତଥ୍ୟ ଦେଖିବାକୁ ପରାମର୍ଶ ଦିଅନ୍ତି।ତାଙ୍କ ମତରେ, ଯଦି ଶିଶୁ ବେଳୁ ଜଣେ ସଂସ୍କୃତିକୁ ଭଲ ପାଇନାହିଁ, ତେବେ ବଡ଼ ହେଲେ ଜାତୀୟତା ଭୁଲିଯିବ।ସଂସ୍କାର ଓ ଶୃଙ୍ଖଳାଠୁ ଭି ଦୂରରେ ରହି ମାନବିକତାକୁ ଧକ୍କା ଦେବ,ତିରସ୍କାର କରିବ।ତେବେ କଣ ହେଲା ଆରାଧ୍ୟା ଆଜି ଏତେ ରାଗୁଛି କାହିଁକି?
   ସେ ଆଦରରେ କହିଲେ, କଣ ହେଲା କି ରେ ମାମୁନି,ଆଜି ମୋ ଝିଅ ଏତେ ରାଗ କରିଛି କାହିଁକି?
  ରାଗିବିନି,ତୁମେ ପରା କହୁଥିଲ ମୋତେ ରାମାୟଣ, ମହାଭାରତର ସବୁ କଥା କହିଦେଇଛ, ମୋତେ କିଛି ଅଜଣା ଅଛପା ନାହିଁ, ହେଲେ ଆଜି ମହାଭାରତର ସାମାନ୍ୟ ପ୍ରଶ୍ନଟିର ଉତ୍ତର କରିପାରିଲି ନାହିଁ କାହିଁକି?ଆରାଧ୍ୟାର ଚଢା ଗଳାର ଏ ପ୍ରତିକ୍ରିୟା।
   ମନୋଜ ମଞ୍ଜୁଳା ପ୍ରଶ୍ନଟିକୁ ଦେଖି ଟିକେ ହସିଦେଲେ,ପ୍ରଶ୍ନଟି ଟିକିଏ ଜଟିଳ ଥିଲା,ଯାହାର ପ୍ରତ୍ୟକ୍ଷ ଉତ୍ତର ସେ କେବେ ଝିଅକୁ କହିନାହାନ୍ତି।ପ୍ରଶ୍ନଟି ଥିଲା---ଏମାନଙ୍କ ମଧ୍ୟରୁ ମହାଭାରତର ଶ୍ରେଷ୍ଠ ଯୋଦ୍ଧା କିଏ ଥିଲେ?
  ସମ୍ଭାବ୍ୟ ଉତ୍ତର ଗୁଡିକ ଥିଲା--କ)ଅର୍ଜ୍ଜୁନ, ଖ)ଦ୍ରୋଣ, ଗ)ଭୀଷ୍ମ, ଘ)କର୍ଣ୍ଣ ଓ ଙ)କୃଷ୍ଣ ।

   ଆରାଧ୍ୟା ଆହୁରି ରାଗିଗଲା।କହିଲା ମାମା, ମୋତେ କେତେ ଖାରାପ ଲାଗୁଛି ମୁଁ କରିପାରିଲି ନାହିଁ କିନ୍ତୁ ତୁମେ ହସୁଛ ?

   ମାମା କହିଲେ, ଆରେ ତୁ କାହିଁକି କହିପାରିଲୁ ନାହିଁ,ଏ ସମସ୍ତଙ୍କ ବିଷୟରେ ତ ମୁଁ ତୋତେ ସବୁ କହିଛି।ତୁ କଣ ମନେ ରଖିନାହୁଁ?

   ହଁ ମାମା ମୁଁ ସବୁ ମନେ ପକାଇଲି ବହୁତ ଚେଷ୍ଟା କଲି କିନ୍ତୁ...ମନରେ ମୋର ବାରମ୍ବାର ଦ୍ବନ୍ଦ୍ୱ ଆସିଲା କିଏ ଶ୍ରେଷ୍ଠ ବୋଲି?
ଅର୍ଜ୍ଜୁନ ତ ଆର୍ଯ୍ୟାବର୍ତ୍ତର ସର୍ବଶ୍ରେଷ୍ଠ ଧନୁର୍ଦ୍ଧାରୀ ବୀର,ଗୁରୁ ଦ୍ରୋଣଙ୍କୁ ତ ଧର୍ମ ଓ ସମ୍ମୁଖ ଯୁଦ୍ଧରେ କେହି ହରାଇ ପାରିବେ ନାହିଁ।ଭୀଷ୍ମ ତ କେବେ ହାରି ପାରନ୍ତି ନାହିଁ,ମୃତ୍ୟୁ ତାଙ୍କର ଇଛା ମୃତ୍ୟୁ।କର୍ଣ୍ଣଙ୍କୁ ଦେଖିଲେ ଶତ୍ରୁମାନେ ଭୟରେ ଥରନ୍ତି।କୃଷ୍ଣ ତ ସ୍ୱୟଂ ଭଗବାନ ସେ ବୀରତ୍ୱର ସମ୍ରାଟ ମାତ୍ର ମହାଭାରତରେ ସେ ଧରି ନ ଥିଲେ ଅସ୍ତ୍ର।ତୁମେ ତ କେବେ କହିନାହଁ ଏମାନଙ୍କ ଭିତରୁ ଶ୍ରେଷ୍ଠ କିଏ?
    ହଁ ରେ ଆରାଧ୍ୟା ତୁ ଛୋଟ ବୋଲି ଅବଶ୍ୟ ତୋତେ ମୁଁ ଏହା ବର୍ଣ୍ଣନା କରିନାହିଁ। ମାତ୍ର ଆଜି ତୋତେ ନିଶ୍ଚୟ ଏ ତତ୍ତ୍ୱ,ତଥ୍ୟ,ରହସ୍ୟ କେବେ ସମୟ ଦେଖି କହିଦେବି।ଆରାଧ୍ୟା ଥିଲା ଜିଦଖୋର, ନ ଛୋଡ ବନ୍ଧା।ସେ ଛାଡିବ ବା କିପରି।ସଂଗେ ସଂଗେ କହିଲା ନା ମାମା, ପରେ ନୁହଁ,ଆଜି କ'ଣ... ମୋର ଏଇନେ ଶୁଣିବାର ଅଛି।
     ଆରମ୍ଭ କଲେ ମନୋଜ ମଞ୍ଜୁଳା ସେ ପବିତ୍ର ମହାନ ଶିକ୍ଷା ସଂସ୍କୃତି ସମ୍ପନ୍ନ ମହାଭାରତର ପ୍ରମୁଖ ବିଷୟବସ୍ତୁ।ଯାହା ଶ୍ରବଣ କଲେ ହୃଦୟରେ ଭୂମିକମ୍ପ ସୃଷ୍ଟି ହେବ,ମନରେ ଫାଇଲିନ ଓ ଅନ୍ତରରେ ସୁନାମି ସୃଷ୍ଟି ହେବ।ତଥାପି ମୁଁ ତୋତେ କହୁଛି ମନଦେଇ ଶୁଣିବୁ।
       ମହାଭାରତ ଯୁଦ୍ଧର ଏକ ନିର୍ଣ୍ଣାୟକ ସମୟ।ସମସ୍ତଙ୍କ ଆକୁଳ ଅପେକ୍ଷା।କୌରବ ପକ୍ଷର ମହାବଳୀ କର୍ଣ୍ଣ ଆଉ ପାଣ୍ଡବ ପାର୍ଶ୍ଵର ଧନୁର୍ଦ୍ଧାରୀ ଅର୍ଜ୍ଜୁନ।ମହାଭାରତର ଦୁଇ ବଳଶାଳୀ ଯୋଦ୍ଧାଙ୍କ ଯୁଦ୍ଧ।ଯିଏ ମୃତ୍ୟୁବରଣ କରିବ ଅପରପକ୍ଷର ବିଜୟ ସୁନିଶ୍ଚିତ।
   ସମସ୍ତଙ୍କ ଦୃଷ୍ଟି ଦୁଇ ଯୋଦ୍ଧାଙ୍କ ଅପୁର୍ବ ରଥସଜ୍ଜା ଉପରେ।ଆଖି ଖୋସି ହୋଇ ଯାଉଥାଏ ଇନ୍ଦ୍ରଙ୍କ ମାନସପୁତ୍ର ଅର୍ଜ୍ଜୁନଙ୍କ ହୀରାପରି ଝଲସୁଥିବା ରଥ,ପୁନଶ୍ଚ ବିଶ୍ୱ ବ୍ରହ୍ମାଣ୍ଡର ସ୍ରଷ୍ଟା ଭଗବାନ ତାଙ୍କ ରଥର ସାରଥି ରୂପେ ବିଜେ।ଆଃ କି ବିଚିତ୍ର ଏ ଶୋଭା ! ଅପର ପକ୍ଷରେ ଆଖି ଝଲସି ଯାଉଥାଏ ସୂର୍ଯ୍ୟଙ୍କ ମାନସପୁତ୍ର ଦିପ୍ତୀମାନ କର୍ଣ୍ଣଙ୍କ ରକ୍ତିମ ଲେଲିହାନ ଶିଖାପରି ଜକ୍ ଜକ୍ କରୁଥିବା ରଥ।
   ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ...ସତରେ କିଏ ଜିତିବ?କିଏ ହେବ ମହାଭାରତର ଶ୍ରେଷ୍ଠ ଯୋଦ୍ଧା?ଅର୍ଜ୍ଜୁନ ପଣ କରିଛି ମୁଣ୍ଡକାଟ କରିବ କର୍ଣ୍ଣର।ସେପଟେ କର୍ଣ୍ଣ କରିଛନ୍ତି ବଜ୍ର ଶପଥ ନିଶ୍ଚେ ଅର୍ଜ୍ଜୁନର କରିବ ଶିରଚ୍ଛେଦ।ରଣ କ୍ଷେତ୍ର ଆଜି ଥରହର।ସଭିଙ୍କ ଦେହରେ ବିଦ୍ୟୁତର ଚମକ।
   ମାତ୍ର ଏକ ବିସ୍ମୟକର ପରିସ୍ଥିତିର ଜନ୍ମଲାଭ ହେଲା ଅର୍ଜ୍ଜୁନର ମହନୀୟ ହୃଦୟରେ।କର୍ଣ୍ଣର ତେଜିୟାନ ରଥ,ଦାମ୍ଭିକ ଚାହାଣୀ,ବୀର ଦର୍ପକୁ ଦେଖି ମନେ ମନେ ସମ୍ମାନର ମଥାନତ କରୁଥାଏ ଫାଲ୍ଗୁନୀ ଅର୍ଥାତ ଅର୍ଜ୍ଜୁନ।ଧୀର ଗଳାରେ କହିଲେ,ହେ ସଖା...ସତରେ ଏ କର୍ଣ୍ଣକୁ ଦେଖି ମୋତେ ଲାଗୁଛି ପ୍ରକୃତରେ ଏ ହେଉଛନ୍ତି ଅଦ୍ୱିତୀୟ ଵୀର, ପ୍ରକୃତ ଯୋଦ୍ଧା,ଯଦି ତାଙ୍କ ଦ୍ବାରା ମୋର ମୃତ୍ୟୁ ହୁଅନ୍ତା ନା ତେବେ ମୁଁ  ନିଜକୁ ଧନ୍ୟ ମନେ କରନ୍ତି।ବିଚଳିତ କୃଷ୍ଣ କ୍ରୋଧାନ୍ୱିତ ଓ ଭତ୍ସନା କରି କହିଲେ,ତୁମେ ଏଡ଼େ ଭୀରୁ,କାପୁରୁଷ।ସମ୍ମୁଖ ନିର୍ଣ୍ଣାୟକ ଯୁଦ୍ଧ ପୂର୍ବରୁ ଏଭଳି ପାଗଲାମୀ କରୁଛ,ଜଣେ ବୀର ପାଖରେ ଏହା ଆଦୌ ଶୋଭା ପାଏନା।ତେବେ ସଖା କହି ପାରିବେ,ଏ ମହାଭାରତର ଶ୍ରେଷ୍ଠ ଯୋଦ୍ଧା କିଏ?ଅର୍ଜ୍ଜୁନ ପୁଣି ପ୍ରଶ୍ନ କରିଥିଲେ।କୃଷ୍ଣଙ୍କର ଉତ୍ତର ଥିଲା ଆଜି ଧର୍ମ ମହାଭାରତ ଚାହିଁଛି ତୁମ ଗାଣ୍ଡିବର ଟଙ୍କାରକୁ।ଆର୍ଯ୍ୟାବର୍ତ୍ତ ଅପେକ୍ଷା କରିଛି ତୁମ ବିଜୟର ସ୍ଵନକୁ, ପାଣ୍ଡବ ମାନେ ଚାହିଁଛନ୍ତି ଅସଲ ନ୍ୟାୟକୁ।ମାତ୍ର ଆର୍ଯ୍ୟାବର୍ତ୍ତର ସର୍ବଶ୍ରେଷ୍ଠ ଧନୁର୍ଦ୍ଧାରୀ ଉପାଧୀ ପାଇ ବି  ତୁମେ ଏଡ଼େ ନିର୍ବୋଧ।କିଏ କହିଲା କର୍ଣ୍ଣ ଗୋଟେ ଯୋଦ୍ଧା ବୋଲି।ଆଜି ଯାଏ ଯାହା ସେ କରିଛି କେବଳ ଛଳ ଓ କପଟରେ।ମୋ ଛୋଟ ଭଣଜାଟାକୁ ସେ ପାରିଥିଲା କି ହରାଇ ସମ୍ମୁଖ ଯୁଦ୍ଧରେ ? ସମୟ ଆସିଲେ ଅବଶ୍ୟ ତୁମେ ଜାଣିବ ଶ୍ରେଷ୍ଠ ଯୋଦ୍ଧା କିଏ?

   ତେଜି ଉଠିଲେ ପାର୍ଥ ମନେ ପକାଇ କର୍ଣ୍ଣର ପୂର୍ବ ଅନ୍ୟାୟ ଅବିଚାର କୃତିକୁ । ଚାଲିଲା ଦୁଇ ଯୋଦ୍ଧାଙ୍କ ଘମାଘୋଟ ଯୁଦ୍ଧ।ଆକାଶ, ଧରିତ୍ରୀ, ପାତାଳ କମ୍ପି ଉଠିଲା ଦୁଇ ଯୋଦ୍ଧାଙ୍କ ରଣହୁଙ୍କାର ଓ ଧନୁ ଟଙ୍କାରରେ।ଦେବତା ମାନେ ବି ଆଚମ୍ବିତ ହେଲେ।ସଭିଙ୍କୁ ଲାଗୁଥିଲା ସତେ ଯେମିତି କଳ୍ପନାର ଯାଦୁ କି ସ୍ୱପ୍ନର କୁହୁକି ଯୁଦ୍ଧ।ଏ କଣ?କର୍ଣ୍ଣଙ୍କର ବାରମ୍ବାର ଆକ୍ରମଣରେ ଆହତ ହୋଇ ଉଠୁଥାନ୍ତି ଅର୍ଜ୍ଜୁନ।ଶେଷରେ ଛିଣ୍ଡିଗଲା ତାଙ୍କ ଧନୁର ଟାଙ୍କ।ମୁଖରେ ମୃଦ୍ୟୁ ହସ।ମରିବାର ଭୟ ନାହିଁ ପାର୍ଥଙ୍କର।ସମ୍ମୁଖ ଯୋଦ୍ଧାର ବୀରତ୍ୱକୁ ଗର୍ବର ସହ ଉପଭୋଗ କରୁଥାନ୍ତି,ମନେ ମନେ ତାରିଫ କରୁଥାନ୍ତି।କର୍ଣ୍ଣର ଆଉ ଏକ ବାଣରେ ସମାପ୍ତ ହେବ ତାଙ୍କ ପ୍ରାଣର ସ୍ପନ୍ଦନ।ମାତ୍ର କି ଭାଗ୍ୟ।ହଠାତ୍ ସୁର୍ଯ୍ୟ ଦେବ ଅସ୍ତ ହୋଇ ଯାଉଥାନ୍ତି।ଅନ୍ତିମ ହେଲା ସେଦିନର ଯୁଦ୍ଧ।ବଂଚିଗଲା ଅର୍ଜ୍ଜୁନ।ପରଦିନ ବି ଚାଲିଲା ଘାଇଲା ବାଘଙ୍କ ଲଢେଇ।ଠିକ୍ ପୂର୍ବ ଦିନର ଅସମ୍ପୂର୍ଣ୍ଣ ପୃଷ୍ଠାର ପୁନରାଲୋଚନା ପରି ବାରମ୍ବାର କ୍ଷତ ବିକ୍ଷତ ଓ ଆହତ ହେଉଥାନ୍ତି ଅର୍ଜ୍ଜୁନ,କେବଳ ଗୋଟିଏ ଶର...ପାର୍ଥର ଉଡିଯିବ ପ୍ରାଣବାୟୁ ଓ ସରିଯିବ ମହାଭାରତ ଯୁଦ୍ଧ।ହଠାତ୍ ଏକ ଅଗ୍ନି ବଲୟ ତାଙ୍କ ସମ୍ମୁଖରେ ଉଭା,ତା ଭିତରେ ନିଜକୁ ଓ ନିଜ ଗାଣ୍ଡିବକୁ ସଜାଡିଦେଲେ ତୃତୀୟ ପାଣ୍ଡବ।ଚାଲିଲା ପ୍ରକମ୍ପିତ ଯୁଦ୍ଧ।ବାଣ ପରେ ବାଣ।କର୍ଣ୍ଣର ବଜ୍ର ବାଣରେ ଭାଙ୍ଗିଗଲା ଅର୍ଜ୍ଜୁନଙ୍କ ରଥ।ସ୍ୱୟଂ ଭଗବାନ ପଡିଲେ ରଥଠାରୁ ବାରହାତ ଦୂରରେ।କମ୍ପି ଉଠିଲା ଅର୍ଜ୍ଜୁନଙ୍କ ହୃତପିଣ୍ଡ।ପ୍ରାଣର ସଖା ଯିଏ ତାଙ୍କ ସ୍ପନ୍ଦନ, ସେହି ଭଗବାନ କୃଷ୍ଣଙ୍କ ତଳେ ପଡିବା ସେ କଣ ସହିପାରିବ? ନିଜ ବସ୍ତ୍ରରେ ପୋଛି ପୁଣି ବସାଇଲେ ରଥରେ।ଅନ୍ତରରେ ଜଳି ଉଠିଲା ଆଗ୍ନେୟଗିରି ର ବହ୍ନିଶିଖା।ମାରିଲେ ଅଗ୍ନି ବର୍ଷୀ ବାଣ। ସୃଷ୍ଟି ହେଲା ବାଣର ଭୂକମ୍ପ।ପ୍ରଚଣ୍ଡ ବେଗରେ ବଜ୍ର ସଙ୍ଘାତି ବାଣ ଭାଙ୍ଗି ଦେଲା କର୍ଣ୍ଣର ରଥକୁ।ଚକିତ ହେଲେ କର୍ଣ୍ଣ ନିଃସ୍ୱ ଅସହାୟ ପରି।ଏଥର ପଲାଟା ଲେଉଟି ପଡିଲା ଆରପଟେ।କର୍ଣ୍ଣର ରଥଚକା ପଶିଗଲା ପାତାଳକୁ।ବିପନ୍ନ କର୍ଣ୍ଣର କିଂକର୍ତ୍ତବ୍ୟବିମୁଢ ଅବସ୍ଥା।ଅର୍ଜ୍ଜୁନ ଚାହିଁରହିଥାଏ ତାର ରଥର ସଜଡ଼ା ଓ ଅସ୍ତ୍ର ଧରିବାକୁ।କର୍ଣ୍ଣର ମନ୍ତ୍ର ହେଲା ବିସ୍ମରଣ।ସଂଗେ ସଂଗେ ଶୁଭିଲା କୃଷ୍ଣଙ୍କ ଆହ୍ୱାନ...ହେ ପାର୍ଥ ଉଠାଅ, ନିକ୍ଷେପ କର ଶର,ବକ୍ଷ ବିଦ୍ଧ କର।ନିରସ୍ତ୍ର ବୀରକୁ ମାରିବା ଅଧର୍ମର କାମ ସଖା,କେମିତି ମୁଁ ଧରିବି ଏ ଧର୍ମର ଗାଣ୍ଡିବ, ଅର୍ଜ୍ଜୁନ କହୁଥାନ୍ତି ସଖା କେଶବଙ୍କୁ।ଯେଉଁ କର୍ଣ୍ଣ  ନିର୍ଦ୍ଦୟ ଭାବରେ ସପ୍ତରଥି ମେଳରେ କଲବଲ କରି ମାରିଲା ମୋ ବିଚରା ଭଣଜାକୁ,ଶୁଣି ନ ଥିଲା ତା ଅନୁରୋଧ।ଯିଏ ସଖୀ ପାଂଚାଳିକୁ ଉଲଗ୍ନ କଲା ବେଳେ ତାଛଲ୍ୟ କରି କହିଥିଲା ବେଶ୍ୟା ବୋଲି,ତା ପାଇଁ ତୁମର ଆବଶ୍ୟକ କଣ ଧର୍ମ ଯୁଦ୍ଧ?ଧାର୍ମିକଙ୍କ ପାଖରେ ଧର୍ମ ଆଚରଣ କରାଯାଏ,ବିଧାର୍ମୀଙ୍କ ପାଖେ ନୁହଁ।ଉଥାଅ ଗାଣ୍ଡିବ ନିଅ ତାର ପ୍ରତିଶୋଧ।କମ୍ପି ଉଠିଲା ପୁତ୍ର ହନ୍ତାର  ,ପତ୍ନୀ କୁ ଅପମାନର ପ୍ରତିଶୋଧ ନେବା ପାଇଁ ପାର୍ଥର ଧମନୀ।ନିକ୍ଷେପ କଲା ବିସ୍ମୟକର ଗାଣ୍ଡିବର ଶକ୍ତ ଶର।ମୁହୂର୍ତ୍ତକେ ଉଡ଼ିଗଲା ମହାବଳୀ କର୍ଣ୍ଣର ମସ୍ତକ।ମହାଭାରତର ମହାବାତ୍ୟା ନିମିଷକେ ଦୁରେଇ ଗଲା।ଶାନ୍ତ ହେଲା ରକ୍ତାକ୍ତ ପ୍ରାଙ୍ଗଣ।
   କର୍ଣ୍ଣର ମୃତ ଶରୀରକୁ ପ୍ରଣାମ କଲେ ପ୍ରଭୁ କେଶବ।ଆଶ୍ଚର୍ଯ୍ୟଚକିତ ପାର୍ଥ କୌତୁହଳୀ ପରି ଚାହିଁ ରହିଛି କେଶବଙ୍କୁ।ସ୍ୱୟଂ ଭଗବାନ ପ୍ରଣାମ କରୁଛନ୍ତି ଏ ଛାର ଅଧମକୁ।କୃଷ୍ଣ ଧୀରେ କହିଲେ ପାର୍ଥ,ଏ ତୁମ ନିଜର ଜ୍ୟେଷ୍ଠ ଭ୍ରାତା,ପ୍ରଣାମ କର ତାଙ୍କୁ।ସବିଶେଷ ଜାଣିବା ପରେ ପାର୍ଥଙ୍କର କ୍ରନ୍ଦନର ରୋଳ ନିଜକୁ ଧିକ କରିବା ଓ ଅପରାଧୀ ବୋଲି ବର୍ଣ୍ଣିବା ଥିଲା ବିଷାଦର କଥା ବସ୍ତୁ।କି ଭୁଲ ମୁଁ ନ କଲି ଆଜି !
    ପାର୍ଥକୁ ବୁଝାଉଥାନ୍ତି କେଶବ।ଏ ହେଉଛନ୍ତି ହାତଭାଗ୍ୟ ଯୋଦ୍ଧା।ଦିବ୍ୟ ଦେବ ପ୍ରତିଭା।ଏଇ ଦେଖ, ତାଙ୍କ ଶରୀରରେ ଦେବତାମାନେ ବି ପୁଷ୍ପ ବୃଷ୍ଟି କରୁଛନ୍ତି।ଏ ସାଧାରଣ ପ୍ରତିଭା ନ ଥିଲେ ଥିଲେ ଦେବ ଦୂତ ସାରଥି।
    ତୁମେ ମୋତେ ଥରେ ପ୍ରଶ୍ନ କରିଥିଲ ନା ସଖା,ମହାଭାରତର ପ୍ରକୃତ ଯୋଦ୍ଧା କିଏ?ତୁମେ କଣ ତାର ଉତ୍ତର ପାଇନ?ମନେ ପକାଅ ଯୁଦ୍ଧ ସମୟର ମୁହୂର୍ତ୍ତ ମାନ, ଥରେ ତୁମକୁ ବଞ୍ଚାଇବାକୁ ମୋତେ ସୂର୍ଯ୍ୟାସ୍ତ କରିବାକୁ ପଡିଥିଲା,ଆଉଥରେ କଦଳୀବୃକ୍ଷ ହୋଇ ଛିଡାହେବାକୁ ପଡିଲା।ଆଉ ଥରେ ରଥ ଭାଙ୍ଗି ଯିବାରୁ ସେ ତୁମକୁ ଅସ୍ତ୍ର ଧରିବା ଯାଏ ଅପେକ୍ଷା କରି ଜୀବଦାନ ଦେଇଥିଲା।ତୁମେ କେବଳ ଥରେ ନୁହଁ ତିନି ତିନି ଥର ମରି ସାରିଛ ପାର୍ଥ।ପୁନଶ୍ଚ ମନେ ପକାଅ ଯେତେ ବେଳେ ତୁମ ରଥ ଭାଙ୍ଗିଗଲା ଓ ମୁଁ ବାର ହାତ ଦୂରରେ ପଡ଼ିଥିଲି।ଥରେ ଗଭୀର ଭାବେ ଭାଵ ପାର୍ଥ,ଯେଉଁ ଯୋଦ୍ଧା ସ୍ୱୟଂ ଭଗବାନଙ୍କୁ ବାର ହାତ ଦୂରକୁ ଫିଙ୍ଗି ଦେଇପାରେ ତାର ବୀରତ୍ୱକୁ କଣ କାହା ସହ ତୁଳନା କରାଯାଇପାରେ?ଏଥର ଉତ୍ତର ତୁମ ପାଖରେ।
  ଅର୍ଜ୍ଜୁନର ଆଖିରୁ ଧାର ଧାର ଲୁହ ବୋହିଯାଉଥାଏ।ବୀର କର୍ଣ୍ଣର ପାଦକୁ ଆଉଁସି ଆଉଁସି କହୁଥାନ୍ତି ହେ ଜ୍ୟେଷ୍ଠ ଭ୍ରାତା, ଶ୍ରେଷ୍ଠ ପାଣ୍ଡବ... ତୁମ ଅନୁଜକୁ କଣ କ୍ଷମା କରିଦେବନି???
  ସଖାର ଆଖିରୁ ଲୁହ ପୋଛି କୃଷ୍ଣ ସାନ୍ତ୍ୱନା ଦେଇ ଖାଲି କହୁଥାନ୍ତି,ଥୟଧର ପାର୍ଥ,ଶ୍ରେଷ୍ଠ ବୀରଙ୍କ ଆତ୍ମାକୁ ଶାନ୍ତି ଦିଅ।
  ଆରାଧ୍ୟାର ଆଖିରୁ ଲୁହ ବୋହି ଯାଉଥାଏ।କହୁଥାଏ ମାମା, କର୍ଣ୍ଣ ପ୍ରତି ବହୁତ ଅବିଚାର ହେଲାନା।ମନୋଜ ମଞ୍ଜୁଳା ନିଜ ଆଖିରୁ ଲୁହ ପୋଛି କହିଲେ ହଁ ରେ ଧନ,ତା ମାତା ପିତାଙ୍କ ଅବହେଳା ଯୋଗୁଁ ତାକୁ ହିଁ ଶେଷରେ ଏଭଳି ଭୋଗିବାକୁ ପଡିଲା।ବୁଝିପାରିଲୁ ତ ଏବେ- ମହାଭାରତର ଶ୍ରେଷ୍ଠ ଯୋଦ୍ଧା କିଏ?ହଁ ମାମା ବହୁତ ଦୁଃଖଦାୟକ ବୋଲି ତୁମେ ମୋତେ କହି ନ ଥିଲା ନା?
  ଖାଲି ମୁଣ୍ଡକୁ ଟୁଙ୍ଗାରି ହଁ ବୋଲି  ଜଣାଇ, ମନୋଜ ମଞ୍ଜୁଳା ମହାଭାରତର ସେହି ମର୍ମାନ୍ତୁଦ ଦୃଶ୍ୟ ମନେ କରି କର୍ଣ୍ଣଙ୍କ ଉଦ୍ଦେଶ୍ୟରେ ଭକ୍ତିର ସୁମନ ପ୍ରଦାନ କଲେ।

👍 *ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର*👍

0 Comments