OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ମୋ ଭୁଲ ପାଇଁ ମୁଁ ଦାୟୀ - ନାରାୟଣ ଚନ୍ଦ୍ର ସେନାପତି

ମୋ ଭୁଲ ପାଇଁ ମୁଁ ଦାୟୀ - ନାରାୟଣ ଚନ୍ଦ୍ର ସେନାପତି

   ଅନେକ ଦିନ ହେବ ଅସୁସ୍ଥତା ଜାବୁଡି ଧରି କଲ୍ ବଲ୍ କରୁଛି ନରେଶ ବାବୁଙ୍କୁ । ସ୍ନେହ ଆଦରରେ ଗଢା ତା ହାତ ତିଆରି ଘରଟିରେ ତା'ର ହସ ଖୁସି ସତେ ଯେମିତି ବନ୍ଦୀ ହୋଇ ଯାଇଛି।ଅଣନିଃଶ୍ବାସୀ ହୋଇ ସଢ଼ୁଛି ଡାକ୍ତରଖାନାର ବେଡ୍ ରେ ସଢିଲା ସଢିଲା ପରି।ଶରୀର ଧୀରେ ଧୀରେ କ୍ଷୀଣ ହେଉଛି ବନ୍ୟାରେ ନଦୀକୂଳର ଅତଡା ଖସିଲା ପରି।ରକ୍ତ କମିଯାଉଛି ନିଦାଘ ଛୁଆଁ ରେ ବଗିଚାର ଚୁଆରୁ ପାଣି ଶୁଖିଲା ପରି।ପୃଥୁଳ ଦେହଟା ଶୁଖି ଶୁଖି ସତେ ଯେମିତି ଲାଗୁଚି କାଉଁରିଆ କାଠି।ଚେର ମୁଳି, ଗୁଣିଆ ଝଡା, ଯେତେ ବି ଦେଶୀ ଔଷଧକୁ, ତା ଦେହର ଜ୍ଜ୍ୱରଟା ହାତୀକୁ ହୋମିଓ ପ୍ୟାଥି କହି ଠୋ ଠୋ ହସି ଉପହାସ କରୁଛି।ଯନ୍ତ୍ରଣାରେ ସିନା ସେ ଛଟପଟ ହେଉଛି, ତା ସହ ବନ୍ଧା ବିଚାରୀ ମିନତୀଟା ସ୍ୱାମୀର କଷ୍ଟ ସଳିତାରେ ନିଜେ ବି ଜଳି ଜଳି ଦରପୋଡ଼ା ହୋଇଗଲାଣି।ଚିନ୍ତାର ଡାଆଣିଟା ତା ପିଛା ଛାଡୁନାହିଁ,ଅଳ୍ପ କେଇଖଣ୍ଡ ଜମି ଅଛି,ବ୍ୟାଙ୍କ ଖାତାରେ ଫଟା ପଇସାଟେ ବି ନାହିଁ,ଏଣେ ପୁଅ ସୁମନ୍ତଟା ର ଭବିଷ୍ୟତ ପୁଣି ଝିଅ କାଞ୍ଚନ ବଡ଼ ହେଲେ ବାହା ଓ କେତେକଣ।ଯଦି ଏଇ ଜମି କେଇଖଣ୍ଡ ବିକ୍ରିକରି ନରେଶକୁ  ଡାକ୍ତରଖାନା ନିଏ,ତେବେ ଏ ଛୁଆ ଦି'ଟା ଦାଣ୍ଡର ଭିକାରୀ ହୋଇ ଥାଳ ଧରିବେ।ଶେଷରେ ପ୍ରେମ ପ୍ରଣୟର ଶ୍ରେଷ୍ଠ ସନ୍ତକ ମଙ୍ଗଳସୁତ୍ର ଖଣ୍ଡକ ଯାହାକୁ କେବଳ ସେ ହାତ ମାରି ନ ଥିଲା ତାକୁ ବିକ୍ରିକରି ନେଲା କଟକ ବଡ ଡାକ୍ତରଖାନାକୁ।

   ଚାଲିଲା ଡାକ୍ତରଙ୍କ ପରୀକ୍ଷା ପରେ ପରୀକ୍ଷା।ସଭିଙ୍କର ହୃତ୍ ସ୍ପନ୍ଦନ କମ୍ପିତ ପ୍ରାୟ।ଆବେଗ ଓ କୌତୁହଲର କ୍ଷୀପ୍ର ଗତି ମନରେ ଭୟ ଆଶଂକାର ଭୂମିକୁ ଦୋହଲାଉ ଥାଏ।କିଛି ନାହିଁ,ସବୁ ଠିକ୍ ଅଛି।ସମସ୍ତେ ବିସ୍ମିତ,ଶେଷରେ ଅନ୍ୟ ଏକ ପରୀକ୍ଷା,ଯାହା ରିପୋର୍ଟ ମିଳିଲା,କେହି ବି  ବିଶ୍ୱାସ କରି ପାରୁ ନ ଥିଲେ।ନରେଶକୁ ହୋଇଛି ଏଡସ।ସମସ୍ତେ ଅବାକ୍।ନରେଶର ପାଦତଳୁ ମାଟି ଖସି ପଡ଼ିଲା।ମିନତୀର ସାଂସାରିକ ଆକାଶରେ ଦୁର୍ଭାଗ୍ୟର ଲଞ୍ଜାତାରାଟା ସବୁ କିଛି ଜାଳି ପୋଡି ଛାର ଖାର କରିଦେଲା।ପୁଅ ଓ ଝିଅ ମା' ବାପାଙ୍କର ମନ ଦୁଃଖରେ ନିର୍ବାକ ହୋଇ ଚାହିଁଥାନ୍ତି କିଛି ଉତ୍ତର ଆଶାରେ।ମିନତୀ ପୁଅ ଝିଅଙ୍କୁ ଛାଡୁ ନ ଥାଏ ନରେଶଙ୍କ ପାଖକୁ।ନରେଶ ଅନାଥ,ଅସ୍ପୃଶ୍ୟ ଭଳି ଭାଗ୍ୟକୁ ନିନ୍ଦି ଆକୁଳରେ ଚାହିଁ ଥାଏ ତା ଆତ୍ମୀୟ ମାନଙ୍କ  ପ୍ରେମର ମୃଦ୍ୟୁ ସ୍ପର୍ଶ।ଆଖିରୁ ବହି ପଡୁଥାଏ କେଇ ବୁନ୍ଦା ଅଶ୍ରୁ ଝର ଝର ହୋଇ।

    ଡାକ୍ତର ଦେଖିଲେ ନରେଶ ଅକେଲା ଶୋଇଛି,ତା ଠାରୁ ଅନତି ଦୂରରେ ଛିଡା ହୋଇଥାନ୍ତି ମିନତୀ,ସୁମନ୍ତ ଓ କାଂଚନ।ସେ ବୁଝାଇଦେଲେ ଏ ରୋଗ ଡିଆଁ ରୋଗ ନୁହଁ,ରୋଗୀକୁ ଛୁଇଁଲେ ବି ସଂକ୍ରମଣ ହୁଏନା।ଆପଣମାନେ ତାଙ୍କୁ ଛୁଇଁପାରିବେ।ଏହା ଶୁଣିବାପରେ ତିନିହେଁ ନରେଶ ପାଖରେ ବସିବାରୁ ତାଙ୍କୁ ଆଶ୍ବସ୍ତି ଲାଗିଲା।

   ସତରେ କ'ଣ ମୋ ସ୍ୱାମୀଙ୍କୁ ଏଡସ? ଏ ପ୍ରଶ୍ନ ଉଙ୍କି ମାରୁଥାଏ ତା ଅନ୍ତରରେ।

  ଡାକ୍ତର ବାବୁ ନରେଶର ଦେହରେ ଥିବା ରକ୍ତବର୍ଣ୍ଣ ଗାର, ଚର୍ମର ସପ୍ତବର୍ଣ୍ଣୀ ଏଣ୍ଡୁକା ପରି ବର୍ଣ୍ଣ ଦେଖାଇଦେଲେ।ଆଣ୍ଠୁଗଣ୍ଠି ଦରଜ,ଗଳା ଶୁଖିଯାଉଥିବା,ଗଳାରେ ଆଘାତ ହେବା,ବାରମ୍ବାର କୁଣ୍ଡେଇହେବା,ବ୍ୟାୟାମ କି କାମ କଲେ କ୍ଳାନ୍ତରେ ଫା ଫା ଲାଗିବା,ଲଗାତାର ତିନି ଚାରିଦିନ ଲେଖାଏଁ ପ୍ରବଳ ଜ୍ୱର ହେଉଛି କି? ଏସବୁ ନିସ୍ଚୟ ହେଉଥିବ?ମିନତୀ ମୁଣ୍ଡ ଟୁଙ୍ଗାରି ଏସବୁର ସମ୍ମତି ପ୍ରଦାନ କଲା।ହେଲେ ଏସବୁ ତ ଅନ୍ୟ ରୋଗର ଲକ୍ଷଣ ହୋଇପାରେ ପ୍ରଶ୍ନ କଲା ମିନତୀ।ଡାକ୍ତର ବାବୁ କହିଲେ ସେଥିପାଇଁ ତ ରକ୍ତ ପରୀକ୍ଷା କରାଗଲା,ଏବଂ ଏଚ ଆଇ ଭି ପଜିଟିଭ ବାହାରିଲା।
     ମିନତୀ ଅବଶ୍ୟ ମୁରୁଖ ନ ହେଲେ ବି ଏଚ ଆଇ ଭି ପରି ବୈଜ୍ଞାନିକ ଶବ୍ଦର ଅର୍ଥ ତା  ପାଇଁ ଖୁବ୍ ଜଟିଳ ଥିଲା।ଏହା କଣ, କାହିଁକି ଓ କିପରି ହୁଏର ପ୍ରଶ୍ନ ଗୁଡାକର ଉତ୍ତର ଜାଣିବାର ଉତ୍ସୁକତା ତାକୁ ଉଦ୍ ବେଗର ପାଦ ଦେଶରେ ପହଞ୍ଚାଇ ଦେଲା।କୌତୁହଲର ସହ ଡାକ୍ତରଙ୍କୁ ପ୍ରଶ୍ନ କରନ୍ତେ,ଡାକ୍ତର କେତେକ ପ୍ରଶ୍ନ ପଚାରିବାକୁ ଭୁଲି ନ ଥିଲେ।

  ନରେଶ ବାବୁଙ୍କ ବଂଶରେ କିଏ ଏଡସ ରୋଗୀ ଥିଲେ କି?

ନରେଶ ବାବୁ କେବେ କେତେବେଳେ ଅଶୋଧିତ ଛୁଞ୍ଚି(ଗୋଟିଏ ଛୁଞ୍ଚି ବହୁତ ଜଣ ବ୍ୟବହାର କରିଥିବା)ରେ ଇଂଜେକସନ ନେଇଛନ୍ତି କି?

 କ୍ଷମା କରିବେ,ଏ ପ୍ରଶ୍ନ ଆପଣମାନଙ୍କୁ ଖରାପ ଲାଗିଲେ ବି ପଚାରିବାକୁ ବାଧ୍ୟ ହେଉଛି,ନରେଶ ବାବୁ କେବେ କେଉଁ ବାର ନାରୀ ସହ ବା ଏକାଧିକ ନାରୀଙ୍କ ସହ ଯୌନ ସମ୍ପର୍କ ରଖିଥିଲେ କି?
   ମିନତୀ ସାମାନ୍ୟ ଉତ୍ତକ୍ଷିପ୍ତ ହୋଇ ଚଢା ଗଳାରେ କହିଥିଲେ,ନାଁ, ଡାକ୍ତରବାବୁ,ନା କିଏ ବଂଶରେ ଏଭଳି ରୋଗୀ,ନାଁ ଅଶୌଧିତ ଛୁଞ୍ଚି କି ଅନ୍ୟଟି ବି? ହୁଏତ ଆମେ ଗରିବ ହୋଇଥାଇପାରୁ,ହେଲେ ଏତେ ଅଜ୍ଞ ନୁହଁ,ଆପଣ ଜାଣି ରଖିବା ଉଚିତ କି; ନରେଶ ବାବୁ ଜଣେ ଜ୍ଞାନୀ,ଭଦ୍ର ଓ ଚରିତ୍ର ବାନ ବ୍ୟକ୍ତି।

   କିନ୍ତୁ କ୍ଷମା କରିବେ ମିନତୀ ଦେବୀ,ମୁଁ ମନଗଢା କହୁନି, ବରଂ ଏ ରୋଗର ଲକ୍ଷଣ କହୁଛି, ଏ ତିନି କାର୍ଯ୍ୟରୁ ଅତି କମ୍ ରେ ଗୋଟିକରେ ସେ ନିଶ୍ଚୟ ଲିପ୍ତ ଥିବେ।ଏ ଥଣ୍ଡା,କାଶ,କି କାଛୁ କୁଣ୍ଡିଆ ପରି ମାମୁଲି ରୋଗ ନୁହଁ,ଦିନେ ଦୁଇ ଦିନରେ ଜନ୍ମି ପୁଣି ସେଇ ଅବଧିରେ ଚାଲିଯାଏ।ଏ ରୋଗ ହେବା ପାଇଁ ବ୍ୟକ୍ତିକୁ ଅତି କମ୍ ରେ ଆଠ ଦଶ ବର୍ଷ ଲାଗିଥାଏ।ଏହା ଏକ ଶକ୍ତିଶାଳୀ ଭୁତାଣୁ ଜନିତ ରୋଗ।ଏହାର ନାମ ଏଚ୍. ଆଇ. ଭି, ଅର୍ଥାତ ହ୍ୟୁମାନ ଇମ୍ୟୁନ  ଡିଫିସିଏନସି ଭାଇରସ।ମଣିଷର ଶରୀରର ରୋଗ ପ୍ରତିରୋଧକ ହ୍ରାସ ଭୁତାଣୁ।ଏ ଭୁତାଣୁ ଦେହରେ ପଶି ବସା ବାନ୍ଧେ,ଉପକାରୀ ଜୀବାଣୁଙ୍କୁ ମାରେ,ରକ୍ତରେ ପଶି ଉପକାରୀ କଣିକାକୁ ଖାଇଦିଏ, ଶାରୀରର ରୋଗ ପ୍ରତିରୋଧକ ଶକ୍ତି କମାଏ।ଅତ୍ୟନ୍ତ ଦୁର୍ବଳ କରି କ୍ଳାନ୍ତ କରାଏ।ଟିକିଏ କାମ କଲେ କି ବ୍ୟାୟାମ କଲେ ନିର୍ଜୀବ ପରି ଲାଗେ।ଶରୀର ଦୁର୍ବଳ ଓ କ୍ଷୀଣ ହୋଇଯାଏ।ଏହିପରି ଆଠ ଦଶ ବର୍ଷ ଧରି ରହି କରାଏ ଏଡସ।ଯାହାର ନାମ ଏକ୍ୟୁଆଡ଼ ଇମ୍ୟୁନ ଡ଼ିଫିସିଏନସି ସିଣ୍ଡ୍ରମ।ଯାହା ସମ୍ପୂର୍ଣ୍ଣ ଅର୍ଜ୍ଜିତ।

  ମିନତୀ ଆଶ୍ଚର୍ଯ୍ୟ ହେଉଥାଏ।ତା ମନରେ ଉଙ୍କି ମାରୁଥାଏ ଅସୁମାରୀ ପ୍ରଶ୍ନ।ନଅ ବର୍ଷ ପୁରିଲା ତା ବାହାଘର।ଏ ଯାବତ ତାର ସାଂସାରିକ ଜୀବନକୁ ସନ୍ଦେହର ଛାପ ନାହିଁ।ସେ ଜାଣେ ତା ସ୍ବାମୀ ଏତେ ଭଦ୍ର ଯେ କୌଣସି ଝିଅ ବୋହୁଙ୍କୁ ଖରାପ ନଜରରେ ଆଖି ବି ପକେଇନାହାନ୍ତି।

   ଡାକ୍ତର ତାଙ୍କ ଚାମ୍ବରକୁ ମିନତୀକୁ ଡକାଇଲେ। କିଛି ମେଡ଼ିସିନ ଲେଖା ପ୍ରେସକ୍ୟୁସନ ଦେଇ,ଔଷଧର ସେବନ ବିଧି ଜଣାଇଲେ।ମିନତୀର ଅଶ୍ରୁଭରା ସନ୍ତାପିତ ମନର କେତୋଟି ପ୍ରଶ୍ନ,କେତେଦିନ ଯାଏ ଏ ମେଡ଼ିସିନ ଖାଇବାକୁ ହେବ?କେବେ ଭଲ ହୋଇଯିବେ?କ'ଣ କ'ଣ ଖାଇବାକୁ ହେବ?ପ୍ରଶ୍ନର ଉତ୍ତରରେ ଡାକ୍ତର ବାବୁ କହିଥିଲେ,ଏ ରୋଗ ପାଇଁ ଅବଶ୍ୟ କିଛି ମେଡ଼ିସିନ ବାହାରିଛି ମାତ୍ର ଏହା ସେବନ ଦ୍ୱାରା ବାନ୍ତି, ଡାଇରିଆ,ରକ୍ତଚାପ,ହୃଦ ଘାତ, ହାଡ଼ ଦୁର୍ବଳ ଓ ନଷ୍ଟ ହେବାର ବହୁତ ସମ୍ଭାବନା ଅଛି।ଏହା ସମ୍ପୂର୍ଣ୍ଣ ଆରୋଗ୍ୟ ନୁହଁ।କାନ ଡେରି ଡୋର ସ୍କ୍ରିନ ତଳେ ମୁହଁ ଲୁଚାଇ ଲୁଚିଥିବା ସୁମନ୍ତ ଓ କାଞ୍ଚନଙ୍କ ମୁଖ ମଣ୍ଡଳ ଶୁଖି ଯାଉଥାଏ।ଆମ ବାପା ଆଉ ଭଲ ହେବେନି ଭାବି ଭାବି ?

  ଡାକ୍ତର କହିଲେ ଅବଶ୍ୟ ଦେହକୁ ଶକ୍ତ ଓ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ କେତେକ ସରଳ ଉପାୟ ଅଛି ତାହା ନିଶ୍ଚୟ ଉପଯୋଗ କଲେ ସେ ଦୀର୍ଘଦିନ ବଞ୍ଚି ପାରିବେ।ତଟକା ସବୁଜ ପନିପରିବା ଫଳମୂଳ ଖାଇବାକୁ ଦେବେ,ସମୁଦ୍ର ମାଛ,କଙ୍କଡା ଆଉ ଅଣ୍ଡା ଠାରୁ ଦୂରେଇ ରଖିବେ।କେତେକ ଜୀବଜନ୍ତୁ ତଥା ବିଲେଇ,ବିଭିନ୍ନ ସରୀସୃପ,ପକ୍ଷୀ ଏମାନଙ୍କୁ ସ୍ପର୍ଶ ନ କରିବା ଭଲ,ଯଦି କରନ୍ତି ତେବେ ହାତକୁ ଅଭିନବ ଛଅଥର ଧୁଆ ପ୍ରଣାଳୀର ଉପଯୋଗ କରିବେ ଯେପରି ଭୁତାଣୁ ମାନଙ୍କ ସ୍ପର୍ଶ ନ ହୁଏ।ରହିବା ସ୍ଥାନ ଓ ବ୍ୟବହାର୍ଯ୍ୟ ଜିନିଷ ଦୂଷିତ ନ ହେବା ନିତ୍ୟାନ୍ତ ଆବଶ୍ୟକ।ଆପଣ ତାଙ୍କୁ କାଲି ନେଇ ଘରେ ଯତ୍ନରେ ରଖିବେ।

   ରାତିପାହିବାରୁ ନରେଶକୁ ନେଇ ସଭିଏଁ ଫେରିଲେ ଘରକୁ।ମିନତୀର ମନରୁ ଏ ରୋଗର କାରଣର ଭୂତ ଦୁରେଇ ନ ଥିଲା।ସେଦିନ ରାତ୍ରୀ ପ୍ରାୟ ଦଶଟା ହେବ,ମିନତୀ ଔଷଧ ଓ ପାଣି ନେଇ ବିଛଣା ଉପରେ ବସିଲା ଯେଉଁଠି ନରେଶ ଶୋଇଥାଏ।କେମିତି ବା କ'ଣ ପଚାରିବ ଆନ୍ଦୋଳିତ ହେଉଥାଏ ତା ମନ?ନରେଶର ଆଖିରୁ ବିଗଳିତ ହେଉଥାଏ ଯେମିତି ଅନୁତାପର ଅଶ୍ରୁ।

  ଲୁହ ପୋଛିଦେଇ ମିନତୀ କହିଲା, ଏ କାନ୍ଦୁଛ କାହିଁକି ? ଆମେ ସାଥିରେ ଅଛୁ ନା, ସବୁ ଠିକ୍ ହୋଇଯିବ।ହେଲେ ତୁମେ କିଛି କହିବ କି?

   ନରେଶ କହିଲା, ମିନତୀ......,ଅନେକ ଦିନରୁ ମୋ ଅବିବେକୀ ପେଡିରେ ରଖିଥିବା ସେ ଦୂଷିତ ଘଟଣାକୁ ମୁଁ ତୁମକୁ ଶୁଣାଇବାକୁ ଚାହେଁ।ତାପରେ ବିଚାର ତୁମର।
   
 ଆଜକୁ ଠିକ୍ ଦଶ ବର୍ଷ ତଳର ଘଟଣା। ସେଦିନ ରାତି ୯ଟାରେ ଆସିଲା ଏକ ବେନାମୀ ଫୋନ୍ କଲ।ପଚାରି ଜାଣିଲି ସେ ହେଉଛି ଋତୁ,ମୋ ପୁରୁଣା ଦିନର ପରିଚିତ ସମ୍ବନ୍ଧିତ ଏକ ବିସ୍ମୟ ଚରିତ୍ର।ଯେ କି ଖାଲି ମୋତେ ନୁହଁ ବରଂ ମୋ ଜୀବନକୁ ଦେଇଥିଲା ଏକ ଶକ୍ତ ଧକ୍କା।ସବୁକିଛିକୁ ଭୁଲି ପହଂଚିଲି ତା ଘର ରାଉରକେଲା ସେକ୍ଟର ୫ର ୩ ନମ୍ବର କଲୋନୀର ୧୧୨ ନମ୍ବର ଘରେ।ବର୍ଷା, ବିଜୁଳି,ସାଙ୍ଗକୁ ଘଡଘଡି ଯେମିତି ଥରାଉଥିଲା ପୃଥିବୀକୁ।ଷ୍ଟେସନରୁ ଓହ୍ଲାଇ ତା ଘରଯାଏଁ ଚାଲି ଚାଲି ଭିଜିଯାଇଥାଏ ଗୋଟାପୁଣି।ମୋତେ ଆଦରରେ ନେଇ ସେ ଏକ ଟର୍କିଶରେ ପୋଛି ଦେଲା ମୋ ମୁଣ୍ଡ ଓ ଦେହ।ବଦଳାଇ ବସି ତା ହାତରୁ ପିଇଲି ଗରମ କଫି।ଭାବିଲି ବଦଳି ଯାଇଛି ସେ।ଶୁଣିଲି ତା ମନ ଗଢା କପୋଳକଳ୍ପିତ କାହାଣୀ।ସେ ଆଜି ଅନାଥ।ତାର କେହି ନାହିଁ।ଆଜି ସେ ସବୁ ଭୁଲି ଯାଇଛି।ତାର ଆଖି,ମୁହଁ ଓ ଚାହାଣୀରୁ ବାରୁଥିଲି ଯୌନ ପିପାସା ଚରିତାର୍ଥ କରିବାର ସୁରାକ।ହେଲେ ମୁଁ ସ୍ଥିତପ୍ରଜ୍ଞ।ନରେଶ ମୁଁ ସିକିଲିନ ପେସେଣ୍ଟ,ଡାକ୍ତର କହିଛନ୍ତି ହୁଏତ ମୁଁ ଅଳ୍ପ କେଇଦିନ ବଞ୍ଚିବି,ମୋ ଶେଷଇଛା ପୂର୍ଣ କରିବ ନାହିଁ।କେବଳ ଗୋଟିଏ ଥର ପାଇଁ ମୋତେ ଗ୍ରହଣ କର।ସେଦିନ ଘନ ଅନ୍ଧାର ଓ ବାହାରର ମେଘ ଗର୍ଜ୍ଜନ ସହ ଗର୍ଜୁଥିଲା ତା ଦେହର ତରଙ୍ଗ।କଫିରେ କଣ ଦେଇଥିଲା କେଜାଣି ଶେଷରେ ମୋ ଅଟଳ ପ୍ରତିଜ୍ଞା ହାର ମାଣିଥିଲା ତା ସମ୍ମୋହନରେ।ତାପରେ ସେ ଅଟ୍ଟହାସ୍ୟ ଓ ଧିକ୍କାର କରି ବିଜେତାର ଆସ୍ଫାଳନ ଓ ମୋ ହାରିବାର ମଜା ନେଲା।ସେଇ ବର୍ଷା ଭିଜା ରାତିରେ ଫେରିଲି ଜୀବନକୁ ପାଣି ଛଡେଇ ଜୀବନ ବିକଳେ, କ୍ରୋଧର ନିଆଁ ରେ ଜଳି ଜଳି।ପରେ ଜାଣିଲି ସେ କୌଣସି ରୋଗରେ ପୀଡିଟା ନୁହଁ ବରଂ ବହୁବର୍ଷ ବେଶ୍ୟାବୃତ୍ତି କରି ଆକ୍ରାନ୍ତ ହୋଇଥିବା ଏକ ଏଡସ ପିଡୀତା।

    ସତରେ ତୁମେ ଏତେ ତଳକୁ ଖସି ପାରିଲ ନରେଶ।ତୁମ ଉପରେ ମୋର ଯେଉଁ ପ୍ରକାଣ୍ଡ ବିଶ୍ୱାସ ଥିଲା,ଶେଷରେ ତାକୁ ମଉଳାଇଦେଲ,ବୁକୁଥରା ଚିତ୍କାର ଥିଲା ମିନତୀର।

   କୋହଫଟା ସ୍ୱରରେ ନରେଶ କହୁଥାଏ...ବିଶ୍ଵାସ କର ମିନତୀ,ଏ ଥିଲା ଋତୁର ପୂର୍ବପ୍ରସ୍ତୁତ,ପ୍ରାୟୋଜିତ ମାୟା ଯାଦୁଭରା ଚକ୍ରବ୍ୟୁହ।ମୋ ସତ୍ ପଣିଆର ସେ ନେଇଥିଲା ପ୍ରତିଶୋଧ।

   ମୁଁ ଥିଲି ଜି. ଏମ୍. କଲେଜର +୩ ଦ୍ବିତୀୟ ବର୍ଷ ବିଜ୍ଞାନର ଏକ କୃତୀ ଛାତ୍ର।ଋତୁ ଥିଲା କଲା ବିଭାଗର ଛାତ୍ରୀ ଓ କଲେଜ କୁଇନ୍।ଜାଣି ନ ଥିଲି ସେ ଚ୍ୟାଲେଞ୍ଜ କରି ପିଲା ମାନଙ୍କୁ ତା ପ୍ରେମ ଜାଲରେ ପକାଏ ବୋଲି।ମୁଁ ଥିଲି ଶାନ୍ତ ସରଳ,ପାଠ ହିଁ ମୋର ସର୍ବସ୍ୱ।ମୁଁ ଝିଅପିଲାଙ୍କୁ ଚାହେଁ ନାହିଁ କଥା ହୁଏନି,ତାହା ଜାଣି ତା ସାଙ୍ଗ ମାନେ ତାକୁ କାଳେ ଚ୍ୟାଲେଞ୍ଜ କଲେ ମୋତେ ତା ଜାଲରେ  ଆଦୌ ପକାଇପାରିବ ନାହିଁ। ଜିଦ୍ ଖୋର ଋତୁ ଶପଥ କଲା ସେ ନିଶ୍ଚୟ ଜିତିବ।ତାର ଶିଷ୍ଟ ମିଷ୍ଟ ଭଦ୍ର କଥାବାର୍ତ୍ତା ଓ ମହାନତା ପ୍ଲାବିତ ଯାଦୁକାରୀ କଥା ଓ ଆଚରଣରେ ଭଲ ପାଇଲି ଓ ସିଦ୍ଧାନ୍ତ ବି ନେଲୁ ଦୁହେଁ ଦୁହିଁଙ୍କୁ ବିବାହ କରିବା ପାଇଁ।ଅବଶ୍ୟ ସେ ସମୟ ପର୍ଯ୍ୟନ୍ତ ତାର ଶତ ଚେଷ୍ଟା ସତ୍ତ୍ୱେ ବି ମୁଁ କୌଣସି ପାପ ସମ୍ପର୍କ ରଖି ନ ଥିଲି।ଯେତେବେଳେ ଜାଣିଲି ଏ ଋତୁ ଗୋଟେ ମାୟାବିନୀ, ଅନେକ ପୁରୁଷଙ୍କ ସହ ଅବୈଧ ସମ୍ପର୍କ ରଖିଥିବା ଚରିତ୍ରହୀନାଟେ,ତା ସହ ସମ୍ପର୍କ ଛିନ୍ନ କଲି ଓ ଜୀବନରେ ମୋ ନାଁ ଯେମିତି ନ ଧରେ କି ଛାଇ ବି ନ ମାଡ଼େ।ଏମିତିକି ଯେଉଁମାନଙ୍କୁ ବି ସେ ମିଛ ମରୀଚିକା ପ୍ରେମରେ ଦୌଡାଉଥିଲା ସେମାନଙ୍କ ଅପମାନ ଭତ୍ସନା ସହି ନ ପାରି ଚାଲିଗଲା କ୍ୟାପିଟାଲ କୁ।ପ୍ରକୃତି ବା ଛାଡ଼ିବି କେଉଁଠୁ,ସେଠାରେ ସେକ୍ସ ସ୍କାଣ୍ଡାଲରେ ଧରାପଡି ଗଲା ଜେଲ୍।ବାପା ଜଣେ କମ୍ପାନୀ ମ୍ୟାନେଜର ମା ମହିଳା ନେତ୍ରୀ।ଏ ସବୁ ସହି ନ ପାରି ଦୁହେଁ ବିଷପାନ କରି କଲେ ଆତ୍ମହତ୍ୟା।ବିଚାରୀ ଟା କୁ କେହି ତ ବିବାହ କଲେ ନାହିଁ, ଶେଷରେ ସାଜିଲା ବେଶ୍ୟା ବାରନାରୀ।କେତେବେଳେ ବି ମଦ୍ୟପ,ଡ୍ରଗ୍ସ ଆଡିକଟ ଓ ଏଡସ ରୋଗୀଙ୍କ ସହ ସହବାସ କରି ଅର୍ଜିଲା ଏଡସ ରୋଗ ସାଜିଲା ଏଡସ ରୋଗୀ।ମୁଁ ତାକୁ ସେଦିନ କରିଥିବା ଭତ୍ସନା ଓ ମୋ ଜୀବନରୁ ତ୍ୟାଗ କରିଥିବାର ପ୍ରତିଶୋଧ ନେଲା ମୋ ଉପରେ।ମୋତେ କ୍ଷମା କରିଦିଅ ମିନତୀ,ଏ ଭୁଲ ପାଇଁ ମୁଁ ଦାୟୀ।

     ଥକ୍କି ପଡିଥିବା ଅସ୍ତ ଅରୁଣଟା ପାହାଡ଼ କୋଳରେ ଯେମିତି ଝାଉଁଳି ପଡେ ଠିକ୍ ସେହିପରି ଅପକର୍ମର ଜ୍ବାଳାରେ ଛଟପଟ ନରେଶଟା ସତେ ଯେମିତି ଚାହିଁଥିଲା ମିନତୀର ବିଶାଳ ହୃଦୟର ପରଶ।ନରେଶ ଆଖିରୁ ଲୁହ ବୁନ୍ଦା ଗୁଡାକ ପୋଛୁ ପୋଛୁ କହିଲା, ଧୈର୍ଯ୍ୟ ଧର ନରେଶ,ତୁମ ଭୁଲ ପାଇଁ ତୁମେ ତ ଅନୁତପ୍ତ,ଭଗବାନଙ୍କୁ ଡାକିବା ସେ ଯେମିତି ତୁମକୁ ଏ ବିପଦରୁ ଉଦ୍ଧାର କରନ୍ତୁ।

   ମିନତୀର ସେବା ଯତ୍ନ ଓ ଈଶ୍ୱରଙ୍କୁ ଭକ୍ତି ପାଖରେ କେଉଁଆଡ଼େ ଲୁଚି ଚାଲିଗଲା ନିଷ୍ଠୁର ଏଡସଟା।ପୁଣି ହସି ଉଠିଲା ତାଙ୍କ ସୁନାର ସଂସାର।ନରେଶ ସେହି ଦିନଠୁ ପ୍ରଚାର କଲା ସଭିଙ୍କୁ ସଚେତନ ଆଶାରେ ସ୍କୁଲ କଲେଜ ଗାଁ ଗଣ୍ଡା ସବୁଠି,ଶୁଦ୍ଧ ହୁଅ,ପବିତ୍ର ହୁଅ, ଚରିତ୍ରବାନ ହୁଅ,ସ୍ଵଛ ହୁଅ,ନିର୍ମଳ ହୁଅ।ଆଉ କେବେ ବି ଭୁଲି ନ ଯାଅ,ଅଶୋଧିତ ଛୁଞ୍ଚି ବ୍ୟବହାର ବର୍ଜ୍ଜନ କର,ଅସୁରକ୍ଷିତ ଯୌନ ସମ୍ପର୍କକୁ ପଦାଘାତ କର ଓ ଏଡ୍ସ ରୋଗୀମାନେ କଦାପି  ସନ୍ତାନ ପ୍ରସବ କରନା।

ନାରାୟଣ ଚନ୍ଦ୍ର ସେନାପତି, 
ଜମ୍ଭରା, କେନ୍ଦୁଝର।

0 Comments