କ୍ଷୁଦ୍ରଗଳ୍ପ - ଅଦୃଶ୍ୟ ହସ - ଅବିନାଶ ପାଣି

କ୍ଷୁଦ୍ରଗଳ୍ପ - ଅଦୃଶ୍ୟ ହସ - ଅବିନାଶ ପାଣି

ଅଜଣା ଶୁନ୍ ଶାନ୍ ରାସ୍ତା ର  ଗଳି ଦେଇ ଯାଉ ଯାଉ ଅଜାଣତରେ କେତେବେଳେ ଯେ ପ୍ରତୀକ ପହଞ୍ଚି ଯାଇଛି ସେଇ ଛୋଟିଆ କଫି ସପ୍ ପାଖରେ । ଏ ହିଲ୍ ଷ୍ଟେସନ ର ଜାଗା ଗୁଡାକ ହିଁ ଏମିତି....... ପ୍ରକୃତି ର ସୌନ୍ଦର୍ଯ୍ୟ  ଏତେ ସୁନ୍ଦର  ଲାଗେ ଯେ ଆଚ୍ଛା ମଣିଷ ସବୁ କିଛି ଭୁଲି ଯାଏ ।

ହେଇ ଦେଖୁନ ! ସମୟ ଆସି ସନ୍ଧ୍ୟା ସାଢ଼େ ପାଞ୍ଚଟା ହେଲାଣି, ହେଲେ ତାର ଆଉ ମନେ ନାହିଁ ଯେ ତାକୁ ସୁପ୍ରିୟା କୁ ସର୍ପ୍ରାଇଜ୍ ଦବାର ଅଛି ବୋଲି । ଜାଣି ଶୁଣି ୧୭ ଦିନ ହେଲାଣି କଥା ହେଇନି ତା ସହିତ କେବଳ ଏଇଥି ପାଇଁ । ନୂଆ କରି ଜଏନ କରିଛି ହିମାଚଳ ପ୍ରଦେଶର "ମଣ୍ଡି" ସହର ରେ । ଆଉ ସେ ଜାଣିଛି ଯେ ସୁପ୍ରିୟା ଏଇ ସହର ରେ ଆଗରୁ ଚାକିରି କରିଛି । ଦୁହିଁଙ୍କ ସମ୍ପର୍କ ପ୍ରାୟ ୪ ବର୍ଷ ହେଇ ଗଲାଣି । 

ଆଜି ପ୍ରତୀକ ବହୁତ୍ ଖୁସି ଥାଏ । କାରଣ ସେ ଆଜି ବହୁତ୍ ଦିନ ପରେ ସୁପ୍ରିୟା କୁ ଦେଖିବ । ଫୋନ୍ କଲ୍, ଭିଡିଓ କଲ୍ ତ ଚାଲେ, କିନ୍ତୁ ବହୁତ୍ ଦିନ ପରେ ସାମ୍ନା ସମ୍ନି ହବ । ସେଇଥିପାଇଁ, ବାଟ ରେ ହିମାଚଳୀ ପୋଷାକ ପିନ୍ଧି, ଫୁଲ ବିକୁଥିବା ମାଉସୀ କୁ ହିନ୍ଦୀ ରେ କହିଲା ଯେ ଗୋଟେ ତୋଡା କରି ଦିଅ। ମାଉସୀ କଣ କହିଲା ପ୍ରତୀକ କିଛି ବୁଝି ପାରୁ ନଥିଲେ ବି ତା ହାବ ଭାବ ରୁ ଠଉରେଇ ନେଲା ଯେ ମାଉସୀ ୮୦ ଟଙ୍କା  ବୋଲି କହୁଛି ।

ତାଙ୍କ ଦେଇ ଗୋଟେ ଅଟୋ ଭଡ଼ା କରି, ଅଟୋ ବାଲା କୁ ସୁପ୍ରିୟା ର ଅଫିସ୍ ପାଖକୁ ନେଇ ଯିବାକୁ କହିଲା । ଅଟୋ ରେ ବସି ପ୍ରତୀକ ମନେ ମନେ ଭାବୁ ଥାଏ ସୁପ୍ରିୟା ତାକୁ ହଠାତ୍ ଦେଖିଲେ କଣ ଭାବିବ ! "ଆରେ ! ଆଜି ଯାଏଁ ବି ତୁମର ଡ୍ରେସିଂ ସେନ୍ସ ଆସିଲାନି ?" ଏଇଆ କହିବ? ନା  ଫିଲ୍ମ୍ ର ହିରୋଇନ, ହିରୋ କୁ ବହୁତ୍ ଦିନ ପରେ ଦେଖିବା ପରେ ଯେମିତି ଖୁସି ରେ ପାଗଳ ହେଇ ଯାଏ, ସେମିତି ହବ ? କେଜାଣି ! ତା ସୁନ୍ଦର୍ ମୁହଁ ର ଡାହାଣ ପଟ ଗାଲ ରେ ଯେଉଁ କଳା ଜାଇ ଟି, ସେ ହସିଲେ ଆହୁରି ସୁନ୍ଦର୍ ଦେଖା ଯିବ । ଏମିତି ଭାବୁ ଭାବୁ କେତେବେଳେ ଯେ ଅଟୋ ଆଣିକି ସୁପ୍ରିୟା  ଅଫିସ ପାଖରେ ଛାଡି ଦେଲାଣି, ଜାଣି ପାରିନି ସେ । ସୁପ୍ରିୟା କୁ ଫୋନ ଲଗେଇଲା, ଫୋନ କିନ୍ତୁ ସ୍ଵିଚ୍ ଅଫ୍ କହୁଛି । ଗେଟ୍ ପାଖକୁ ଯାଇ ସିକ୍ୟୁରିଟି କୁ ପଚାରିଲା ରୁ ସେ କହିଲା ଯେ ମ୍ୟାଡ଼ାମ୍ ଭିତରେ ଅଛନ୍ତି, ତାଙ୍କ ଡ଼ିଉଟି ସରିବା ଟାଇମ ହେଇ ଗଲାଣି, ଏଇ ଆସୁଥିବେ । ଭିତରକୁ ଯାଇ ୱେଟ କରିବା ଅପେକ୍ଷା ପ୍ରତୀକ ସେଇଠି ଗେଟ୍ ପାଖରେ ବୁଲୁ ଥାଏ । ବାରମ୍ବାର ହାତ ଘଣ୍ଟା କୁ ଦେଖି ମନେ ମାନେ କହୁ ଥାଏ "ହେସ୍ ! ଫୁଲ ଗୁଡ଼ ଯଦି ମଉଳି ଯାଆନ୍ତି, ତେବେ ସର୍ପ୍ରାଇଜ୍ ର କଣ ମୂଲ୍ୟ ରହିବ ଯେ ?"

ଏମିତି ଭାବୁ ଭାବୁ, ହଠାତ୍ ନଜର ପଡିଗଲା ତାର ଗେଟ୍ ପାଖରେ ଥିବା ସିକ୍ୟୁରୀଟି ର ନମସ୍କାର ଭଙ୍ଗୀ ଉପରେ.... ଆଉ ଦେଖିଲା ଜଣେ ଭଦ୍ର ମହିଳା ଙ୍କୁ ଯିଏ ମଥା ରେ ସିନ୍ଦୂର ଲଗାଇ, ସୁନ୍ଦର୍ ଶାଢ଼ୀ ଟିଏ ପିନ୍ଧି ଅଫିସ ରୁ ବାହାରିଲେ । ଖାଣ୍ଟି ଭାରତୀୟ ନାରୀ । ବୋଧେ ନୂଆ ନୂଆ ବାହା ହେଇଛନ୍ତି । ପ୍ରତୀକ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ନ ହୋଇ ହସ ହସ ମୁହଁ ରେ  ତାଙ୍କ ପାଖକୁ ଯାଇ, ଫୁଲ ତୋଡା ଟି ବଢେଇ ଦେଲା ଆଉ କହିଲା "ହ୍ୟାପ୍ପି ମ୍ୟାରେଡ୍ ଲାଇଫ୍" । ପ୍ରତୀକ ମୁହଁରେ ଏବେ ବି ହସ ଥିଲା କିନ୍ତୁ ସେ ଭଦ୍ରମହିଳା ଙ୍କ ମୁହଁ ର ହସ ଧୀରେ ଧୀରେ  ଫିକା ପଡି ଅଦୃଶ୍ୟ ହେଇଗଲା ।

ତିନିକୋଣିଆ ବଗିଚା, ମକରବାଗ ସାହି, ବକ୍ସି ବଜାର, କଟକ
ଦୂରଭାଷ : ୭୬୫୫୮୮୧୫୬୩

0 Comments