କ୍ଷୁଦ୍ରଗଳ୍ପ - ଜଡେଇ ସାହୁ ବରଗଛ - ବସନ୍ତ କୁମାର ପଣ୍ଡା

କ୍ଷୁଦ୍ରଗଳ୍ପ - ଜଡେଇ ସାହୁ ବରଗଛ - ବସନ୍ତ କୁମାର ପଣ୍ଡା



କେବେ କେଉଁଠି ବରଗଛଟିଏ ନଜରକୁ ଆସିଲେ, ମନେ ପଡ଼ିଯାଏ ଆମ ଗାଁ ମୁଣ୍ଡ ଗୋଚର ପାଖରୁ ହଜି ଯାଇଥିବା "ଜଡେଇ ସାହୁ" ବରଗଛ କଥା । ଆଉ ସେହି ଗଛର ଘନ ସବୁଜିଆ ଝଙ୍କାଳିଆ ପତ୍ର ଆଢୁଆଳରୁ ଝରି ଆସୁଥିବା ଛୋଟ ବଡ଼ ପକ୍ଷୀ ମାନଙ୍କର ମନ ମତାଣିଆ କଳରବ । ଆଉ ମନେ ପଡ଼ିଯାଏ ପିଲାଦିନେ ସେହି ଗଛ ତଳେ ଝୁଲି ପଡିଥିବା ଓହଳରେ ଦୋଳି ଖେଳ, ଗଛବାଗୁଡି, ଗୋଲୀ ଓ ନଟୁ ଖେଳ କଥା । ସେହି ଗଛ ଥିଲା ଆମ ଗାଁ ଲୋକଙ୍କ ପାଇଁ ମନୋରଞ୍ଜନର ପୀଠ ସ୍ଥଳୀ । ସବୁ ଲୋକଙ୍କୁ ଏକାଠି କରି ଗୋଟିଏ ପରିବାର ଭଳି ପରସ୍ପରଙ୍କୁ ସ୍ନେହ ଡୋରୀରେ ବାନ୍ଧି ରଖିବାରେ ଏହି ଗଛର ଥିଲା ବଡ଼ ଭୂମିକା । ଖରାଦିନେ ବୟୋବୃଦ୍ଧ ଲୋକ ମାନେ ଏକାଠି ବସି ଭାଗବତ, ପୁରାଣ ଚର୍ଚ୍ଚା ବି କରନ୍ତି । ସେତେବେଳେ 'ବନା' ଅଜା ର ଗୁଲୀ ଖଟି କେତେକ ଗପ ମୋର ଆଜି ଯାଏ ମନେ ଅଛି । ତା'ଛଡ଼ା ଆଉ ଜଣକ କଥା ବେସି ମନେ ପଡେ, ସେ ହେଉଛି.... ଆମ ଗାଁ "ଅରଜୁ ଭାଇ" । "ଅରଜୁ ଭାଇ" ଜଣେ ସରଳ, ନିଷ୍କପଟ ଏବଂ ମିଷ୍ଟଭାଷୀ ମଣିଷ ଟିଏ । ଜାତିରେ ହରିଜନ ହେଲେ କ'ଣ ହେବ, ଭାରୀ ଈଶ୍ୱର ବିଶ୍ୱାସୀ ଓ ପ୍ରକୃତି ପ୍ରେମୀ ଲୋକ ଟିଏ । ବାହାଘର, ବ୍ରତ ଏବଂ ପର୍ବ ପର୍ବାଣୀରେ ଢୋଲ ବଜାଇବା ତାଙ୍କ ପରିବାରର କୌଳିକ ବୃତ୍ତି ଥିଲା । ଏହା'ଛଡା ତାଙ୍କର ବାପା, ବଡ ଲୋକିଆଙ୍କ ବିଲରେ ମୁଲ ମଜୁରୀ ଲାଗନ୍ତି । ଦୁଃଖେ ସୁଖେ ଘରଟି ଚଳି ଯାଉ ଥିଲା । 'ଅରଜୁ ଭାଇ' କୁ ପାଞ୍ଚ ବରଷ ହେଇଥିବା ବେଳେ ହାଠାତ୍ କପାଳରେ ଦଇବ ଚଡକ ପଡିବାପରି ଦେଢ଼ ବରଷର ସାନ ଭାଇଟିକୁ ଛାଡି ମା' ଚାଲିଗଲା ଆର ପାରିକୁ । ସେହିଦିନ ଠାରୁ ତାଙ୍କ ପରିବାରର ଦୁଃଖ କହିଲେ ନସରେ । ମା' ଛେଉଣ୍ଡ ଦୁଇ କଅଁଳା ଛୁଆଙ୍କୁ ବାପା କିପରି ସମ୍ଭାଳିଥିଲା ସେକଥା ନିଜେ ବାପା କିମ୍ବା ଭଗବାନ ହିଁ ଅନୁଭବ କରିପାରିଥିବେ । ବାପା କାମକୁ ଗଲା ପରେ ଛୁଆ ଭାଇଟିକୁ କାନ୍ଧରେ କାନ୍ଧେଇ 'ଅରଜୁ ଭାଇ' ଚାଲି ଆସେ ସେହି "ଜଡେଇ ସାହୁ" ବର ଗଛ ପାଖକୁ । ପିଲା ମାନେ ଖେଳୁଥାନ୍ତି । ସେହି ପିଲାଙ୍କ ସହ ଟିକିଏ ଖେଳିବାକୁ ତା'ର ଭାରି ମନ ହୁଏ ! ହେଲେ ଖେଳି ପାରେନି । ତା'ଖେଳୁଆ ମନରେ ଥିଲା ଦୁଇଟି ପ୍ରତିବନ୍ଧକ । ଗୋଟିଏ ତାର ଛୁଆ ଭାଇଟି, ଆଉ ଦ୍ଵିତୀୟରେ- 'ଜାତି' ।

ସେତେବେଳେ ଆମ ଗାଁ ରେ ଛୁଆଁ ଅଛୁଆଁ ଭେଦ ଭାବ ଭାରି ମାତ୍ରା ରେ ଥିଲା । ଏବେ ସିନା ଶିକ୍ଷାର ପ୍ରସାର ଯୋଗୁଁ ଆଉ ସେପରି ଅନୁଭବ ହେଉନାହିଁ । କେହି କୁଆଡେ କିଛି ବାରିଦେବ ତେଣୁ ଭୟରେ ଟିକିଏ ଅଲଗା ହୋଇ ଛୁଆ ଭାଇଟି ସାଙ୍ଗରେ ଏକୁଟିଆ ଏକୁଟିଆ ଖେଳିଚାଲେ । ପିଲା ମାନେ ଖେଳିସାରି ଗଲା ପରେ ଗଛ ତଳେ ଗାମୁଛା ଟିକୁ ପାରି ଦେଇ ସୋଇଯାଏ । ପେଟ ଉପରେ ସୁଆଇଦିଏ ତା ଭାଇକୁ । ଟିକିଏ ନୀରବରେ ଗଛ ଉପରକୁ ଚାହିଁ ମା' କଥା ମନେ ପକାଉ ପକାଉ ସୁଲୁସୁଲିଆ ଶୀତଳ ପବନରେ କେତେବେଳେ ଲୁହଝରା ଆଖି ଦୁଇଟିକୁ ନିଦ ମାଉସୀ ଆସି ପଣତରେ ଘୋଡେଇଦେଇ ଯାଏ । ହଠାତ ପାଚିଲା ବର ଫଳଟିଏ କାଉ, କୋଇଲି ଥଣ୍ଟରୁ କପାଳରେ ଖସି ପଡିଲେ କିମ୍ବା କିଚିରି ମିଚିରି ହୋଇ ବଣି ଚଢେଇ ଦଳେ ଗଛ ଉପରକୁ ଉଡି ଆସିଲେ ନିଦ ଭାଙ୍ଗୀ ଯାଏ । ଖରା ହେଉ କି ବରଷା, ସବୁଦିନେ ଅରଜୁ ଭାଇ ସେହି ବରଗଛ ମୂଳକୁ ଆସି ଘଡ଼ିଏ ନବସିଲେ ତା ଭାତ ହଜମ ହୁଏନାହିଁ  ! ମା'ମରିବା ପରେ ସେ ଯେପରି ଏହି ବରଗଛକୁ ନିଜର ଆପଣାର ମଣି ନେଇଥିଲା । କିଛି ବର୍ଷ ପରେ ଗାଁ ପିଲା ମାନେ ସେଠି ଥିବା ଗୋଚର ଭୁଇଁ ପଡ଼ିଆରେ ଫୁଟବଲ ଖେଳିବା ଆରମ୍ଭ କଲେ । ଏହି ଝାମ୍ପୁରା ବରଗଛର ଗୋଟିଏ ଡାଳ ପଡିଆ ମଧ୍ୟକୁ ଥିବାରୁ ବଲ ଖେଳିବାରେ ଅସୁବିଧା ହେଉଛି କହି ସେହି ଡାଲଟିକୁ ପିଲାମାନେ କାଟି ଦେଲେ । ସେଦିନ ଏହାକୁ ଦେଖି ଅରଜୁ ଭାଇ ଛାତିରେ ଖୁବ ଆଘାତ ଲାଗିଥିଲା । ଏକୁଟିଆ ଏକୁଟିଆ ଗଛ ମୂଳରେ ବସି ବହୁତ କାନ୍ଦିଛି । ଡାଳଟିକୁ କାଟିଦେବା ପରେ ପନ୍ଦର ଦିନ ଯାଏ ଗଛଟି ମଧ୍ୟ ନୀରବରେ ଲୁହ ଝରାଇ ଚାଲିଥିଲା । ଅରଜୁ ଭାଇ ବି କଣ କରିବ ? ଯେଉଁ ମାନେ କାଟିଛନ୍ତି ସେମାନେତ ବଡ଼ଘର ପିଲା,ବଡ଼ ଜାତିର ପିଲାମାନେ । କିଛି କହିଲେ ତାକୁ ଗାଁରୁ ନିଆଁ ପାଣି ବନ୍ଦ କରିଦେବ । ତା'ଅପେକ୍ଷା ମନଦୁଃଖ ମନରେ ମାରି ରହିବା ଭଲ।ଧୀରେ ଧୀରେ କଟାଯାଇଥିବା ଡାଲରୁ କଅଁଳିଆ ପତର କଞ୍ଚେଇବା ଆରମ୍ଭ ହେଲା।ଏହା ଦେଖି ଅରଜୁ ଭାଇର ଖୁସି କହିଲେ ନସରେ । ଆଉ କିଛି ଦିନ ଯାଆନ୍ତେ ପିଲାଏ ମନସ୍ତ କଲେ ଫୁଟ ବଲ ଖେଳ ଛାଡି ଏବେ କ୍ରିକେଟ ଖେଳିବେ।ସେଥିପାଇଁ ବଡ଼ ପଡିଆ ଦରକାର । ପଡିଆଟିର ବିସ୍ତାର କରିବା ପଥରେ ଏହି ବର ଗଛଟି କଣ୍ଟା ହେଉଛି । ତେଣୁ ଏହି ଗଛଟିକୁ ମୂଳରୁ ଉପାଡି ଦେବା ପାଇଁ ଚିନ୍ତା କରୁଥାନ୍ତି । ଏକଥା ଶୁଣି ଅରଜୁ ଭାଇର ଆଖିରୁ ନିଦ ହଜିଗଲା । ମା' ମାରିବା ବେଳେ ଛୋଟ ଥିଲା, ହେତୁ ହେଇ ନଥିଲା ଦୁଃଖ କ'ଣ ବୁଝି ପାରିନଥିଲା । କିନ୍ତୁ ଏହି ମା' ପରି ଆପଣାର ଗଛଟିକୁ ଉପାଡି ଦେବା କଥା ଶୁଣି ସେ ନିଜକୁ ସମ୍ଭାଳି ପାରୁ ନଥାଏ ।

ମନେ ମନେ ଗଛଟିକୁ ବଞ୍ଚେଇବା ପାଇଁ କେତେ ଉପାୟ ଚିନ୍ତା କରିଛି । କେତେ ଦିଅଁ ଦେବତାଙ୍କୁ ମାନସିକ ରଖିଛି । ବେଳେ ବେଳେ ଭାବୁଥାଏ ଗଛକୁ ସମୂଳେ ଉପାଡିବା ଦିନ ଜଗି ରହିବ । ସେମାନଙ୍କୁ ବିରୋଧ କରିବ, ହେଲେ ସାହସ ପାଏନି । ସେମାନେ ଧନୀ, ରାଜନୈତିକ ଲୋକ, ସମାଜରେ ସେମାନଙ୍କର ଆଧିପତ୍ୟ ଅଛି । ସେ ତ ଜଣେ ଗରିବ, ମୂଲିଆ ପୁଣି ଦଳିତ ସମ୍ପ୍ରଦାୟର । ତା' କଥା କିଏ ଅବା ଶୁଣିବ ? ଖାଲି ଠାକୁରଙ୍କୁ ଡାକୁଥାଏ । .....ହେ ଠାକୁରେ ଏ ଲୋକ ମାନଙ୍କୁ ଟିକିଏ ସୁବୁଦ୍ଧି ଦିଅ । ମୋ ମା' ପରି ଏହି ଗଛଟିର ଆକାଳରେ କିଛି ଅନିଷ୍ଠ ନହେଉ । କାହିଁ କେତେ କାଳୁ, ଏହି ଗଛଟିକୁ ନିସନ୍ତାନି 'ଜଡେଇ ସାହୁ' କେତେ ଶ୍ରଦ୍ଧାରେ ଲୋକ ମାନଙ୍କର ହିତ ପାଇଁ ଲଗେଇ ଥିଲା । ଆଜି ଯାଏ ତାରି ନାଁରେ ଗଛଟିର ନାଁ ହେଇଛି "ଜଡେଇ ସାହୁ ବରଗଛ" । ଗଛଟି କାହିଁ କେତେ କାଳୁ ନିଦାଘ ଗ୍ରୀଷ୍ମରେ ପଥିକ ମାନଙ୍କୁ ଛାୟା ଦେଇ ଆସିଛି । ଏହି ଗଛରେ କେତେ ପ୍ରକାର ପକ୍ଷୀ ତଥା- କାଉ, ବଣି କଜଳପାତି ଗୁଣ୍ଡୁଚି ଆଦି ନିଜର ଘର କରି ସଂସାର ବଢ଼େଇଛନ୍ତି । ଏହି ଅଞ୍ଚଳର ଜଳବାୟୁକୁ ଥଣ୍ଡା ରଖିବାରେ ସାହାଯ୍ୟ କରୁଛି । ତଥାପି ଏ ପଢ଼ାଲିଖା ଲୋକ ଗୁଡାକ କେମିତି କେଜାଣି ସତ୍ୟନାସର ପନ୍ଥା ଅବଲମ୍ବନ କରୁଛନ୍ତି । ନା.... ନା..... ଟୋକା ବୁଦ୍ଧି ଟିକିରା ଚାଷ।ଏ ଗଛଟିକୁ କାଟିବାରେ ନିଶ୍ଚୟ ବୟସ୍କ ଲୋକ ମାନେ ବାରଣ କରିବେ । ଆଜିକାଲି ସିନା ଘରେ ଘରେ ବିଜୁଳି ପଙ୍ଖା ବ୍ୟବହାର ହେଲାଣି । କିଛି ଦିନ ପୂର୍ବରୁ ପରା ଖରା ଦିନେ ସବୁ ଆସି ଏହି ଗଛମୂଳେ ଆଶ୍ରୟ ନେଉଥିଲେ । ସେକଥା କ'ଣ କାହାରି ମନରେ ନଥିବ । ସମସ୍ତେ କ'ଣ ବେଇମାନ ହେଇଯିବେ ? କାହାରି ନା କାହରି ମନରେ ଦୟା ନିଶ୍ଚୟ ଆସିବ । ଏହିପରି ଅରଜୁ ଭାଇ ଭାବି ଭାବି ନିଜକୁ ବୁଝେଇଦେଇଥିଲା । ତଥାପି ପ୍ରତିଦିନ ରାତି ନପାହୁଣୁ ଥରେ ଗଛକୁ ଦେଖି ଯାଉଥାଏ । ଏହିପରି କିଛି ଦିନ ଗଲା । ସମସ୍ତେ ନୀରବ ରେ ଥାଆନ୍ତି । ଦିନେ ସକାଳୁ ଅରଜୁ ଭାଇ ଆସି ଦେଖନ୍ତେ । ନିରୀହ ବରଗଛଟିକୁ ବୁଲଡୋଜର ଲଗେଇ କେହି ନିର୍ଦ୍ଦୟ, ନିଷ୍ଠୁର ଅସୁର ଉପାଡି ତଳେ ପକେଇଦେଇଛି । ଆଉ ତା'ର ସମ୍ପୂର୍ଣ୍ଣ ଶରୀରକୁ ଖଣ୍ଡ ଖଣ୍ଡ କରି ଛିର୍ଣ୍ଣ ବିଛିର୍ଣ୍ଣ କରି ଦେଇଛନ୍ତି । ସବୁଜ ସୁନ୍ଦର ଡାଳ ପତ୍ର ଗୁଡ଼ିକ ମଉଳି ଏଠି ସେଠି ବିଛୁଡ଼ି ହୋଇ ପଡିଥାନ୍ତି । ଆକାଶଟା ବସ୍ତ୍ରହୀନ ହୋଇ ଯେପରି ଉଲଗ୍ନ ଦିଶୁଥିଲା । ଏଠି ଧରିତ୍ରୀ ଯେପରି ବିଭତ୍ସ ହୋଇପଡିଥିଲା । ଚୁପ ଚାପ ସେଇଠି ବସିପଡ଼ିଲା ଅରଜୁ ଭାଇ । ହୃଦୟରେ ଯେପରି ଅଦିନିଆ ତୋଫାନ କ୍ଷୀପ୍ର ଗତିରେ ମାଡି ଆସୁଥାଏ । ମନ ତଳୁ ଏକ ପ୍ରଲୟର ଭୟଙ୍କର ଲାଭା ଉଦ୍ଗିରଣ ହେଉଥାଏ । ଅରଜୁ ଭାଇର ଆଖିରୁ ଧୁ' ଧୁ' ହୋଇ ଜଳୁଥାଏ ପ୍ରତିଶୋଧର ଲେଲିହାନ ବହ୍ନି ଶିଖା । ହଠାତ ଅନ୍ତରର ଗଭୀର ପ୍ରଦେଶରୁ କେହି ଜଣେ କହିବାର ଶୁଣାଗଲା ........ପାରିବୁନି ......ଏକୁଟିଆ ପାରିବୁନି ଅରଜୁ...... ନୀରବରେ ଧୈର୍ଯ୍ୟର ସହିତ ଦେଖି ଚାଲ....ଏ ମଣିଷ ଗୁଡାକ ନିଜେ ନିଜେ ଦହଳ ବିକଳ ହୋଇ କେମିତି ମରିବେ । ଆଉ ବେସି ଦିନ ନାହିଁ । ସେହିଦିନୁ ଅରଜୁ ଭାଇ ଆଉ ସେ ଜାଗାରେ ବସିବାର କେହି ଦେଖିନି । ସେଠାରୁ ବହୁ ଦୂରରେ ଆଉ ଗୋଟିଏ ବରଗଛ ମୂଳ ଆଢୁଆଳରେ ଲୁଚି ଲୁଚି ବସି ସତ୍ୟନାସର ଦିନକୁ ଅପେକ୍ଷା କରିଛି ।

ବସନ୍ତ କୁମାର ପଣ୍ଡା
ବଇଞ୍ଚା, ଇରମ, ଭଦ୍ରକ

0 Comments