କ୍ରୀଡା - ନାରାୟଣ ଚନ୍ଦ୍ର ସେନାପତି

କ୍ରୀଡା - ନାରାୟଣ ଚନ୍ଦ୍ର ସେନାପତି

କିଏ କହେ ମୋତେ ଖେଳ, ପ୍ରାଣାୟମ
କେ କହେ ଯୋଗ ବ୍ୟାୟାମ
ସଭିଙ୍କୁ ଆଦରେ ନିମନ୍ତ୍ରଣ କରି
ଦିଏ କେତେ ଯେ ଆରାମ।

ମୋତେ କିଏ ପାଏ ଘରର ଭିତରେ
କେ ପାଏ ପଡିଆ ବାହାରେ
ସଭିଙ୍କ ହୃଦୟେ ଆନନ୍ଦ ଭରେମୁଁ
ଆଉଁସେ କେଡେ ଖୁସିରେ।

ଶରୀର ମନ ଓ ଆତ୍ମା କରେ ସ୍ୱଚ୍ଛ
ମୋତେ ଯିଏ ପାଏ ଭଲ
ଅଳସୁଆ ହୋଇ କରେ ଯିଏ ଘୃଣା
ହୁଏ ରୋଗେ କଲବଲ।

ଭିତର ଦୂଷିତ ବାୟୁ ଖୋଲି ମୁହିଁ
ଦିଏ ଶୁଦ୍ଧ ଅମ୍ଳଜାନ
କେତେବେଳେ ସ୍ଥିର ସାଧକ ମୁଁ ସାଜେ
କେବେ ବୀର ଶକ୍ତିମାନ।

ଜଳ କେବେ ନେଇ ଅନ୍ତଃ ଶୁଦ୍ଧ କରେ
ଅନ୍ତଃ ଅଙ୍ଗ କରେ ସ୍ନାନ
କେବେବା ଦୂଷିତ ଝାଳ ଦେହୁ କାଢି
ବଢାଏ ହୃତ୍ ସ୍ପନ୍ଦନ।

ଜାତି ଭେଦ ସାନ ବଡ଼ ମୁଁ ବାରେନା
ମୋ ପାଶେ ସବୁ ସମାନ
ଧର୍ମ ନିକିତିରେ ନିରପେକ୍ଷେ ମାପେ
(ହେଉ)ହିନ୍ଦୁ ବା ମୁସଲମାନ।

ଶିଖାଏ ଏକତା ପ୍ରେମ ଭ୍ରାତୁଭାଵ
ଶୃଙ୍ଖଳା ଦୃଢ଼ ପ୍ରତିଜ୍ଞ
ନିଷ୍ଠାରେ ମୋତେ ଯେ ସାଧେ ଧ୍ୟାୟୀ ନିତ୍ୟ
(ତାଙ୍କୁ)ସ୍ନେହ ଦ୍ୟନ୍ତି ଅଜ୍ଞ ବିଜ୍ଞ।

ମୋତେ ଯେ ଆଦରେ ପ୍ରୀତିପୁଷ୍ପ ଦେଇ
ରୋଗ ଯାଏନା ତା ପାଶ
ଚିର କୁମାର ସେ ଜଗତ୍ ଜିତା ହୋଇ
ସୁଖେ ଧରେ ମୃଦ୍ୟୁ ହସ।

ଆଗରୁ ଥିଲି ମୁଁ ପାଠଠୁ ଦୁରେଇ
ଭାବନ୍ତି ମୁଁ ଅପାଠୁଆ
ଏବେ ପରା ପାଠ୍ୟକ୍ରମେ ରହିଲିଣି
ସତେ ମୁଁ କେଡେ ପାଠୁଆ !


କରନା ହେ(ୟ) ଜ୍ଞାନ ଆହେ ସୁଧୀ ଜନ
ସରାଗେ କର ଆଦର
ମୋ ପାଇଁ ମୋ ଦେଶ ବିଶ୍ବେ ମହୀୟାନ
ମୁଁ ପରା ତୁମ ପିଅର।

ନାରାୟଣ ଚନ୍ଦ୍ର ସେନାପତି, 
      ଜମ୍ଭରା, କେନ୍ଦୁଝର ।

0 Comments