ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ସୀତା ଚୋରୀ - ଭାଗ ପଞ୍ଚମ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ସୀତା ଚୋରୀ - ଭାଗ ପଞ୍ଚମ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ପୁଷ୍ପକ ବିମାନେ ରାବଣ ସଘନେ ବସାଇ ସୀତୟା ମାତ
ବୋଲେ ଆଗୋ ସୀତେ ଶୋକ ପରିହର ଆସ ଆସ ମୋ ସହିତ 
ଲଙ୍କାଗଡ଼ ଶୋଭା ବର୍ଦ୍ଧନ କରାଇ ବାରେ ମୋର ମନ ତୋଷ
ଆଜି ଲଙ୍କାଗଡେ ଅଭିସିକ୍ତ କରି କରିବି ପାଟ୍ଟ ମହୀଷ   ।।
ଜଟାଧାରୀ ବନବାସୀ ସ୍ଵାମୀ ତୋର କି ସୁଖ ପାଇବୁ ତାରେ
ସ୍ଵର୍ଣ୍ଣମୟ ଲଙ୍କା ଅଧିସ୍ଵର ମୁହିଁ  ରଖିବି ସୁବର୍ଣ୍ଣ ପୂରେ
ଦାସ,ଦାସୀ ତୋର ପୟରେ ଖଟିବେ ଦୁଃଖ ନାହିଁ ଯହିଁ ତିଳେ
ସେପୁର ର ଅଧିସ୍ଵରୀ ମୁଁ କରିବି ସୋଚନା ନକର ବାରେ   ।।
ବ୍ୟାଧ ଜାଲେ ପଡ଼ି ବିକଳରେ ରଡି ଛାଡଇ ଯେମନ୍ତେ ଏଣୀ
ତେମନ୍ତ ପ୍ରକାରେ ବିକଳେ ରୋଦନ କରେ ଜନକ ନନ୍ଦିନୀ 
ଆରେ ପାପୀ ପାପ କଥା ମୁଖେ କହୁ ବଦନ୍ତି ରାମ ଘରଣୀ
ରାମବାଣେ ହତ ହେବୁରେ ପାମର ତୋ ମରଣ ବେଳ ହେଲାଣି   ।।
ବିକଳେ ଆତୁରେ ଭୟାତୁର ସ୍ଵରେ ଉଚ୍ଚେ କରନ୍ତି ରୋଦନ
ଥରିଯାଏ ବନ,ଗିରି ଓ ପବନ ଶୁଭଇ ହା ରାମ ରାମ
ଶବଦ ଶୁଭିଲା ତିନିପୁର ସାରା ଶୁଣିଲା ଜଟାୟୁ କାନ
ଶ୍ଵେତବୀଣା ତାର ବିରହ ରାଗର ତୋଳେ କି ବିରହ ତାନ    ।।
ଏ କେଉଁ ମଧୁର ବିଦଗ୍ଧ ସ୍ବରରେ କିଏ ସେ କାନ୍ଦଇ ନାରୀ
ଆକାଶେ ଉଠିଲା ଅତିକାୟ ତାର ଶକ୍ତ ପକ୍ଷକୁ ବିସ୍ତାରି
ଦେଖିଲା ରାବଣ ପୁଷ୍ପକ ଯାନରେ ଧରିଆଣେ ରାମନାରୀ
ଚନ୍ଦ୍ରେ ରାହୁ ଗ୍ରାସ କରିଲା ପ୍ରକାରେ ଦିଶେ ଜନକ ଦୁଲାଳୀ  ।।
ଚଞ୍ଚୁକୁ ହଲାଇ ପକ୍ଷ ଦୋହଲାଇ କହେ ରେ ବିଶ୍ରବା ସୁତ
ଅପକର୍ମ କର୍ମ କରୁ ଆରେ ଦଶଶୀର ମୋ ହାତେ ହୋବୁ ହତ
ଭୀମ, ଭୟଙ୍କର ରୂପେ ପକ୍ଷୀ ବର କରି ତାର ପକ୍ଷାଘାତ
ରଥଧ୍ଵଜା, ଚଞ୍ଚୁଘାତେ ଶୀରସ୍ତ୍ରାଣ ଭୂମେ କରିଲା ପତିତ  ।।
କ୍ରୋଧେ ଲଙ୍କସାଇଁ ଚନ୍ଦ୍ରହାସ ନେଇ ଛେଦିଲା ତାହାର ପକ୍ଷ
ଭୂତଳେ ପଡ଼ିଲା, ସୀତୟା ବଦନ୍ତି ବଞ୍ଚିଥାଅ ତୁମେ ତାତ
ମୁକତି ଲଭିବ ଶ୍ରୀରାମ,ଲକ୍ଷ୍ମଣେ କହିବ ସର୍ବ ଉଦନ୍ତ 
ପ୍ରଫୁଲ୍ଲ କହଇ ବିଧିର ନିର୍ବନ୍ଧ ସୀତାଚୋରୀ କଥାମୃତ   ।।

0 Comments