କ୍ଷୁଦ୍ରଗଳ୍ପ - ଏଇତ ଜୀବନ - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ଏଇତ ଜୀବନ - ନାରାୟଣ ଚନ୍ଦ୍ର ସେନାପତି


ବୃଦ୍ଧାଶ୍ରମର ଚାରିକାନ୍ଥ ମଧ୍ୟରେ ଖୁବ୍ ଅଣନିଃଶ୍ବାସୀ ପାଲଟି ଯାଉଛନ୍ତି ବିନୋଦ ବାବୁ...। ଅସଂଖ୍ୟ ଅସମାହିତ ପ୍ରଶ୍ନ କ୍ଷତ ବିକ୍ଷତ କରୁଛି ତାଙ୍କ ମସ୍ତିଷ୍କକୁ । ସେଦିନର ବଦାନ୍ୟ  ବିନୋଦ ବାବୁ. .ଆଜି ଅସହାୟ ବିନୋଦ । ଏଇ ତ ଜୀବନ । ସେଦିନ ବିଜେବି କଲେଜର କୃତିଛାତ୍ର ବିନୋଦ ଅପୂର୍ବ । ସୁନ୍ଦରୀ ଆଞ୍ଚଲ କୁ କଲେ ପ୍ରେମ ବିବାହ । ଦୁର୍ଭାଗ୍ୟର ବୈତରଣୀରେ ଭାସିଗଲା ଅଢେଇ ଦିନର କୁଣିଆ ଆଞ୍ଚଲ୍,ଛାଡ଼ିଦେଇ ଅଢେଇ ମାସର କୁନିପୁତ୍ର ସମ୍ପଦକୁ । ପାଗଳ ପ୍ରାୟ ବିନୋଦ । ଅନିଚ୍ଛା ସତ୍ତ୍ୱେ ବି ସମ୍ପଦର ଦେଖାଶୁଣା କରିବାକୁ ବାଧ୍ୟରେ  ବିବାହ କଲେ କୁସଂସ୍କାରୀ ଅସଭ୍ୟା ସୋନାଲିକୁ । ଜନ୍ମ ନେଲା ସୋନାଲି ଗର୍ଭରୁ ପୁତ୍ର ବିପ୍ଳବ । ସମ୍ପଦର ସୁଖ ଆକାଶରେ ଡ଼ିଆଁ ମାରିଲା ଦୁଃଖର ଧୂମକେତୁ । ସୋନାଲି ପରିବାରର କୁଟଚକ୍ରାନ୍ତର ଶିକାର ହୋଇ ଘର ଛାଡିଲା ବିଚରା ସମ୍ପଦ।ସ୍ତ୍ରୀର ଉଗ୍ର, ଅଶାଳୀନତାର ଭୟରେ ବିନୋଦ ସାଜିଲା ସର୍କସର ବାଘ । ଅଭଦ୍ର ମା' ଯା ଆଦର୍ଶ, ସେ  ଅଶିଷ୍ଟାଚାରୀ, ପ୍ରତି ମୁହୂର୍ତ୍ତରେ କରୁଥାଏ ବିପ୍ଳବ । ଅଯାଚିତ ସ୍ବାଧୀନତା ଓ  ଅନ୍ଧ ଭଲପାଇବା ତାକୁ କଲା ସ୍ବେଚ୍ଛାଚାରୀ ଓ ଅମଣିଷ । ଆମେରିକା ଗଲା, କଲା ଉଚ୍ଚଶିକ୍ଷା । ଭଲପାଇଲା ଏକ ଖ୍ରୀଷ୍ଟିୟାନୀ । ସାବାଳକ ସେ, ସ୍ୱାଧୀନ ଓ ଅତ୍ୟାଧୁନିକ ତେଣୁ ତା ବିବାହରେ କାହା ହସ୍ତକ୍ଷେପ ଅନାଵଶ୍ୟକ କହି ବିବାହ କଲା  ତାନିଆକୁ । ହାଲୋ ହାଏ ରେ ଅପସଂସ୍କାରରେ ଧକେଇ କାନ୍ଦିଲା ପରିବାର । ସୋନାଲୀର ବିଛାମନ୍ତ୍ର କରିପାରିଲା ନାହିଁ ବଶୀଭୂତ କାଳ ନାଗୁଣୀକୁ । ବିଷ ମନ୍ତ୍ରରେ ବିପ୍ଳବକୁ କଲା କବଜା, ଶାଶୁ ଶୁଶୁର ମନକୁ କଲା କ୍ଷତାକ୍ତ । ଏକ ଦୁର୍ଘଟଣାରେ ଆରପାରିକୁ ଗଲା  ସୋନାଲି, ବିନୋଦ ହେଲା ଅକର୍ମଣ୍ୟ । ଶେଷରେ ପୁଅ ବୋହୂଙ୍କ ପାଶ୍ଚାତ୍ୟ ନୀତି "ଆତ୍ମନିର୍ଭରଶୀଳ ହୁଅ" ବିନୋଦକୁ ଲାଗିଲା ରୁକ୍ଷ ଅଂଶୁଘାତ । ଧମକ ଚମକ ଦେଇ ଘର କମ୍ପାନୀ ବିକ୍ରିକରି ଚାଲିଗଲେ ପୁତ୍ରବଧୁ ଆମେରିକା । ଗ୍ରାମବାସୀଙ୍କ ଦୟାରେ  ଚିକିତ୍ସିତ ହେଲେ ବିନୋଦ।ଶେଷରେ ଆଶ୍ରା ହରାଇ ଆଦରିନେଲେ ପୁଣ୍ୟଧାମ ବୃଦ୍ଧାଶ୍ରମକୁ ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments