ରକ୍ଷାକର ହନୁମାନ - ନାରାୟଣ ଚନ୍ଦ୍ର ସେନାପତି

ରକ୍ଷାକର ହନୁମାନ - ନାରାୟଣ ଚନ୍ଦ୍ର ସେନାପତି

କେଡେ ସୁନ୍ଦର ମୋ ସରମଙ୍ଗା ଗାଁ
କେତେ ଭଲ ଗ୍ରାମବାସୀ
ପାଠ ଶାଠ ଆଉ ଚାଷ ବେପାରରେ
ମନ ତାଙ୍କ ଦିବା ନିଶି।

ରୋଗ ଦୁଃଖ ଶୋକ ସଭିଠୁଁ ସୁରକ୍ଷା
ପାଇବାକୁ ସଦା ମନ
ମନ ବଳେଇଲେ କରିବା ସ୍ଥାପନ
ମୂର୍ତ୍ତି ବୀର ହନୁମାନ।

ଧନୀଠୁ ଗରିବ ନ ଥିଲା ବିଚାର
ଜାତି କି ଅଜାତି ଭେଦ
ଆଦରେ ଆଗ୍ରହେ କେ ଧାନ ଚାଉଳ
ଟଙ୍କା ନାନାଦି ସମ୍ପଦ।

ଶୁଭ ମୁହୂର୍ତ୍ତରେ ଜାଳି ଧୂପ ଦୀପ
 ଘଣ୍ଟା ସ୍ୱର ହୁଳହୁଳି
ଶ୍ରୀଫଳକୁ ପିଟି ନିର୍ମାଣ ଆରମ୍ଭ
କଲେ ଶରଧାକୁ ବୋଳି।

ସରିଲା ନିର୍ମାଣ ବିଦ୍ୟ ହନୁମାନ
କି ଅପୂର୍ବ ସେହି ମୂର୍ତ୍ତି
ଆଖି ଖୋସିହେଲା ସୁନ୍ଦର ଜ୍ୟୋତିରେ
ଡାକିଲୁ ଆତୁରେ ଅତି।

ପ୍ରତିଷ୍ଠା ଦିବସେ ସଭିଙ୍କର ଡାକ
ରଖ ବୀର ହନୁମାନ
ମୋ ଗାଁ ବାସୀଙ୍କ ଦୁଃଖ ହରି ନେଇ
ବାଣ୍ଟ ସୁଖର ସପନ।

ପ୍ରଭଞ୍ଜନ ସମ ଦିଅ ହେ ପ୍ରତାପ
ତୁମେ ତ ପବନ ସୂତ
ସଙ୍କଟ ମୋଚନ କେଶରୀ ନନ୍ଦନ
ହେ ଦିବ୍ୟ ଅଞ୍ଜନୀ ସୂତ।

ଭକ୍ତିର ଭଣ୍ଡାର ରାମ ଭକ୍ତ ତୁମେ
ଶିଖାଅ ଭକତି ଭାବ
ହେ ଚରିତ୍ରବାନ ହୃଦୟ ଈଶ୍ୱର
ଶିଖାଅ ନିଃସ୍ୱାର୍ଥଭାଵ।

କରୁଥିଲ ଯେବେ  ସୀତାଙ୍କୁ ଭକତି
ନାରୀ  ମା' କହି ପୂଜା
ଚରିତ୍ର ଶକତି କରିବୁ ସୁରକ୍ଷା
ଉଡାଇ ଗୈରିକ ଧ୍ୱଜା।

ଜ୍ଞାନ ଗୁଣର ତ ପ୍ରଶାନ୍ତ ସାଗର
ଦିଅ ବୁଦ୍ଧି ଆଉ ଜ୍ଞାନ
ମୋ ଗାଁ ମୁଣ୍ଡେ ରହି ପୂଜା ପାଉଥାଅ
ହେ ବଜରଙ୍ଗୀ ଭଗବାନ।

(ମୋ ମାମୁଁ ଘର ଗାଁ ସରମଙ୍ଗା, ଆନନ୍ଦପୁର, କେନ୍ଦୁଝରର ହନୁମାନ ମୂର୍ତ୍ତି ପ୍ରତିଷ୍ଠା ଉପଲକ୍ଷେ ଏ କବିତା।)

ନାରାୟଣ ଚନ୍ଦ୍ର ସେନାପତି,
         ଜମ୍ଭରା, କେନ୍ଦୁଝର

0 Comments