ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

କ୍ଷୁଦ୍ରଗଳ୍ପ - ବୁଝି ବିଚାରି ଭୋଟ୍ ଦେବା - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ବୁଝି ବିଚାରି ଭୋଟ୍ ଦେବା - ନାରାୟଣ ଚନ୍ଦ୍ର ସେନାପତି

ରାତି ପ୍ରାୟ ଗୋଟେ କି ବେଶୀ ହେବ।ସବୁ ଶୁନଶାନ।ନିଧିଆକୁ କିନ୍ତୁ ନିଦ ହେଉ ନ ଥାଏ।ବଡ଼ ଝିଅ ମିନତୀ ଏସନ ବି.ଏ. ପରୀକ୍ଷା ଦେବ।ଟିକେ ଅଧିଜ ରାତି ଯାଏଁ ପଢୁଛି।ସେଦିନ ରାଜନୀତି ବିଜ୍ଞାନଟା ପଢୁ ପଢୁ ଟିକେ ବିଳମ୍ବ ହୋଇଗଲା।ଏଇ ତିନି ଚାରି ମିନିଟ ହେବ,ଯାଇଛି ଶୋଇବାକୁ।ନିଦ ହୋଇନି।ହଠାତ ଗୋଟିଏ ଗାଡି ହର୍ଣ୍ଣ ଦେଲା ତାଙ୍କ ଘର ପାଖରେ।ନିଧିଆ ଝଟକିନା ଉଠି ଏପଟ ସେପଟ ଚାହିଁ କବାଟ ଖୋଲି ଆରପଟରୁ ବନ୍ଦ କରି ଚାଲିଲା ଗାଡି ପାଖକୁ।ମିନତୀ ଝରକା ଫାଙ୍କରେ ଲୁଚି ଲୁଚି ସବୁ ଦେଖୁଥାଏ ଓ ଶୁଣୁଥାଏ ମଧ୍ୟ।କେହି ଜଣେ କହୁଥାଏ ନିଧିଆ,ତୁମର ୩ଖଣ୍ଡ ଭୋଟ୍,ତୋତେ ପାଞ୍ଚଶହ ଲେଖା ମୋଟ ପନ୍ଦର ଶହ ଦେଲି।ଭୋଟ୍ ଏପଟ ସେପଟ ଯେମିତି କରିବୁନି।ଜିତିଲେ ଜାଣ୍ ତୋର ସବୁ ଦୁଃଖ ଗଲା।ନିଧିଆ କହିଲା ବାବୁ,ଏ ନିଧିଆର ଜବାବ ମାନେ ଜବାବ,ମୋ କଥା କଣ ତୁମକୁ ଅଛପା। ମୁଁ ଆଗରୁ ଯେଉଁ କଥା କହିଥିଲି.....,କଥା ନ ସରୁଣୁ  ସେ କହୁଥାଏ,ହଁ ତୋ ଝିଅ ପାଠ ପଢା,ତା ବାହାଘର, ତୋ କୋଠାଘର ସବୁ ହୋଇଯିବ ।ଖାଲି ମୁଁ ଜିତି- ଟିକେ କ୍ଷମତାକୁ ଆସିଯାଏ।ନିଧିଆ କହୁଥାଏ,ଦେଖିବ ବାବୁ କେବଳ ତମେ ହିଁ ଜିତିବ।ଆରେ ତମ ଭଳି ମଣିଷ କିଏ ଏ ଖଣ୍ଡ ମଣ୍ଡଳରେ କଣ ଅଛି? ତମ ସାହାଯ୍ୟ ଭୁଲି ପାରିବୁନି ବାବୁ।ତମେ ତ ମଣିଷ ନୁହଁ,ସାକ୍ଷାତ ଦେବତା।ବାବୁ କହୁଥାଏ,ତୋ ତୁଣ୍ଡ ସୁତୁଣ୍ଡ ହେଉରେ ନିଧିଆ,କହି ଗାଡି ଷ୍ଟାର୍ଟ କରି ଚାଲିଗଲା ଧୂମକେତୁ ପରି।ନିଧିଆର କି ଖୁସି! ମିନତୀ ଭାବୁଥାଏ ମୋ ବାପା କେତେ ସରଳ,ନିରୀହ।ଏ ବାବୁଟା କେଡେ ଅଭଦ୍ର,ଟଙ୍କା କେଇଟା ଅଛି ବୋଲି ବାପ ବୟସର ଲୋକକୁ ନାଁ ଧରି ଡାକୁଛି।ତା ବାପା ବେଶୀ ପାଠ ପଢିନାହିଁ ବୋଲି କୁହୁଡ଼ିରେ ଆଈମା କାହାଣୀ କହି ଭଣ୍ଡାଉଛି। ନିଧିଆ କବାଟ ଖୋଲି ଧୀରେ ଆସିଲା,କାଳେ ତା ପିଲାମାନେ ଦେଖିଦେବେ କି? ମିନତୀ ପଚାରିଲା,ବାପା କୁଆଡେ ଯାଇଥିଲ କି?ଗାଡ଼ିରେ କିଏ ଆସିଥିଲେ?ସେମାନେ କଣ କହୁଥିଲେ?ତୁମକୁ କ'ଣ ? କେତେ ଦେଲେ?ନିଧିଆ ହଡ଼ବଡ଼ ହୋଇ କହିଲା,କାଇଁ ମୁଁ ଏ.. ବାହାରକୁ ଯାଇଥିଲି,ଆଉ ସେମାନେ ରାସ୍ତା ପଚାରୁଥିଲେ ତ? ତୁ ଏତେ ରାତିଯାଏ କଣ ଶୋଇନାହୁଁ।ଯା ଶୋଇବୁ, ନ ହେଲେ ଦେହ ଖରାପ ହୋଇଯିବ ।

ବାପା ତୁମେ ଯାହା ସବୁ କରୁଛ ଭଲ କରୁନ,ର ଉତ୍ତରରେ ନିଧିଆ ରାଗି ଗଲା,ଏବଂ କହିଲା,ତୁ ମୋ ଛୁଆ ନା  ମୁଁ ତୋ ଛୁଆ?ମିନତୀ କହିଲା ବାପା,ତୁମେ ଯାହା କରୁଛ କେବଳ ଭୁଲ ନୁହଁ କି ସାଧାରଣ ଅପରାଧ ନୁହଁ ବରଂ ଦେଶଦ୍ରୋହ ଅପରାଧ କରୁଛ।ଏ ପାଟିତୁଣ୍ଡ ଶୁଣି ମିନତୀର ମା ଗୁରେଇ ଓ ସାନ ଭାଇ ମନୁଆ  ଉଠି ଆସି ସବୁ ଶୁଣୁଥାନ୍ତି।ମୁଁ ମାନୁଛି ବାପା ମୁଁ ତୁମ ଝିଅ,ହେଲେ ତୁମେ ୫୦୦ ଲେଖାଏଁ ଟଙ୍କାରେ ଆମକୁ,ଆମ ମନ,ବିବେକ ଏପରିକି ସ୍ବାଧୀନତାକୁ ବିକ୍ରି କରିଦେଉଛ?ତୁମେ ବହୁତ ସରଳ,ବୁଝି ପାରୁନ?ନିଧିଆ ଏଥର ନରମି ଗଲା ହେଲେ କହିଲା,ଆରେ ତୁ କଣ ତୋ ବାପାକୁ ଚିହ୍ନି ନାହୁଁ,ମରିଯିବ ପଛେ କାହା ପାଖରେ କେବେ ମୁଣ୍ଡ ନୁଆଁଏ? ମୁଁ କ'ଣ ତାକୁ ମାଗୁଛି,ଯାଚିଲା ଧନ କିଏ ଛାଡେ?ମତେ ଯାଚିକି ସେ ଦେଇଛି ନା?ଖାଲି ସେତିକି ନୁହଁ, ସେ ତୋ ପାଠପଢା,ମନୁଆର ପଢା,ତୋ ବାହାଘର ଓ ଆମର କୋଠାଘର ସବୁ କରେଇ ଦେବ ପରା? ମିନତୀ ଠୋ ଠୋ ହୋଇ ହସିଲା,କହିଲା ବାପା, ଟଙ୍କା ଅଭାବରେ ବରଂ ମୁଁ ପାଠ ନ ପଢିବି,ସାରା ଜୀବନ କୁମାରୀ ହୋଇ ରହିବି ଆଉ ଟ୍ୟୁସନ କିବା କେଉଁଠି କାମ କରି ମନୁଆକୁ ମଣିଷ କରିବି, ହେଲେ ଏଇ ଅସାମାଜିକ ଅସଭ୍ୟଙ୍କ ଟଙ୍କାରେ ଲୁଣ ଟିକେ ବି ଖାଇବି ନାହିଁ।ତାପରେ ଥରେ ମନେ ପକାଇଲ ଦେଖି ବୋଉ ରୋଗରେ ପଡିଥାଏ,ବଡ଼ ଡ଼ାକ୍ତରଖାନାକୁ ନେବାକୁ ବେଶୀ ପଇସା ନ ଥାଏ,ସେ ଆମକୁ ଫଟା ପଇସାଟେ ଦେଇଛି? ଶେଷରେ ସୁନା ଟିକକ ବିକ୍ରି କରାଗଲା।ମୋତେ ବଡ଼ କଲେଜରେ ପଢ଼ାଇବାକୁ ତୁମର ଆଶା ଥିଲା,କରିଛି ସେ ସାହାଯ୍ୟ?ଆଦରରେ ରଖିଥିବା କାଳିଆ କସରା ବଳଦ ଦୁଇଟା ବିକ୍ରିକରିଦେଲ?କୁଆଡେ ଯାଇଥିଲା ସେ କଜଳପାତିଆ ଭଦ୍ରଲୋକ?ଆଜି ତାର କେଉଁ ସ୍ୱାର୍ଥ ପଡିଛି ଯେ ସେ ସବୁ ଅସୁବିଧା ଦୂର କରିଦେବ କହୁଛି?ଜାଣିନ ବାପା, ରାଜନୀତିରେ କେହି ସ୍ୱାର୍ଥ ନ ଥାଇ ସାହାଯ୍ୟ କରେନା। ହେଲେ ମିନତୀ ନ କହି ନ କହି ତୁ ମୋତେ ଦେଶଦ୍ରୋହୀ ସଜାଇଦେଲୁ?ପୁଣି ଏଇ ଟଙ୍କା ପାଞ୍ଚଶହରେ? ହଁ ବାପା,ସେ ଖାଲି ତୁମକୁ ନୁହଁ ଏଇମିତି ହଜାର ହଜାର ଲୋକଙ୍କୁ ଲାଞ୍ଚ ଦେଉଛି।ଏ ସମସ୍ତ ଖର୍ଚ୍ଚ ଟଙ୍କା ଜିତିଲା ପରେ ସେ ପ୍ରଥମେ ଦରଦାମ ବୃଦ୍ଧି କରି ଭରଣା କରିବ।ତାପରେ ଚିନ୍ତା କରିବ ସବୁଠୁ ଧନୀ,ସମ୍ଭ୍ରାନ୍ତ,ପ୍ରତିପତି ବଢ଼ାଇବା ପାଇଁ।ଶେଷରେ ଆମରି ପରି ଦରିଦ୍ର ମାନଙ୍କ ଠାରୁ ଚାଉଳ,କିରାସିନି,ଇନ୍ଦିରା ଆବାସ,ଅନ୍ୟ ରୁଣ ଆଳରେ ସେଥିପାଇଁ ପିସି ନେବ ମାନେ ସେଥିରୁ ଭାଗ ନେବ।ପୁଣି କୌଶଳ କରି କେତେକଙ୍କୁ ଆଦୌ ନ ଦେଇ ତାଙ୍କ ଟିପି ଚିହ୍ନ,ଦସ୍ତଖତ ଜାଲୄ କରି ଫଟୋ ଉଠାଇ ଲକ୍ଷ ଲକ୍ଷ ଲେଖାଏ ଟଙ୍କା ଖାଇବ।ଖାଲି ସେତିକି ନୁହଁ ବାପା, ଠିକାଦାରଙ୍କୁ ଦେବ କାମ,ତାଙ୍କ ଠୁ ଆଣିବ ମୋଟା ଅଙ୍କର ପାଉଣା।୫ଲକ୍ଷର କାମରୁ ନେବ ଲକ୍ଷେ,ଠିକାଦାର ଖାଇବ ତିନି ଲକ୍ଷ କାମ ହେବ ଲକ୍ଷେ ଟଙ୍କାର।ଯେଉଁ ଘର ହେବ ବିଚରା ଗରିବ ମରିବ,ନହେଲେ ସରଳ ନିଷ୍ପାପ ଶିଶୁ ଯେ ସ୍କୁଲରେ ପଢ଼ନ୍ତି,ଛାତ ଭୁଷୁଡିବାରେ ,କି କାନ୍ଥ ଭଙ୍ଗାରେ ସେ ମରିବେ।ତୁମେ ଶୁଣୁଛ ରାଜଧାନୀରେ ଟାୱାର ଭୁଷୁଡୁଛି,କଟକରେ ପୋଲ ଗଳି ପଡୁଛି,ଆଉ ଚାରି ପାଞ୍ଚ ମହଲା କୋଠା ଭୁଷୁଡି ନିରୀହମାନେ ମରୁଛନ୍ତି,ଏସବୁ କେବଳ ଏମାନଙ୍କ ପାଇଁ।ଏମାନେ ଜିତିବେ,କଳା ବଜାରୀ କରିବେ,ନିଜେ ସମ୍ଭ୍ରାନ୍ତ ହେବେ ପୁଣି,ଆଗାମୀ ନିର୍ବାଚନରେ ଜିତିବାପାଇଁ ପୁଳାଏ ଟଙ୍କା ରଖିଥିବେ।ଏମାନେ ହେଲେ ଦେଶଦ୍ରୋହୀ ଏମାନଙ୍କୁ ପଇସା ଖାଇ ଭୋଟ ଦେବାରୁ ସିନା ଏସବୁ ହେଲା,ତେଣୁ ଆମେ ଦେଶଦ୍ରୋହୀ ନୁହଁ କି?ଚୋର ଠାରୁ ଚୋରକୁ ପ୍ରଶୟ ଦେବା ଲୋକ ପରା ବଡ଼ ଅପରାଧୀ।
   
ନିଧିଆର ପାଟି ଖନି ମାରିଯାଉଥାଏ ମିନତୀର ଅକାଟ୍ୟ ଯୁକ୍ତିରେ।ହେଲେ ଗର୍ବରେ ଛାତି ଫୁଲି ଯାଉଥାଏ ତାର, ତାଝିଅ କେତେ ଜ୍ଞାନୀ କେତେ ବୁଦ୍ଧିମତୀ ଜାଣି।ଖାଲି ମୁକପରି ମୁଣ୍ଡ ଟୁଙ୍ଗାରୁ ଥାଏ ସେ।ସତେ ଯେମିତି ଆହୁରି କୌତୁହଳରେ ଶୁଣିବାକୁ ଇଙ୍ଗୀତ ଦେଉଥାଏ ମିନତୀକୁ। ମିନତୀ ପୁଣି ଆରମ୍ଭ କଲା,ତୁମେ ଭାବୁଛ ବାପା, ଜିତିଲା ପରେ ତୁମର ସେ ଅସୁବିଧା ପୁର୍ଣ କରିବ,ସେ ନିଶା ଛାଡ଼,ଆଜି ତାର ସ୍ୱାର୍ଥ ଅଛି ବୋଲି ସେ ଆସିଛି,କିନ୍ତୁ କାଲି ସେ ନେତା ମନ୍ତ୍ରୀ ବିଧାୟକ ହେଲେ ତାକୁ ଦେଖା କରିବାକୁ ତୁମକୁ ଅନୁମତି ମାଗିବାକୁ ପଡିବ।ସେ ଆଜି ମୁଣ୍ଡ ନୂଆଉଛି କାଲି ତୁମେ ତାକୁ ହଜାର ମୁଣ୍ଡିଆ ମାରିଲେ ବି ସେ ଆଉ ଶୁଣୁ ନ ଥିବ।ତୁମ କଥା ସେ କାହିଁକି ଶୁଣିବ?ତୁମେ ଅଧିକାର ସାବ୍ୟସ୍ତ କଲେ,ତୁମକୁ ଭୋଟ ଦେଇ ଜିତାଇଛୁ କହିଲେ ସେ କହିବ,ତୁ ମୋଫତ ଭୋଟ ଦେଇଛୁ କି,ତୋତେ ପରା ସାମାନ୍ୟ ଖଣ୍ଡେ ଭୋଟ ପାଇଁ ନଗଦ ଶହେ ନୁହଁ ଦୁଇଶହ ନୁହଁ ପୁରା ପାଞ୍ଚଶହ ଦେଇଛି,ଏମିତି ବଢି ବଢି କଥା କହୁଛୁ କଣ?ପାରିବ ତା ପ୍ରଶ୍ନର ଉତ୍ତର ଦେଇ,କରିପାରିବ ତା ସାଥେ ଯୁକ୍ତି?ଖାଲି ମୁଣ୍ଡ କାନ ଆଉଁସି ଶୁନ୍ୟ ହସ୍ତରେ ଫେରିବାକୁ ହେବ ତୁମକୁ। ଆଜି ତୁମକୁ କକା,ମାମୁଁ,ଭାଇ କହି ମନ କିଣି ନେଉଛି,କାଲି ତୁମ ଝିଅକୁ ଚାକିରୀ ଦିଅ ବୋଲି ତୁମେ ତାକୁ ଅନୁରୋଧ କରିବ,ସେ ଛଳନାରେ ହଁ କହି ରାଜଧାନୀ ନେଇଯିବ, ତୁମ ଝିଅର ଇଜ୍ଜତ ନେବ,ତାକୁ ମାରିଦେଵ ନଚେତ ତୁମ ଝିଅ ଲଜ୍ଜାରେ ଆତ୍ମହତ୍ୟା କରିବ, ତୁମେ ତାର ପ୍ରତିବାଦ କରିପାରିବ ତ ? ଗୁରେଇର ମନକୁ ସବୁ ପାଉଥାଏ,ସେ ଚୁପ ନ ରହି କହିଲା,ହଁ ହଁ ମୁଁ ପରା ଟିଭି ରେ ଫିଲ୍ମରେ ଏସବୁ ଦେଖିଥିଲି,ଆମ ମିନୁ ସବୁ ଠିକ କହୁଛି।
    
ନିଧିଆଟା ଜଳ ଜଳ ହୋଇ ଚାହିଁ ଶୋଷିଲା ଲୋକ ଢକ ଢକ କରି ପିଇଲା ପରି ସବୁ ପିଇ ଯାଉଥାଏ।ସେ କହିଲା,ଛି ଛି,ଏମାନଙ୍କର ଚରିତ୍ର ଏମିତି ଯଦି,ସରକାର ଏ ଭୋଟ୍ କାହିଁକି କରୁଛି।ଏ ନିର୍ବାଚନ କରିବା କଣ ଦରକାର?ଲୋକମାନେ ମିଶି ଏସବୁ ବନ୍ଦ କରିବା ଦରକାର। ମିନତୀ ବୁଝାଇଲା, ବାପା, ନିର୍ବାଚନ ଭଲ ଉଦ୍ଦେଶ୍ୟରେ ହୋଇଥାଏ,ଜ୍ଞାନୀ ପଣ୍ଡିତ ମାନେ ବୁଝି ବିଚାରୀ କରିଛନ୍ତି,ହେଲେ ଆମ ଏ ମୂର୍ଖ ସ୍ୱାର୍ଥପର ଲୋକ ଯୋଗୁଁ ଏସବୁ ହେଉଛି।ମନୁଆଟା କହିଲା ଦେଇ,ଏ ନିର୍ବାଚନ କଣ କି?ମାଇକ୍ ବାଜିବା,ପାଟିତୁଣ୍ଡ କରିବା,ଏଇ ଜିନ୍ଦାବାଦ ତ? ମିନତୀ କହିଲା,ନାଁ, ନୀତି ନିୟମ ଅନୁସାରେ ନିଜର,ସମସ୍ତଙ୍କର ଏପରିକି ଦେଶର ମଙ୍ଗଳ ପାଇଁ ବୁଝିବିଚାରୀ କାହାକୁ ନେତା ବାଛିବା ହିଁ ନିର୍ବାଚନ।ନେତା ମନ୍ତ୍ରୀ ବାଛିଲା ପରେ ସେମାନେ ଆମର ଭଲମନ୍ଦ ବୁଝନ୍ତି।କଣ ସୁବିଧା ହେଲା, କଣ ଅସୁବିଧା ହେଲା, ସେସବୁ ଆଉ ଯେମିତି ନ ହୁଏ ସେଥିପାଇଁ ଦେଖି,ଚିହ୍ନି,ପରଖି ମଣିଷ ପୁଣି ନୂଆ ମଣିଷ ବାଛେ,ସେଥିପାଇଁ ନିର୍ବାଚନ ହୁଏ।ହେଲେ କଣ ପ୍ରକୃତ ନିର୍ବାଚନ ହୁଏ?କିଏ ଟଙ୍କା ଦେଇ କିଣିନେଲା,ତ କିଏ ମାଡ଼ ପିଟ, ଧମକ ଦେଇ ଭୋଟ ଜବରଦସ୍ତ ନେଲା,ଆଉ କିଛି ଭୋଟ ଦିଅନ୍ତି ନାହିଁ କି ଭଲ ମନ୍ଦ ବୁଝନ୍ତି ନାହିଁ।ତେବେ ନିର୍ବାଚନ ତିନି ପ୍ରକାରର।ସଂସ୍କାରିତ ନିର୍ବାଚନ,ଯେଉଁଠି ନୀତି ନିୟମ ଆଦର୍ଶ ସ୍ୱଚ୍ଛତା ଥାଏ।ଆଉ ଗୋଟିଏ ଅନୈତିକ ନିର୍ବାଚନ,ଯେଉଁଠି ଲାଞ୍ଚ,ମିଛ,ଛଳର ଆଶ୍ରୟ ନେଇ ଅବା ଧମକ ଚମକ, ଗଣ୍ଡଗୋଳ ଜୋର ଜବରଦସ୍ତି କରି ମାତ୍ର ତୃତୀୟଟି ମୃତ ବା ସୁପ୍ତ ନିର୍ବାଚନ ,ଯେଉଁଠି କିଏ ଭୋଟ ବର୍ଜନ କରନ୍ତି,ବା ଭୋଟ ନଷ୍ଟ କରନ୍ତି କିମ୍ବା ଦାୟିତ୍ୱହୀନତା ପରି ମନ୍ତବ୍ୟ ଦେଇ ଭୁଲ୍ ଠିକ୍,ନ୍ୟାୟ ଅନ୍ୟାୟ ବୁଝନ୍ତି ନାହିଁ।

ଥିଲେ ମହାମାନବ ମହାପୁରୁଷ ମାନେ,ରାଜନୀତିକୁ ଧର୍ମ,ପୁଣ୍ୟର ନୀତି ବୋଲି ପୁଜା କରୁଥିଲେ।ଗଣତନ୍ତ୍ର ଗଢି ସ୍ବାଧୀନତାର ସ୍ବାଦୁ ଚାଖି,ଚଖାଇ ଥିଲେ।ମାତ୍ର ପ୍ରକୃତରେ ଆମେ କଣ ଗଣତନ୍ତ୍ର ରାଷ୍ଟ୍ରର ଲୋକ? ଅଛି ନାରୀକୁ ସମ୍ମାନ,ପାଇଛି କି ସିଏ ସ୍ବାଧୀନତା?ଇତିଶ୍ରୀ,କୁନ୍ଦୁଲିକୁ ଦେଇଛି କି ଗଣତନ୍ତ୍ର ନ୍ୟାୟ?ଖାଲି ସମ୍ବିଧାନରେ ଅଛି ଛଅ ଅଧୀକାର,ଏଗାର କର୍ତ୍ତବ୍ୟ।କହିଲ ଦେଖି, ସେ ଛଅ ଅଧିକାର କିଏ ମାନୁଛି?ସାନ ବଡ,ଜାତି ଅଜାତି,ଧନୀ ଗରିବ ଏପରିକି ଜାତି,ଧର୍ମ,ବର୍ଣ୍ଣ ସବୁଥିରେ ଭିନ୍ନତା ଭରପୁର ଅଛି।କ୍ଷମତାଯୁକ୍ତ ବ୍ୟକ୍ତି ନିରୀହକୁ ଶୋଷଣ କରୁଛି।ଧର୍ମ ନିରପେକ୍ଷତା ତ ସାମ୍ପ୍ରଦାୟିକତା ପାଖରେ ବନ୍ଧା ପଡିଛି ନିଜ ନିଜର ବଡିମା ପାଖରେ।ସାମ୍ୟବାଦୀ ନୀତି ଡ଼ରେ ନିର୍ବାସନ ଅର୍ଥାତ କୁଆଡେ ଚାଲିଗଲାଣି ତାକୁ ଖୋଜିଲେ ବି ଚିହ୍ନ ମିଳୁନି।ଜାତୀୟ ପତାକା,ଜାତୀୟ ସଙ୍ଗୀତକୁ କଣ ଆଗ୍ରହରେ କିଏ ସମ୍ମାନ ଦେଉଛି?ଗୋପବନ୍ଧୁଙ୍କର ବାଣୀ ଲୋକେ ଉପହାସ କରି ପରା ସରକାର ଜିନିଷ ଚୋରାଇ ଘରକୁ ବୋହି ଆଣୁଛି।ସତ୍ୟ,ଅହିଂସା ତ ବନ୍ଧା ପଡିଛି ଅସାମାଜିକଙ୍କ ଘର ଅଗଣାରେ।ଶାନ୍ତି ତ ସ୍ଥାନାନ୍ତରିତ ଓ ରୂପ ବଦଳେଇ ଦେଲାନି।ନେତା ମନ୍ତ୍ରୀମାନେ ଯାହା କରୁଛନ୍ତି,କହୁଛନ୍ତି ତାହାହିଁ ହେଉଛି ଧର୍ମ।ନିର୍ବାଚନ ପୂର୍ବରୁ ଅବଶ୍ୟ ମହାପୁରୁଷ ମହାମନୀଷୀଙ୍କର ବାଣୀ କହି  ଅପବିତ୍ର ପାଟିତ ପବିତ୍ର କରିପାରୁଛନ୍ତି କ୍ଷଣିକ ପାଇଁ।କି ବହାସ୍ଫୋଟ,ଆସ୍ଫାଳନ,କି ପ୍ରତିଶ୍ରୁତି..ପାଣିରେ ଗାର,ପବନରେ ଭାସିବା ଆଉ କୁହୁଡ଼ିରେ ପହଁରା, ବଡ଼ ବଡ଼ ଗଣନାଟ୍ୟ ବି ସେ ଅଭିନୟରେ ହାର ମାନିଯିବ।ମୁଁ କଣ ଏସବୁ ମିଛ କହୁଛି ବାପା? କିଏ କହିଲା ମିଛ,ଏକବାରେ ସତ?ହେଲେ ଏ ମିଥ୍ୟ ନିର୍ବାଚନର ପ୍ରହସନ କାହିଁକି?ନିଧିଆ କହିଉଠିଲା।

ମିନତୀ କହିଲା, ବାପା ସବୁ ନେତାମାନେ ଖରାପ ନୁହନ୍ତି, କେତେକ ଅଛନ୍ତି ନିସ୍ୱାର୍ଥପର,ନିଷ୍କଳଙ୍କ ମଧ୍ୟ।ଏମିତିକି ନିଜ ଜୀବନକୁ ଦୁଃଖୀ ରଙ୍କି ଓ ଦେଶ ସେବାରେ ଉତ୍ସର୍ଗ କରିଦିଅନ୍ତି।ନିଜ ଜୀବନକୁ ଦୁଃଖ କଷ୍ଟରେ ତିଳ ତିଳ କରି ଦଗ୍ଧକରି ଅନ୍ୟ ମୁହଁ ରେ ହସ ଫୁଟାନ୍ତି। ଜୀବନ କାଳ ଭିତରେ କାଣି କଉଡିଟିଏ ବି ବାଟମାରଣା କି ଶୋଷଣ କରନ୍ତି ନାହିଁ।ମାତ୍ର କଣ ହେବ ତାଙ୍କ ଚେଲା ଚାମୁଣ୍ଡା,କୁଜିନେତାମାନେ ଭଡାଟିଆ ମୁଖାପିନ୍ଧି ସବୁ ଶୋଷି ନିଅନ୍ତି,ଭଦ୍ର ଲୋକଙ୍କୁ ବି ବଦନାମ କରିଦିଅନ୍ତି। ଦେଈ, ଏଭଳି ଦୂଷିତ ନିର୍ବାଚନ ବଦଳରେ କଣ ଭଲ ଉପାୟ ନାହିଁ?ମନୁଆର କଥାକୁ ଛଡାଇ ନେଇ ମିନତୀ କହିଲା, ହଁ ନାହିଁ କାହିଁକି ଭଲ ଲୋକ ବାଛି ଯଦି ମନୋନୟନ କରାଯାଆନ୍ତା ତେବେ ଭଲ ହୁଆନ୍ତା।ହେଲେ ଏମିତି ଅସଭ୍ୟ ମାନେ କରାଇଦେବେ ନାହିଁ।କାରଣ ଭଲ ଲୋକକୁ ଧମକ ଚମକ ଦେବେ,ଦରକାର ପଡ଼ିଲେ ଜୀବନରୁ ମାରି ବି ଦେବେ,ତେଣୁ ଭଲ ଲୋକ ଇଚ୍ଛା ପ୍ରକାଶ କାହିଁକି ବା କରିବ?ଆମ ଲୋକମାନେ ଅଧିକାଂଶ ହିଂସୁକ, ଈର୍ଷାପରାୟଣ ଓ ପରଶ୍ରୀକାତର।ନିଜେ ଭଲରେ ରହିବେନି ବରଂ କାହାରିକୁ ଭଲରେ ରହିବାକୁ ଦେବେ ନି।ସେଥିପାଇଁ ବି ଏ ନିର୍ବାଚନ।
    
ନିଧିଆ କହିଲା କହିଲୁ ଦେଖି,ବିନା ରକ୍ତପାତ,ବିନା ଖର୍ଚ୍ଚରେ କେମିତି ନିର୍ବାଚନ କରିହେବ ତୋ ପାଠୁଆ ମୁଣ୍ଡରେ ବିଚାର କର?ମିନତୀ ଟିକେ ଭାବିଲା ଓ କହିଲା, ବହୁତ ଉପାୟ ଅଛି ବାପା,ହେଲେ ଏ ନେତା ଏ ବଡ଼ବଡୁଆ ମାନେ କଣ କରାଇଦେବେ?ଏ ବିଜ୍ଞାନ ଯୁଗରେ ଅଜ୍ଞାନ ଠାରୁ ବିଦ୍ୱାନ ଯାଏ ସଭିଙ୍କ ହାତରେ ମୋବାଇଲ।ଘାରେ ବସି ବିନା ଖର୍ଚ୍ଚରେ ବି ଜଣେ ଭୋଟ୍ ଦେଇ ପାରିବ,ଏମିତିକି ପଇସା ବି ଖର୍ଚ୍ଚ ହେବନି।ସବୁଠି ଉପକାର କଥା ହୁଅନ୍ତା  ନିର୍ବାଚନକୁ ସରସ ସୁନ୍ଦର କରିବା ପାଇଁ ଯେଉଁ ସାଜସଜ୍ଜା, ମାଇକ, ପ୍ରଚାର, ଗାଡି ଘୋଡାଦୌଡ଼, ସଭା ସମିତି ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ ପଡ଼ନ୍ତା ନାହିଁ।ଯେଉଁ ଦଳ ଦଳ ଭିତରେ କନ୍ଦଳ ଲାଗି ମାଡ଼ ପିଟ, ହଣାକଟା, ପୋଡାଜଳାରୁ ମଣିଷ ଓ ଧନଜୀବନ ମୃତରୁ ଜୀବନ୍ତ ଆଡ଼କୁ ଫେରିଆସନ୍ତା।ଏବେ ବି ଦୁଃଖ ଲାଗେ ଏମିତି ମାଳ ଅଂଚଳ କି ପାହାଡ଼ ତଳି ଅଞ୍ଚଳର ପିଲେ ତେଲଟିକେ ମୁଣ୍ଡରେ ଲଗାଇବାକୁ ନ ପାଇ ନୁଖୁରା ହୋଇ ବୁଲନ୍ତି।ଭଲ ପୋଷାକ ଖଣ୍ଡେ ବି ପାଆନ୍ତି ନାହିଁ।କେତେକ ଦରିଦ୍ର ପେଟ ପାଇଁ ଗାଈ ଛେଳି ଜଗି ପ୍ରାଥମିକ ଶିକ୍ଷାଦାନରୁ ବଂଚିତ ହେଉଛନ୍ତି।ନିଜ ବୟସର ଛୁଆଟିଏ ମଟର କାର ରେ ବସି ଗଲା ବେଳେ,ସେ ଚାଲି ଚାଲି ଯାଉଛିନେତା ମନ୍ତ୍ରୀମାନଙ୍କ ଘରେ ପୋଷା କୁକୁର ଯେଉଁ ମାଂସ ଛାଡି ଫିଙ୍ଗୁଛି ତାକୁ ମାସ ମାସ ଧରି ଦରିଦ୍ର ବିକଳାଙ୍ଗଟା ଆଖିରେ ବି ଦେଖୁନି।ଜିନ୍ସ,ଫେସନ ଡ୍ରେସ ପିନ୍ଧି ବଡ଼ବଡିଆ ଛୁଆଟି ବଜାରକୁ ଗଲାବେଳେ ଭୁତୁରୁ ଛୁଆଟା ତା ନିଜ ଦେହର ଛିଣ୍ଡା ଜାମାକୁ ଦେଖି ଅନ୍ତର ଭିତରେ କହୁଛି, ମୋର ଏମିତି ଥାଆନ୍ତାକି?ତେଣୁ ଏସବୁ ମୌଳିକ ଆଵଶ୍ୟକତା ପୂର୍ଣ ଆଗେ ନା ନିର୍ବାଚନରେ ପ୍ରତିଯୋଗୀତା କରି ଟଙ୍କା ବାଣ୍ଟିବା ଟା ମହତ କାମ?ଏସବୁର ଅସଲ ଦୋଷୀ ଆମେ,ତୁମ ପରି କେଇଟା ଟଂକାନେଇ ନିଜକୁ ବିକ୍ରି କରି ଅନ୍ୟୟୀ,ଅତ୍ୟାଚାରୀ ଓ ବ୍ୟଭିଚାରୀ ଙ୍କୁ ଭୋଟ୍ ଦେଇ ନେତା କରିବା କଣ ମହତ ଲୋକଙ୍କର କାମ?ଯଦି ଆମେ ସମସ୍ତେ ସଜାଡିହୋଇଯିବା,କାହାରିଠୁ ଲାଞ୍ଚ ନ ନେବା,ଆଉ ଭଲ ଲୋକ ଯିଏ ଆମ ଦୁଃଖସୁଖର ଭାଗୀ ହେବ ତାକୁ  ଜିତାଇ ଦେବା ତେବେ ଆମ ଦେଶ ରାମରାଜ୍ୟ ହୋଇଯିବ।ଭଲ ଲୋକ ରାଜ କରିବେ,ବଦମାସ ମାନେ ମୁଣ୍ଡ ଲୁଚାଇବେ। ସତ୍ୟର ପୂଜାରୀ ଆଚାର୍ଯ୍ୟ ହରିହର ପରା କହିଥିଲେ,ତୁମେ ପଇସାର ଯତ୍ନ ନିଅ,ଟଙ୍କା ଆପେ ଆପେ ତାର ଯତ୍ନ ନେଇପାଇବ।ଆର୍ଥତ ତୁମେ ନିଜେ ଭଲ ହୋଇଜଅ,ନିଜେ ସଜାଡି ହୋଇଯାଏ ଆଉ ଦେଖିବ ଦେଶ ବି ସଜାଡି ହୋଇଯିବ।
    
ଏଥର କହିଲ ଦେଖି ସମସ୍ତେ ଆମେ କଣ ପଇସା ନେଇ ଦେଶକୁ ବିକ୍ରିକରିଦେବା।ନିଧିଆ କହିଲା ଠିକ୍ କହିଲୁ ମା,ମୋତେ ତୁ କ୍ଷମା କରିଦେବୁ।ମୁଁ ସେବାବୁର ପଇସା ଏବେ ତା ମୁହଁକୁ ଫିଙ୍ଗି ଆସୁଛି।ଆରେ....ସେ ମୋତେ କଣ ଭିକାରୀ ଭାବିଛି?କେଇଟା ଟଙ୍କା ଦେଇ ଭାବିଛି ମୋ ମନିଷପଣିଆକୁ କିଣି ନେବ, ମୋତେ କ୍ରୀତଦାସ ସଜେଇବ,ମୋତେ ଦେଶଦ୍ରୋହୀ କରିଦେବ।ଏ ନିଧିଆ ପଧାନ ମୁରୁଖ ହୋଇପାରେ, ଗରିବ ହୋଇପାରେ, ହେଲେ ତା ମହତ ତା ସ୍ୱାଭିମାନକୁ କେବେ ଦଳିଦେଇନାହିଁ।
   
ଖୁସିରେ ଫାଟି ପଡିଲା ମିନତୀ,ହେଲେ ନିଧିଆକୁ କହିଲା, ନା ବାପା ତୁମେ ସେ ଟଙ୍କା ଫେରାଅ ନାହିଁ।ତୁମେ ଏକା ଫେରେଇଦେଲେ ଦେଶ ସଜାଡି ହେବ ନାହିଁ,ଆମକୁ ଲୋକ ତିଆରି କରିବାକୁ ପଡିବ।ସେ ବାବୁ ତୁମ ଉପରେ ରାଗ ରଖି ଯଦି ଜିତେ ତେବେ ଶତ୍ରୁ ଭାବି ପ୍ରତିଶୋଧ ନେବ, ତେଣୁ କଥାରେ ପରା ଅଛି, ତତଲା ଯାଉ,,,ପାଖରୁ ପାଖରୁ ଖାଉ।ଆଉ ବୁଦ୍ଧି ବିଚାରୀ କାମ କଲେ ବିପଦ ନ ପଡଇ ଭଲେ।ସେ ଟଙ୍କାରେ ତୁମେ ଠାକୁରଙ୍କ ପାଖରେ ଭୋଗ ଲଗାଇ ଦରିଦ୍ର ଛୁଆଁକୁ ବାଣ୍ଟ।ଆଉ ଠିକ୍ ମଣିଷ ଦେଖି ଭୋଟ୍ ଦିଅ।ନିଧିଆ କହିଲା ମା ମିନତୀ ତୁ ନିର୍ବାଚନରେ ଲଢ଼ିଲେ ତ ଭଲ ହୁଆନ୍ତା।ମିନତୀ କହିଲା, ବାପା ନିର୍ବାଚନରେ ଛିଡାହେବାପାଇଁ ହେଲେ ଦରକାର ଅର୍ଥବଳ,ଲୋକବଳ ଓ ବୁଦ୍ଧିବଳ।ମୋତେ ଆଶୀର୍ବାଦ ଦିଅ ମୁଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଏ, ଆଇ ଏ ଏସ ପରୀକ୍ଷା ଦେଇ ମୋ ଜୀବନର ଲକ୍ଷ୍ୟ କଲେକ୍ଟର ଟିଏ ହୋଇଯାଏ ,ତାପରେ ଲୋକ,ଅର୍ଥ ଓ ମନୋବଳ ଦେଇ ମୁଁ ତୁମକୁ ନିର୍ବାଚନରେ ଛିଡା କରି ଜିତାଇବି।ଲୋକଙ୍କୁ କହିବି ପିଲେ,ନୋଟ ନେଇ ଭୋଟ୍ ଦିଅନା ବରଂ ବୁଝିବିଚାରୀ ଭୋଟ୍ ଦିଅ। ଭୋଟ୍ ଦେବା ପୂର୍ବରୁ ଆମ ଲକ୍ଷ୍ମଣ ସାରଙ୍କ ଲେଖା ଯାହା କାନ୍ଥରେ ଲେଖାଅଛି ସେ ଅନୁଚ୍ଛେଦକୁ ଭଲ ଭାବେ ପଢ଼,ବୁଝ,କାମରେ ଲଗାଅ, ଆଉ କେବେ ବି ଭୁଲ ନାହିଁ । ସମସ୍ତେ ମିନତୀକୁ କୁଣ୍ଢେଇ ପକେଇଲେ।ନିଧିଆ ଓ ଗୁରେଇ ଶୋଇବା ପୂର୍ବରୁ ଭିତରେ ଭିତରେ କହି ହେଉଥାନ୍ତି ଝିଅ ଜନ୍ମ କରିବ ତ ଆମ ମିନତୀ ପରି।

ନାରାୟଣ ଚନ୍ଦ୍ର ସେନାପତି, ଜଂଭର, କେନ୍ଦୁଝର

0 Comments