ନିଦାଘ - ନିବେଦିତା ମହାପାତ୍ର

ନିଦାଘ - ନିବେଦିତା ମହାପାତ୍ର

ପ୍ରଚଣ୍ତ ହୋଇଲାଣି ଦେଖ ତପନ କିରଣ
ଝାଞ୍ଜି ପ୍ରବାହନେ ତନୁକୁ ଲାଗଇ କଷଣ।
ପଥଶ୍ରମ ବାଟୋଇକୁ ମିଳଇ ନାହିଁ ଛାୟା
ଲୁପ୍ତ ପ୍ରାୟ ହୋଇଗଲାଣି ମହାଦ୍ରୁମ କାୟା।
ଆକାଶ ବକ୍ଷରେ ଭରି ମେଦୁର ମେଘମାଳା
କାଳ ବୈଶାଖୀ ରଚେ  ଧ୍ବଂସର ତାଣ୍ଡବ ଲୀଳା।
ରୌଦ୍ର ସନ୍ୟାସୀ କରି ରୁଦ୍ର ରୂପକୁ ଧାରଣ 
ଅଂଶୁଘାତରେ ହରି ଥାନ୍ତି ପ୍ରାଣୀଙ୍କ ପରାଣ।
ସଲିଳ ଧାରା ପାଇଁ ଜନେ ହୁଅନ୍ତି ବିକଳ
ତୃଷା ନିବାରଣ ପାଇଁ ମିଳଇ ନାହିଁ ଜଳ।
ନିର୍ଜନ ପ୍ରହରେ ଝିଙ୍କାରୀ କଣ୍ଠର ବିଳାପ
ପ୍ରକାଶିତ କରେ ଧରାରେ ବୈଶାଖର କୋପ।
ଉଦାସୀନ ନିଦାଘରେ ପୁଷ୍ପହୀନ ବନାନୀ
ସୃଷ୍ଟି କରେ ବ୍ୟଥାର ଦୁର୍ଦ୍ଦମ ଆବେଗ ଧ୍ବନି।
ନଭରୁ ବର୍ଷି ଆଦିତ୍ୟଙ୍କ ଲେଲିହାନ ପ୍ରଭା
ହରାଇଛି ମେଦିନୀ ଶ୍ୟାମଳିମା ବର୍ଣ୍ଣବିଭା।
ପ୍ରାଣହୀନ ସାଜିଛନ୍ତି ପାଦପ ଦୁର୍ବାଦଳ
ଭସ୍ମିଭୂତ ହୋଇଗଲାଣି ଗିରି-ବନ-ମାଳ।
ଦାରୁଣ ଗ୍ରୀଷମ ବୁଝେନା କେବେ ତା ଭାବନା
ତାପକ୍ଲିଷ୍ଟ ଅବନୀ ସହେ କେତେ ଯେ ଯାତନା॥

ନିବେଦିତା ମହାପାତ୍ର 
ମୁକୁନ୍ଦ ମିଶ୍ର ନଗର,ପୁରୀ॥

0 Comments