କ୍ଷୁଦ୍ରଗଳ୍ପ - ମୃତ୍ୟୁର ବିଭୀଷିକା - ସଂଯୁକ୍ତା ରାଉତ

କ୍ଷୁଦ୍ରଗଳ୍ପ - ମୃତ୍ୟୁର ବିଭୀଷିକା - ସଂଯୁକ୍ତା ରାଉତ

ବୃଦ୍ଧାଶ୍ରମର ଚାରିକାନ୍ଥ ମଧ୍ୟରେ ଆଜି ଖୁବ୍ ଅଣନିଶ୍ଵାସୀ ପାଲଟି ଯାଉଥିଲେ ବିନୋଦ ବାବୁ ୲ ମନ ମଧ୍ୟରେ ସ୍ମୃତି ଚାରଣ କରୁଥିଲା ବିଗତ ଦିନର ଘଟଣାବଳୀ ୲ ଘଟଣା ତ ନୁହେଁ , ନିଜ ଅଙ୍ଗେନିଭା ଜୀବନ କାହଣୀ ୲ ସେଦିନର ସେହି ମର୍ମନ୍ତୁଦ ମୁହୂର୍ତ୍ତ ଆଜିବି ଥରେଇ ଦେଉଛି ତାଙ୍କର ସମଗ୍ର ସତ୍ତାକୁ ୲ ଭୟରେ ଟାଙ୍କୁରି ଉଠୁଛି ପ୍ରତିଟି ଲୋମମୂଳ ୲ 


ଡିସେମ୍ବର ଛୁଟି ମନାଇବାକୁ ସୁଦୂର ଜର୍ମାନୀରୁ ପୁଅ , ବୋହୂ ଆଉ ନାତି ଫେରିଛନ୍ତି ଘରକୁ ୲ ୪ବର୍ଷର ନାତି ସିପୁନ୍ ସହ ଖୁସିରେ ଖୁସିରେ ଅତିବାହିତ ହୋଇଯାଉଥିଲା ତାଙ୍କର ଅବସରପ୍ରାପ୍ତ ଭାରାକ୍ରାନ୍ତ ଜୀବନର ଅବଶିଷ୍ଟ ସମୟତକ ୲ 

ସେଦିନ ଥାଏ ଡିସେମ୍ବର ୨୭ ତାରିଖ ୲ ସ୍ତ୍ରୀ ସୁମତୀ , ବୋହୂ ପ୍ରଜ୍ଞା , ପୁଅ ଅଖିଳେଶ ଆଉ ନାତି ସିପୁନ୍ କୁ ସାଙ୍ଗରେ ଧରି ସେ ବାହାରିଲେ ଫାମିଲ୍ ପିକନିକରେ ୲ ଯାତ୍ରା ତାଙ୍କର ଆରମ୍ଭ ହେଲା କଟକସ୍ଥିତ ନିଜ ବାସଭବନ "ଆନନ୍ଦ ନିବାସ"ରୁ ପୁରୀ ଆଉ କୋଣାର୍କ ଅଭିମୁଖେ ୲ ସମୟ ସେତେବେଳକୁ ପ୍ରାୟ ସକାଳ ୮ଟା ହେବ ୲ ଇଚ୍ଛା ଥିଲା ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ ସାରିବେ ତା' ପରେ କୋଣାର୍କର ସୂର୍ଯ୍ୟ ମନ୍ଦିର ଦେଖି ବୁଲାବୁଲି କରି ଫେରିବେ ୲ 

ପୁଅ ଅଖିଳେଶ କାର୍ ଡ୍ରାଇଭ କରୁଥିଲେ ୲ ଗାଡିର ବେଗ ମଧ୍ୟ ବେଶୀ ନ ଥିଲା ୲ ପୁରୀ ଭୁବନେଶ୍ଵର ରାସ୍ତାରେ ତାଙ୍କ କାର୍ ଆଗକୁ ବଢୁଥିଲା ୲ କାର୍ ର ଗତି ସହ ବଢ଼ି ଚାଲିଥିଲା ସମସ୍ତଙ୍କ ମନର ଉତ୍ସାହ ୲ ଅନ୍ତାକ୍ଷରର ସରଗରମ ମାହୋଲ୍ ବି ଜୋର୍ ଧରିଥିଲା କାର୍ ଭିତରେ ୲ ସମସ୍ତେ ଖୁବ୍ ଖୁସିଥାନ୍ତି ୲ କିଏ ଜାଣିଥିଲା ମୃତ୍ୟୁ ହାତ ଠାରି ତା'ରି ଆଡ଼କୁ ଯେମିତି ଡାକି ନେଉଥିଲା ଏ ହସ ଖୁସିର ପରିବାରଟିକୁ ୲ ହଠାତ୍ ସମ୍ନାରୁ ଦ୍ରୁତ ବେଗରେ ମାଡ଼ି ଆସିଲା ଦଶଚକିଆ ବ୍ରେକଫେଲ୍ ଟ୍ରକଟି ୲ 

କିଂକର୍ତ୍ତବ୍ଯବିମୁଢ ଅଖିଳେଶ ଷ୍ଟିୟରିଂ ବୁଲାଉ ବୁଲାଉ ରକ୍ତମୁଖା ମୃତ୍ୟୁ ଦାନବଟିଏ ମାଡିଆସିଲା ତାଙ୍କ କାର୍ ଉପରକୁ ୲ ଆଖି ପିଛୁଳାକେ ସବୁକିଛି ଯେମିତି ଶେଷ ହୋଇଗଲା ୲ ଘଟଣାସ୍ଥଳରେ ହିଁ ଅଖିଳେଶ ଆଉ ପ୍ରଜ୍ଞାଙ୍କର ମୃତ୍ୟୁ ହୋଇସାରିଥିଲା ୲ ମେଡିକାଲ୍ ଯିବା ବାଟରେ ସୁମତୀ ଆଉ ସିପୁନର ୲ ସଂଜ୍ଞାହୀନ ଅବସ୍ଥାରେ ୨ମାସ ମେଡିକାଲ୍ ବେଡ଼ରେ ପଡିରହି , ଯେଉଁଦିନ ଚେତା ପାଇ ଜାଣିବାକୁ ପାଇଲେ ଯେ ସେହି ଦୁର୍ଘଟଣାରେ ତାଙ୍କ ସାରା ପରିବାର ସହ ସେ ହରାଇଥିଲେ ନିଜର ଗୋଡ ଦୁଇଟି , ତାଙ୍କୁ ଲାଗିଲା ସତେ ଯେପରି ବିସ୍ତୀର୍ଣ୍ଣ ଆକାଶଟି ତାଙ୍କ ମୁଣ୍ଡ ଉପରେ ଛିଣ୍ଡି ପଡିଛି, ପାଦ ତଳର ପୃଥିବୀ ରସାତଳଗାମୀ ହୋଇଯାଇଛି ୲ 

ଡିସଚାର୍ଜ ହେବା ପରେ ସେ ଆଉ ଫେରି ନ ଥିଲେ ଘରକୁ , ମେଡିକାଲ ବେଡ଼ରୁ ସିଧା ଆସିଥିଲେ ଏହି ବୃଦ୍ଧାଶ୍ରମକୁ , ନିଜର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତିକୁ ବୃଦ୍ଧାଶ୍ରମ ନାଁ ରେ ରେଜେଷ୍ଟ୍ରି କରିଦେଇ ୲ ଏହା ଭିତରେ ତପ୍ତ ଅଶ୍ରୁ ଦୁଇ ଧାର କେତେବେଳେ ଯେ ଆଖିରୁ ବୋହି ଆସି ତାଙ୍କ ଗଣ୍ଡ ଦେଶକୁ ଛୁଇଁଯାଇ ସିକ୍ତ କରିଦେଲାଣି , ଜାଣିପାରି ନାହାଁନ୍ତି ସେ ୲ ପଛରୁ କାହାର ଡାକ ଶୁଣି ସେ ଚମକି ପଡିଲେ , ଦେଖିଲେ ତାଙ୍କ ପଛରେ ଠିଆହୋଇଛି ବୃଦ୍ଧାଶ୍ରମର ଖାଦ୍ୟ ପରଷୁଥିବା ପିଲାଟି ୲ କହୁଛି ସାର୍ ଆସନ୍ତୁ ଡାଇନିଂକୁ ,ସମସ୍ତେ ପରା ଖାଇବା ପାଖରେ ଆପଣଙ୍କୁ ଅପେକ୍ଷା କରିଛନ୍ତି ୲ ତୁ ଚାଲ , ମୁଁ ଯାଉଛି କହି ଆଖିର ଲୁହକୁ କାନ୍ଧରେ ପଡିଥିବା ଗାମୁଛାରେ ପୋଛିଦେଇ ହ୍ଵିଲ୍ ଚେୟାରକୁ ବୁଲାଇଲେ ଡାଇନିଂ ରୁମ ଆଡକୁ ୲ 


Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: Apr 28, 2019

0 Comments