ଶ୍ରମିକ - ନାରାୟଣ ଚନ୍ଦ୍ର ସେନାପତି

ଶ୍ରମିକ - ନାରାୟଣ ଚନ୍ଦ୍ର ସେନାପତି

ଶ୍ରମ ତାର ଆଶା ଶ୍ରମ ତା ବିଶ୍ୱାସ
ଶ୍ରମ ତାର ପାଠଶାଳା
ଆଦର ସରାଗ ସବୁ ଅଜାଡି ସେ
କରୁଥାଏ ଲୀଳାଖେଳା।

ଶ୍ରମ ତାର ପୂଜା ଶ୍ରମ ଆରାଧନା
ଶ୍ରମ ତାର ଦେବାଦେବୀ
ଭକ୍ତି  ନୈବେଦ୍ୟର ସାଧକ ଦେଖେ ସେ
ନିତ୍ୟ ଦିବ୍ୟ ପ୍ରତିଛବି।

ଶ୍ରମ ତାର ଫୁଲ ଶ୍ରମ ତାର ଫଳ
ଶ୍ରମ ତା ମଧୁ ଉଦ୍ୟାନ
ଶରଧାର ଜଳ ସିଞ୍ଚେ ହୃଦୟରୁ
ଗଢେ ଶାନ୍ତି କୁଞ୍ଜବନ ।

ଶ୍ରମ ତାର ନିଷ୍ଠା ଶ୍ରମ ତାର ତ୍ୟାଗ
ଶ୍ରମରେ ନିଷ୍ଠ ସାଧକ
ହସ ଖୁସି ବାଣ୍ଟି ପାଏ ହସ ଖୁସି
ବିଞ୍ଚେ ସୁଗୁଣ ମହକ।

ଶ୍ରମ ତାର ସତ୍ୟ ଶ୍ରମ ତାର ନ୍ୟାୟ
ଶ୍ରମ ତା ପୂତ ନିଷ୍ପାପ
ସରଳ ଭାବନା ଆତ୍ମୀୟର ବାନା
ଉଡାଏ ନିତ୍ୟ ଅମାପ।

ଶ୍ରମ ନୁହଁ ଛୋଟ ଶ୍ରମ ତାର ଇଷ୍ଟ
ଶ୍ରମକୁ ଭାବେ ମହାନ
ସଭିଙ୍କ ଆଶିଷ ପ୍ରେମ ଶ୍ରଦ୍ଧା ଲଭେ
ପାଏ ଅନ୍ତରୁ ସମ୍ମାନ।

ଶ୍ରମ ତାର ଚିନ୍ତା ଶ୍ରମ ତା କଳ୍ପନା
ଶ୍ରମକୁ ଭାବେ ସୃଜନ
କପଟ ହିଂସା ତା ପାଶେ ଆସେ ନାହିଁ
ଶ୍ରମିକ ସିଏ ମହାନ।

ଶ୍ରମ ତାର ପ୍ରେମ ଶ୍ରମ ତାର ଧର୍ମ
ଶ୍ରମ ତାର ଦେଶପ୍ରେମ
ଦେଶ ସେବାକରି ବଂଚାଏ ସଭିଙ୍କୁ
ରଖେ ମା' ମାଟିର ନାମ।

ନାରାୟଣ ଚନ୍ଦ୍ର ସେନାପତି,
    ଜମ୍ଭରା,କେନ୍ଦୁଝର

0 Comments