ଶୀତଲ୍ ର ଫୁଲତୋଳା - ମନୋଜ ମାନିଲା ସେନାପତି

ଶୀତଲ୍ ର ଫୁଲତୋଳା - ମନୋଜ ମାନିଲା ସେନାପତି



ସକାଳୁ ସକାଳୁ ଫୁଲ ତୋଳିବାକୁ 
ଯାଉଛି ଆମ ଶୀତଲ
ଫୁଲ ଚାଙ୍ଗୁଡାଟି ପୂର୍ଣ୍ଣ ହେବା ଯାଏ
ତୋଳେ ନାନା ଜାତି ଫୁଲ।

ଧଳା, ଗୋଲାପି ବା ନାଲି ହଳଦିଆ
ତୋଳେ ଯେତେ ରଙ୍ଗ ଫୁଲ
ପଚାରେ କାହିଁକି ଭିନ୍ନ ବାସ ରଙ୍ଗ
ମନେ ଭରି କୌତୁହଳ।

କାହିଁକି ଏ ଫୁଲ ଦେବତାଙ୍କ ମୁଣ୍ଡେ
ପାଇଥାଏ ସଦା ଶୋଭା
କେଉଁ ଗୁଣ ଯୋଗୁଁ ପାଏ ଏତେ ସ୍ନେହ
ସତେ କି ମେନକା ରମ୍ଭା।

ମହୁ ଚାଖିବାକୁ ଫୁଲରେ ବସନ୍ତି
ଭଅଁର ଓ ପ୍ରଜାପତି
ପରାଗ ରେଣୁକୁ ଅଜ୍ଞାତେ ବୁଣନ୍ତି
ଆଙ୍କି ନୂଆ ରଙ୍ଗ ଜ୍ୟୋତି।

(କହିଲି)ଫୁଲଟି ନିଷ୍ପାପ ନିର୍ମଳ ସୁନ୍ଦର
ଶିଖାଏ ଦୟା ଉଦାର
ସେଥିପାଇଁ ପରା ପୂଜା ପାଇଁ ସଜ୍ଜା
ପାଏ ସଭିଙ୍କ ଆଦର।

ଏ ସୁନ୍ଦର ଧାରାରେ ଭିନ୍ନ ଜାତି ଅବା
ଭିନ୍ନ ପ୍ରଜାତିର ଗୁଣେ
ବାସନା ଆକୃତି ଧରିଥାଏ ଫୁଲ
ଈଶ୍ବରଙ୍କ ପ୍ରତିଦାନେ।

ତୁମ ପରି ଶିଶୁ ଫୁଲ ପରି ସ୍ଵଛ
ଲଭନ୍ତୁ ସଦା କଲ୍ୟାଣ
ତୁମର ସୌରଭେ ମହକୁ ପୃଥିବୀ
ଆଶିଷ ଦ୍ୟନ୍ତୁ ନାରାୟଣ।

ମନୋଜ ମାନିଲା ସେନାପତି  (ରୋଜି)

0 Comments