କ୍ଷୁଦ୍ରଗଳ୍ପ - କିଛି ଆଶା ପାହାନ୍ତି ସ୍ୱପ୍ନର - ଶିବ ଚରଣ ମହାପାତ୍ର

କ୍ଷୁଦ୍ରଗଳ୍ପ - କିଛି ଆଶା ପାହାନ୍ତି ସ୍ୱପ୍ନର - ଶିବ ଚରଣ ମହାପାତ୍ର



ସହରର ରଙ୍ଗୀନ ଆଲୋକ ଭିତରେ ସୂର୍ଯ୍ୟାସ୍ତ ହେଇ କେତେବେଳେ ରାତ୍ରି ଆଗମନ କରି ସାରିଥିଲା ସେ କଥା ମୁଁ ଜାଣି ପାରିନଥିଲି । ଆଖିରେ ଆଖିଏ ସ୍ୱପ୍ନ ର ସମ୍ଭାର ,ହୃଦୟରେ ବାକି ରହିଯାଇଥିବା କେତେ କେତେ  ଅଦେଖା ଆଶା ମାନଙ୍କର ରୋମନ୍ଥନ ରେ ମୁଁ ଅସ୍ତ ବ୍ୟସ୍ତ ହେଇ ଯାଉଥାଏ । କଣ ଅବା ମୁଁ କରିପାରିବି...?? କଟାମୁଣ୍ଡ ବେଲାଳସେନ ସାଜି ମୃତ୍ୟୁ କୁ ଅପେକ୍ଷାରତ ପ୍ରତିକ୍ଷିତ ଯାତ୍ରୀ ଟିଏ ମୁଁ । ପରିଣତ ବୟସରେ ଉପନୀତ ଇଛା ମାନେ ଅବଶ ହେଇ ଆସୁଥାନ୍ତି । ଯେତେସବୁ କାମନା ର ଲାଲ୍ ଟହଟହ କୃଷ୍ଣଚୂଡା ଫୁଲ ବାଧ୍ୟ ଶିଶୁଟିଏ ପରି ମୁହଁ ପୋତି ଜୀବନ ଆଗରେ ଠିଆ ହୋଇ କହୁଥିଲେ-"ଆଉ କେତେଦିନ ବ୍ୟସ୍ତତା ର ସହରରେ ନିଜକୁ ନିଜେ ଖୋଜି ଚାଲିଥିବୁ ଶିବୁ , ଚାଲ୍ ...ଫେରିଚାଲ୍ ଅତୀତ ର ନଇପଠା ଆଡକୁ । ମନଖୋଲା ହସ ର ଅଥଳ ଗହୀର ଝାଉଁ ବଣ ମଧ୍ୟ କୁ । ସେଇଠି ନିଜକୁ ନିଜେ ଧରିବାକୁ ପାଇବୁ , ନିଜ ପାଖରେ ନିଜେ ଜିଇଁବାକୁ ପାଇବୁ ।"

ମୁଁ ସ୍ଥିର କରିନେଲି ସକାଳ ହେଲେ ମୋ ସୁଇଫ୍ଟ ଡିଜେଆର୍ କାର୍ ଯୋଗେ ଗାଁ କୁ ଫେରିଯିବି । ନିର୍ଜନତାର ପାଉଁଜି ବାନ୍ଧି ଇଷତ୍ କାଳିମା ରଙ୍ଗ ଶାଢୀ ପରିଧାନ କରି ରାତ୍ରି ଆସୁଥିଲା ମୋ ମାର୍ବଲ ଲଗା କୋଠରୀ ଆଡକୁ । ସେ ଡରୁଥିଲା କି କଣ କେଜାଣି...?? ଆଗକୁ  ପାଦ ବଢେଇବାର ନାଁ ହିଁ ଧରୁ ନଥିଲା ।ମୋ ନିଦ୍ରିତ ନୟନ ଯୁଗଳ ନିର୍ଦ୍ଦେଶ କ୍ରମେ ରାତି ବଢିଗଲା ସକାଳ ଅଭିମୁଖେ । ଭୋର ସକାଳୁ ପୁଅ ବୋହୂ ଙ୍କୁ ମୋର ଗାଁ ଯିବାର ସୂଚନା ଦେଇ ଦେଲି  । ହଠାତ୍ ମୋର ଏତାଦୃଶ ଆଚରଣ ଦେଖି ସେମାନେ ଦୁହେଁ ଚକିତ ହୋଇ ମୋତେ ଏକୁଟିଆ ଯିବାକୁ ବାରଣ କଲେ ହେଲେ ମୁଁ କି ମାନିବା ଲୋକ , ରୋକଠୋକ୍ ଶୁଣେଇ ଦେଲି ଯିବି ମାନେ ଯିବି । ମୋର ଜିଦ୍ ଦେଖି ପୁଅ କହିଲା -"ଠିକ୍ ଅଛି ବାପା  , ଆପଣ ଯିବାକୁ ଚାହୁଁଛନ୍ତି ତ ଯାଆନ୍ତୁ କିନ୍ତୁ ସାଙ୍ଗରେ ରବି କୁ ନେଇଥାଆନ୍ତୁ ...ସେ ଡ୍ରାଇଭ୍ କରିନେବ ...ଦି ଦିନ ଗାଁ ରେ ରହି ପୁଣି ସାଙ୍ଗ ହେଇ ଚାଲି ଆସିବ ।" ମୁଁ କହିଲି
-"ନାହିଁ ରେ ବାପା ,ମୁଁ ନିଜେ ଡ୍ରାଇଭ କରି ଚାଲିଯିବି । ତୁ ଜମା ବ୍ୟସ୍ତ ହୁଅନା ।"
ତାର ଇଚ୍ଛା ନଥିଲେ ମଧ୍ୟ ମୋ ଜିଦ୍ ଆଗରେ ହାର୍ ମାନି ତା ଅଫିସ ପାଇଁ ବ୍ୟସ୍ତ  ହେଇ ଚାଲିଗଲା । ମୁଁ ଟିଫିନ ଟିକିଏ ଖାଇନେଇ ଗାଁ କୁ ବାହାରିଗଲି ।
      
ପଞ୍ଜୁରୀ ଖାଲି କରି ବନ୍ଦିନୀ ପକ୍ଷୀ ଟି ଡେଣା ଝାଡି ଆକାଶ ଅଭିମୁଖେ ଯାତ୍ରା ଆରମ୍ଭ କରି ସାରିଥିଲା । କେତେ ମୁକ୍ତ ସତରେ ଏ ଖୋଲା ଆକାଶ ର ଛାତି । ନା ଅଛି ବାଧା-ବନ୍ଧନ , ନା କିଛି କଟକଣା ର ନୀତି-ନୀୟମ । ଧିରେ ଧିରେ ସହର କୁ ପର କରି ବ୍ୟସ୍ତତା ର ଛାତି ଚିରି ମୁଁ ଉଡି ଆସୁଥିଲି  ମୋ ଗାଆଁ ର ସେନେହ ବୋଳା ପଣତ ତଳକୁ । ମନ ର ଅପୂରଣୀୟ ଆଶା ମାନେ ଧିରେ ଧିରେ ଗାଁ ର ମହୁଲି ବାତାୟନ ଚୁମ୍ବନ ରେ ଚେଇଁ ଉଠୁଥିଲେ । ମୁଁ ଏକ ଅପୂର୍ବ ଆନନ୍ଦ ରେ ବିମୋହିତ ହୋଇ ଭୁଲିଯାଉଥିଲି କି ମୁଁ ଜଣେ ଷାଠିଏ  ବର୍ଷ ର ବୃଦ୍ଧ । ମୋର ସ୍ୱାଗତ ନିମନ୍ତେ ଆକାଶ ର ମେଘ , ବାଦଲ ତଳେ କେତେ ଷଡଯନ୍ତ୍ର ରଚି ଇନ୍ଦ୍ରଦେବ ସହିତ  ଝରେଇ ଦେଇଥିଲା ତୃପ୍ତି ର କେଇବୁନ୍ଦା ବାରିଧାରା.. ଯାହାକି ସହଜରେ ବାହାରି ଆସି ଛୁଇଁ ଦେଇଥିଲା ମୋ ବନ୍ଦ ଝରକା ର କାର୍ ଛାତି କୁ । ମୁଁ ଗାଡି ର ଗତିରେ ବ୍ରେକ୍ ଲଗେଇ ରାସ୍ତା ପାର୍ଶ୍ବକୁ  ଠିଆ କରେଇ ଦେଲି । ଗାଡି ର ଦରଜା ଖୋଲି ଆକାଶ କୁ ଚାହିଁ ତାର ଅଭିନନ୍ଦନ ସ୍ୱୀକାର କରି କୃତଜ୍ଞତା ସ୍ୱରୁପ କିଛି ଦେବାକୁ ଚାହିଁଲି ହେଲେ ମୋ ପାଖରେ ତ ଦେବାପାଇଁ କିଛି ନାହିଁ ... ତେଣୁ ରାସ୍ତା କଡ ରୁ ଟଗର ଫୁଲ  ଗଛଟିଏ ଖୋଜି ହେଲି କାଳେ କେଇ ଗୋଟି ଫୁଲ ପାଇଯିବି ଅବା । ହେଲେ ଖୋଜି ଖୋଜି ନୟାନ୍ତ ହେଲି ସତ କିନ୍ତୁ କୌଣସି ଗଛଟିଏ ବି ପାଇଲିନି ନଚେତ୍ ଧଳା ଟଗର ଟିଏ ନେଇ ବର୍ଷା ର କୁନ୍ତଳ ଗଭାରେ ବଡ ସରାଗ ରେ ଖୋସିଦେଇ କହିଥାଆନ୍ତି  -''ଏଇ ବର୍ଷା  , ମୁଁ ଜାଣେ ତୁ ମୋତେ ବହୁତ  ଭଲପାଉ...  ଆଉ ମୁଁ ବି ତୋତେ ସେତିକି ଭଲପାଏ ଲୋ, ସେଲାଗି ତ ତୁ ଦେଇଥିବା ଏଇ ବନ୍ଧୁତ୍ୱ ର ପ୍ରତୀକ ଶୁଭ୍ର ଟଗର ଟି ତୋତେ ଆଜି ପୁଣିଥରେ ଅର୍ପଣ କରି ଆମ ସମ୍ପର୍କ କୁ ପୁନଃ ନିର୍ମାଣ କରୁଛି  ।" ହେଲେ ମୋ ଭାବନା ପ୍ରସ୍ଫୁଟିତ ହେଇ ପାରିଲାନି । ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଦୁଇ ପାର୍ଶ୍ବ ର ସମସ୍ତ ଗଛ କାଟି ଦିଆଯାଇଥାଏ । ତା ସହିତ ମୋ ସ୍ୱପ୍ନ ବି କାଟିହେଇ ସେ ରାସ୍ତା କଡ ଧାରେ ପଡିରହିଥାଏ । ବର୍ଷାର ବଢି ପାଣି ରାସ୍ତା ର ଧୂଳି ଧୋଇ କାଦୁଅ ମଚମଚ କରିବାକୁ ଉପାୟ ହିଁ ପାଉନଥାଏ । ଇଏ ତ ପକ୍କା ସଡକ , ଏଠି କେମିତି ପାଣି ବଢିବ ଆଉ ମୁଁ କାଗଜ ଡଙ୍ଗା ଭସେଇ ଦେଇ ସାଧବ ପୁଅ ହେଇଯିବି । ସୁନା , ରୁପା , ମୋତି , ମାଣିକ୍ୟ ର ନାନା ଅପରୂପା ଧନ ସମ୍ପତ୍ତି  ଦୂର ବିଦେଶ ରୁ ନେଇ ଆସିବି..?? ତଥାପି ଡାଏରୀ ର କାଗଜ ଖଣ୍ଡେ ଫାଡିଦେଇ ସଙ୍ଗେ ସଙ୍ଗେ କାଗଜ ଡଙ୍ଗା ଟିଏ ତିଆରି ନେଲି ଆଉ ଭସେଇ ଦେଲି ସେ ରାସ୍ତା ଉପରେ ... ଇସ୍ ...କି ବେଦରଦି ଏ ବର୍ଷା ଟୋପା ...ହେଇତ ଭିଜେଇ ଦେଇ ଓଦା ସରସର କରିଦେଲା ମୋର ସବୁ ସ୍ୱପ୍ନ ଆଉ ମୋ ସ୍ୱପ୍ନ ର କାଗଜ ଡଙ୍ଗା ଟିକୁ ମଧ୍ୟ । କୋହଲା ପବନ ରେ ଶରୀର ଥଣ୍ଡା ହୋଇ ଯାଇଥିଲା । ନିଜକୁ ନିଜେ ପ୍ରକୃତିସ୍ଥ କରେଇ ନେଲି । ଥରି ଥରି ଗାଡି ଦରଜା ଖୋଲି ଦେଇ ଟାୱାଲ୍ ରେ ଦେହ ମୁଣ୍ଡ ଭଲଭାବରେ ପୋଛି ହେଇ ଗଲି ।

ଓଃ.. କି ଶାନ୍ତି ...ସତରେ କେତେଦିନ ର କ୍ଳାନ୍ତି କେଇ ମିନିଟ୍ ରେ ମେଣ୍ଟି ଗଲା । ହେଲେ ପିଲାଦିନର ସେ ଖୁସି କାଇଁ ...?? ପୁଣି ଗାଡି ଆଗେଇ ଚାଲିଲା ମୋ ଗାଆଁ ଅଭିମୁଖେ । ସଂଧ୍ୟା ତରତର ହେଇ ବାହାରି ଆସୁଥିଲା ଧରଣୀ ଛାତିରୁ । ଗନ୍ଧ-ମାର୍ଦ୍ଧନ ପାହାଡ କୋଣରେ ସୂର୍ଯ୍ୟ ଦେବ ଆଶ୍ରୟ ନେବାପାଇଁ ବ୍ୟତିବ୍ୟସ୍ତ । ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରି ମୁଁ ଆଗେଇ ଚାଲିଲି ମୋ ଗାଆଁ ଭିତରକୁ । ଗାଁ ଦାଣ୍ଡ ରେ ଆଉ ଗୋଧୂଳିର ବାସ୍ନା ନାହିଁ । କାଁ ଭାଁ ରେଡିଓ ର ଧ୍ୱନୀ ଚାଳ ଛପର ଘର ଭିତରୁ ଭାସି ଆସୁଥାଏ । କ୍ଲବ ଘର ଆଗରେ ଦଳେ ଭେଣ୍ଡିଆ ଟୋକା ଠିଆ ହେଇ ଚଳଚିତ୍ର ର ନାୟକ ନାୟିକା ଙ୍କ ସମ୍ପର୍କ ର ଦ୍ୱି-ଅର୍ଥବୋଧକ ମନ୍ତବ୍ଯ ଦେଉଥାଆନ୍ତି । ମୁଁ  ଗାଡି ଆଗକୁ ବଢେଇ ନେଲି ମୋର ପୁରୁଣା ପକ୍କା ଘର ଆଡକୁ । ଦାଣ୍ଡ ଦୁଆରେ ଗାଡି ରଖି ଦେଇ ଓହ୍ଲାଇ ଆସୁ ଆସୁ ଦୁଇ ନାତି ନାତୁଣୀ ମୋ ଆଡକୁ  " ଅଜା ଆସିଗଲେ ,ଅଜା ଆସି ଗଲେ " କହି ଦୌଡି ଆସିଲେ । ମୁଁ ତାଙ୍କୁ କୋଳାଗ୍ରତ କରିନେଇ ତାଙ୍କ ଗାଲ କୁ ଚୁମା ଦେଇ ଦେଲି । ବଡ ପୁଅ - ବଡ ବୋହୂ ମୋତେ ଦେଖି ବହୁତ ଖୁସି ହେଇଗଲେ । ମୁଁ କିନ୍ତୁ କେତେ ଖୁସି ଥିଲି ତାହା ଥିଲା ଅକଳନୀୟ-ଅବର୍ଣ୍ଣନୀୟ । ମୋତେ ଲାଗୁଥିଲା ଜୀବନ ର ସବୁକିଛି ଆଶା ବୋଧ ହୁଏ ଏବେ ପୁରା ହେଇ ଯାଇଛି । ହଠାତ୍ ମୋବାଇଲ ଫୋନ ରିଙ୍ଗ ରେ ମୁଁ ପଛକୁ ଚାହିଁ ଦେଖେତ ସକାଳ ହେଇ ଗଲାଣି । " ଓଃ ମାଇଁ ଗଡ୍..କି ସୁନ୍ଦର ସ୍ୱପ୍ନ ଟିଏ ଥିଲା.." ତରତର ହେଇ ବିଛଣା ଛାଡି ଦେଲି । ମୋ ଅଧୂରା ଆଶା ଆଶା ରେ ହିଁ ରହିଗଲା ।

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର

0 Comments