ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

କ୍ଷୁଦ୍ରଗଳ୍ପ - ବୃଦ୍ଧାଶ୍ରମ - ପ୍ରଶାନ୍ତ କୁମାର ନାଥ

କ୍ଷୁଦ୍ରଗଳ୍ପ - ବୃଦ୍ଧାଶ୍ରମ - ପ୍ରଶାନ୍ତ କୁମାର ନାଥ


ଉତ୍ପନ ବାର ଚଉଦ ବର୍ଷର ପିଲାଟେ । ସେଦିନ ଥିଲା ରବିବାର ବାପାଙ୍କୁ କହିଲା ବାପା ଚାଲ ମୁଁ ତୁମକୁ ମୋର ଜଣେ ନୂଆ ସାଙ୍ଗ ସହିତ ଭେଟ କରେଇଦେବି । ବାପା ବୁଝେଇଲେ ଆରେ ତାକୁ ଆମ ଘରକୁ ଡାକି ଆଣୁନୁ ନହେଲେ ଡ୍ରାଇଭରକୁ ପଠେଇ ଦେଉନୁ ତାକୁ ଯାଇ ତାଙ୍କ ଘରୁ ନେଇ ଆସିବ । ମୁଁ କଣ ତାକୁ ଭେଟିବାକୁ ଯିବି  । କିନ୍ତୁ ଉତ୍ପନର ଏକା ଜିଦ ଥିଲା ବାପାଙ୍କୁ ନେଇ ନୂଆ ସାଙ୍ଗ ସହିତ ଭେଟ କରେଇଦେଵ । କିଛିଦିନ ତଳେ ଉତ୍ପନ ନିଜ ଶିକ୍ଷକଙ୍କ ସହିତ ବୁଲି ଯାଇଥିଲା ବୃଦ୍ଧାଶ୍ରମକୁ । ବୟସ୍କ ଅସହାୟ ଲୋକମାନଙ୍କ ସହିତ ମିଶିବା ସେମାନଙ୍କ ଭଲମନ୍ଦ କଥା ପଚାରି ବୁଝିବା ସେମାନଙ୍କ ମୁହଁରେ ଟିକେ ହସ ଖେଳେଇବା ଥିଲା ସେହି ଶିକ୍ଷକ ଜଣଙ୍କର ନିଶା ଆଉ ସଉକ । ସାଧାରଣ ଜନତା ତାଙ୍କୁ ଦରଦୀ ମଣିଷ କହୁଥିବା ବେଳେ  ଅସହାୟ ଲୋକମାନେ ତାଙ୍କୁ ଭଗବାନ ବୋଲି ମଣନ୍ତି । ସିଏ ଯେତେବେଳେ ବୃଦ୍ଧାଶ୍ରମରେ ପ୍ରବେଶ କରନ୍ତି ସମସ୍ତଙ୍କ ମୁହଁରେ ହସ ଖେଳିଯାଏ । କିନ୍ତୁ ବିନୋଦ ବାବୁ କେବେବି ହସନ୍ତିନି ସବୁବେଳେ ମଉନ ହୋଇ ବସିଥାନ୍ତି । ଶିକ୍ଷକ ଜଣଙ୍କ ବହୁତ ଚେଷ୍ଟା କରନ୍ତି ତାଙ୍କ ମୁହଁରେ ଟିକେ ହସ ଖେଳେଇବା ପାଇଁ । କିନ୍ତୁ ପାରନ୍ତିନି । ସେଦିନ କଣ ହେଲା କେଜାଣି ଉତ୍ପନ ଝୁଣ୍ଟି ପଡିବା ମାତ୍ରେ ସେ ଦୌଡ଼ି ଆସିଲେ ନିଜ କୋଳକୁ କୋଳେଇ ନେଲେ । ତାକୁ ଆଉଁସି ଦେଲେ ଛିଣ୍ଡି ଯାଇଥିବା ଜାଗାକୁ ଫୁଙ୍କି ଦେଲେ । ଉତ୍ପନ ମଧ୍ୟ ତାଙ୍କ ଛୁଆଁର ଏକ ଅଜଣା ଖୁସି ଅନୁଭବ କଲା  । ଆଉ ସେହି ଦିନରୁ ଦୁହେଁ ପାଲଟିଗଲେ ଦୁହିଁଙ୍କର ମୀତ ।

ବୃଦ୍ଧାଶ୍ରମର ଚାରିକାନ୍ଥ ମଧ୍ୟରେ ଖୁବ ଅନବିଶ୍ୱାସୀ ପାଲଟି ଯାଉଥିଲେ ବିନୋଦ ବାବୁ । କିନ୍ତୁ ଉତ୍ପନ ସହିତ ଭେଟ ହେଲା ପରେ ତାଙ୍କ ଚେହେରାରେ ଟିକେ ଉଜ୍ବଳତା ଆସିଥିଲା । ତାଙ୍କୁ ଲାଗୁଥିଲା ଉତ୍ପନ ଯେମିତି ତାଙ୍କର ଅତି ନିଜର । ନିଜ ରକ୍ତ ସମ୍ପର୍କର । ପ୍ରଥମ ଦେଖାରୁ ହିଁ ଦୁହେଁ ଦୁହିଁଙ୍କ ପ୍ରେମରେ ପଡି ଯାଇଥିଲେ । ବିନୋଦ ବାବୁ ଉତ୍ପନ ପାଇଁ ଚାତକ ସାଜୁଥିବା ବେଳେ ଉତ୍ପନ ମଧ୍ୟ ଗୋଟାଏ ଦିନ ତାଙ୍କୁ ନଦେଖିଲେ ତାକୁ ଭଲ ଲାଗୁନଥିଲା । ଉତ୍ପନ ସବୁଦିନ ସ୍କୁଲରୁ ଫେରିବା ବେଳେ ଶିକ୍ଷକଙ୍କ ସହିତ ସେହି ବୃଦ୍ଧାଶ୍ରମକୁ ଯାଉଥିଲା । ଦୁହେଁ ମିଶି ହସୁଥିଲେ ଖେଳୁଥିଲେ ଆଉ କରୁଥିଲେ ଢେର ସାରା ମଜାମସ୍ତି । ଉତ୍ପନ ବାପାଙ୍କ ସହିତ ଗଲାବେଳେ ପଚାରିଲା ବାପା ବୃଦ୍ଧାଶ୍ରମ ମାନେ କଣ ? ବାପା କହିଲେ ଯେଉଁଠାରେ ବୃଦ୍ଧାମାନେ ରୁହନ୍ତି ତାକୁ ବୃଦ୍ଧାଶ୍ରମ କୁହାଯାଏ ।
-କିନ୍ତୁ ବୃଦ୍ଧମାନେ ସେଠି କାହିଁକି ରୁହନ୍ତି, ସେମାନଙ୍କର କଣ ନିଜସ୍ୱ ଘରଦ୍ୱାର ନାହିଁ ।
-ହଁ ଅଛି ଯେ କିନ୍ତୁ ଆଜି କାଲିର ବ୍ୟସ୍ତବହୁଳ ଯୁଗରେ ସେମାନଙ୍କ ସନ୍ତାନ ମାନଙ୍କ ପାଖରେ ସମୟ ନାହିଁ ସେମାନଙ୍କୁ ଦେଖିବା ପାଇଁ ସେଥିପାଇଁ ସେମାନେ ଏଇଠି ଛାଡି ଦିଅନ୍ତି ।
- ବାପା ତୁମେ ବୁଢା ହେଲା ପରେ କଣ ଏଇଠି ରହିବ ।
- ବାପାଙ୍କ ପାଖରେ କିଛି ଉତ୍ତର ନଥିଲା । କହିଲେ ମୋ ପାଇଁ ପରା ତୁ ଅଛୁ ମୁଁ ବୃଦ୍ଧାଶ୍ରମରେ କାହିଁକି ରହିବି ।
-ମୁଁ ଶୁଣିଥିଲି ଜେଜେବାପା କୁଆଡେ ବୃଦ୍ଧାଶ୍ରମ ରେ ରହୁଛନ୍ତି । ତୁମେ ଥାଉ ଥାଉ ଜେଜେବାପା ବୃଦ୍ଧାଶ୍ରମରେ କାହିଁକି ରହୁଛନ୍ତି । ସ୍କୁଲର ସାଙ୍ଗମାନେ କହୁଛନ୍ତି ସେମାନଙ୍କ ଜେଜେବାପା-ଜେଜେମାଆ ସେମାନଙ୍କୁ ଗପ କୁହନ୍ତି, ସେମାନଙ୍କ ସହିତ କେତେ ମଜ୍ଜା କରନ୍ତି । ଜେଜେବାପା ଘରେ ଥିଲେ ମୋତେ ଗପ କହିଥାନ୍ତେ, ମୋ ସହିତ ଖେଳିଥାନ୍ତେ ।
-ହେଲେ ଜେଜେବାପାଙ୍କ ବୟସ ହେଇଗଲାଣି । ତାଙ୍କ ପାଇଁ ଜଣେ ଲୋକର ଆବଶ୍ୟକତା । କାହା ପାଖରେ ଏତେ ସମୟ ଅଛି ଯେ ସେ ତାଙ୍କ ପାଇଁ ସମୟ ଦେଵ ।
-ତୁମ ପାଖରେ ତ ସମୟ ଅଛି । ତୁମେ ସବୁଦିନ ସକାଳେ ସଂଜେ ମାମା ଙ୍କ ସହିତ ବୁଲିବାକୁ ଯାଉଛ । ସେହି ସମୟ କଣ ଜେଜେବାପାଙ୍କୁ ଦେଇ ପରିନଥାନ୍ତ । ମାମା ବି ତ ଦିନ ତମାମ ସେହି କୁକୁର ପଛରେ ଲାଗିଛି । କୁକୁର ଠାରୁ ଜେଜେଙ୍କ ଜୀବନ କଣ ଏତେ ମୂଲ୍ୟହୀନ ।
-ବାପା ଉତ୍ପନର ପ୍ରଶ୍ନବାଣରେ ପରାଜିତ ହୋଇଗଲେ ତାଙ୍କ ପାଖରେ ଆଉ ଉତ୍ତର ନଥିଲା। ୟା ଭିତରେ ଗାଡି ଯାଇ ପହଁଚି ସାରିଥିଲା ସେହି ବୃଦ୍ଧାଶ୍ରମ ପାଖରେ । ଇତ୍ପନ କହିଲା ଏଇଠି ଗାଡି ରଖନ୍ତୁ । ବାପା ଆଶ୍ଚର୍ଯ୍ୟ ହୋଇଗଲେ ମନରେ ଭୟ ମଧ୍ୟ ଖେଳିଗଲା । କହିଲେ ଆରେ ଏଠି କାହିଁକି ଏଠି ସବୁ ଅସହାୟ ଲୋକମାନେ ରୁହନ୍ତି ତୁ ସେଠି ଯାଇ କଣ କରିବୁ ।
ଉତ୍ପନ ପୁଣି ଆରମ୍ଭ କଲା
- ବାପା ଅସହାୟ କାହାକୁ କୁହନ୍ତି
- ଯେଉଁମାନେ ନିଜ କାମ ନିଜେ କରିବାକୁ ଅକ୍ଷମ ଆଉ ଯେଉଁମାନଙ୍କ ପାଖଙ୍କୁ ସାହାଯ୍ୟ କରିବାକୁ କେହି ନଥାନ୍ତି। ଯିଏ ନିଜ ଜୀବନର ଭାର ବହନ କରିବାକୁ ଅଯୋଗ୍ୟ ସେମାନଙ୍କୁ କୁହାଯାଏ ଅସହାୟ ।
- କିନ୍ତୁ ଏଠି ଯେଉଁମାନେ ରହୁଛନ୍ତି । ସେମାନେ ନିଜ କାମ ନିଜେ କରୁଛନ୍ତି । ସେମାନଙ୍କୁ ସାହାଯ୍ୟ କରିବାକୁ ଲୋକମାନେ ମଧ୍ୟ ଅଛନ୍ତି । ଆଉ ମୁଁ ଯେତେଦୂର ଜାଣିଛି ସେମାନେ ଯେତେ ଧନ ସମ୍ପତ୍ତି ରଖିଛନ୍ତି ସେଥିରେ ସେମାନେ ଜୀବନର ଭାର ଅତି ସହଜରେ ବହନ କରି ପାରିଥାନ୍ତେ । ସେମାନେ କେମିତି ଅସହାୟ ହେଲେ । ଆଉ ଗୋଟେ କଥା ଜାଣିଛ ବାପା ଆଜିକାଲି ର ପୁଅ ମନେ ବହୁତ ସ୍ୱାର୍ଥପର । ଛୋଟବେଳେ କେତେ ଅଳି ଅର୍ଦ୍ଧଳି ଦୁଃଖ କଷ୍ଟ ସହି ଯେଉଁ ବାପା ମାଆ ମାନେ ସେମାନଙ୍କ ସନ୍ତାନ ମାନଙ୍କୁ ବଡ଼ କରିଥାନ୍ତି । ଶେଷରେ ସେହି ମାନେ ହିଁ ଏମାନଙ୍କୁ ଧୋକା ଦେଇଥାନ୍ତି । ଆଉ ସେମାନଙ୍କ ସମ୍ପତ୍ତିକୁ ଉପଭୋଗ କରି ଏମାନଙ୍କୁ ଆଣି ଏହି ବୃଦ୍ଧାଶ୍ରମରେ ଛାଡି ଯାଆନ୍ତି । ବାପା କେବଳ ଉତ୍ପନ ମୁହଁକୁ ଚାହିଁଥିଲେ ଆଉ ଧ୍ୟାନର ସହିତ ତାକୁ ଶୁଣୁଥିଲେ । ଆଉ ଭାବୁଥିଲେ ସତରେ ପୁଅ ମାନେ ଭାରି ସ୍ୱାର୍ଥପର ଠିକ ମୋ ପରି । ଏଡ଼େ ବକଟେ ପିଲା ଭଗବାନ ତା ମୁଣ୍ଡରେ କେତେ ବୁଦ୍ଧି ଦେଇଛନ୍ତି ଅଥଚ ଆମ ପରି ବଡ଼ ମଣିଷ ମାନେ ସେତକ ବୁଝି ପାରୁନାହୁଁ । ୟା ଭିତରେ ଉତ୍ପନ ବାପାଙ୍କ ସହିତ ଯାଇ ପହଂଚି ସାରିଥିଲା ବିନୋଦ ବାବୁଙ୍କ ପାଖରେ । ଆଉ କହିଥିଲା ବାପା ଦେଖ, ଇଏ ହେଉଛନ୍ତି ମୋର ନୂଆ ମୀତ । ସାମ୍ନାରେ ନିଜ ବାପାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସେ । ଆଉ ଅପରାଧୀ ପରି ଠିଆ ହୋଇଥିଲେ । ବାପା ତା ମୁଣ୍ଡ ଆଉଁସି ପଚାରିଲେ କିରେ କଣ ହେଇଛି ତୋ ଦେହ ଭଲ ନାହିଁକି । ତୋ ମୁହଁଟି ଶୁଖି ଯାଇଛି । ତୁ ଖିଆ ପିଆ ଠିକରେ କରୁନୁକି । କାହିଁକି ସେ ପଇସା ପଛରେ ଗୋଡେଇଛୁ । ପ୍ରଥମେ ଦେହର ଯତ୍ନ ନେ । ଉତ୍ପନକୁ ମଧ୍ୟ ବୁଝିବାକୁ ବାକି ନଥିଲା ଯେ ସେ ଯାହା ସହିତ ମୀତ ବସିଥିଲା ସିଏ ଆଉ କେହି ନୁହେଁ ନିଜର ଜେଜେ । ଜେଜେ ମଧ୍ୟ ଏକଥା ଜାଣି ସାରିବେ ପରେ ଖୁସିରେ ତାକୁ କୁଣ୍ଢେଇ ପକେଇଲେ । ତାର ସାରା ଶରୀରକୁ ଅଙ୍କିଦେଲେ କିଛି ଚୁମ୍ବନ । ଆଉ ଖୁସିରେ ତାଙ୍କ ଆଖିରୁ ବୋହି ଆସିଥିଲା କେଇ ବୁନ୍ଦା ଲୁହ । ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରି  । ନିଜ ବାପା ଆଉ ଉତ୍ପନକୁ ଧରି ଘରକୁ ଫେରିଥିଲେ ସେ । ସେହିଦିନ ଠାରୁ ନିଜ ବାପାଙ୍କ ମୁହଁକୁ ସେ ଚାହିଁ ପାରୁନଥିଲେ । ନିଜକୁ ଅପରାଧୀ ପରି ଲାଗୁଥିଲା ତାଙ୍କୁ ।

ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର,ଉତ୍ତରକୂଳ ହାଟ, ପ୍ରୀତିପୁର,ଯାଜପୁର-୭୫୫୦୧୩
ମୋ-୮୮୯୨୩୦୧୧୪୩